Unknown

 

 

 

 

 

 

 

 

 

 

ଅଭିଭାଷଣ

(ପ୍ରଥମ ଭାଗ)

 

ସଂଗ୍ରାହକ

ପ୍ରଫେସର ବଂଶୀଧର ମହାନ୍ତି

 

ସୂଚନା

 

ପ୍ରାଚୀନ ଓଡ଼ିଆ ସାହିତ୍ୟ ସମୃଦ୍ଧିବନ୍ତ; ଆଧୁନିକ ଓଡ଼ିଆ ସାହିତ୍ୟ ସେପରି ପରିପୁଷ୍ଟ ଓ ବିଶାଳତା ଲାଭ କରିନାହିଁ ବୋଲି ସାହିତ୍ୟିକମାନଙ୍କର ମତ । ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ ଆଲୋଚନାରୁ ଜଣାଯାଏ ଯେ, ନାନା ଉତ୍‍ଥାନ ପତନ ଭିତରେ ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି ଲାଭ କରିଛି । ଏହାଛଡ଼ା ମଧ୍ୟ ଅନେକ କାରଣ ରହିଛି । ସେ କାଳର ଭାଷାଗତ ବିବାଦ ବିସମ୍ୱାଦ ଏବଂ ଓଡ଼ିଶାରେ ପାଶ୍ଚାତ୍ୟଶିକ୍ଷା ପ୍ରବର୍ତ୍ତନର ଅଭାବ ପ୍ରଭୃତି ଅନେକ କିଛି କାରଣରୁ ଆଧୁନିକ ଓଡ଼ିଆ ସାହିତ୍ୟ ଅନ୍ୟାନ୍ୟ କେତେକ ପ୍ରଦେଶର ଆଧୁନିକସାହିତ୍ୟପରି ମୁଣ୍ଡଟେକି ପାରିନଥିଲା । ଯେଉଁ ନିଷ୍ଠାପର ସାହିତ୍ୟିକଗଣ ସେତେବେଳେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ନିମିତ୍ତ ସର୍ବଦା ଚେଷ୍ଟିତ ଥିଲେ ସେମାନଙ୍କର ଅଭିଭାଷଣରେ ଉକ୍ତ ବିଷୟଗୁଡ଼ିକର ଆଲୋଚନା କରିଅଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟର ଦିଗ୍‍ବଳୟରେ ନୂତନ ଭାଷାର ଜାଗରଣ ଆନୟନ କରିଥିବା ବ୍ୟକ୍ତିମାନଙ୍କର ଭାଷାରେ ଆଜି ମଧ୍ୟ ନୂତନତାର ଆଭାଷ ମିଳିଥାଏ । ଏହି ସଂକଳନ ପୁସ୍ତକରେ ଅଭିଭାଷଣଗୁଡ଼ିକର ବକ୍ତାମାନେ ଆଧୁନିକ ଓଡ଼ିଆ ସାହିତ୍ୟର ସୃଷ୍ଟି, ଅଭିବୃଦ୍ଧି ତଥା ଆଲୋଚନା ଦିଗରେ ଯେଉଁ ସାଧନାର ଧାରା ଦେଖଇ ଦେଇଯାଇଅଛନ୍ତି, ତାହା ଦେଶର ସାଂସ୍କୃତିକ ଉନ୍ନତିରେ ଯେ ଯଥେଷ୍ଟ ସାହାଯ୍ୟ କରିଛି କହିବା ବାହୁଲ୍ୟ ମାତ୍ର । ୰ ଗୌରୀଶଙ୍କର, ରାମଶଙ୍କର, ରାଧାନାଥ, ଫକୀରମୋହନ, ଗୋପବନ୍ଧୁ, ବିଶ୍ୱନାଥ ଓ ଗୋପାଳଚନ୍ଦ୍ର ପ୍ରହରାଜ ପ୍ରଭୃତି ଆଧୁନିକ ଓଡ଼ିଆ ସାହିତ୍ୟର ଖ୍ୟାତନାମା ସାହିତ୍ୟିକ, କବି, ଲେଖକ ଓ ସମାଲୋଚକଗଣ ପ୍ରତ୍ୟେକଙ୍କର ସୁପରିଚିତ । ଅଭିଭାଷଣଗୁଡ଼ିକ ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱ ତଥା ସାହିତ୍ୟ-ସାଧନ-ନିଷ୍ଠା ସମ୍ୱନ୍ଧରେ ବହୁ ତଥ୍ୟ ପ୍ରକାଶ କରିଥାଏ । ମୋଟ ଉପରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ୱନ୍ଧରେ ସେମାନଙ୍କର ସ୍ଥୂଳ ଧାରଣା ବିଭିନ୍ନ ଭାବରେ ଅଭିଭାଷଣଗୁଡ଼ିକରେ ପ୍ରକାଶ ଲାଭ କରିଛି । କେବଳ ସେତିକି ନୁହେଁ, ପ୍ରାଚୀନ ଓଡ଼ିଆ ସାହିତ୍ୟ ଓ ଆଧୁନିକ ସାହିତ୍ୟକୁ ପ୍ରତ୍ୟେକ କେଉଁ ଦୃଷ୍ଟିକୋଣରେ ଦେଖିଛନ୍ତି ଓ ଆଗାମୀ ଓଡ଼ିଆ ସାହିତ୍ୟରେ ଉନ୍ନତି ନିମିତ୍ତ କି କି ପରିକଳ୍ପନା କରିଅଛନ୍ତି ତାହାମଧ୍ୟ ଅଭିଭାଷଣଗୁଡ଼ିକରେ ଆଲୋଚିତ ହୋଇଛି-

 

ପୁରୁଣା ଉତ୍କଳ ଦୀପିକା, ମୁକୁର ଓ ଉତ୍କଳ ସାହିତ୍ୟରୁ ଏହି ଅଭିଭାଷଣଗୁଡ଼ିକ ସଂଗ୍ରହ କରାଯାଇଅଛି । ‘ଉତ୍କଳ ସାହିତ୍ୟ ସମାଜ’ ସମ୍ପାଦକ, ‘ସମାଜ’, ତଥା ଅନ୍ୟ ଯେଉଁମାନେ ଏ ପ୍ରକାର ସଂକଳନ ନିମିତ୍ତ ମୋତେ ଉତ୍ସାହିତ କରିଅଛନ୍ତି ତାହା କଦାପି ଭୁଲିବାର କଥା ନୁହେଁ । ପରିଶେଷରେ ମୋର ବନ୍ଧୁ ଫକୀରମୋହନ କଲେଜର ଇଂରାଜୀ ଅଧ୍ୟାପକ ବକ୍‍ସି ଜଗବନ୍ଧୁ ମହାପାତ୍ରଙ୍କର ପୁସ୍ତକର ପ୍ରକାଶ ନିମିତ୍ତ ଅସୀମ ଉଦ୍ଦୀପନା ମୋତେ ବିଶେଷ ସାହାଯ୍ୟ କରିଛି । ଇତି ।

 

ରେଭେନ୍‍ସା କଲେଜ, କଟକ

ଶ୍ରୀ ବଂଶୀଧର ମହାନ୍ତି

ତା୨୪ । ୬ । ୫୩

 

Image

 

ସୂଚୀପତ୍ର

 

୧.

ଅଭିଭାଷଣ

ଶ୍ରୀ ରଙ୍ଗଲାଲ ବନ୍ଦୋପାଧ୍ୟାୟ

୨.

ଅଭିଭାଷଣ

ଶ୍ରୀ ଗୌରୀଶଙ୍କର ରାୟ

୩.

ଓଡ଼ିଆ ଭାଷାର ଉନ୍ନତି

ଶ୍ରୀ ରାମଶଙ୍କର ରାୟ

୪.

ଉତ୍କଳ ସାହିତ୍ୟର ଉନ୍ନତି

ଶ୍ରୀ ରାଧାନାଥ ରାୟ

୫.

ଉତ୍କଳ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ

ଶ୍ରୀ ଅଭିରାମ ଭଞ୍ଜ

୬.

ସଭାପତି ଅଭିଭାଷଣ

ଶ୍ରୀ ଫକୀରମୋହନ ସେନାପତି

୭.

ଅଭିଭାଷଣ

ଶ୍ରୀ ଗୋପବନ୍ଧୁ ଦାସ

୮.

ଅଭିଭାଷଣ

ଶ୍ରୀ ରାଜକିଶୋର ଦାସ

୯.

ଉତ୍କଳ ସାହିତ୍ୟର ଉନ୍ନତି

ଶ୍ରୀ ବିଶ୍ୱନାଥ କର

୧୦.

ଅଭିଭାଷଣ

ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ

Image

 

ଅଭିଭାଷଣ

(ଶ୍ରୀ ରଙ୍ଗଲାଲ ବନ୍ଦୋପାଧ୍ୟାୟ)

 

ଉତ୍କଳ ଭାଷା ଏବଂ ବଙ୍ଗ ଭାଷା ମଧ୍ୟରେ ତାଦୃଶ ବିଭିନ୍ନତା ନାହିଁ, ଏ କଥା ସମସ୍ତଙ୍କୁ ଅବଗତ ଅଛି । ଭିତ୍ତି ଏବଂ ପତ୍ତନ ବିଶେଷ, ବିଶେଷ୍ୟ, ସର୍ବନାମ ଏବଂ କ୍ରିୟା ଏହି ଚତୁର୍ବିଧ ଭାଷାର ମୂଳ; ଉତ୍କଳ ଏବଂ ବଙ୍ଗଭାଷାରେ ପ୍ରାୟ ଏକ ପ୍ରକାର । କେବଳ ଭିନ୍ନ ଭିନ୍ନ ବିଭକ୍ତିଗତ ପ୍ରତ୍ୟୟ ସମୁଦାୟ ଏକପ୍ରକାର ନ ହେବାରୁ ପ୍ରଭେଦ ବୋଧ ହୁଅଇ । ଆହୁରି ବିଶେଷଣ ଓ ବିଶେଷ୍ୟବାଚକ ଶବ୍ଦ ସମୂହର ଉଚ୍ଚାରଣ ମଧ୍ୟ ଏକପ୍ରକାର । ** ଆଉ ଉତ୍କଳରେ ଅନେକ ଶବ୍ଦ ଶେଷରେ କିମ୍ୱା ମଧ୍ୟରେ ‘ଲ’ ବର୍ଣ୍ଣ ଭିନ୍ନ ପ୍ରକାରରେ ଉଚ୍ଚାରିତ ହୁଏ । ଏହି ଦ୍ୱିତୀୟ ପ୍ରକାର ‘ଳ’ କିଛି ଉତ୍କଳ ଦେଶରେ ସୃଷ୍ଟି ହୋଇନାହିଁ । ଦ୍ରାବିଡ଼ାଦି ଦାକ୍ଷିଣାତ୍ୟରେ ତାହା ପ୍ରଚଳିତ ଅଛି ଏବଂ ଫ୍ରାନ୍‍ସୀୟ କୌଣସି ମହାମହୋପାଧ୍ୟାୟ ପଣ୍ଡିତ ପ୍ରତିପନ୍ନ କରିଅଛନ୍ତି ଯେ, ଉକ୍ତ ବର୍ଣ୍ଣ ବେଦମନ୍ତ୍ରରେ ସନ୍ନିବେଶିତ ଅଛି । ବର୍ତ୍ତମାନ ଆର୍ଯ୍ୟାବର୍ତ୍ତରେ ଅର୍ଥାତ୍‍ ଭାରତବର୍ଷର ଉତ୍ତର ଓ ମଧ୍ୟଦେଶର ଅନେକାଂଶରେ ଏହାର ଲୋପ ହୋଇଅଛି । ସୁତରାଂ ଉତ୍କଳୀୟ ଲୋକମାନଙ୍କ ମୁଖରେ‍ ବିଭିନ୍ନ ଆକାରରେ ଉକ୍ତ ବର୍ଣ୍ଣ ଉଚ୍ଚାରିତ ହେଲେ ଭିନ୍ନ ଦେଶୀୟ ଲୋକମାନେ ‘‘ଓଡ଼ିଆ କଡ଼ମଡ଼’’ ବୋଲି ଉପହାସ କରନ୍ତି, ଫଳତଃ ଉପହାସର କୌଣସି ବିଷୟ ଦେଖାଯାଏ ନାହିଁ । ଲଳିତ ଓ ଶ୍ରୁତିମଧୁର ବର୍ଣ୍ଣମଧ୍ୟରେ ‘ଲ’ ବର୍ଣ୍ଣଟି ପ୍ରଧାନ, ତାହାର ଭିନ୍ନ ପ୍ରକାର ଉଚ୍ଚାରଣ ଥାଉଁ ଥାଉଁ ଅନ୍ୟଦେଶରେ ତାହା ଲୁପ୍ତ ହେବାରୁ ଶୁଣିବାକୁ ମଧୁର ହୁଏନାହିଁ । ଯେହେତୁ ବୋଧ ହୁଅଇ ‘ଲ’ ବର୍ଣ୍ଣର ଆଦ୍ୟ ଉଚ୍ଚାରଣ ସୁମଧୁର ଏବଂ ଅକ୍ଳେଶରେ ରସନାଦ୍ୱାରା ଉଚ୍ଚାରିତ ହୁଏ । ଅଧିକନ୍ତୁ ଉତ୍କଳୀୟ ସର୍ବନାମ ସମୂହ ଯେରୂପ ସଂସ୍କୃତ ମୂଳରୁ ଉତ୍ପନ୍ନ, ବଙ୍ଗଦେଶୀୟ ସର୍ବନାମ ସବୁ ମଧ୍ୟ ସେହି ମୂଳରୁ ପ୍ରଜାତ ହୋଇଅଛି; ବରଂ ଉତ୍କଳୀୟ ‘ଆମ୍ଭ’, ‘ତୁମ୍ଭ’ ପ୍ରଭୃତି ସର୍ବନାମ ଠିକ୍‍ ପ୍ରାକୃତ । ବଙ୍ଗଦେଶୀୟ ‘ଆମି’ ‘ତୁମି’ ସବିଶେଷ ଅପଭ୍ରଂଶ ଦଶା ପ୍ରାପ୍ତ ହୋଇଅଛି । ** କେତେକ ପ୍ରତ୍ୟୟର ବିଭିନ୍ନତାରେ ବଙ୍ଗଳା ଏବଂ ଉତ୍କଳ ଭାଷା ମଧ୍ୟରେ ଔଦାସୀନ୍ୟ ପ୍ରତିପନ୍ନ କରିବା ଅନଭିଜ୍ଞତା, ମାତ୍ର ଏପରି ହେଲେ ବଙ୍ଗଳାଦେଶର ପୂର୍ବାଞ୍ଚଳୀୟ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା କହିବା କର୍ତ୍ତବ୍ୟ । ଯେହେତୁ ସେଠାରେ ‘କରିବ’ ସ୍ଥାନରେ ‘କରିମୁଁ’ ହୁଅଇ, ବସ୍ତୁତଃ କଲିକତାର ଏବଂ ଚଟ୍ଟଗ୍ରାମର ବଙ୍ଗଳା ମଧ୍ୟରେ ଯେତେ ପ୍ରଭେଦ ଜଣାପଡ଼ଇ ବଙ୍ଗଦେଶୀୟ ଏବଂ ଉତ୍କଳୀୟ ସାଧୁଭାଷା ମଧ୍ୟରେ ତାଦୃଶ ଦୃଷ୍ଟ ନୁହଇ ।

 

ବଙ୍ଗଳା ଏବଂ ଉତ୍କଳ ଭାଷାର ଏକ ଜାତିତ୍ୱ ଏବଂ ନିକଟ ସମ୍ୱନ୍ଧ ବିଷୟରେ ଆମ୍ଭର ଅଭିପ୍ରାୟ ବ୍ୟକ୍ତ କଲୁ ଏବଂ ଭାରତବର୍ଷୀୟ ସର୍ବଗୌରବାଧାନ ସଂସ୍କୃତ ଭାଷାନୁଯାୟୀ ନିୟମାବଳୀ ଉତ୍କଳରେ ପ୍ରଚୁର ଥିବାର ସଂକ୍ଷେପରେ ବ୍ୟକ୍ତ କଲୁ; କିନ୍ତୁ ଦୁଃଖର ବିଷୟ ଯେ ବଙ୍ଗଳା ଦେଶ ୬୫୦ ବର୍ଷ ଯବନାକ୍ରାନ୍ତ ହୋଇଅଛି । ମାତ୍ର ସେଠାକାର ଭାଷାରେ ବିଜାତୀୟ ଅର୍ଥାତ୍‍ ପାରସ୍ୟ, ଆରବ୍ୟ ଶବ୍ଦର ଯେ ପରିମାଣରେ ସଂସ୍ରବ ଦେଖାଯାଏ ଉତ୍କଳଭାଷାରେ ତଦପେକ୍ଷା ସମଧିକ ପରିମାଣରେ ସନ୍ନିବେଶିତ ହୋଇଅଛି ଅଥଚ ଉତ୍କଳ ଦେଶକୁ ମୁସଲମାନମାନଙ୍କ ଆସିବା ସଂପୂର୍ଣ୍ଣ ୩୦୦ ବର୍ଷ ହୋଇନାହିଁ । ମୁସଲମାନମାନେ ଯେ ସମସ୍ତ ଦେଶ ଅଧିକାର କରନ୍ତି ସେ ଦେଶରେ ଆପଣା ଭାଷା ପ୍ରଚଳନ କରିବାକୁ ଉତ୍ସାହ ଦିଅନ୍ତି ସତ୍ୟ ତଥାପି ପରାଭୂତ ଦେଶୀୟମାନଙ୍କ ପକ୍ଷରେ ତାହା ଅଙ୍ଗୀକାର କରିବା ଉଚିତ ନୁହ । ମୁସଲମାନମାନଙ୍କ ଅଧିକାର ପୂର୍ବେ ଉତ୍କଳପ୍ରଦେଶରେ ଭାରତବର୍ଷର ପ୍ରାଚୀନ ରାଜ୍ୟ ପ୍ରଣାଳୀ ସଂସ୍ଥାପିତ ଥିଲା । ଏତେବେଳେ ସୁଦ୍ଧା ଦେଶର ବିଭାଗ ସମସ୍ତ ଖଣ୍ଡ ଏବଂ ବିଚ୍ଛିତ୍ତି ଅପ୍ରଭଂଶ ବିସୀ ନାମରେ ଖ୍ୟାତ ଅଛି । ମୁସଲମାନମାନେ ତତ୍ପରିବର୍ତ୍ତରେ ପ୍ରଗଣା ଓ ଚକଲା ଶବ୍ଦ ପ୍ରଚଳିତ କରନ୍ତି । ମାତ୍ର ଅଦ୍ୟାପି ଖଣ୍ଡ ଏବଂ ବିସୀ ଶବ୍ଦ ଅନେକସ୍ଥଳରେ ଅନ୍ତର୍ଦ୍ଧାନ ହୋଇନାହିଁ । ଯଥା କେରୁଆଳ ଖଣ୍ଡ, ପତନ ଖଣ୍ଡ, ବାଲୁବିସୀ, ଡେରାବିସୀ ଇତ୍ୟାଦି । ପୁନଶ୍ଚ ଏ ଦେଶର ସନାତନ ନିୟମାନୁସାରେ ଦେଶାଧିକାରୀ ଏବଂ ଗ୍ରାମାଧିକାରୀ ପଦ ପ୍ରଚଳିତ ଥିଲା । ଅଦ୍ୟାପି ଦେଶପଣ୍ଡା ଏବଂ ଗ୍ରାମପଣ୍ଡା ଶବ୍ଦର ତିରୋଭାବ ହୋଇନାହିଁ । ମୁସଲମାନମାନେ ତତ୍ପରିବର୍ତ୍ତରେ ମକଦ୍ଦମା, ସରବରାକାର ପ୍ରଭୃତି ପଦର ସୃଷ୍ଟି କରନ୍ତି । ଅଦ୍ୟାପି ‘ସ୍ଥାନପତି’ ଏବଂ ‘ପଦପତି’ ଉଭୟପ୍ରକାର ପ୍ରଜାର ଆଖ୍ୟା ସ୍ଥାନୀ ଏବଂ ପାହୀ ଶବ୍ଦ ଦ୍ୱୟରେ ଜାଗରୂକ ଅଛି । ଅନେକସ୍ଥଳରେ ଏତେବେଳେ ସୁଦ୍ଧା ଚୌକିଦାରକୁ ଦଣ୍ଡୁଓ୍ୱାସି କହନ୍ତି । ଏରୂପ ପ୍ରୀତିକରୁ ଉପାଦାନସବୁ ଥାଉଁ ଥାଉଁ ଉତ୍କଳ ଭାଷାରେ ମୁସଲମାନୀ ଭାଷାର ପ୍ରଚୁର ଶବ୍ଦ ଗ୍ରହଣ କରିବା ଅତ୍ୟନ୍ତ ଦୁଃଖର ବିଷୟ । ଆମ୍ଭେ ବିଦେଶୀୟ ଶବ୍ଦ ବ୍ୟବହାରର ବିପକ୍ଷ ନୋହୁଁ । ଯେଉଁଠାରେ କୌଣସି ବିଦେଶୀୟ ଶବ୍ଦବିନା ମାନସିକ ଭାବ ବ୍ୟକ୍ତ କରିବାର ଉପାୟ ନାହିଁ ସେଠାରେ ତାହା ବ୍ୟବହାର କରିବା ବିଧେୟ, ନଚେତ୍‍ ଦୁଇଧାଡ଼ି ଓଡ଼ିଆ କି ବଙ୍ଗଳା ଲେଖିବାବେଳେ ଶତକଡ଼ା ପଞ୍ଚାଶ ଷାଠିଏ ପାରସ୍ୟ ଶବ୍ଦର ବ୍ୟବହାର ନିତାନ୍ତ ନିନ୍ଦନୀୟ । ୩୦ ବର୍ଷ ହେଲା ଏ ପ୍ରକାର କୁରୀତି ବଙ୍ଗଳା ଦେଶରେ ଅବଲମ୍ୱିତ ହେଉଥିଲା, ଏତେବେଳେ ତାହା ଅପସାରିତ ହେଉଅଛି । ବର୍ତ୍ତମାନ କେହି ମୁସଲମାନ ବଙ୍ଗଳାର ପ୍ରିୟ ନାହାନ୍ତି ତେବେ ବିଚାରାଳୟରେ ଅଦ୍ୟାପି ଦୃଷ୍ଟ ହେଉଅଛି । ମାତ୍ର ସ୍ୱଦେଶୀୟ ଭାଷାରେ ସୁଶିକ୍ଷିତ ଲୋକମାନେ ଯେତେ ରାଜକର୍ମରେ ନିଯୁକ୍ତ ହେଉଅଛନ୍ତି ତେବେ ତାହା ଅଶ୍ରଦ୍ଧେୟ ହେଉଅଛି । ଉତ୍କଳ ଦେଶରେ ମଧ୍ୟ ଏପରି ଘଟିବାର କି ବାଧା ଅଛି ? ହେଲିଡ଼େ ସାହେବଙ୍କ ସମୟଠାରୁ ଗଭର୍ଣ୍ଣମେଣ୍ଟ ବାରମ୍ୱାର ଅନୁଜ୍ଞା ଦେଉ ଅଛନ୍ତି ଯେ, ସୁଶିକ୍ଷିତ ଲୋକ ଭିନ୍ନ କେହି ତାୟୀଦ ଏବଂ ଅମଲା କର୍ମରେ ନିଯୁକ୍ତ ହେବେ ନାହିଁ । କିନ୍ତୁ ଦୁଃଖର ବିଷୟ ଯେ ଏହି ରାଜୋଦ୍ଦେଶ୍ୟ ଫଳବାନ ହେଉନାହିଁ, ଅମଲାମାନେ ପ୍ରକୃତ ପକ୍ଷେ ରାଜଦ୍ୱାରରେ ପ୍ରବଳ । ସେମାନେ ଆପଣା ନିରୁପାୟ ଜ୍ଞାତିକୁଟୁମ୍ୱଙ୍କୁ ଅଧୀନ ଅମଲା ପଦରେ ସର୍ବଦା ସନ୍ନିବେଶିତ କରନ୍ତି । ଏହି କୁରୀତି ଉଚ୍ଛେଦ କରିବା ସୁକଠିନ ହୋଇଅଛି । ଆମ୍ଭ ବିବେଚନାରେ ଏ ସଭା ସମୟ ସମୟରେ ଏଥିର ନିବାରଣ ନିମିତ୍ତ ଚେଷ୍ଟା କରିବ । ଅମଲାମାନଙ୍କ ମୂର୍ଖତମ ଜ୍ଞାତିଗୋଷ୍ଠୀ ରାଜକାର୍ଯ୍ୟରେ ପ୍ରବୃତ୍ତ ହେଲେ ତାହା ରାଜପୁରୁଷମାନଙ୍କୁ ଗୋଚର କରାଇବ ଏବଂ ଯହିଁରେ ସୁଶିକ୍ଷିତ ଲୋକ ପ୍ରବିଷ୍ଟ ହୁଅନ୍ତି ତହିଁରେ ଯତ୍ନଶୀଳ ହେବ । ତେବେ ଲଜ୍ଜାର ବିଷୟ ଯେ, ଏ ଦେଶର ଲୋକମାନେ ବିଶୁଦ୍ଧ ନିୟମରେ ଶିକ୍ଷା କରିବାକୁ ଉଦ୍‍ଯୋଗୀ ନୁହନ୍ତି, ସୁତରାଂ ସୁଶିକ୍ଷିତ ଲୋକଙ୍କର ସଂଖ୍ୟା ଅଳ୍ପ । ସଭା ଏ ବିଷୟ ପ୍ରତିକାର ପକ୍ଷରେ ପ୍ରୟାସ ପାଇବେ ଯେରୂପେ ଦେଶୀୟ ଲୋକମାନେ ଆପଣା ଆପଣା ସନ୍ତାନମାନଙ୍କୁ ରାଜକୀୟ ବିଦ୍ୟାଳୟକୁ ପ୍ରେରଣ କରନ୍ତି ଏ ବିଷୟରେ କାୟମନୋବାକ୍ୟରେ ପରିଶ୍ରମ କରିବେ । ଏ ଏତ୍ତାରୁ ଆମ୍ଭେ ଭାଷାର ଉତ୍କର୍ଷ ସାଧନ ବିଷୟରେ ଆପଣାର ଅଭିପ୍ରାୟ କିଞ୍ଚିତ ବ୍ୟକ୍ତ କରିବାକୁ ଇଚ୍ଛାକରୁ । ଆମ୍ଭମାନଙ୍କ ବଙ୍ଗଳାଭାଷା ନିତାନ୍ତ ଅଳ୍ପକାଳ ମଧ୍ୟରେ କି ପର୍ଯ୍ୟନ୍ତ ସୁଶ୍ରବାନ୍ୱିତ ହୋଇଅଛି ତାହା ଅନୁସନ୍ଧାନ କଲେ ସ୍ଥିର ହେଉଅଛି ଯେ, ମୁଦ୍ରାଯନ୍ତ୍ର କୌଣସି କୌଣସି ଧର୍ମପ୍ରଚାରକ ସମ୍ପ୍ରଦାୟର ପ୍ରଯତ୍ନରେ ତାହାର ଶ୍ରୀବୃଦ୍ଧି ବିଶେଷରୂପେ ସାଧିତ ହୋଇଅଛି । ୪୦୦-। ୫୦୦ ବର୍ଷ ପୂର୍ବେ ବଙ୍ଗଳା ଦେଶରେ ବୈଷ୍ଣବ ଧର୍ମର ପ୍ରାଦୁର୍ଭାବ ହୋଇଥିଲା । ତହିଁରେ ବିଦ୍ୟାପତି, ଚଣ୍ଡୀଦାସ ପ୍ରଭୃତି କବିମାନଙ୍କ କର୍ତ୍ତୃକ ଉକ୍ତ ଧର୍ମ ବିଷୟ ସଂକୀର୍ତ୍ତନର ପଦସମୂହ ରଚିତ ହୁଅଇ; ତଦନନ୍ତର ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦଙ୍କର ସମୟରେ ତାହା ବିପୁଳୀକୃତ ହୁଅଇ, ତତ୍‍ପରେ ଶ୍ରୀରାମପୁରର ମିସ୍ନରୀମାନେ ଏବଂ ମହାତ୍ମା ରାମମୋହନ ରାୟ ଯେ ସମସ୍ତ ସମ୍ୱାଦପତ୍ର ଗ୍ରନ୍ଥାଦି ପ୍ରଣୟନ କରନ୍ତି ସେ ସମୁଦାୟର ମୂଳାଭିପ୍ରାୟ ସ୍ୱସ୍ୱ ଧର୍ମର ପ୍ରକୃଷ୍ଟ ପ୍ରଚାର କରିବାମାତ୍ର । ଏ ସମଗ୍ର ଭିନ୍ନ ଭିନ୍ନ ମତାବଲମ୍ୱୀ ସମ୍ପ୍ରଦାୟର ପ୍ରକୃତ ଅଭିସନ୍ଧି ସିଦ୍ଧ ହେଉ କି ନ ହେଉ ବସ୍ତୁତଃ ବଙ୍ଗଳା ଭାଷାର ଉତ୍କର୍ଷ ସାଧନ ପକ୍ଷରେ ତାହାଙ୍କ ପ୍ରୟାସ ବିଶେଷ ହିତକର ହୋଇଅଛି । ତତ୍ୱାବୋଧିନୀ ପତ୍ରିକା ବିଶୁଦ୍ଧ ବଙ୍ଗଳା ଭାଷା ଲେଖିବାର ଏକ ଆଦର୍ଶ । ତାହା ଉକ୍ତ ଧର୍ମପ୍ରଚାର ଉଦ୍‍ଯୋଗର ଫଳ ମାତ୍ର । ଧର୍ମ ପ୍ରଚାରକ କାର୍ଯ୍ୟରେ ଭାଷା ଉତ୍କର୍ଷ ସାଧନର ହେତୁ ଏହି ଯେ ପ୍ରଚାର ଧର୍ମର ପ୍ରକୃତ ମର୍ମ ଯେତେ ସହଜରେ ସାଧାରଣର ହୃଦଗୋଚର ହୁଅଇ ତେତେ ଫଳଲାଭର ସମ୍ଭାବନା । ସୁତରାଂ ସହଜରେ ଆନ୍ତରିକ ଭାବର ସ୍ଫୁର୍ତ୍ତି କରିବାର ପ୍ରୟାସ ହେଲାରୁ ଭାଷାର ପ୍ରସାଦ ଗୁଣ ଓ ତେଜ ପ୍ରଭୃତି ବୃଦ୍ଧି ହୁଅଇ । ଏରୂପ ଧର୍ମପ୍ରଚାର କଳ୍ପରେ ବଙ୍ଗଭାଷାର ଶ୍ରୀ ସାଧିତ ହେଲାରୁ ଉପାୟାନ୍ତର ଦ୍ୱାରା ମଧ୍ୟ ବିସ୍ତାର ଲାଭ ହୋଇଅଛି । ବଙ୍ଗଳା ଭାଷାରେ ଗ୍ରନ୍ଥାଦି ରଚନାର ରୀତି ନିତାନ୍ତ ଆଧୁନିକ ନୁହଇ । ୯୦୦ ବର୍ଷ ହେଲା ତ୍ରିପୁରାର ରାଜବଂଶୀୟଙ୍କ ବିବରଣ ରାଜମାଳା ଗ୍ରନ୍ଥରେ ଲେଖିବାର ଆରମ୍ଭ ହୁଅଇ । ପରନ୍ତୁ କୃତ୍ତବାସୀ ରାମାୟଣର ବୟସ ୪୦୦ ବର୍ଷରୁ ନ୍ୟୂନ ନୁହଇ । ତଦନନ୍ତର କବିକଙ୍କଣ ଚଣ୍ଡୀ, କାଶୀଦାସୀ ମହାଭାରତ ପ୍ରଭୃତି ବିରଚିତ ହୁଅଇ । ୧୦୦ ବର୍ଷ ହେଲା ଭାରତଚନ୍ଦ୍ର କର୍ତ୍ତୃକ ଅନ୍ନଦାମଙ୍ଗଳ କାବ୍ୟ ପ୍ରଣୀତ ହୋଇଅଛି । ମୁଦ୍ରାଯନ୍ତ୍ରର ପ୍ରସାଦାତ୍‍ ଏ ସମସ୍ତ ଗ୍ରନ୍ଥ ପ୍ରଚାରିତ ହେବା ଉତ୍ତାରୁ ଆମ୍ଭମାନଙ୍କ ଦେଶରେ ଗ୍ରନ୍ଥାଧ୍ୟୟନର ପିପାସା ସଞ୍ଚାରିତ ହେଲା । ଏ ସମସ୍ତ ଗ୍ରନ୍ଥ ପ୍ରଚାରରେ ଶ୍ରୀରାମପୁର ମିଶନାରୀ ଏବଂ ରାମମୋହନ ରାୟ ମଧ୍ୟ ଉତ୍ସାହ ପ୍ରଦାନ କରିଥିଲେ । ଉକ୍ତ ମିଶନାରୀମାନେ ରାମାୟଣ ମହାଭାରତ ମୁଦ୍ରିତ କଲେ ଓ ରାମମୋହନ ରାୟ ଅନ୍ନଦାମଙ୍ଗଳ ମୁଦ୍ରାଙ୍କନ ସମୟରେ ଔତ୍ସୁକ୍ୟ ପ୍ରକାଶ କରିଥିଲେ । ଅଧ୍ୟୟନର ପିପାସା ସଞ୍ଚାରିତ ହେଲେ ତାହା ସହଜରେ ପରିତୃପ୍ତ ହେବାର ନୁହଇ । ଯେରୂପ ପ୍ରକୃତ ପିପାସାରେ ଆତୁର ହୋଇ ମନୁଷ୍ୟ କୀଟ-କଳଙ୍କିତ ପଙ୍କିଳ ପୟଃ ପ୍ରଣାଳୀସ୍ଥ ସଲିଳକୁ ସୁଧା ଜ୍ଞାନରେ ପାନ କରୁଥାନ୍ତି ମାତ୍ର ପାନ କଲା ଉତ୍ତାରୁ ତୃପ୍ତି ଲାଭ ନ ହୁଅଇ ସେତେବେଳେ ନିର୍ଝରସ୍ଥ ସ୍ଫଟିକସନ୍ନଭ ନିର୍ମଳ ବାରି ଅନ୍ୱେଷଣ କରଇ, ସେହିରୂପେ ବିଦ୍ୟାପିପାସାତୁର ମନୁଷ୍ୟ ଯାହା ସାକ୍ଷାତରେ ପାଏ ତାହାକୁହିଁ ପରମ ମଧୁର ଜ୍ଞାନ କରି ଆସ୍ୱାଦନ କରଇ; କିନ୍ତୁ କିୟତ୍‍କଳାପରେ ଯେବେ ତାହାର ପରିଜ୍ଞାନ ଜନ୍ମଇ ତେତେବେଳେ ଘୃଣାସହକାରେ ଅତୃପ୍ତି ଆସି ଉଦିତ ହୁଅଇ ଏବଂ ପିପାସାର୍ଥ ବିମଳ ବିଦ୍ୟାବାରି ଅନୁସନ୍ଧାନ କରିବାକୁ ପଡ଼େ । ଉତ୍କଳ ଦେଶରେ ଏତେବେଳେ କିୟତ ପରିମାଣରେ ସେହି ପିପାସା ଜନ୍ମିଅଛି । ଅତଏବ ଯେଉଁ ପୁରାତନ କାବ୍ୟଗ୍ରନ୍ଥାଦି ତାଳପତ୍ରରେ ବର୍ତ୍ତମାନ ଅଛି, ସେହି ସମୁଦାୟକୁ ମୁଦ୍ରିତ କରିବା ଆବଶ୍ୟକ-। ଏହି ସକଳ ଗ୍ରନ୍ଥ ଆଧୁନିକ ନୁହଇ । ଉତ୍କଳରେ ଭାଷା ରାମାୟଣ, ମହାଭାରତ ଏବଂ ଭାଗବତାଦି ଗ୍ରନ୍ଥ ଦିଗରେ ଭୁବନେଶ୍ୱର, ପୁରୀ ମନ୍ଦିରାଦି, ତେମନ୍ତ ଅନ୍ୟ ଦିଗରେ ପୂର୍ବ ରଚିତ ଉତ୍କୃଷ୍ଟ ସାହିତ୍ୟ ଗ୍ରନ୍ଥମାନ ଜ୍ୱଳନ୍ତ ଭାଷାରେ ଜଣାଇ ଦେଉଅଛି । ସେ ସବୁ ଗ୍ରନ୍ଥ ମୁଁ କିଞ୍ଚିତ ପାଠ କରି ମୁଗ୍‍ଧ ହୋଇଅଛି ଏବଂ ସେଥିର ମାଧୁର୍ଯ୍ୟ ଏତେ ଅଧିକ ଯେ ବର୍ତ୍ତମାନ କାଳର ଶିକ୍ଷିତସମାଜ ସେଦିଗକୁ ଅଧିକ ମନ ଦେଉ ନ ଥିଲେହେଁ ଜନସାଧାରଣଙ୍କ ଆଦର ଅବଧି ଊଣା ହୋଇନାହିଁ । ଆଜିକାଲି ଧରଣର ପ୍ରକାଶିତ ପୁସ୍ତକ ଅପେକ୍ଷା ସେ ସମସ୍ତର ଅଧିକ ବିକ୍ରୟ ତାହା ପ୍ରତ୍ୟକ୍ଷ ଦେଖାଇ ଦେଉଅଛି ।

 

ଦୁଃଖର ବିଷୟ ଯେ, ଏଣିକି ଶିକ୍ଷାବିସ୍ତାର ଅନୁପାତରେ ସାହିତ୍ୟଚର୍ଚ୍ଚା ଆଶାନୁରୂପ ବଢ଼ୁନାହିଁ । ମୁଁ ପିଲାଦିନେ ଦେଖିଥିଲି ଯେ ଗ୍ରାମେ ଗ୍ରାମେ ପାଠୁଆ ବୟସ୍କ ବ୍ୟକ୍ତିମାନେ ଏକସ୍ଥାନରେ ବସି ସାହିତ୍ୟ ପାଠ ଓ ଅର୍ଥ ଆଲୋଚନା ଓ ଅଧିକାଂଶ ଗୀତିକାବ୍ୟ ଅର୍ଥାତ୍‍ ରାଗତାଳଯୁକ୍ତଥିବାରୁ ଗାୟନ କରୁଥିଲେ ଏବଂ ସେଥିରେ ସାହିତ୍ୟ, ସଙ୍ଗୀତ ଉଭୟର ଉନ୍ନତି ସାଧନ ହେଉଥିଲା । ବର୍ତ୍ତମାନ ବିଦ୍ୱାନ୍‍ମଣ୍ଡଳୀରୁ ସଙ୍ଗୀତ ଏକାବେଳକେ ବିଦାୟ ହେବା ବୋଲାଯାଇପାରେ ଏବଂ ସାହିତ୍ୟ ଚର୍ଚ୍ଚା ମଧ୍ୟ ଅତ୍ୟନ୍ତ କ୍ଷୀଣ ହୋଇଅଛି । ପ୍ରାଚୀନ କାବ୍ୟଚର୍ଚ୍ଚାର ଅନ୍ୟାନ୍ୟ ବାଧା ମଧ୍ୟରେ ଗୋଟିଏ ପ୍ରଧାନ ଏହି କି, କେତେକ ଶିକ୍ଷିତ ଯୁବା ତହିଁରେ ଆଦିରସର ବାହୁଲ୍ୟ ଦେଖି ଅଶ୍ଳୀଳ ବୋଲି ଚିତ୍କାର କରି ଶିକ୍ଷିତ ସମ୍ପ୍ରଦାୟ କାହିଁକି ଗଭର୍ଣ୍ଣମେଣ୍ଟଙ୍କ ମନ ସୁଦ୍ଧା ବିଗାଡ଼ି ଦେଲେ । ଏ ଚିତ୍କାର ଏତେ ଉଚ୍ଚକୁ ଉଠିଲା ଯେ, ବାବୁ ପ୍ୟାରିମୋହନ ସେନ୍‍ ପ୍ରାଥମିକ ବିଦ୍ୟାଳୟରେ ଚାଣକ୍ୟ ପଢ଼ାଇବାକୁ ଚେଷ୍ଟା କରନ୍ତେ ତହିଁରେ କେଉଁଠାରେ ଅଶ୍ଳୀଳ ବାକ୍ୟ ଥିବା ଦେଖାଇ ଦେଇ କେହି କେହି ତାହା ବିଫଳ କରାଇଲେ । ପ୍ରାଚୀନ କାବ୍ୟ ଓ ଚାଣକ୍ୟ ବିଦ୍ୟାଳୟର ପାଠ୍ୟ ନହେବାଦ୍ୱାରା ସାହିତ୍ୟ ଓ ନୀତିଶିକ୍ଷାର କେମନ୍ତ ବ୍ୟାଘାତ ହୋଇଅଛି, ତାହା ଚିନ୍ତାଶୀଳ ବ୍ୟକ୍ତିମାନେ ସହଜରେ ବୁଝିପାରିବେ । ଆଦିରସ ପ୍ରକଟିତ ମୂର୍ତ୍ତିମାନ ମନ୍ଦିର ଦେହରେ ଥିବାପରି କାବ୍ୟରେ ତାହା ଥିବା ହେତୁ ସେ ସବୁ ପରିତ୍ୟକ୍ତ ବା ଲୁପ୍ତ ହୋଇ ନାହିଁ, ଧର୍ମପ୍ରାଣ ଯାତ୍ରୀ ଓ ସାଧକବୃନ୍ଦ ଅନ୍ୟଆଡ଼େ ଦୃଷ୍ଟି ନ ଦେଇ ନିଷ୍ଠାପୂର୍ବକ ଦେବସେବା କରୁଅଛନ୍ତି ଓ ଫଳତଃ ଇଦାନୀଂ ଧର୍ମ ଓ ସୁନୀତିର ଶିଥିଳତା ନାନା କାରଣରୁ ଘଟୁଅଛି । ସେଥି ସକାଶେ ପ୍ରାଚୀନ କାବ୍ୟକୁ ଦାୟୀ କରିବା ସୁସଙ୍ଗତ ନୁହେଁ । ମୋର କ୍ଷୁଦ୍ର ବିବେଚନାରେ ତାହା ପାଠ କରିବା ସମସ୍ତଙ୍କ କର୍ତ୍ତବ୍ୟ ଏବଂ ତହିଁର ଉତ୍ସାହ ଦେବା ସାହିତ୍ୟସମାଜର ଗୋଟାଏ ପ୍ରଧାନ କାର୍ଯ୍ୟ । ତହିଁ ସଙ୍ଗେ ସଙ୍ଗୀତ ଶିକ୍ଷା ଏବଂ ଚର୍ଚ୍ଚା ବଢ଼ାଇବା ପ୍ରତି ମନୋଯୋଗୀ ହେବା ସମାଜର କର୍ତ୍ତବ୍ୟ ଅଟେ । ସଙ୍ଗୀତ ପ୍ରେମ, ଭକ୍ତି, ସୁନୀତି ଓ ସୁରୁଚିର ଉଦ୍ରେକ ଓ ପ୍ରସାରର ଉତ୍କୃଷ୍ଟ ପନ୍ଥା ଏବଂ ନାଟକ, ଯାତ୍ରା, କୀର୍ତ୍ତନାଦିର ତାହାହିଁ ମୂଳଉଦ୍ଦେଶ୍ୟ । ସାହିତ୍ୟପ୍ରେମିଙ୍କର ଏହା ଉପେକ୍ଷଣୀୟ ନୁହେଁ । ପୈତୃକ ସମ୍ପତ୍ତିର ସଂରକ୍ଷଣ ଏବଂ ପରିବର୍ଦ୍ଧନ ଏବଂ ତଦ୍ଦ୍ୱାରା ସାଧାରଣ ହିତସାଧନ ସତ୍‍ପୁତ୍ରର ଲକ୍ଷଣ । ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ଅମୂଲ୍ୟ ସାହିତ୍ୟ ଧନର ଉଚିତ ବ୍ୟବହାର ନ କଲେ ଆମ୍ଭେମାନେ ସୁପୁତ୍ର ଆଖ୍ୟାର ଯୋଗ୍ୟ ହେବୁ ନାହିଁ ।

 

ଦେଶାନ୍ତର ସଙ୍ଗେ ବ୍ୟବସାୟ ଧନବର୍ଦ୍ଧନର ପ୍ରକୃଷ୍ଟ ଉପାୟ । ନିକଟ ପ୍ରଦେଶ ବଙ୍ଗଳା, ହିନ୍ଦୀ ସାହିତ୍ୟସମାଜମାନଙ୍କ ସହିତ ଉତ୍କଳ ସାହିତ୍ୟସମାଜର ସମ୍ପର୍କ ରଖିବା ଓ ଆଦାନପ୍ରଦାନ କରିବା ସୁପରାମର୍ଶ ମନେକରେ । ବଙ୍ଗଳା ସାହିତ୍ୟ ପରିଷଦର ଉଲ୍ଲେଖ ଓ ତାହାର ଗୋଟିଏ କଥା ଅନୁକରଣ କରିବା ଇଚ୍ଛା ଗତବାର୍ଷିକ କାର୍ଯ୍ୟବିବରଣରେ ଦେଖି ସୁଖୀ ହେଲି । ମାତ୍ର ବଙ୍ଗାଳୀ ନାମରେ କେତେକ ଶିକ୍ଷିତ ଯୁବା ଆଜିକାଲି କଳାକନା ଦେଖିଲା ପରି ଯେମନ୍ତ ଅଧୀର ହେବା ଏବଂ ତାହା ଘେନି ପୁରୁଷାନୁକ୍ରମେ ସ୍ଥାୟୀଭାବରେ ବାସ ଏବଂ ଓଡ଼ିଆ ଭାଷାକୁ ନିଜ ଭାଷା ତୁଲ୍ୟ ବ୍ୟବହାର କରିବା ଲୋକଙ୍କୁ ପର ମଣିବା ଭାବ ଦେଖାଯାଏ, ତାହା ଓଡ଼ିଶାର ଅନ୍ୟାନ୍ୟ ବିଷୟ ପରି ସାହିତ୍ୟ ଉନ୍ନତିର ଅନୁକୂଳ ନୁହେଁ । ପାଞ୍ଚ ଆଡ଼ର ସହାନୁଭୂତି, ସହଯୋଗ ଓ ଏକତ୍ର ବାସକରୁଥିବା ଲୋକଙ୍କ ଏକତା ବିନା କୌଣସି କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବା ଅସମ୍ଭବ । ମୁଁ ଭରସା କରେଁ, ଏହି ଯେ ସଂକୀର୍ଣ୍ଣତା ଅଳ୍ପ ଲୋକଙ୍କ ମନରେ ଆବଦ୍ଧ ଅଛି, ତାହା ଅଳ୍ପ କାଳରେ ଅନ୍ତର ହେବ ଏବଂ ସମସ୍ତେ ଏକପ୍ରାଣରେ ସାଧାରଣ ମଙ୍ଗଳାନୁଷ୍ଠାନ ପ୍ରତି ଯତ୍ନବାନ୍‍ ହେବେ ।

 

ସମସ୍ତ ଭାରତରେ ଏକଲିପି ପ୍ରଚାରବାଦ ଦଳର ମୁଁ ଜଣେ ପକ୍ଷପାତୀ । ମୋର ଦୃଢ଼ ବିଶ୍ୱାସ ଯେ ଯେମନ୍ତ ଦେବନାଗର ଅକ୍ଷର ଯୋଗେ ସଂସ୍କୃତ ଗ୍ରନ୍ଥର ପ୍ରଚାରର ସୁବିଧା ହୋଇଅଛି, ତେମନ୍ତ ସେହି ଅକ୍ଷରରେ ଭିନ୍ନ ପ୍ରାଦେଶିକ ଭାଷା-ଗ୍ରନ୍ଥମାନ ପ୍ରକାଶିତ ହେଲେ ବହୁ ପରିମାଣରେ ପରସ୍ପର ସେ ସମସ୍ତ ପଢ଼ିବାର ବାଧା ଘୁଞ୍ଚି ଯିବ ଏବଂ ବୁଝିବା ସହଜ ହେବ । ଅନ୍ତତଃ ଏକାକ୍ଷର ବ୍ୟବହାର ଯୋଗେ ଭିନ୍ନ ଭିନ୍ନ ଭାଷାଗ୍ରନ୍ଥ ପଢ଼ିବାର ବାରପଣ କଷ୍ଟଦୂର ହୋଇଯିବ । ଅଳ୍ପ ଶ୍ରମରେ ଲୋକେ ପରସ୍ପର ସାହିତ୍ୟଜ୍ଞାନ ଲଭିବାକୁ ସମର୍ଥ ହେବେ । ଅନେକ ଭାଷା ମଧ୍ୟରେ ପାର୍ଥକ୍ୟ ଅଳ୍ପ, କିନ୍ତୁ ଭିନ୍ନାକ୍ଷର ଯୋଗେ ଅନ୍ତରାୟ ବିସ୍ତର ଘଟିଅଛି । ଆପଣା ସାହିତ୍ୟକୁ ଆପଣା ଘରେ ବନ୍ଦ କରି ରଖିବା ଅପେକ୍ଷା ଯଥାସମ୍ଭବ ଚାରିଆଡ଼େ ବିସ୍ତାର କରିବା ଭଲ, ଏହା ବୋଧ କରେଁ କେହି ଅସ୍ୱୀକାର କରିବେ ନାହିଁ । ଏ ଦିଗକୁ ସାହିତ୍ୟସମାଜର ମନ ଆକୃଷ୍ଟ ହେବା ବାଞ୍ଚନୀୟ । ଏକାବେଳକେ ପ୍ରାଦେଶିକ ଅକ୍ଷର ଉଠାଇ ଦେବାକୁ ମୁଁ କହୁ ନାହିଁ, ହାତଲେଖା ଯେପରି ଚାଲୁଅଛି, ଚାଲୁଥାଉ, କେବଳ ପୁସ୍ତକାଦି ଛାପା ଏକ ଦେବନାଗରରେ ହେବା ମୋର ଅଭିପ୍ରାୟ, ଏହି ସୂତ୍ରରେ କାର୍ଯ୍ୟ ଆରମ୍ଭ ହେଲେ ପଛକୁ ହାତଲେଖା ମଧ୍ୟ ଏକ ହେବା ବିଚିତ୍ର ନୁହେଁ ଏବଂ ତଦ୍ଦ୍ୱାରା କିଛି କ୍ଷତି ନହୋଇ ବରଂ ଲାଭ ହେବ ବୋଲି ମୁଁ ମନେକରେ ।

 

ସାହିତ୍ୟସମାଜର କାର୍ଯ୍ୟକ୍ଷେତ୍ର ବହୁ ବିସ୍ତୃତ, ସେଥିର ପରିଚୟ ପୂର୍ବ ପୂର୍ବ ବର୍ଷର ବିବରଣ ଏବଂ ସୁଯୋଗ୍ୟ ସଭାପତିଙ୍କ ବକ୍ତୃତା ଯୋଗେ ଆପଣମାନେ ଜାଣିଅଛନ୍ତି । ଉତ୍କଳଭାଷାର ହାତଲେଖା ପୁସ୍ତକମାନ ସଂଗ୍ରହ, ସଂରକ୍ଷଣ, ଆବଶ୍ୟକମତେ ମୁଦ୍ରାଙ୍କନ, ନୂତନ ନୂତନ ଗ୍ରନ୍ଥ ଏବଂ ବିଜ୍ଞାନାଦି ଶିକ୍ଷୋପଯୋଗୀ ପୁସ୍ତକମାନ ପ୍ରକାଶ ବିଷୟରେ ଉତ୍ସାହ ଇତ୍ୟାଦି ସକଳ କାର୍ଯ୍ୟ ବହୁ ବ୍ୟୟସାଧ୍ୟ ଏବଂ ସେଥିସକାଶେ ସମାଜର ଆର୍ଥିକ ଅବସ୍ଥା ଖୁବ୍‍ ଭଲ ହେବା ଆବଶ୍ୟକ । ଦେଶବାସୀମାନେ ସମୁଚିତ ମନୋଯୋଗୀ ନ ହେଲେ ସମାଜର ଆୟ ବଢ଼ିବ ନାହିଁ । ବର୍ତ୍ତମାନ ଯେ ପରିମାଣ ଭେଦା ଓ ଦାନ ମିଳୁଅଛି, ତାହା ଅତି ଅଳ୍ପ ଏବଂ ଦେଶବାସୀଙ୍କ ଗୌରବ ପ୍ରତି ଅଯଥେଷ୍ଟ । ସମସ୍ତ ଦେଶବାସୀଙ୍କ ମନ, ଧନ ଓ ସାମର୍ଥ୍ୟ ଯୋଗ ନ ହେଲେ ଦେଶର ମଙ୍ଗଳ ସାଧନ ହେବା ଦୁରୂହ ।

 

ମୋର ଆଉ କିଛି ବକ୍ତବ୍ୟ ନାହିଁ । ଯାହା ନିବେଦନ କଲି, ସେଥିରେ ଆପଣମାନଙ୍କର ଅନେକ ସମୟ ନଷ୍ଟ କରିଅଛି ଓ କେତେକ ଅସାର କଥା କହି ବିରକ୍ତ କରିଅଛି । ସେଥିସକାଶେ ବିନୀତଭାବରେ କ୍ଷମା ପ୍ରାର୍ଥନା ଏବଂ ମୋତେ ସମ୍ମାନ ଦେବା ହେତୁ ପୁନର୍ବାର କୃତଜ୍ଞତା ପ୍ରକାଶପୂର୍ବକ ଆଜି ସଭା କାର୍ଯ୍ୟ ସୁଚିତ୍ତରେ ନିର୍ବାହ କରିବାକୁ ଅନୁରୋଧ କରୁଅଛି; ଯେମନ୍ତ କି ଆପଣମାନଙ୍କ ପ୍ରଦତ୍ତ ସମ୍ମାନ ବ୍ୟର୍ଥ ନ ହୁଏ ।

 

(୧୯ । ୧୨ । ୧୯୧୭ରେ ଉତ୍କଳ ସାହିତ୍ୟସମାଜର ଦ୍ୱାଦଶ ବାର୍ଷିକ ଅଧିବେଶନରେ ପଠିତ ।)

Image

 

ଓଡ଼ିଆ ଭାଷାର ଉନ୍ନତି

(ଶ୍ରୀ ରାମଶଙ୍କର ରାୟ)

 

ମୁଁ ଗ୍ରାମ୍ୟ ଚାଟଶାଳୀରେ ଅବଧାନ ନିକଟରେ ପଢ଼ି କଟକକୁ ୭ ବର୍ଷ ବୟସରେ ୪୯ ବର୍ଷତଳେ ପାଠ ପଢ଼ିବାକୁ ଆସିବା ସମୟରେ କଟକରେ ଓଡ଼ିଆ ପଢ଼ିବାର ବିଦ୍ୟାଳୟ ନଥିଲା । ସୁତରାଂ ବଙ୍ଗଳା ସ୍କୁଲରେ ଭର୍ତ୍ତି ହୋଇ ବଙ୍ଗଳା ପଢ଼ିଲି । ସେହି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ପଢ଼ିବା ସମୟରେ ଏଠା ବିଦ୍ୟାଳୟ ଓ ସରକାରୀ କଚେରୀମାନଙ୍କରେ ଓଡ଼ିଆଭାଷା ଚଳାଇବାର ତୁମୁଳ ଯୁଦ୍ଧ ଲାଗିଥିଲା ଏବଂ ତହିଁର ଫଳରେ ପ୍ରଥମ ଶ୍ରେଣୀରେ ବଙ୍ଗଳା ସହିତ ଓଡ଼ିଆ ପଢ଼ିବାକୁ ହେଲା । ସେ ପର୍ଯ୍ୟନ୍ତ ଓଡ଼ିଆଭାଷାରେ ଗଦ୍ୟ ପୁସ୍ତକ ମୁଦ୍ରିତ ହୋଇ ନଥିଲା ।

 

ବିଦ୍ୟାଳୟମାନଙ୍କରେ ଓଡ଼ିଆଭାଷା ପ୍ରବର୍ତ୍ତିତ ହେବା ସମୟରୁ ଓଡ଼ିଆଭାଷାଭିଜ୍ଞ ବିଜ୍ଞଲୋକମାନେ ବଙ୍ଗଳାରୁ ଗଦ୍ୟପୁସ୍ତକ ଅନୁବାଦ କଲେ, ମାତ୍ର ମୁଁ ପ୍ରଥମ ଶ୍ରେଣୀରେ ପ୍ରାତଃସ୍ମରଣୀୟ ପରଲୋକଗତ ଜଗନ୍ମୋହନ ଲାଲାଙ୍କ ଭ୍ରମଭଞ୍ଜନ ନାମକ ଛନ୍ଦୋମୟ ଓଡ଼ିଆ ପୁସ୍ତକ ପଢ଼ି ଛାତ୍ରବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲି ।

 

ସବୁ ଭାଷାରେ ଆଗେ ପଦ୍ୟ ପୁସ୍ତକ । ଆଦିବେଦ ଋଗ୍‍ବେଦ ମଧ୍ୟ ପଦ୍ୟମୟ । ଚାଟଶାଳୀରୁ ଆରମ୍ଭ କରି ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ ସାମନ୍ତସିଂହାର ପ୍ରଭୃତିଙ୍କ ପଦ୍ୟ ପୁସ୍ତକ ପ୍ରଥମେ ସମସ୍ତେ ପଢ଼ନ୍ତି । ମୁଁ ମଧ୍ୟ ପଢ଼ିଥିଲି ଏବଂ ତହିଁରୁ ଯେପରି ଓଡ଼ିଆ ଶିଖାଯାଏ ଅନ୍ୟ କାହିଁରୁ ତାହା ହେବାର ନୁହେଁ । ତଥାପି ଗଦ୍ୟ ନ ହେଲେ ଭାଷାର ଉନ୍ନତି ହୁଏନାହିଁ । ମନୋଗତ ଭାବକୁ ସହଜରେ ପ୍ରକାଶ କରିବାକୁ ଭାଷା ଏବଂ ଛାନ୍ଦଦ୍ୱାରା ସେହି ପ୍ରକାଶ ଶକ୍ତିକୁ ପ୍ରତିହତ ନ କରି ସ୍ୱାଧୀନ ଭାବରେ ପ୍ରକାଶ କରିବାହିଁ ଗଦ୍ୟ । ଗଦ୍ୟରେ ମଧ୍ୟ ଛନ୍ଦ ଅଛି । ଯଜୁର୍ବେଦ ପ୍ରଧାନତଃ ଗଦ୍ୟମୟ; ତହିଁରେ ମଧ୍ୟ ଛନ୍ଦ ଅଛି । ପୂର୍ବେ ଗଦ୍ୟ ସୁଦ୍ଧା ସୁର୍‍ ଧରି ପାଠହେଉଥିଲା । ଏଣିକି ତାହା ଉଠିଯାଇ ଭାବ ପ୍ରଧାନ କରି ପଢ଼ିବାକୁ ହୁଏ, ମାତ୍ର ତାହା ବୋଲି ଯେ ତହିଁରେ ଛନ୍ଦ ନାହିଁ, ଏହା କେହି ଅସ୍ୱୀକାର କରି ନ ପାରିବେ ।

 

ଭାଷାର ଉନ୍ନତି ସାହିତ୍ୟରେ ଏବଂ ସାହିତ୍ୟ ମଧ୍ୟରେ କାବ୍ୟ, ଉପନ୍ୟାସ ଓ ନାଟକ ପ୍ରଧାନ । ନାଟକ ସାହିତ୍ୟର ଚରମୋତ୍କର୍ଷ । କବି କାବ୍ୟରେ ନାନା ଭାବ ଓ ଘଟନାର ବର୍ଣ୍ଣନା କରି କବିତା ଲେଖନ୍ତି । ପାଠକ ତାହା ପଢ଼ି ମନୋମଧ୍ୟରେ ବର୍ଣ୍ଣିତ ସ୍ଥାନ ଓ ଲୋକମାନଙ୍କୁ କଳ୍ପନା କରି ବୁଝନ୍ତି । ଉପନ୍ୟାସ ଗଦ୍ୟମୟ ଏବଂ ତହିଁରେ କବିତା-ନିଗଡ଼ରୁ ମୁକ୍ତହୋଇ କବି ସ୍ୱାଧୀନଭାବରେ ନାନା ଘଟନା ଓ ଭାବବୈଚିତ୍ର୍ୟ ପ୍ରକାଶ କରନ୍ତି । କାବ୍ୟଠାରୁ ଉପନ୍ୟାସରେ ଯେ ଅଧିକତର ଘଟନା ଓ ଭାବବୈଚିତ୍ୟ ପ୍ରକାଶିତ ହୁଏ, ସେଥିରେ ସନ୍ଦେହ ନାହିଁ, ମାତ୍ର ପାଠକ ସେହିପରି ମନୋମଧ୍ୟରେ ବର୍ଣ୍ଣିତ ଭାବ ଓ ଘଟନାର ଚିତ୍ରାବଳୀଅଙ୍କିତ କରି ହୃଦୟଙ୍ଗମ କରିବାର ଚେଷ୍ଟା କରନ୍ତି । ନାଟକରେ କବି ଘଟନା ଓ ଭାବବୈଚିତ୍ୟକୁ ସଂଯତପୂର୍ବକ ରଙ୍ଗମଞ୍ଚରେ ଦୃଶ୍ୟାବଳୀ ଓ ଲୋକମାନଙ୍କୁ ଆଣି ତାହା ଫୁଟାଇ ଦିଅନ୍ତି ଏବଂ ପାଠକ ଦର୍ଶକରୂପେ ଉପସ୍ଥିତ ହୋଇ ଏକାବେଳକେ ତାହା ହୃଦୟଙ୍ଗମ କରନ୍ତି । ନାଟକ ସେହି ହେତୁରୁ ଦୃଶ୍ୟ କାବ୍ୟ-ପାଠଦ୍ୱାରା ତହିଁର ସମ୍ୟକ୍‍ ଉପଲବ୍‍ଧି ହୁଏ ନାହିଁ । କାବ୍ୟ, ଉପନ୍ୟାସ ଓ ନାଟକ ସର୍ବତ୍ର ଗଳ୍ପପାତନ ପ୍ରକ୍ରିୟା ଅଛି । ଏହାକୁ ଇଂରାଜୀରେ ପ୍ଳଟ୍‍ କହନ୍ତି । ସେ ପ୍ରକ୍ରିୟା ନାଟକରେ ବଡ଼ କଠିନ; କାରଣ ତହିଁର କାରିଗରୀରୁ ନାଟକକାର ବା ନାଟକୀୟ କବିର ବିଚକ୍ଷଣତା ଜଣାଯାଏ । ଦୃଶ୍ୟ ଓ ଘଟନାବଳୀ ସଂଯତ କରି ନ ପାରିଲେ, ତାହା ମର୍ମସ୍ପୃକ୍‍ ହୁଏନାହିଁ । ଅତି ବଡ଼ ହେଲେ କଥାମୟ ଉପନ୍ୟାସ ଭିନ୍ନ ଅନ୍ୟ କିଛି ନୁହେଁ । ନାଟକୀୟ କବି ରଙ୍ଗମଞ୍ଚ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିନୟ ସମାପ୍ତ ହୋଇ ତତ୍ସଂଶ୍ଳିଷ୍ଟ ଭାବମାନ ଦର୍ଶକ ମନରେ ଲାଗି ରହିବା ପ୍ରତି ଦୃଷ୍ଟିପାତ କରନ୍ତି ଏବଂ ଯେଉଁ ଅଭିନେତା ମୁଖରେ ଯେଉଁ କଥା ଶୋଭା ପାଇବ ତାହା ବୋଲାନ୍ତି । କାବ୍ୟ ଓ ଉପନ୍ୟାସରେ ଏଥିର ଧରାବନ୍ଧା ନ ଥିବାରୁ ସେ ସବୁ ଅପେକ୍ଷାକୃତ ସହଜ । ଏହି ହେତୁରୁ ନାଟକ ସାହିତ୍ୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଅଛି ।

 

ଓଡ଼ିଶାରେ ଆଗେ ନାଟକ ନଥିଲା । ଉଲ୍ଲିଖିତ ବାବୁ ଜଗନ୍ମୋହନ ଲାଲା ପ୍ରଥମେ ବାବାଜୀ ନାଟକ ପ୍ରକାଶ କରିଥିଲେ, ମାତ୍ର ତାହା ପ୍ରକୃତରେ ନାଟକ ନାମର ଯୋଗ୍ୟ ନୁହେଁ ବୋଲି ସେ ସମୟରେ ପ୍ରକାଶିତ ହୋଇଥିଲା । ମୁଁ ସେପର୍ଯ୍ୟନ୍ତ ନାଟକାଭିନୟ କି ପଦାର୍ଥ ଜାଣି ନଥିଲି । ସାହିତ୍ୟରୂପେ ଅନେକ ବଙ୍ଗଳା ଓ ଇଂରାଜୀ ନାଟକ ପଢ଼ିଲେ କି ହେବ ନାଟକର ଭାବ ଅଭିନୟ ବିନା ସାମ୍ୟକ୍‍ରୂପେ ହୃଦୟଙ୍ଗମ ହୁଏ ନାହିଁ । ମୁଁ ଏଫ୍‍. ଏ. ଶ୍ରେଣୀର ଦ୍ୱିତୀୟ କ୍ଳାସରେ ପଢ଼ୁଥିବା ସମୟରେ ୧୮୭୮ ମସିହାରେ ଏଠାରେ ବଙ୍ଗଳା ରାମାଭିଷେକ ନାଟକର ଅଭିନୟ ହେଲା । ସେ ସମୟରେ ବଙ୍ଗଦେଶରେ ମଧ୍ୟ ସ୍ଥାୟୀ ରଙ୍ଗମଞ୍ଚର ପ୍ରାବଲ୍ୟ ବା ନାଟକର ପ୍ରାଚୁର୍ଯ୍ୟ ନଥିଲା । ସୌଖୀନ ସମ୍ପ୍ରଦାୟମାନେ ଖଣ୍ଡିଏ ଖଣ୍ଡିଏ ନାଟକର ଅଭିନୟ ଦେଖାଉଥିଲେ । ଯେଉଁଦିନ ଏହି କଟକ ନଗରୀରେ ଉକ୍ତ ନାଟକର ପ୍ରଥମ ଅଭିନୟ ହେଲା, ସେଦିନ ମୁଁ ଯାଇ ଆଦ୍ୟୋପ୍ରାନ୍ତ ଦେଖିଥିଲି । ଖାଲି ଦେଖିଲି ନୁହେଁ–ମୋର ମନ ତହିଁରେ ବିମୁଗ୍‍ଧ ହୋଇଗଲା–ଏମନ୍ତ କି ପଢ଼ାରୁ ଟିକିଏ ବିରାମ ପାଇଲେ ସେହି ଅଭିନୟ, ସେହି ଗୀତ ସେହି ହାର୍ମୋନିୟାମ ପ୍ରଭୃତିର ସୁର ଚିତ୍ତ ଉନ୍ମାଦିତ କରୁଥିଲା । ପଢ଼ାର ସମଧିକ କ୍ଷତି ହୋଇନାହିଁ ଏତିକି ଭାଗ୍ୟର କଥା । ଓଡ଼ିଆ ମୋର ମାତୃଭାଷା ଏବଂ ଓଡ଼ିଆ ଭାଷା ପ୍ରତି ମୁଁ ପିଲାଦିନରୁ ଆକୃଷ୍ଟ । ବଙ୍ଗଳା ଅଭିନୟ ଦେଖି ଆସି ମନେକଲି ଓଡ଼ିଆରେ ନାଟକ ନାହିଁ ବୋଲି ସିନା ଉଦ୍ୟୋକ୍ତାମାନେ ବଙ୍ଗଳା ନାଟକର ଅଭିନୟ କଲେ । ଦିନାକେତେ ଅପେକ୍ଷା କଲି, ମାତ୍ର କେହି ଅଭିନୟୋପଯୋଗୀ ଓଡ଼ିଆ ନାଟକ ନ ଲେଖିବାରୁ ମୁଁ ତହିଁରେ ହାତ ଦେଲି । ମୋର ଜଣେ ଓଡ଼ିଆଭାଷାଭିଜ୍ଞ ବିଶିଷ୍ଟ ବନ୍ଧୁ ଓଡ଼ିଆ ଭାଷା କର୍କଶ ଓ ତହିଁରେ ନାଟକ ହୋଇପାରିବ ନାହିଁ ବୋଲି ମୋତେ ସ୍ପଷ୍ଟଭାବେ କହିଥିଲେ । ମୁଁ ଇତିପୂର୍ବେ କେତେକ କବିତା ଓ ଉପନ୍ୟାସ ଲେଖିଥିଲି; ମାତ୍ର କବିତାରେ ମୋର ପ୍ରଧାନ ବନ୍ଧୁ ରାଧାନାଥ ରାୟ ଓ ମଧୁସୂଦନ ରାଓ ପ୍ରଭୃତି ବାହାରିବା ଓ ତାଙ୍କଦ୍ୱାରା ଉପଯୁକ୍ତରୂପେ ଓଡ଼ିଆ ଭାଷାରେ କବିତାର ଅଭାବ ମୋଚନ ହୋଇପାରିବା ଦେଖି ମୁଁ କାବ୍ୟ ପ୍ରକାଶ କରିବାରୁ ବିରତ ହୋଇଥିଲି । ଉପନ୍ୟାସ ଲେଖିବା ସମୟସାପେକ୍ଷ ଏବଂ ଲେଖିଲେ ସୁଦ୍ଧା ବ୍ୟୟ ସ୍ୱୀକାରପୂର୍ବକ ଛାପା ନ କଲେ, ତାହା ପ୍ରଚାରିତ ହୋଇପାରିବ ନାହିଁ, ମାତ୍ର ନାଟକ ଲେଖିବାଦ୍ୱାରା ଅନ୍ତତଃ ଅଭିନୟରେ ମନଃପୂତ ହେବାର ଥିବାରୁ ମୁଁ ବନ୍ଧୁଙ୍କ କଥା ନ ମାନି ନାଟକ ଲେଖିବା ଆରମ୍ଭ କଲି ଏବଂ ତାଙ୍କୁ କହିଲି ଯେ, ଯେଉଁ ଭାଷାର କବିତାକୁ ଦୀନକୃଷ୍ଣ ଦାସ ଓ ଅଭିମନ୍ୟୁ ସାମନ୍ତସିଂହାର ଏଡ଼େ କୋମଳ କରିଅଛନ୍ତି ଯେ ତାହା ଧଇଲାମାତ୍ରକେ ରସ ନିଗିଡ଼ି ପଡ଼େ, ସେ ଭାଷାରେ ନିଶ୍ଚୟ ନାଟକ ହୋଇପାରିବ–ଅନ୍ତତଃ ଥରେ ମୁଁ ଚେଷ୍ଟାକରି ଦେଖିବି ଏବଂ ମୋର ଅନୁରୋଧମତେ ମୁଁ ପ୍ରତିଦିନ ଯାହା ଲେଖୁଥିବି ମୋର ବନ୍ଧୁ ପ୍ରତିଦିନ ତାହା ଶୁଣି ମତ ପ୍ରକାଶ କରିବାକୁ ସ୍ୱୀକୃତ ହୋଇଥିଲେ । ସେ ଅନ୍ୟ ଜଣେ ଓଡ଼ିଆଭାଷାଭିଜ୍ଞ ବ୍ୟକ୍ତିଙ୍କ ମତ ତାଙ୍କପରି ଥିବାର ମୋତେ କହିଥିଲେ, ମାତ୍ର ମୁଁ ନ ମାନି ଚେଷ୍ଟା କଲି । ଉତ୍କଳ ଇତିହାସର ଧର୍ମମୂଳକ କାଞ୍ଚିକାବେରୀ ଘଟନା ନାଟକର ଏକାନ୍ତ ଉପଯୋଗୀ ଦେଖି ସେହି ବିଷୟ ଘେନି ନାଟକ ଲେଖା ଆରମ୍ଭ କଲି । ପୂର୍ବୋକ୍ତ ବନ୍ଧୁ ଦୁଇ ଅଭିନୟ ଲେଖା ଶେଷ ପର୍ଯ୍ୟନ୍ତ ଶୁଣି ତାଙ୍କର ମତ ଅବିଚଳିତ ଥିବା ବ୍ୟକ୍ତ କରୁଥିଲେ, ମାତ୍ର ତୃତୀୟ ଅଭିନୟର ପ୍ରଥମ ଦୃଶ୍ୟ ଶୁଣି, ‘ହଁରେ, ହୋଇପାରିବ’ ବୋଲି କହି ଏପରି ଭାବରେ ଓଡ଼ିଆ ନାଟକର ଛାଞ୍ଚ ଉଠିପାରିବ ବୋଲି ସେ ଭାବିପାରିନଥିବା ବ୍ୟକ୍ତକଲେ । ସେ ନାଟକ ଲେଖା ଶେଷ ହେଲାରୁ ପ୍ରାତଃସ୍ମରଣୀୟ ନନ୍ଦକିଶୋରବାବୁ, ଜଗମୋହନବାବୁ, ଅନ୍ନଦାବାବୁ ପ୍ରଭୃତି ତତ୍କାଳୀନ ସ୍ଥାନୀୟ କି ଓଡ଼ିଆ କି ବଙ୍ଗାଳୀ ସମସ୍ତେ ଅଭିନୟ ଦେଖି ମୋହିତ ହୋଇଥିଲେ । ଏ ଅଭିନୟ ୧୮୮୧ ମସିହାରେ ହୋଇଥିଲା ଏବଂ ତାହା ଆଜିକି ବ ୩୪ ର୍ଷର କଥା । ମୁଁ ନାଟକ ଲେଖିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାରେ ପ୍ରଥମ ଅମିତ୍ରାକ୍ଷର ଛନ୍ଦ ପକାଇଥିଲି ଏବଂ ଆଜି ନାଟକ ଓ ଅମିତ୍ରାକ୍ଷର ଛନ୍ଦ ଓଡ଼ିଆ ଭାଷାର ଅଙ୍ଗ ପୁଷ୍ଟି କରିଥିବା ଦେଖି ମୋ ମନରେ ପ୍ରକୃତରେ ପରମାନନ୍ଦ ଜାତ ହୋଇଅଛି ।

 

ଇଂରାଜୀରେ ନାଟକମାନ ଅଭିନୟ (Act) ଓ ଦୃଶ୍ୟ (Scene)ରେ ବିଭକ୍ତ, ମାତ୍ର ବଙ୍ଗଳାରେ ପୂର୍ବେ ସଂସ୍କୃତ ପରି ଅଙ୍କ ଓ ଗର୍ଭାଙ୍କ ବ୍ୟବହୃତ ହୋଇଥିଲା । ଇଂରାଜୀ ବିଭାଗ ମୋ ମନକୁ ଲାଗିବାରୁ ମୁଁ ଅଙ୍କ ଓ ଗର୍ଭାଙ୍କ ପରିବର୍ତ୍ତେ ଅଭିନୟ ଓ ଦୃଶ୍ୟ ବ୍ୟବହାର କଲି । ବର୍ତ୍ତମାନ ବଙ୍ଗଳାର ଅନେକ ନାଟକରେ ଗର୍ଭାଙ୍କ ପରିବର୍ତ୍ତେ ଦୃଶ୍ୟ ବ୍ୟବହୃତ ହେଉଅଛି, ମାତ୍ର ଦୁଇ ଏକଖଣ୍ଡ ଛଡ଼ା ଅନ୍ୟ କୌଣସି ଓଡ଼ିଆ ନାଟକରେ ଅନ୍ୟ ଲେଖକମାନେ ଅଭିନୟ ଓ ଦୃଶ୍ୟ ଶବ୍ଦ ବ୍ୟବହାର କରିନାହାନ୍ତି । ଏହା ଯେ ଏକତାର ଅଭାବ ଏଥିରେ ସନ୍ଦେହ ନାହିଁ । ଏତିକିରେ କଥା ଶେଷ ହୋଇଥିଲେ କ୍ଷୋଭ ନଥାନ୍ତା । ଓଡ଼ିଆ ପିଲାମାନେ ଓଡ଼ିଆ ନାଟକ ଛାଡ଼ି ବଙ୍ଗଳା ନାଟକର ଅଭିନୟରେ ଉନ୍ମତ୍ତ ଥିବା କ୍ଷୋଭର କାରଣ ନୁହେଁ କି ? ଯେତେ ନାଟକ ଓଡ଼ିଆରେ ଲେଖା ହୋଇଅଛି ସେ ସମସ୍ତ କି ଅଭିନୟର ଅନୁପଯୋଗୀ ? ଅଳ୍ପଦିନତଳେ ଏଠାକୁ ମଫସଲରୁ ଏକଦଳ ଓଡ଼ିଆପିଲା ଆସି ଅଭିନୟ ଦେଖାଇଥିଲେ, ମାତ୍ର ସେମାନେ ଓଡ଼ିଆ ନାଟକ ଛାଡ଼ି ବଙ୍ଗଳା ନାଟକକୁ ଓଡ଼ିଆରେ ଅନୁବାଦିତ କରି ତହିଁର ଅଭିନୟ ଦେଖାଇ ଓଡ଼ିଆ ଉଚ୍ଚାରଣ ଓ ଓଡ଼ିଆ ଶବ୍ଦ ବ୍ୟବହାରର ମସ୍ତକରେ ପଦାଘାତ କରିଯାଇଅଛନ୍ତି । ଦେଶର ଉନ୍ନତିପିପାସୁ ଲୋକମାନଙ୍କୁ ଏହା କେମନ୍ତ ଲାଗିଲା ସେମାନେ କହିବେ, ମାତ୍ର ଏହା ଦେଖି ମୋର ଅନ୍ତରାତ୍ମା ନୀରବରେ କ୍ରନ୍ଦନ କରିଅଛି । ଲେଖକ ଲେଖିବେ ସତ୍ୟ ମାତ୍ର ତାଙ୍କ ଲେଖାକୁ ଲୋକେ ଏପରିଭାବରେ ତୁଚ୍ଛକଲେ ଚଳିବ କିପରି ? ରାଜାମାନଙ୍କ ଘରେ ରଙ୍ଗମଞ୍ଚ ଥିବା ମୁଁ ଦେଖିଅଛି । ଚିକିଟିରାଜା ତାଙ୍କ ନାଟକମାନ ଆପଣା ରଙ୍ଗମଞ୍ଚରେ ଅଭିନୟ କରାନ୍ତି । ଏହା ଦୋଷର କଥା ନୁହେଁ, ମାତ୍ର ଅନ୍ୟ ଲେଖକର ନାଟକ ଅଭିନୀତ ହେଲେ ଦୋଷ ଅଛି କି ? ଅନ୍ୟ ଏକ ରାଜାଙ୍କ ଗଡ଼କୁ ଯାଇଥିବା ସମୟରେ ସେଠାରେ ବଙ୍ଗଳା ନାଟକ ଅଭିନୀତ ହେବାର ବିଜ୍ଞାପନ ବାହାରିବା ଦେଖି ମୁଁ ଚକିତ ହେଲି । ସେଠାରେ ଜଣେ ସାହିତ୍ୟସେବୀ କେତେକ ଖଣ୍ଡ ଓଡ଼ିଆ ନାଟକ ଲେଖିଅଛନ୍ତି, ମାତ୍ର ସେ ସବୁ ଅଥବା ଓଡ଼ିଆ ଅନ୍ୟ କୌଣସି ନାଟକ ଅଭିନୀତ ନ ହେବାର ମୁଁ କାରଣ ଖୋଜି ନ ପାରି ବାହାରି ଆସିଲି । ଚାଣକ୍ୟ କହିଅଛନ୍ତି ‘‘କିଂ କରିଷ୍ୟନ୍ତି ବକ୍ତାରଃ ଶ୍ରୋତା ଯତ୍ର ନ ବିଦ୍ୟତେ ।

 

ନଗ୍ନକ୍ଷପଣକେ ଦେଶେ ରଜକଃ କିଂ କରିଷ୍ୟତି ।’’

 

ଏ ଦେଶର ଦଶା ସେହିପରି ହୋଇଅଛି । ମୁଁ ପ୍ରଥମେ ନାଟକ ଲେଖିଲାବେଳେ ଗୋଟାଏ ନାଟକାଭିନୟ ଦଳ ବାନ୍ଧିଥିଲେ ଏବଂ ତହିଁରେ ନିଜେ ଅଭିନୟ କରୁଥିଲି । ଦଳର ଅନେକ ଲୋକେ ଚାକିରୀ ଉପଲକ୍ଷେ ସ୍ଥାନାନ୍ତରିତ ଓ ମୃତ ଏବଂ ବୟୋଧିକତା ହେତୁ ଛାଡ଼ିଯିବାରୁ ଦଳ ଭାଙ୍ଗି ଗଲା । କୋଠପଦାରେ ମୋର ଅକୃତ୍ରିମ ବନ୍ଧୁ ପୂର୍ବ ମହନ୍ତ ତପୋନିଧି ରଘୁନାଥ ପୁରୀ ଗୋସାଇଁ ମୋର ନାଟକର ଏକାନ୍ତ ଭକ୍ତଥିବାରୁ ସେ ଦଳ ବାନ୍ଧି ରଙ୍ଗମଞ୍ଚ ପ୍ରତିଷ୍ଠିତ କରି ନଥିଲେ ମୋର ନାଟକ ଲେଖା ବହୁକାଳରୁ ଶେଷ ହୋଇଯାଇଥାନ୍ତା । କାରଣ ଲେଖି ଖର୍ଚ୍ଚା କରି ଛାପା କଲେ ସୁଦ୍ଧା କେହି ଖର୍ଚ୍ଚ କରି ଖଣ୍ଡିଏ କିଣିବେ ନାହିଁ ଏବଂ ବିନା କଉଡ଼ିରେ ଉପହାର ପାଇଲେ ସୁଦ୍ଧା ପଢ଼ିବାକୁ କାହାରି ଅବସର ବା ଆଗ୍ରହ ନଥାଏ । ଏମନ୍ତ ଅବସ୍ଥାରେ ଲେଖିବା ବୃଥା । ଲେଖକର ମନୋଭାବ ବାହାର ଲୋକେ ଜାଣିପାରିବେ ନାହିଁ । ଯଶ ବା ସନ୍ତୋଷ ପାଇଁ ଲେଖକ ଲେଖନ୍ତି । ଯଶ ପାଇବା ମୋ ଭାଗ୍ୟରେ ନାହିଁ । ତେବେ ଅଭିନୟ ଦେଖି ସନ୍ତୋଷ ଜାତ ହୁଏ । ସୁତରାଂ କୋଠପଦାକୁ ଆନ୍ତରିକ ଧନ୍ୟବାଦ ଦେଇ ମୁଁ ନାଟକ ଲେଖି ଆସୁଅଛି ଏବଂ ମୋର ଦୃଢ଼ବିଶ୍ୱାସ ଅନ୍ୟ ଲେଖକମାନେ ରଙ୍ଗମଞ୍ଚର ସାହାଯ୍ୟ ପାଇଲେ ଅବଶ୍ୟ ଲେଖିବେ । ଚିକିଟିରାଜାଙ୍କ ଧନ ଅଛି ଏବଂ ନିଜର ରଙ୍ଗମଞ୍ଚରେ ଆପଣା ନାଟକର ଅଭିନୟ କରାଇ ସନ୍ତୋଷ ଲାଭକରନ୍ତି । ଯଶ କାହାର ଇଚ୍ଛାଧୀନ ନୁହେଁ, ମାତ୍ର ଅଭିନୟ ଦେଖି ସନ୍ତୋଷ ଲାଭ ନ କଲେ କିଏ କାହିଁକି ନାଟକ ଲେଖିବାକୁ ଇଚ୍ଛାକରିବ ? ଛାପାକଲେ ଖର୍ଚ୍ଚ ବିସ୍ତର ହୁଏ, ମାତ୍ର କେହି ପୁସ୍ତକ ନ କିଣିଲେ ଧନ ଥିଲେ ସୁଦ୍ଧା ହାତରୁ କିଏ କାହିଁକି ଖର୍ଚ୍ଚ କରିବାକୁ ମନ ବଳାଇବ ? ପୁସ୍ତକଦୋକାନରେ ଛାପାପୁସ୍ତକମାନ କୀଟଦଂଷ୍ଟ ହେବାଠାରୁ ହସ୍ତଲିପି ଘରେ କୀଟଦଂଷ୍ଟ ହେବା ଭଲ ନୁହେଁ କି ?

 

ମୋର କାଞ୍ଚିକାବେରୀ ନାଟକ ଛାପାଖାନାର ପୁସ୍ତକ ଦୋକାନର ଏକ କୋଣରେ କୀଟଦଂଷ୍ଟ ହେଉଥିଲା । ମୁଁ ତାହା ଦେଖି ଯତ୍ପରୋନାସ୍ତି କ୍ଷୁବ୍‍ଧ ହୋଇଥିଲି । ସୌଭାଗ୍ୟକ୍ରମେ ତାହା ଦିପୋଟୀ ଇତ୍ୟାଦିଙ୍କ ପରୀକ୍ଷାରେ ପାଠ୍ୟପୁସ୍ତକରୂପେ ନିର୍ବାଚିତ ହେବା ଓ ନାନାସ୍ଥାନରେ ତହିଁର ଅଭିନୟ ହେବାରୁ ଭାଗ୍ୟ ଫେରିଗଲା ଏବଂ ୩୦ ବର୍ଷ ପରେ ତହିଁର ଦ୍ୱିତୀୟ ସଂସ୍କରଣ ବାହାରିବା ମୋ ଜୀବନରେ ମୁଁ ଦେଖିଲି । ଅଥଚ ଏହି ନାଟକ ଛାପାହୋଇ ବାହାରିଲାବେଳେ ତତ୍କାଳୀନ ପୁରୁଷୋତ୍ତମ ପତ୍ରିକା ସୁବିଖ୍ୟାତ ଇଂଲଣ୍ଡୀୟ କବି ସେକ୍‍ସ୍‍ପିୟରଙ୍କ ନାଟକ ତୁଳନା କରିବାକୁ ପ୍ରୟାସ ପାଇଥିଲେ । ମୋର ଅନ୍ୟ ନାଟକମାନଙ୍କ ମଧ୍ୟରୁ କେବଳ କଳିକାଳ, ରାମ ବନବାସ ଓ ବନବାଳା ନାଟକମାନ ଦ୍ୱିତୀୟ ସଂସ୍କରଣ ଦେଖିଅଛି ।

 

ଉପନ୍ୟାସ ଲେଖା ନ ହେଲେ ଭାଷାର ସୌଷ୍ଠବ ସାଧନ ହୁଏ ନାହିଁ ଏବଂ ସେହି ହେତୁ ଚାରିଆଡ଼େ ଉପନ୍ୟାସ ଲେଖ ଲେଖ ବୋଲି ରଡ଼ିପଡ଼ିଅଛି । ମାତ୍ର ଲେଖା ହୋଇ ବହୁବ୍ୟୟରେ ଛାପାହେଲେ କେତେ ଜଣ ଲୋକ ‘‘ମୋର ମାତୃଭାଷାର ଉପନ୍ୟାସ ଗ୍ରନ୍ଥ’’ ବୋଲି କିଣିବାକୁ ଆଗ୍ରାହାନ୍ୱିତ ହୁଅନ୍ତି ? ମୁଁ ଉତ୍କଳ-ମଧୁପ ନାମକ ମାସିକପତ୍ର ବାହାର କଲାବେଳେ ସୌଦାମିନୀ ନାମକ ଉପନ୍ୟାସ ଲେଖୁଥିଲି । ସେ ଉପନ୍ୟାସ ଶେଷହେବା ପୂର୍ବେ ଦେଶର ସ୍ୱାଭାବିକ ଗତିରେ ଗ୍ରାହକମାନେ ମୂଲ୍ୟ ନ ଦେବାରୁ କାଗଜ ଖଣ୍ଡକ ବନ୍ଦ ହୋଇଗଲା । ମୁଁ କ୍ଷୁବ୍‍ଧହୋଇ ରହିଲି । ସେହି ଉପନ୍ୟାସର ହସ୍ତଲିପି ମୁଁ ତତ୍କାଳୀନ ଶିକ୍ଷାବିଭାଗର ଦିପୋଟୀ ଇନ୍‍ସ୍ପେକ୍‍ଟର ଉମାଚରଣବାବୁଙ୍କୁ ଦେଖାଇଥିଲି । ସେ ତାହା ପଢ଼ି ତହିଁର ବିସ୍ତର ପ୍ରଶଂସା କଲେ, ମାତ୍ର ଉପନ୍ୟାସ ବିଦ୍ୟାଳୟର ପାଠ୍ୟପୁସ୍ତକର ଅନୁପଯୁକ୍ତ ବୋଲି ମତ ଦେବାରୁ ମୁଁ କ୍ଷାନ୍ତ ହୋଇ ରହିଲି-। ତତ୍ପରେ ଇନ୍ଦ୍ରଧନୁ ନାମକ ମାସିକ ପତ୍ରିକା ବାହାରିବାରୁ ତହିଁର ସମ୍ପାଦକଙ୍କ ଅନୁରୋଧମତେ ମୁଁ ଉନ୍ମାଦିନୀ ଉପନ୍ୟାସ ଲେଖୁଥିଲି । ସେ ପତ୍ରିକା ଅଳ୍ପକାଳରେ ବନ୍ଦ ହୋଇଗଲା ଏବଂ ଉନ୍ମାଦିନୀର ଲେଖା ସେହିଠାରେ ଶେଷହେଲା । ମୟୂରଭଞ୍ଜର ଉତ୍କଳପ୍ରଭା ବାହାରିବାରୁ ମୁଁ ବିବାସିନୀ ଲେଖିଲି-। ସୌଭାଗ୍ୟକ୍ରମେ ବିବାସିନୀ ଶେଷ ହେବା ପର୍ଯ୍ୟନ୍ତ କାଗଜ ଖଣ୍ଡିକ ବଞ୍ଚିଥିଲା । ମୁଁ ପୁରସ୍କାର ପାଇଲି ଏବଂ ହିନ୍ଦୋଳ କିଲ୍ଲାର ରାଜା ମହୋଦୟ ସ୍ୱତଃପ୍ରବୃତ୍ତ ହୋଇ ବ୍ୟୟ ଭାର ଗ୍ରହଣ କରିବାରୁ ମୁଁ ତାହା ଛାପା କଲି । ବିବାସିନୀ ଛାପା ହୋଇ ଛାପାଖାନାରେ ପୋକ ଲାଗୁଥିଲା କାଳକ୍ରମେ ଦାକ୍ଷିଣାତ୍ୟ ତହିଁର ପରିଚୟ ଘେନିବାରୁ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ପାଠ୍ୟପୁସ୍ତକରୂପେ ନିର୍ଦ୍ଦିଷ୍ଟ ହେଲା ଓ କ୍ରମେ କଲିକତା ବିଶ୍ୱବିଦ୍ୟାଳୟରେ ଓ ଦିପୋଟୀ ଇତ୍ୟାଦିଙ୍କ ପରୀକ୍ଷାରେ ପାଠ୍ୟପୁସ୍ତକ ହେବାରୁ ତାହାର ଦ୍ୱିତୀୟ ସଂସ୍କରଣ ହୋଇଅଛି । ଶିକ୍ଷାବିଭାଗର ଦୃଷ୍ଟି ପଡ଼ି ନଥିଲେ, ବିବାସିନୀର ନାମ ନଥାନ୍ତା ।

 

ଉପନ୍ୟାସର ଜୀବନ ସାଧାରଣ ପାଠକଙ୍କ ଉପରେ । ମୋର ପୂଜ୍ୟବନ୍ଧୁ ବାବୁ ଫକୀରମୋହନ ସେନାପତି କେତେଖଣ୍ଡି ଉପନ୍ୟାସ ଲେଖି ଅଛନ୍ତି । ତାଙ୍କର ପୁସ୍ତକ କିରୂପ ବିକ୍ରୀତ ହେଉଅଛି ମୁଁ କହି ନ ପାରେ । ମୋର ଜଣେ ବିଶିଷ୍ଟ ବନ୍ଧୁ ତାଙ୍କ ଉପନ୍ୟାସ ଭଲ ବିକ୍ରି ହେଉଥିବା କହିବାରୁ ତାକୁ ସଙ୍ଗେ ସଙ୍ଗେ ଜଣେ ବିଶିଷ୍ଟ ଓଡ଼ିଆ ସେ ପୁସ୍ତକର ନାମ ସୁଦ୍ଧା ଜାଣୁନଥିବା ଦେଖାଇଦେଲି । ଏହାଠାରୁ କ୍ଷୋଭର ବିଷୟ ଆଉ କି ହୋଇପାରେ ? ଏ ସବୁ ଦେଖି ମୋ ମନରେ ଏମନ୍ତ ଭାବର ଉଦୟ ହୋଇଅଛି ଯେ, ପୁସ୍ତକ ଛପାହୋଇ ଯେଉଁମାନଙ୍କ ସମୀପକୁ ଉପହାରସ୍ୱରୂପ ପଠାଯାଏ, ସେମାନେ ତହିଁରୁ ଖଣ୍ଡିଏ କିଣିଲେ ଭଲ ହୁଅନ୍ତା । କାରଣ ଏ ରୂପରେ ଛାପା ଖର୍ଚ୍ଚଟା ଉଠିଗଲେ ଲେଖକମାନଙ୍କର ସୁବିଧା ହୁଅନ୍ତା । ମୁଁ ଶୁଣିଅଛି ବିଲାତରେ ଛାପାହୋଇ କୌଣସି ପୁସ୍ତକ କାହାରି ନିକଟକୁ ଉପହାରସ୍ୱରୂପ ପଠାଗଲେ, ସେ ତହିଁର ମୂଲ୍ୟ ପଠାଇ ଦିଅନ୍ତି । ଏ ପ୍ରଥା ଅତି ସୁନ୍ଦର । ଆମ୍ଭ ଦେଶର ଲୋକେ ତାହା ଆଦରଣୀୟ କଲେ ଅଚିରେ ବହୁପୁସ୍ତକରେ ମାତୃଭାଷାର ଅଙ୍ଗ ପୁଷ୍ଟ ହେବ । ଥିଲାଲୋକେ କେତେକଖଣ୍ଡ ଅଧିକା କିଣି ବିତରଣ କରିପାରନ୍ତି ଏବଂ ନଥିଲା ଲୋକେ ଅନ୍ତତଃ ଖଣ୍ଡିଏ କିଣିବା ଅଥବା ଯେଉଁ ଖଣ୍ଡିକ ଉପହାର ପାଇଲେ ତହିଁର ମୂଲ୍ୟ ପଠାଇଦେଲେ କଦାପି ଊଣା କଥା ହେବନାହିଁ । ମାତ୍ର ଦେଶ ଲୋକେ ତାହା ଆଦରିବେ କି-? ଯେଉଁ ଦେଶରେ ଲୋକେ ବିନା ଟିକଟରେ ଅଭିନୟ ବା ସର୍କସଆଦି ଦେଖିବାକୁ ପାଇବା ଅଥବା ବିନା ମାସୁଲରେ ଘାଟ ପାରି ହୋଇପାରିବାର ଅଧିକାରକୁ ବହୁମାନ୍ୟ କରନ୍ତି, ସେମାନେ ଉପହାରର ମୂଲ୍ୟ ପଠାଇବାକୁ କଦାପି ମନ ବଳାଇବେନାହିଁ । ହେଉ, ତାହାହେଲେ ସୁଦ୍ଧା କିଣିବାରେ ତ ମାନହାନି ହେବନାହିଁ ।

 

ଆଉ ଗୋଟିଏ କଥା କହି ମୋର ପ୍ରବନ୍ଧର ଉପସଂହାର କରିବି । ଅନେକେ ମନେ କରନ୍ତି ବଡ଼ ବଡ଼ ଶବ୍ଦ ବସାଇ ପାରିଲେ ଭଲ ଲେଖା ହୁଏ । ସେମାନେ ଜାଣିରଖିବେ ଯେ, ସହଜ ଭାଷାରେ ଯେଉଁ ମନୋଭାବ ସହଜରେ ପ୍ରକାଶିତ ହୁଏ, ତାହା ଅପର ମନରେ ସହଜରେ ଅଙ୍କିତ ହୁଏ । ତଥାପି ସମ୍ୱାଦପତ୍ରର ଭାଷା ଓ ପୁସ୍ତକର ଭାଷାରେ ପାର୍ଥକ୍ୟ ଅଛି; ମାତ୍ର ସହଜ ଲେଖିବ ବୋଲି ଏଠା ମ୍ୟୁନିସିପାଲିଟିର ପାଠିକା (sign-board) ପରି ‘‘ଏଠାରେ ସ୍ନାହାନ କରିବା ଓ ପାଣି ଢାଳିବା ନିଷେଧ’’ ପୁସ୍ତକରେ ଲେଖିଲେ ଚଳିବନାହିଁ । ପୂର୍ଣ୍ଣିମାକୁ କଥାରେ ନ ଜାଣିବା ଲୋକେ ପୂର୍ଣ୍ଣମୀ ବୋଲି କହିଲେ ସୁଦ୍ଧା ପୂର୍ଣ୍ଣିମା ଲେଖିବାକୁ ହେବ । ପୁସ୍ତକରେ ଭାଷା ଯେତେଦୂର ଶୁଦ୍ଧ ଓ ବ୍ୟାକରଣ ସଂଗତ ହୋଇପାରେ, ତହିଁକି ଦୃଷ୍ଟି ରଖିବା କର୍ତ୍ତବ୍ୟ ଏବଂ ଅନ୍ୟ ଭାଷାରୁ ଶବ୍ଦମାନ ଆଣି ବ୍ୟବହାର କଲେ ତହିଁର ଉଚ୍ଚାରଣ ଠିକ୍‍ରଖି ଲେଖିବା ବିଧେୟ । ଯଥା:–ଗିଲାସ ନ ଲେଖି ଗ୍ଳାସ, ସୁଧ ନ ଲେଖି ସୁଦ, ହିସାବ ନ ଲେଖି ହେସାବ, ଗବର୍ଣ୍ଣମେଣ୍ଟ ନ ଲେଖି ଗଭର୍ଣ୍ଣମେଣ୍ଟ, ସୁପ୍ରଣ୍ଡଣ୍ଟ ନ ଲେଖି ସୁପରିଣ୍ଟେଣ୍ଡେଣ୍ଟ ଇତ୍ୟାଦି । ଆଜିକାଲିର ଲେଖାରେ ଅନେକ ବଙ୍ଗଳା ପ୍ରୟୋଗ ଦେଖାଯାଏ ଏବଂ ଏହା ବଙ୍ଗଳା ପୁସ୍ତକ ବହୁଳ ପଢ଼ିବା ହେତୁ ଘଟିଅଛି । ଓଡ଼ିଆମାନେ ବଙ୍ଗଳା ନ ପଢ଼ନ୍ତୁ ଏହା ମୁଁ କହୁ ନାହିଁ; ମାତ୍ର ବଙ୍ଗଳା ପଢ଼ିଲେ ସୁଦ୍ଧା ଆପଣାର ମାତୃଭାଷାର ପଦ୍ଧତି ଠିକ୍‍ ନ ରଖିଲେ ଚିହ୍ନି ହେବନାହିଁ ।

 

(‘ମୁକୁର’ ପତ୍ରିକାର ନବମ ଭାଗ ଦଶମ ସଂଖ୍ୟାରେ ପ୍ରକାଶିତ)

Image

 

ଉତ୍କଳ ସାହିତ୍ୟର ଉନ୍ନତି

(ଶ୍ରୀ ରାଧାନାଥ ରାୟ)

 

ଉପସ୍ଥିତ ସଭ୍ୟ ମହୋଦୟଗଣ,

 

ଏ ସଭାର ଅଥବା କୌଣସି ସଭାର ସଭାପତି ପଦ ସକାଶେ ମୁଁ ଆପଣାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବିବେଚନା କରେ । ସଭାପତିର ଗୁଣମାନଙ୍କ ମଧ୍ୟରେ ବାକ୍‍ପଟୁତା ଅପରିହାର୍ଯ୍ୟରୂପେ ଆବଶ୍ୟକ, ଏହା ସର୍ବବାଦିସମ୍ମତ କଥା । ଦୀର୍ଘକାଳସ୍ଥାୟୀ ଶ୍ୱାସଯନ୍ତ୍ରର ପୀଡ଼ା ହେତୁରୁ ଏହି ସଦ୍‍ଗୁଣ ଆୟତ୍ତ କରିବା ସକାଶ ମୁଁ କେବେ ଚେଷ୍ଟା କରିନାହିଁ । ପୁଣି ବୟୋବୃଦ୍ଧି ସହିତ ପୀଡ଼ା ବର୍ଦ୍ଧିତ ହୋଇ ମୋତେ ନିତାନ୍ତ ଅକର୍ମଣ୍ୟ କରିଅଛି । ବିଶେଷତଃ ଏ ସଭାର ଇତିହାସ ଏବଂ ଅନୁଷ୍ଠାନାଦି ସମ୍ୱନ୍ଧରେ ମୋହର ଜ୍ଞାନ ନିତାନ୍ତ ସୀମାବଦ୍ଧ । ଏହି କାରଣରୁ ସଭାପତିର ଆସନ ଗ୍ରହଣ କରିବା ସକାଶ ମୁଁ ପୁନଃପୁନଃ ଅନିଚ୍ଛା ପ୍ରକାଶ କରିଥିଲି । କେବଳ ସ୍ଥୂଳଭାବରେ ମନ୍ତବ୍ୟ ମୁଁ ଲିପିବଦ୍ଧ କରିବି ଏବଂ ତାହା ଅପର କର୍ତ୍ତୃକ ସଭାରେ ପଠିତ ହେବ, ଏହି ଆଶ୍ୱାସ ପାଇ କେବଳ ବନ୍ଧୁମାନଙ୍କର ଅନୁରୋଧର ସମ୍ମାନ ରକ୍ଷା ନିମନ୍ତେ ମୁଁ ଏ ପଦ ଗ୍ରହଣ କରିଅଛି ।

 

ଯେଉଁମାନେ ଏହି ସଭାରେ ଯୋଗଦାନ କରନ୍ତି, ସେମାନଙ୍କ ମଧ୍ୟରେ ଅନେକ ସୁଶିକ୍ଷିତ ଏବଂ ସୁଯୋଗ୍ୟ ବ୍ୟକ୍ତି ଅଛନ୍ତି । ଉତ୍କଳସାହିତ୍ୟର ଉନ୍ନତି ସମ୍ୱନ୍ଧରେ ମୋ ଅପେକ୍ଷା ସେମାନଙ୍କର ମନ୍ତବ୍ୟ ଅଧିକତର ମୂଲ୍ୟବାନ୍‍ ହୋଇଥାନ୍ତା ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ସେମାନେ ବହୁକାଳ ଏହି ସଭାର ଅନୁଷ୍ଠାନାଦିରେ ଯୋଗଦାନ କରିଅଛନ୍ତି ଏବଂ ସଭାର ଉଦ୍ଦେଶ୍ୟ କି ଉପାୟରେ ସାଧିତ ହୋଇପାରେ ସେ ବିଷୟରେ ମୋହ ଅପେକ୍ଷା ଅଧିକ ଚିନ୍ତା କରିଅଛନ୍ତି । ସୁତରାଂ, ମୋହପରି ଅକର୍ମଣ୍ୟ ଆଳଂକାରିକ ସଭାପତି ପରିବର୍ତ୍ତରେ ସେମାନଙ୍କ ମଧ୍ୟରୁ କେହି ସଭାପତି ହୋଇଥିଲେ ତାହାଙ୍କଠାରୁ ଆପଣମାନେ ଯାହା ଶୁଣିଥାନ୍ତେ, ତଦ୍ଦ୍ୱାରା ଆପଣମାନଙ୍କର ମୂଲ୍ୟବାନ୍‍ ସମୟର ଅପଚୟ ହୋଇନଥାନ୍ତା ।

 

ବାବୁ ଅଭିରାମ ଭଞ୍ଜ, ବାବୁ ବିଶ୍ୱନାଥ କର ପ୍ରଭୃତିଙ୍କର ସାରଗର୍ଭ ବକ୍ତୃତା ପରେ ମୋହର ଅଧିକ କିଛି କହିବାର ନାହିଁ । କେବଳ ପ୍ରଚଳିତ ପ୍ରଥାନୁଯାୟୀ ମୁଁ ଅତି ସଂକ୍ଷିପ୍ତଭାବରେ ଦୁଇ ଚାରି କଥା କହିବି ।

 

ଜାତିକୁ ଉନ୍ନତ କରିବାକୁ ହେଲେ ଉନ୍ନତ ଜାତୀୟସାହିତ୍ୟ ନିତାନ୍ତ ପ୍ରୟୋଜନୀୟ । ନବ୍ୟଶିକ୍ଷିତମାନଙ୍କ ମଧ୍ୟରେ ସମୟ ସମୟରେ ଏପରି ମତବାଦ ମଧ୍ୟ ଶୁଣାଯାଏ ଯେ, ସାହିତ୍ୟଚର୍ଚ୍ଚା କିମ୍ୱା ସାହିତ୍ୟୋନ୍ନତିର ଚେଷ୍ଟାର ଆବଶ୍ୟକତା ନାହିଁ, ବିଜ୍ଞାନ ଆମ୍ଭମାନଙ୍କର ଏକମାତ୍ର ଶିକ୍ଷା ଏବଂ ଆଲୋଚନାର ବିଷୟ ହେବା ଉଚିତ । ମୁଁ ଯଦିଚ ଜୀବନରେ ବିଜ୍ଞାନଚର୍ଚ୍ଚାର ସୁବିଧା ପାଇନାହିଁ, ସେଥିର ଫଳୋପଧାୟକତା ମୁଁ ଅବଶ୍ୟ ଉପଲବ୍‍ଧି କରିବାକୁ ସମର୍ଥ । ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ପ୍ରାତୀଚ୍ୟ ବିଜ୍ଞାନ ବିଶେଷତଃ ପ୍ରାତୀଚ୍ୟ ଜଡ଼ବିଜ୍ଞାନର ଶିକ୍ଷା ଭାରତବର୍ଷୀୟ ଲୋକଙ୍କ ପକ୍ଷରେ କେବଳ ଯେ ବାଞ୍ଛନୀୟ ତାହା ନୁହେଁ, ପ୍ରତ୍ୟୁତ ଆନ୍ତର୍ଜାତିକ ଜୀବନ ସଂଗ୍ରାମରେ ଆତ୍ମ-ରକ୍ଷା ସକାଶ ଅପରିହାର୍ଯ୍ୟରୂପେ ପ୍ରୟୋଜନୀୟ; ମାତ୍ର ବିଜ୍ଞାନର ଦ୍ୱାହି ଦେଇ ମୁଁ ସାହିତ୍ୟକୁ ଏକାବେଳକେ ଅଧଃକୃତ କରିବାକୁ ପ୍ରସ୍ତୁତ ନୁହେଁ । ଏକଦେଶଦର୍ଶୀ ହୋଇ ଯେଉଁମାନେ ସାହିତ୍ୟକୁ ଏହିପରି ଅଧଃକୃତ କରନ୍ତି, ସାହିତ୍ୟର ମୂଳ କେଉଁଠାରେ ତାହା ସେମାନେ ସମ୍ପୂର୍ଣ୍ଣରୂପେ ବିସ୍ମୃତ ହୋଇଯାନ୍ତି । ମନୁଷ୍ୟ କେବଳ ମସ୍ତିଷ୍କବାନ୍‍ ନୁହେଁ, ମନୁଷ୍ୟର ଆତ୍ମା ଏବଂ ହୃଦୟ ମଧ୍ୟ ଅଛି-। ସେହି ଆତ୍ମା ଏବଂ ହୃଦୟକୁ ସାହିତ୍ୟର ମୂଳସ୍ୱରୂପ ନିର୍ଦ୍ଦେଶ କରାଯାଇପାରେ । ଆତ୍ମା ଏବଂ ହୃଦୟର ଅସ୍ତିତ୍ୱ ଲୋପ ନ ହେବା ପର୍ଯ୍ୟନ୍ତ ସାହିତ୍ୟର ଲୋପ ହେବ ନାହିଁ, ଏହା ବୋଲିବାର ବାହୁଲ୍ୟ । ମସ୍ତିଷ୍କର କର୍ଷଣ ଏବଂ ଆତ୍ମା ଏବଂ ହୃଦୟର କର୍ଷଣ ଏ ଉଭୟର ସମବାୟ ପୂର୍ଣ୍ଣ ମନୁଷ୍ୟତା ଲାଭ ସକାଶ ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ପ୍ରୟୋଜନୀୟ, ସୂକ୍ଷ୍ମଦର୍ଶୀ ବ୍ୟକ୍ତିମାନେ ଏହା ସ୍ୱୀକାର କରିବେ ।

 

ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ତାହାକୁ କୌଣସି ଇଉରୋପୀୟ ସାହିତ୍ୟ କିମ୍ୱା ଆମ୍ଭମାନଙ୍କର ପ୍ରାଚୀନ ସଂସ୍କୃତ ସାହିତ୍ୟ ସହିତ ତୁଳନା କରିବାର ବାତୁଳତା ମାତ୍ର । ତେବେ ଭାରତବର୍ଷର ଭିନ୍ନ ଭିନ୍ନ ପ୍ରଦେଶର ସାହିତ୍ୟ ସହିତ ଉତ୍କଳୀୟ ସାହିତ୍ୟର ତୁଳନା କିୟତ୍‍ପରିମାଣରେ ସମ୍ଭବପର । ଏ ତୁଳନା ମଧ୍ୟ ଉତ୍କଳସାହିତ୍ୟର ଅନୁକୂଳ ନୁହେଁ । ବିଶେଷତଃ ଆଧୁନିକ ଉତ୍କଳସାହିତ୍ୟ ଆଧୁନିକ ବଙ୍ଗୀୟ କିମ୍ୱା ହିନ୍ଦୀ ସାହିତ୍ୟର ନାନା ବିଷୟରେ ବହୁ ପାଶ୍ଚାଦ୍‍ବର୍ତ୍ତୀ, ଏହା ନିର୍ବିବାଦରେ ବୋଲାଯାଇପାରେ । ବଙ୍ଗୀୟ ସାହିତ୍ୟର ତ କଥା ନାହିଁ, ହିନ୍ଦୀ ସାହିତ୍ୟ ମଧ୍ୟ ଯେପରି କ୍ଷିପ୍ରଗତିରେ ଅଗ୍ରସର ହେଉଅଛି, ତାହାର ତୁଳନାରେ ଓଡ଼ିଆ ସାହିତ୍ୟକୁ ଜଡ଼ବତ୍‍ ସ୍ଥାଣୁ କହିଲେ ଅତ୍ୟୁକ୍ତି ହେବନାହିଁ । ଆମ୍ଭମାନଙ୍କର ସାହିତ୍ୟାନୁରାଗ ଅଭାବ ଏହାର ଏକମାତ୍ର କାରଣ ଅଟେ । ଓଡ଼ିଆ ସାହିତ୍ୟର ଉନ୍ନତି ସକାଶେ ଆପାତତଃ ଆମ୍ଭମାନଙ୍କର ଯାହା କର୍ତ୍ତବ୍ୟ ସେଥି ସମ୍ୱନ୍ଧରେ ସ୍ଥୂଳରେ ବର୍ତ୍ତମାନ ମୁଁ ଦୁଇ ଚାରି କଥା କହିବାକୁ ଇଚ୍ଛା କରେ । ନିମ୍ନଲିଖିତ ଚାରୋଟି ଉପାୟ ଆମ୍ଭମାନଙ୍କର ଅବଲମ୍ୱନୀୟ ।

 

୧.

ସାଧାରଣ ଓଡ଼ିଆ ପୁସ୍ତକାଳୟ ସ୍ଥାପନ ଏବଂ ପ୍ରାଚୀନ ପାଣ୍ଡୁଲେଖ୍ୟ ସଂଗ୍ରହ ।

୨.

ନବ ଲେଖକମାନଙ୍କର ଉତ୍ସାହ ସକାଶ ଗୋଟିଏ ପାଣ୍ଠି ସଂସ୍ଥାପନ ।

୩.

ଉତ୍କଳଭାଷାର ଇତିହାସ ପ୍ରଣୟନ ।

୪.

ପ୍ରାଚୀନ ଉତ୍କଳସାହିତ୍ୟର ଆଲୋଚନା ।

 

ଏହି ଚାରୋଟି ଉପାୟ ମଧ୍ୟରେ ପ୍ରଥମ ଏବଂ ଦ୍ୱିତୀୟ ଉପାୟ ସମଧିକ ଅର୍ଥସାପେକ୍ଷ । ସୁତରାଂ କୌଣସି ରାଜା କିମ୍ୱା ବୃତ୍ତୀଶ୍ୱର ବ୍ୟତୀତ ଅନ୍ୟ ଲୋକଦ୍ୱାରା ଏହା ଅନୁଷ୍ଠିତ ହୋଇପାରିବ, ଏହା ମୋତେ ସମ୍ଭବପର ବୋଧ ହେଉନାହିଁ । ଆଜିକାଲି ରାଜା ଏବଂ ବୃତ୍ତୀଶ୍ୱରମାନଙ୍କ ମଧ୍ୟରେ କଦାଚିତ୍‍ କାହାରି କାହାରି ସାହିତ୍ୟାନୁରାଗର ଯେପରି ଅଙ୍କୁରୋଦ୍‍ଗମ ଲକ୍ଷିତ ହେଉଅଛି, ସେଥିରୁ ଏପରି ଆଶା ହୁଏ ଯେ, ଆମ୍ଭମାନଙ୍କ ଜୀବଦ୍ଦଶାରେ ନ ହେଉ ସୁଦୂର ଭବିଷ୍ୟତରେ ଏହା କେବେହେଲେ କାର୍ଯ୍ୟରେ ପରିଣତ ହେବାର ସୂତ୍ରପାତ ହେବ ।

 

ପ୍ରାଚୀନ ଉତ୍କଳ ସାହିତ୍ୟର ଇତିହାସ ପ୍ରଣୟନ ମଧ୍ୟ ସହଜସାଧ୍ୟ ବ୍ୟାପାର ନୁହେଁ । ବଙ୍ଗୀୟ ସାହିତ୍ୟ-ଇତିହାସ-ପ୍ରଣେତା ଶ୍ରୀ ଦିନେଶଚନ୍ଦ୍ର ସେନଙ୍କ ସୁପ୍ରସିଦ୍ଧ ଗ୍ରନ୍ଥ ତାହାଙ୍କର ଜୀବନବ୍ୟାପୀ ପରିଶ୍ରମର ଫଳ । ଏ ପ୍ରଦେଶରେ ସେପରି ଅଧ୍ୟବସାୟର ନିତାନ୍ତ ଅଭାବ, ଯାହା ମଧ୍ୟ ଅଛି ତାହାକୁ ଉତ୍ସାହ ଦେବାର ଲୋକ ନାହିଁ । ବଙ୍ଗୀୟ ରାଜା ଏବଂ ବୃତ୍ତୀଶ୍ୱରମାନେ ସ୍ୱଦେଶୀୟ ସାହିତ୍ୟୋନ୍ନତି ସାଧନ ବିଷୟରେ ଆସ୍ଥାହୀନ ହୋଇ ସୁଦ୍ଧା ଯାହା କରିଅଛନ୍ତି ଓଡ଼ିଶାରେ ସେଥିର ଶତାଂଶ ଆଶା କରାଯାଇ ନ ପାରେ । ଓଡ଼ିଶାରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁପଣ୍ଡିତ ଶ୍ରୀଯୁକ୍ତ ବାବୁ ଶ୍ୟାମସୁନ୍ଦର ରାଜଗୁରୁ B.A. ମହାଶୟ ଏ ବିଷୟରେ ପ୍ରଶଂସନୀୟ ଅଧ୍ୟବସାୟ ପ୍ରଦର୍ଶନ କରି ଆମ୍ଭମାନଙ୍କର ଧନ୍ୟବାଦାର୍ହ ହୋଇଅଛନ୍ତି; ମାତ୍ର ଏପରି ଦୁର୍ବହ ଭାର ତାହାଙ୍କ ଉପରେ ଅଥବା ଅପର କୌଣସି ଯୋଗ୍ୟବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରି କେବଳ ଧନ୍ୟବାଦ ଦେଇ ନିଶ୍ଚିନ୍ତ ରହିଲେ ଚଳିବନାହିଁ । ଖାଲି କଥାରେ ଚୂଡ଼ା ତିନ୍ତିବ ନାହିଁ । ଏପରି ବିଷୟରେ କଥା ଅପେକ୍ଷା ଅଧିକତର ସାରବାନ୍‍ ଉତ୍ସାହର ନିତାନ୍ତ ଲୋଡ଼ା । ସାଧାରଣଙ୍କର ଉଚିତ ଯେ, ସମବେତ ହୋଇ ତାହାଙ୍କୁ ଅଥବା ଅପର କୌଣସି ଯୋଗ୍ୟ ଲେଖକଙ୍କୁ ଏପରି ମହୋପକାରୀ ବିଷୟରେ ପର୍ଯ୍ୟାପ୍ତ ଅର୍ଥ ସାହାଯ୍ୟ କରିବେ । ଯେଉଁ ବ୍ୟକ୍ତି ଏହି ମହାବ୍ରତଧାରୀ ହେବେ ତାହାଙ୍କୁ କେତେ ପୁସ୍ତକ ସଂଗ୍ରହ, କେତେ ଅଧ୍ୟୟନ, କେତେ ପର୍ଯ୍ୟଟନ, କେତେ ଗବେଷଣା, କେତେ ଚିନ୍ତା, କେତେ ପରିଶ୍ରମ କରିବାକୁ ହେବ, ତାହା ଆପଣମାନଙ୍କ ପରି ଜ୍ଞାତସାର ବ୍ୟକ୍ତିମାନଙ୍କୁ କହିବାର ବାହୁଲ୍ୟ । କେହି ଅବା କହିବେ ଯେ ଏପରି ବିଷୟରେ ବ୍ୟକ୍ତିବିଶେଷଙ୍କୁ କାହିଁକି ସାହାଯ୍ୟ ଦିଆଯିବ ? ପ୍ରୟୋଜନ ଆୟୋଜନର (demand and supply) ନିୟମଦ୍ୱାରା ଏହା ମଧ୍ୟ ନିୟମିତ ହେବାର ଉଚିତ । ଯେ ପୁସ୍ତକ ସଙ୍କଳନ କରିବେ ପୁସ୍ତକର କାଟତିହାରା ସେ ପୁରସ୍କୃତ ହେବେ । ପୁସ୍ତକର ଯେବେ ସାଧାରଣରେ କାଟତି ନ ହେଲା, ଏପରି ପୁସ୍ତକ ଲେଖିବାର ଆବଶ୍ୟକତା କ’ଣ ? ଇଉରୋପୀୟ ଆମଦାନୀ ଅର୍ଥନୀତିର ସୂତ୍ରଗୁଡ଼ିକ ଆମ୍ଭେମାନେ ସମୟ ସମୟରେ ଶୁଆପରି ଏହି ରୀତିରେ ଆବୃତ୍ତି କରିଥାଉଁ, ମାତ୍ର ପ୍ରକୃତପକ୍ଷରେ ଏ ଭଳି ଉକ୍ତି ଅର୍ଥନୀତିଜ୍ଞତାର ପରିଚାୟକ ନୁହେଁ, ବରଂ ଏହା ଆମ୍ଭମାନଙ୍କର ଅଜ୍ଞତା, ହୃଦୟହୀନତା ଏବଂ ବଦ୍ଧମୁଷ୍ଟିକତାର ପରିଚାୟକ । ଯେଉଁ ଇଉରୋପରୁ ଏହି ସୂତ୍ରଗୁଡ଼ିକର ଆମଦାନୀ ହୋଇଅଛି, ସେହି ଇଉରୋପ ପ୍ରୟୋଜନ ଏବଂ ଆୟୋଜନ ସମ୍ୱନ୍ଧୀୟ ନିୟମର ଦ୍ୱାହି ଦେଇ ଜାତୀୟସାହିତ୍ୟୋନ୍ନତି ସାଧନ ବିଷୟରେ ଔଦାସୀନ୍ୟ ଅବଲମ୍ୱନ କରିନାହିଁ-। ସେପରି ହୋଇଥିଲେ ନବ୍ୟଜର୍‍ମାନ ଏବଂ ଇଟାଲୀୟ ସାହିତ୍ୟ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ପୃଥିବୀର ଗଣନୀୟ ସାହିତ୍ୟ ବୋଲି ପରିଗଣିତ ହୋଇ ନଥାନ୍ତା

 

ପ୍ରାଚୀନ ଉତ୍କଳସାହିତ୍ୟ ଯେଉଁ ପରିମାଣରେ ଆମ୍ଭମାନଙ୍କର ଆଲୋଚନା କରିବାର ଉଚିତ, ଆମ୍ଭେମାନେ ତାହାର ଶତାଂଶ କରି ନାହୁଁ, ଅନ୍ତତଃ ଏ ବିଷୟରେ ମୁଁ ମୋହର ନିଜର ତ୍ରୁଟି ଉତ୍ତମରୂପେ ଉପଲବ୍‍ଧି କରିଅଛି । ଏ ପ୍ରଦେଶରେ ବଙ୍ଗୀୟ ସାହିତ୍ୟ ପ୍ରଚାର ହୋଇ ପ୍ରଭୂତ ଶ୍ରେୟଃ ସହିତ ପ୍ରଭୂତ ଅନିଷ୍ଟ ମଧ୍ୟ ସାଧିତ ହୋଇଅଛି । ଅନିଷ୍ଟ ସକାଶ ବଙ୍ଗୀୟ ସାହିତ୍ୟ ଦାୟୀ ନୁହେଁ, ଆମ୍ଭେମାନେ ଦାୟୀ । ଭାରତବର୍ଷୀୟ ପ୍ରାଦେଶିକ ସାହିତ୍ୟର ଆଲୋଚନା ଆମ୍ଭମାନଙ୍କ ପକ୍ଷରେ ସୁଫଳୋପଧାୟକ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ, ମାତ୍ର ଆମ୍ଭମାନଙ୍କର ଅବକାଶର ଅଧିକାଂଶ ସମୟ ଉତ୍କଳସାହିତ୍ୟାଲୋଚନାରେ ବ୍ୟୟିତ ହେବାର ଉଚିତ । ବଙ୍ଗ ସାହିତ୍ୟ ଚର୍ଚ୍ଚାଦ୍ୱାରା ଆମ୍ଭମାନଙ୍କର ଜ୍ଞାନର ପ୍ରସାର ହୋଇଅଛି ସତ୍ୟ; ମାତ୍ର ମୌଳିକତା ବହୁପରିମାଣରେ ନଷ୍ଟ ହୋଇଅଛି । ଆଧୁନିକ ଉତ୍କଳସାହିତ୍ୟରେ ବଙ୍ଗୀୟ ସାହିତ୍ୟର କେବଳ ଭାବ ନୁହେଁ, ଭାଷା ମଧ୍ୟ ଅଯଥା ପରିମାଣରେ ପ୍ରବେଶ କରି ସେଥିର ବ୍ୟକ୍ତିଗତ ଭାବ କ୍ରମଶଃ ହୀନରୁ ହୀନତର କରି ପକାଉଅଛି ।

 

ସଭା ସମିତିରେ ଲିଖିତ ମନ୍ତବ୍ୟ ଶ୍ରୋତାମାନଙ୍କର ପ୍ରୀତିକର ହୁଏନାହିଁ, ଅଧିକନ୍ତୁ ତାହା ସେମାନଙ୍କ ଧୈର୍ଯ୍ୟକୁ ଦାରୁଣ ପରୀକ୍ଷାରେ ନିକ୍ଷିପ୍ତ କରେ । ଏହା ମୁଁ ଅବଶ୍ୟ ବୁଝିପାରୁଅଛି ଏବଂ ବୁଝିପାରି ଏହିଠାରେ ମୋହର ମନ୍ତବ୍ୟର ଉପସଂହାର ଏବଂ ଆପଣମାନଙ୍କୁ ମୋହର ଏହି ଅକିଞ୍ଚିତ୍‍କର ଉକ୍ତି ଶ୍ରବଣରୁ ମୁକ୍ତି ପ୍ରଦାନ କଲି ।

 

(ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନରେ ପଠିତ ମନ୍ତବ୍ୟ–୧୩୧୧ ସାଲ)

Image

 

Unknown

ଉତ୍କଳ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ

(ଶ୍ରୀ ଅଭିରାମ ଭଞ୍ଜ)

 

ମାନନୀୟ ସଭାପତି, ରାଜନ୍ୟବର୍ଗ ଓ ଭ୍ରାତୃବୃନ୍ଦ,

 

ଆପଣମାନଙ୍କ ପ୍ରାୟ ବିଦ୍ୱଜ୍ଜନବିମଣ୍ଡିତ ସଭାସ୍ଥଳରେ ତୁଣ୍ଡ ଫିଟାଇବାକୁ ପ୍ରକୃତରେ ମୋହ ଚିତ୍ତରେ ଶଙ୍କା ହେଉଅଛି । ଓଡ଼ିଆ ଭାଷାରେ କିମ୍ୱା ଭାଷାନ୍ତରରେ ଲେଖକତା ଅବା ବକ୍ତୃତାର ଖ୍ୟାତି ମୁଁ ଉପାର୍ଜନ କରିନାହିଁ, ତହିଁରେ ପୁଣି ସମ୍ମୁଖରେ ଦେଖୁଛି ସାହିତ୍ୟରସିକ, ପ୍ରାଜ୍ଞ ବିଜ୍ଞ ବ୍ୟକ୍ତିଙ୍କର ଶ୍ରେଣୀ, କିନ୍ତୁ ବହୁକାଳ ହେଲା ପୃଥରାଭୂତ ବିଦେଶବାସୀ ସ୍ୱଜାତୀୟ ଗୁଣିଗଣଙ୍କୁ ଦେଖି ଭୟ, ଚାଞ୍ଚଲ୍ୟ, ଦୌର୍ବଲ୍ୟ ସଦ୍‍ବକ୍ତୃତାର ଯାବତୀୟ ପ୍ରତିବନ୍ଧକମାନ ତିରୋହିତ ହୋଇଯାଉଅଛି ଓ ସଂକୋଚ ପରିତ୍ୟାଗପୂର୍ବକ ପ୍ରଫୁଲ୍ଲଭାବରେ ଭ୍ରାତୃଗଣଙ୍କୁ ସମ୍ବୋଧନ କରିବାକୁ ପ୍ରଲୋଭନ ହେଉଅଛି ।

 

ଉତ୍କଳଭାଷୀମାନେ–ଆମ୍ଭେମାନେ ଯେ ଭାରତୀୟ ଆର୍ଯ୍ୟ (Indo-Aryans) ତହିଁରେ କୌଣସି ସନ୍ଦେହ ନାହିଁ । ପ୍ରାଚୀନ ଗ୍ରନ୍ଥ ଓ ପୁରାଣାଦିରେ ଦେଶର ଓ ଦେଶବାସୀଙ୍କର ଉଲ୍ଲେଖ ଓ ବର୍ଣ୍ଣନ, ପାଶ୍ଚାତ୍ୟ ପଣ୍ଡିତମାନଙ୍କ ନିର୍ଦ୍ଧାରଣରୂପ ନାନାଦି ପୋଷକ ପ୍ରମାଣ ଆପଣମାନଙ୍କୁ ଅବିଦିତ ନାହିଁ । ଭାରତର ଅନ୍ୟାନ୍ୟ ପ୍ରଦେଶମାନଙ୍କରେ ଯେମନ୍ତ ସେହି ପ୍ରକୃତି ସେବକ, ପୁଣ୍ୟଶ୍ଳୋକ ଆର୍ଯ୍ୟ ଜାତିଙ୍କର କ୍ରମିକ ଅଧୋଗତି ହୋଇଥିଲା, ଏ ଦେଶରେ ମଧ୍ୟ ତଦ୍ରୂପ ହୋଇଥିବାର ସ୍ପଷ୍ଟ ପ୍ରତୀତି ହୁଏ । ପବିତ୍ର ଆର୍ଯ୍ୟଭାଷା–ସଂସ୍କୃତ ଭାଷାର ବହୁଳ ପ୍ରଚାର ସମୟରୁ ତହିଁ ପରିବର୍ତ୍ତେ ନାନାବିଧ ଉପଭାଷାମାନଙ୍କର ପ୍ରଚଳନ ପର୍ଯ୍ୟନ୍ତ କାଳର ବିସ୍ତୃତ, ବିଶ୍ୱାସଯୋଗ୍ୟ ଇତିହାସ ଅଦ୍ୟାବଧି ରଚିତ ହୋଇନାହିଁ । ଭାରତରେ ବହୁ ଶତାବ୍ଦୀବ୍ୟାପୀ ଶାସନର କୁରୀତି, ସମାଜର ବିଶୃଙ୍ଖଳତା ଯୋଗେ ଭାଷା ଓ ସାହିତ୍ୟର ଆଦୌ ଆଦର ହୋଇପାରି ନଥିଲା ଓ ସେଥିପାଇଁ କୌଣସି ବିଶେଷ ନିଦର୍ଶନ ମିଳେନାହିଁ । ଆମ୍ଭେମାନେ କେଉଁ ସମୟରେ ସଂସ୍କୃତ ଭାଷା ଓ ସାହିତ୍ୟ ଚର୍ଚ୍ଚାରୁ ବଞ୍ଚିତ ହୋଇ ଓଡ଼ିଆ ଭାଷାରେ ଆଳାପ ଆରମ୍ଭକଲୁ ଓ ମାନବସ୍ୱଭାବସୁଲଭ ସାହିତ୍ୟ ରସତୃଷ୍ଣା ନିବାରଣ କଲୁଁ ତାହା ଯଥାର୍ଥରୂପେ ବୋଲାଯାଇ ନ ପାରେ । ବର୍ତ୍ତମାନ ଇଂରାଜୀ ଶିକ୍ଷିତ ଭ୍ରାତୃବୃନ୍ଦ ଇଂରେଜୀ ସାହିତ୍ୟର ଇତିହାସ ଓ ତହିଁର କ୍ରମିକ ପରିବର୍ତ୍ତନ ଓ ଉନ୍ନତି ବିଷୟ ପାଠକରି ବିବେଚନା କରନ୍ତି ଯେ, ଆମ୍ଭମାନଙ୍କର ସାହିତ୍ୟ ମଧ୍ୟ ତଦନୁରୂପ ହେବାର ଉଚିତ; କିନ୍ତୁ ସେ ବିବେଚନା ଭ୍ରାନ୍ତିମୂଳକ । ଆମ୍ଭେମାନେ ଦେଖୁଁ ଯେ, ଇଂରେଜମାନେ ପ୍ରଥମାବସ୍ଥାରେ ସରଳ ଓ ଅନାୟାସବୋଧ୍ୟ ପ୍ରବନ୍ଧାଦିରେ ତୃପ୍ତି ଲାଭ କରୁଥିଲେ–ଆଦିମ ଅବସ୍ଥାରେ ମାନବ ଯେମନ୍ତ ପ୍ରକୃତିର ସେବକ, ଧର୍ମବିଶ୍ୱାସୀ ଓ ଯୁଦ୍ଧାଦିରେ ଶ୍ରଦ୍ଧାଳୁ ହେବାର ସ୍ୱାଭାବିକ, ତଦନୁରୂପ ସାହିତ୍ୟ ସେମାନଙ୍କର ଚିତ୍ତରଞ୍ଜନ କରୁଥିଲା; କିନ୍ତୁ ଓଡ଼ିଆ ସାହିତ୍ୟିରେ ତହିଁର ବିପର୍ଯ୍ୟୟ ଲକ୍ଷିତ ହୁଏ । ପ୍ରାଚୀନ ସାହିତ୍ୟରୁ ଅନୁବାଦ ଅଂଶ କାଟିଦେଲେ ଅବଶିଷ୍ଟ ଯାହା ରହେ, ସେମାନେ ମାନବଜାତିର ପ୍ରଥମାବସ୍ଥାର ସଦୃଶ ବା ଉପଯୁକ୍ତ ନୁହେଁ ଓ ଉପଯୁକ୍ତ ହୋଇପାରନ୍ତା ନାହିଁ । ଉପଯୁକ୍ତ ନୁହେଁ ବୋଲିବାର ଯଥାର୍ଥ୍ୟ ବିଷୟରେ ମତଦ୍ୱୈଧ ହୋଇପାରେ ନାହିଁ; ଯେହେତୁ ପ୍ରାଚୀନ ସାହିତ୍ୟରେ ଆପଣମାନେ ଏମନ୍ତ ଅତି ଅଳ୍ପ ଗ୍ରନ୍ଥ ପାଠ କରିଥିବେ, ଯହିଁରେ ବାଗାଡ଼ମ୍ୱରକୁ ଉପେକ୍ଷା କରି ସରଳ ହୃଦୟର ସରଳ ଭାବ ସରଳ ଭାଷାରେ ଅବାଧ ଭାବରେ ପ୍ରକାଶ ପାଇଅଛି । ଉପଯୁକ୍ତ ହୋଇପାରନ୍ତା ନାହିଁ ବୋଲି ଯେ ମୁଁ ବୋଲିଲି ତହିଁର କାରଣ ଈଦୃଶ ଲାଗୁଅଛି । ଓଡ଼ିଆ ଭାଷା ନବୀନ ଅପରିପକ୍ୱ ଭାଷା, ଯେଉଁ କାଳରେ ସେହି ଭାଷାରେ ମାନବହୃଦୟର ଅଗଣନ ଭାବରାଜିର ପ୍ରକାଶ ପ୍ରତି ଅତି ସାମାନ୍ୟ ଉଦ୍ୟମ ହୋଇଥିଲା, ସେ କାଳରେ ତାହା ପୃଥିବୀର ଅନ୍ୟାନ୍ୟ ନବୀନ ଭାଷା ସଦୃଶ ଥିଲା; କିନ୍ତୁ ଭାରତକୁ ଛାଡ଼ି ଅନ୍ୟାନ୍ୟ ଦେଶମାନଙ୍କରେ ଯେମନ୍ତ ନବୀନ ଭାଷାରେ ଆଳାପକାରୀ ମନୁଷ୍ୟ ନବୀନ ଜାତି ବିବେଚିତ ହେଉଥିଲେ, ଉତ୍କଳଭାଷୀଙ୍କ ଅବସ୍ଥା ତାଦୃଶ ନଥିଲା । ଉତ୍କଳଭାଷୀଗଣ ଭୂମଣ୍ଡଳରେ ସଭ୍ୟତମ ଓ ଉଚ୍ଚତମ ଜାତି–ଆର୍ଯ୍ୟ ଜାତିଙ୍କର ବଂଶଧର ଥିଲେ–ଉତ୍କଳଭାଷୀଗଣ ଆର୍ଯ୍ୟଭାଷାରୁ ଅପଭ୍ରଷ୍ଟ ଭାଷାରେ ବାକ୍ୟାଳାପ କରୁଥିଲେହେଁ ଦେବଭାଷାରେ ରଚିତ ଅତି ଜଟିଳ, କ୍ଳେଶସାଧ୍ୟ, ବ୍ୟାକରଣସର୍ବସ୍ୱ କାବ୍ୟ, ନାଟକ, ଅଳଙ୍କାର, ଦର୍ଶନଶାସ୍ତ୍ରମାନଙ୍କରେ ଯଥାଶକ୍ତି ପରିଶ୍ରମ କରୁଥିଲେ–ଉତ୍କଳଭାଷୀଗଣ ନବୀନ ଭାଷା ବ୍ୟବହାର କରୁଥିଲେ ସତ୍ୟ, କିନ୍ତୁ ନବୀନ ଜାତି ନଥିଲେ, ଚିନ୍ତାରାଜ୍ୟର ଅତିଥି ନଥିଲେ, ପରନ୍ତୁ ପ୍ରାଚୀନ ଜାତି ଓ ଚିନ୍ତାରାଜ୍ୟର ଅଧିକାରୀ ଓ ସ୍ୱାମୀ ଥିଲେ । ସେହି ହେତୁରୁ ପ୍ରାଚୀନ ଉତ୍କଳ କବିଙ୍କ ହୃଦୟ ଅନ୍ୟାନ୍ୟ ପ୍ରାଚୀନ କବିଙ୍କ ହୃଦୟ ସଦୃଶ ଲଘୁ ଓ ସରଳ ଭାବରେ ଉଲ୍ଲସିତ ନ ହୋଇ ଗୁରୁ ଓ ଜଟିଳ ଭାବରେ ଆକ୍ରାନ୍ତ ଓ ଅନ୍ୟାନ୍ୟ ପ୍ରାଚୀନ ସାହିତ୍ୟଗ୍ରନ୍ଥ ପ୍ରାୟ ସରଳ ସୁବୋଧ୍ୟ ଭାଷାରେ ସର୍ବସାଧାରଣଙ୍କର ମନୋରଞ୍ଜନ ନ କରି ଜଟିଳ ଦୁର୍ବୋଧ୍ୟ ଭାଷାରେ ପଣ୍ଡିତ ଓ ସାହିତ୍ୟାନୁରାଗିଗଣଙ୍କର ଚିତ୍ତ ମୁଗ୍‍ଧକରେ । ମୁଁ ଯାହା କହିଲି ତହିଁରୁ ଏମନ୍ତ ବିବେଚନା ହେବନାହିଁ ଯେ, ପ୍ରାଚୀନ ଉତ୍କଳସାହିତ୍ୟରେ ସରଳ ଅଥଚ ଉଚ୍ଚଶ୍ରେଣୀର କବିତା ଆଦୌ ନାହିଁ । ବରଂ ମୁଁ ବୋଲେ କୋଇଲି ଓ ଗୋପୀଭାଷା ତୁଲ୍ୟ କବିତା ଆପଣମାନେ ଅନ୍ୟାନ୍ୟ ଭାଷାରେ ସୁଦ୍ଧା ଅତି ଅଳ୍ପ ପାଠ କରିଥିବେ ।

 

ପ୍ରାଚୀନ ସାହିତ୍ୟ ସମ୍ୱନ୍ଧରେ ବିଶେଷ କହିବା ଉଚିତ ନୁହେଁ–ଉଚିତ ନୁହେଁ ଦିଓଟି କାରଣଯୋଗେ । ପ୍ରଥମତଃ ବକ୍ତୃତାର ବିଷୟ ଯେମନ୍ତ ପ୍ରକାଶିତ ହୋଇଅଛି, ତହିଁରେ ସେ କଥା ଅପ୍ରାସଙ୍ଗିକ ହୋଇପାରେ; ଦ୍ୱିତୀୟତଃ ତତ୍‍ସମ୍ୱନ୍ଧରେ ମୋହର ଜ୍ଞାନ ବିଶେଷ ଊଣା ।

 

ସାହିତ୍ୟର ବର୍ତ୍ତମାନ ଅବସ୍ଥା ଆଲୋଚନା କଲାବେଳେ ଅନେକ ଲୋକେ କହି କହି କ୍ଳାନ୍ତ ହୋଇ ନାହାନ୍ତି ଯେ, ସେମାନଙ୍କର ହୃଦୟ ଅବସାଦସାଗରରେ ନିମଗ୍ନ ହେଲାଣି । କେହି ଗ୍ରନ୍ଥଲିଖନ ପ୍ରତି ମନୋଯୋଗୀ ହେଉନାହାନ୍ତି, ଡିଗ୍ରୀଧାରୀମାନେ Henry Wood ଓ Marie Couli ପାଠକରି ସ୍ୱର୍ଗସୁଖାନୁଭବ କରୁଅଛନ୍ତି । ଏମନ୍ତ ବିଳାପଧ୍ୱନିରେ ଆପଣମାନଙ୍କ କର୍ଣ୍ଣ ଅବଶ୍ୟ ଉପଦ୍ରୁତ ହେଉଥିବ । ସମସ୍ତେ ଅବଶ୍ୟ ସ୍ୱୀକାର କରିବେ ଯେ, ସାହିତ୍ୟ ଲେଖକଙ୍କ ସଂଖ୍ୟା ବୃଦ୍ଧି ହେବା ସ୍ପୃହଣୀୟ; କିନ୍ତୁ ଯାଦୃଶ ବିଳାପଧ୍ୱନି ଶ୍ରୁତିଗୋଚର ହେଉଅଛି, ତାହା ଅଯଥା ଅନୁଚିତ ଅଟେ । ଆପଣମାନଙ୍କ ସମ୍ମୁଖରେ ଆଜି ଉତ୍କଳର ପ୍ରାୟ ସମସ୍ତ ଭଦ୍ରବ୍ୟକ୍ତି ଉପସ୍ଥିତ; କିନ୍ତୁ କହିପାରିବେ କି ଉଚ୍ଚଶିକ୍ଷାପ୍ରାପ୍ତ–କେବଳ ଡିଗ୍ରିଧାରୀ ନ ହେଉନ୍ତୁ–ବ୍ୟକ୍ତି ଶତାଧିକ ହେବେ ? ମୁଁ ବୋଲେ ଉଚ୍ଚଶିକ୍ଷାପ୍ରାପ୍ତ ବ୍ୟକ୍ତି କଦାପି ଶତାଧିକ ହେବେନାହିଁ । ଯେଉଁ ସମାଜରେ ଶିକ୍ଷିତଙ୍କ ସଂଖ୍ୟା ଶତ ସଂଖ୍ୟାରୁ ନ୍ୟୂନ, ସେ ସମାଜରେ ଯଦି ଆପଣ ଆଠ ଦଶ ଜଣ ବା ତତୋଽଧିକ ପ୍ରକୃତ ଲେଖକପଦବାଚ୍ୟ ବ୍ୟକ୍ତି ଥିବାର ଆଶା କରନ୍ତି, ତାହାହେଲେ ସେ ଆଶା ନ୍ୟାଯ୍ୟ ନୁହେଁ । ସେ ଆଶା ମାନବସ୍ୱଭାବର ବିରୁଦ୍ଧ । ବଙ୍ଗଦେଶ ଏ ଦେଶଠାରୁ ସଭ୍ୟତର; ସେ ଦେଶରେ ଉଚ୍ଚଶିକ୍ଷାପ୍ରାପ୍ତ ବ୍ୟକ୍ତିଙ୍କ ସଂଖ୍ୟା ଯଥେଷ୍ଟ; କିନ୍ତୁ ପ୍ରକୃତ ଲେଖକଙ୍କ ସଂଖ୍ୟା କି ତଦନୁପାତରେ ଯଥେଷ୍ଟ ହେବ ? କଦାପି ନୁହେଁ । ସକଳ ଦେଶରେ ଓ ସକଳ କାଳରେ ଦେଖାଯାଏ ଯେ, ବହୁ ବ୍ୟକ୍ତି ଧନାଧିପତି ହେଲେ ତାଙ୍କ ମଧ୍ୟରୁ ଅତି ଅଳ୍ପ ଲୋକେ ଦାନଶୀଳ ହୁଅନ୍ତି ଓ ବହୁସଂଖ୍ୟକ ବ୍ୟକ୍ତି ବିଦ୍ୱାନ୍‍ ଓ ପଣ୍ଡିତ ହେଲେ, ତାଙ୍କ ମଧ୍ୟରୁ ଅତି ଅଳ୍ପ ଲେଖକ ବା କବି ହୁଅନ୍ତି । ସେହିରୂପ ବିଚାର କଲେ, ଉତ୍କଳରେ ବିଦ୍ୱାନ୍‍ ବ୍ୟକ୍ତି ଅତି ଅଳ୍ପ ଓ ସେହି ହେତୁ ଲେଖକ ବ୍ୟକ୍ତି ଅଳ୍ପତର ହେବା ସ୍ୱଭାବସିଦ୍ଧ ଓ ଅନ୍ୟଥା ହେବା ଅସ୍ୱାଭାବିକ–ଅସମ୍ଭବ । ପ୍ରକୃତପକ୍ଷେ ବିଦ୍ୱାନ ଓ ବିଦ୍ୟାନୁରାଗୀ ବ୍ୟକ୍ତି–ଯାହାଙ୍କୁ ଉତ୍କଳରେ ବର୍ତ୍ତମାନ ସମୟରେ ନୁହେଁ, ପରନ୍ତୁ ଭାରତରେ ଓ ଦେଶାନ୍ତରରେ ଏବଂ ସକଳ ଯୁଗରେ–ବିଦ୍ୱାନ ଓ ବିଦ୍ୟାନୁରାଗୀ ବୋଲାଯିବ–ଏମନ୍ତ ବ୍ୟକ୍ତି କେତେ ଜଣ ହେବେ ? ଜଣେ ମାତ୍ର, ଦ୍ୱିତୀୟ ନାହାନ୍ତି ଏବଂ ସେ ଜଣକ ଶ୍ୱାପଦସଙ୍କୁଳ ତଥା ତତ୍ତୁଲ୍ୟ ହିଂସ୍ରସ୍ୱଭାବ, ଅସଭ୍ୟ, ବର୍ବର ବାସସ୍ଥାନ ଘନ ଅରଣ୍ୟାନୀ ମଧ୍ୟସ୍ଥ ଜନପଦରେ ଜରାଜୀର୍ଣ୍ଣ ଓ ତହୁଁ ବଳି ଋଣଜୀର୍ଣ୍ଣ ଅବସ୍ଥାରେ ସିଦ୍ଧାନ୍ତଦର୍ପଣ ରଚନାନ୍ତେ ବର୍ତ୍ତମାନ ମଧ୍ୟ ନିଶୀଥ କାଳରେ ନାକ୍ଷତ୍ରିକ ଗତି ଅନୁଧାବନ କରୁଅଛନ୍ତି ।

 

ଆପଣମାନେ ସମସ୍ତେ ଆଧୁନିକ ସାହିତ୍ୟ ପାଠ କରୁଥିବେ ଏବଂ କେତେକ ମଧ୍ୟପ୍ରାଚୀନ ସାହିତ୍ୟ ପାଠ କରିଥିବେ । ଯେଉଁମାନେ ଉଭୟ ସାହିତ୍ୟ ପାଠ କରିଅଛନ୍ତି, ସେମାନେ ଅବଶ୍ୟ ଲକ୍ଷ୍ୟ କରିଥିବେ ଯେ, ଦିଓଟି ମଧ୍ୟରେ ପ୍ରଭେଦ ସାମାନ୍ୟ ନୁହେଁ । ପ୍ରାଚୀନ ସାହିତ୍ୟର ଅନୁବାଦ ଅଂଶ କାଟିଦେଲେ ଅବଶିଷ୍ଟ ଅଂଶକୁ ଦିଓଟି ଭାଗରେ ବିଭକ୍ତ କରାଯାଇପାରେ–୧ମ–ଧର୍ମଭାବ ପ୍ରଧାନ, ୨ୟ–ଆଦିରସ ପ୍ରଧାନ । ଯେଉଁ କବି ଏକ ଭାବକୁ ଅବଲମ୍ୱନ କରିଅଛନ୍ତି ସେ ଭାବାନ୍ତରକୁ ସମ୍ପୂର୍ଣ୍ଣରୂପେ ଅବହେଳା କରିଅଛନ୍ତି; କିନ୍ତୁ ସମସ୍ତ କାବ୍ୟମାନଙ୍କର ଛଟା ସଂସ୍କୃତ କାବ୍ୟର ଅନୁଗାମିନୀ । ବର୍ତ୍ତମାନ ସାହିତ୍ୟର ଛଟା ପ୍ରାଚୀନ ସାହିତ୍ୟର ପ୍ରାୟ ନୁହେଁ । ଲେଖକମାନେ ଏକ ଭାବକୁ ଆଶ୍ରୟ କରି ପ୍ରବନ୍ଧ ରଚନା କରନ୍ତିନାହିଁ । ଯେମନ୍ତ ଜଣେ ଲେଖକ ଆଦିରସରେ ସ୍ନିଗ୍‍ଧ ହୋଇ ପରେ ଧର୍ମଭାବରେ ପ୍ରାଣ ପବିତ୍ର କରୁଅଛନ୍ତି, ତେମନ୍ତ ଅନ୍ୟ ଜଣେ ଧର୍ମଭାବରେ ପବିତ୍ରିତ ହୋଇ ସୁଦ୍ଧା ଆଦିରସର ମୋହନ ମନ୍ତ୍ରର ବଶବର୍ତ୍ତୀ ହେଉଅଛନ୍ତି । ବର୍ତ୍ତମାନ ସାହିତ୍ୟର ରୀତି ଇଂରେଜୀ ସାହିତ୍ୟ ରୀତିର ଅନୁସାରିଣୀ ହେଉଅଛି, ଏଥିରେ ସନ୍ଦେହ ନାହିଁ । ଏମନ୍ତ ପାର୍ଥକ୍ୟ ହେବା ସ୍ୱାଭାବିକ; କାରଣ ପୂର୍ବକାଳର ଲୋକେ ସଂସ୍କୃତ କାବ୍ୟର ଅନୁଶୀଳନ ସନ୍ତତ କରୁଥିଲେ ଓ ସେହିହେତୁରୁ ତହିଁର ଅନୁକରଣ କରିବା ପ୍ରାଚୀନ କବିଗଣଙ୍କ ପକ୍ଷରେ ସ୍ୱାଭାବିକ ଥିଲା ଏବଂ ବର୍ତ୍ତମାନ ଆମ୍ଭେମାନେ ଜୀବନର ଅଧିକାଂଶ ଇଂରେଜୀ ସାହିତ୍ୟ ପାଠରେ ବ୍ୟୟ କରୁଁ ଓ ଅତଏବ ତାହା ଅନୁକରଣ ନ କରିବା ଆମ୍ଭମାନଙ୍କ ପକ୍ଷରେ ଅସ୍ୱାଭାବିକ ବୋଲି ବୋଲାଯାଇପାରେ; କିନ୍ତୁ ଆଉ ଗୋଟିଏ କଥା ଅଛି । ସେ ସମ୍ୱନ୍ଧରେ ପାର୍ଥକ୍ୟ ଗୁରୁତର । ତାହା ଭାଷାବିଷୟକ । ଇଦାନୀନ୍ତନ ପ୍ରବନ୍ଧାଦି ପାଠକଲେ ସ୍ପଷ୍ଟ ଅନୁଭବ ହୁଏ ଯେ, ତହିଁର ଭାଷା କେମନ୍ତ ମିଶ୍ରିତ, ଅବିଶୁଦ୍ଧ ଭାଷା–ସ୍ୱତନ୍ତ୍ର ଓଡ଼ିଆଭାଷା ଯେମନ୍ତ ଭଞ୍ଜାଦି କବିଗଣଙ୍କ ଗ୍ରନ୍ଥମାନଙ୍କରେ ଚିତ୍ତ ଆକର୍ଷଣ କରେ ତେମନ୍ତ ନୁହେଁ । ଭାଷାର ଏପ୍ରକାର ଦୂରବସ୍ଥାର ଦିଓଟି କାରଣ ଦୃଶ୍ୟ ହେଉଅଛି । ପ୍ରଥମତଃ, ଅଧିକତର ଉନ୍ନତ ଭାଷା ସହିତ ସଂଘର୍ଷଣ । ବଙ୍ଗୀୟ ଭ୍ରାତାମାନଙ୍କ ଭାଷା ଯେମନ୍ତ ମାର୍ଜିତ ହେଉଅଛି, ତହିଁରେ ଯେମନ୍ତ ନାନାଦି ହୃଦୟଗ୍ରାହୀ ଗ୍ରନ୍ଥମାନ ରଚିତ ହେଉଅଛି ଓ ସେ ଭାଷା ସହିତ ଓଡ଼ିଆ ଭାଷାର ଯେମନ୍ତ ସୌସାଦୃଶ୍ୟ ଅଛି, ସେଥିରେ ତାହା ଅନୁକରଣ ନ କରିବା ଆମ୍ଭମାନଙ୍କ ପକ୍ଷରେ ଅତୀବ କଠିନ ବ୍ୟାପାର । ଇଂରେଜୀ ଭାଷା ଶିକ୍ଷା ଓ ସେ ଭାଷାରେ ଉତ୍ତମରୂପେ ବାକ୍ୟାଳାପକୁ ଆମ୍ଭେମାନେ ଜୀବନର ମହତ୍ତମ ଉଦ୍ଦେଶ୍ୟ ବିବେଚନା କରୁଁ ଓ ତହିଁକି ବନ୍ଧୁମାନେ ଆମ୍ଭମାନଙ୍କୁ ପ୍ରଶଂସା କରନ୍ତି । ସେହିହେତୁ ଇଂରାଜୀ ରୀତିରେ ଓଡ଼ିଆ ଭାଷାରେ କହି ବା ଲେଖି ପାରିଲେ ଚିତ୍ତ ପ୍ରସନ୍ନ ହୁଏ ଓ ବନ୍ଧୁ ଗଣଙ୍କଠାରୁ ସୁଖ୍ୟାତି ଲାଭ ହୁଏ । ଏମନ୍ତ ପ୍ରଲୋଭନର ବଶ ନ ହୋଇବା ଅତୀବ କଠିନ ବ୍ୟାପାର ବୋଲାଯିବ । ଭାଷାର ଦୂରବସ୍ଥାର ଏହି ଯେ କାରଣ ମୁଁ ନିର୍ଦ୍ଦେଶ କଲି, ତାହା ଦୂର କରାଯାଇପାରେ ନାହିଁ, ଯାବତୀୟ ଭାଷା ଓ ସାହିତ୍ୟର ଇତିହାସ ଏଥିର ସାକ୍ଷୀ । ତାହା କାଳ ଓ ଅବସ୍ଥାର ଅପରିହାର୍ଯ୍ୟ, ଅନିବାର୍ଯ୍ୟ ଫଳ । କାଳ ଓ ଅବସ୍ଥାର ବଳକୁ ଅତିକ୍ରମ କରିବାର ବଳ ମହାପୁରୁଷଙ୍କ ବ୍ୟତୀତ ଇତର ଜନଠାରେ ନଥାଏ ।

 

ଭାଷାର ଅବିଶୁଦ୍ଧତାର ଆଉ ଗୋଟିଏ କାରଣ ଅଛି । ଅବିମିଶ୍ର, ବିଶୁଦ୍ଧ ଉତ୍କଳ ଭାଷାରେ ରଚିତ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ଅତ୍ୟଳ୍ପ ପ୍ରଚାର ଓ ପାଠର ଅଭାବ । ଶିକ୍ଷିତ ଯୁବକମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଚୀନ ସାହିତ୍ୟ ବିଷୟରେ ଅନଭିଜ୍ଞ; ଏତିକି ମାତ୍ର ଜାଣନ୍ତି ଯେ ଉପେନ୍ଦ୍ର ଭଞ୍ଜ ବା ଅଭିମନ୍ୟୁ ସାମନ୍ତସିଂହାର ବୋଲି ଜଣେ କବି ଥିଲେ । ଏମନ୍ତ ଅବସ୍ଥାରେ ଭାଷାର ବିଶୁଦ୍ଧତା କିରୂପେ ରକ୍ଷାହେବ ? ଆପଣମାନେ ଉତ୍କୃଷ୍ଟ ରୀତିରେ ବିଶୁଦ୍ଧ ଇଂରାଜୀ ଲେଖିବା ଓ କହିବା କିରୂପେ କି ଉପାୟରେ ଶିକ୍ଷାକରନ୍ତି ? ଏକମାତ୍ର ଉପାୟ, ଯେଉଁ ଉପାୟ ସମସ୍ତେ ଅବଲମ୍ୱନ କରନ୍ତି–ତାହା ଉତ୍କୃଷ୍ଟ ଲେଖକଙ୍କର ପ୍ରବନ୍ଧ ପାଠ । ଓଡ଼ିଆ ଭାଷା ଯଦି ବିଶୁଦ୍ଧଭାବରେ ଲେଖିବାର ଇଚ୍ଛା ଥାଏ, ତାହାହେଲେ ଅବଶ୍ୟ ଆପଣମାନେ ବିଶୁଦ୍ଧ ଭାଷାରେ ରଚିତ ପ୍ରାଚୀନ ଗ୍ରନ୍ଥମାନ ପାଠ କରିବେ, ତଦ୍ଭନ୍ନ ଉପାୟ ନାହିଁ । ଆପଣା ଭାଷାର ଦୃଢ଼ଭିତ୍ତି ସ୍ଥାପନ କରନ୍ତୁ–ତଦନନ୍ତର ଅନ୍ୟ ଭାଷା, ଅଧିକତର ଉନ୍ନତ ଓ ମାର୍ଜିତ ଭାଷାରୁ ଶବ୍ଦ ଓ ରୀତି ଅବଲମ୍ୱନ କରନ୍ତୁ, ତହିଁରେ ଲାଭ ଅଛି ହାନି ନାହିଁ–ଭାଷାର ଅଙ୍ଗକୈବଲ୍ୟ ଘଟିବନାହିଁ, ବରଂ ପୁଷ୍ଟି ସାଧନ ହେବାର ସୁନିଶ୍ଚିତ ।

 

ପ୍ରାଚୀନ ସାହିତ୍ୟ ପ୍ରତି ଆଧୁନିକ ଶିକ୍ଷିତ ବ୍ୟକ୍ତିଙ୍କର ଔଦାସୀନ୍ୟ ସମ୍ୱନ୍ଧରେ ସେମାନେ ଏକା ସମ୍ପୂର୍ଣ୍ଣରୂପେ ଦୋଷଭାକ୍‍ ନୁହନ୍ତି । ଭଞ୍ଜାଦି କବିଗଣଙ୍କର ରଚନା ଓ ଭାଷା ଏମନ୍ତ କଠିନ ଓ ଦୁର୍ବୋଧ୍ୟ ଯେ ପାଠ କରିବା ସଙ୍ଗେ ସଙ୍ଗେ ଅର୍ଥବୋଧ କରିବା ଏକପ୍ରକାର ଅସମ୍ଭବ ବୋଲି ବୋଲିଲେ ଅତ୍ୟୁକ୍ତି ହେବନାହିଁ । ଅଭିଧାନ କଣ୍ଠସ୍ଥ କରି, ଅଳଙ୍କାର ଶାସ୍ତ୍ର ଆଲୋଚନା କରି ଯେଉଁ ପାଠକ ପ୍ରତ୍ୟେକ ପଦ ପାଠାନ୍ତେ ଦଣ୍ଡେ ଚିନ୍ତା କରିବେ ତାଙ୍କରି ପକ୍ଷରେ ଏକା ଉକ୍ତ ଶ୍ରେଣୀର ରଚନା ବୋଧଗମ୍ୟ । ଡିଗ୍ରୀଧାରୀମାନଙ୍କର ଅଭିମାନ କଣ୍ଠସ୍ଥ ନଥାଏ କି ଅଳଙ୍କାରଶାସ୍ତ୍ର ସହିତ ବିଶେଷ ପରିଚୟ ନଥାଏ । ଅତଏବ ପ୍ରାଚୀନ ସାହିତ୍ୟ ସେମାନଙ୍କର ଚିତ୍ତ ଆକର୍ଷଣ କରିପାରେ ନାହିଁ । ଏ ଅବଶ୍ୟ ଆମ୍ଭମାନଙ୍କର ଦୋଷ, କାରଣ ଶବ୍ଦଜ୍ଞାନ ବା ଅଭିଧାନରେ ଯେଉଁ ପରିଶ୍ରମ କରାଯାଏ, ତାହା ସମୟ ଓ ଶକ୍ତିର ଅପଚୟ ବୋଲି ବୋଲାଯାଇ ନପାରେ । ଅଳଙ୍କାର ଶାସ୍ତ୍ର ମଧ୍ୟ ଗୋଟିଏ ପ୍ରାଧାନ ପାଠ୍ୟ ବିଷୟ; କିନ୍ତୁ ପ୍ରାଚୀନ ଗ୍ରନ୍ଥ ପାଠରେ କି ଲାଭ ହୁଏ ? ଲାଭ ଯାହା, ତାହା ପରିଶ୍ରମର ତୁଳନାରେ ଅତି ସାମାନ୍ୟ ବୋଲି ବୋଧ ହୁଏ । ତହିଁରେ ଯେ କୌଣସି ନୂତନ ତତ୍ତ୍ୱ ନିହିତ ଅଛି, ତାହା ନୁହେଁ, କିମ୍ୱା ମାନବଜୀବନର ଅବସ୍ଥାବୈଚିତ୍ର୍ୟ ବର୍ଣ୍ଣିତ ଅଛି, ତାହା ନୁହେଁ–କେବଳ ନାୟକ ନାୟିକାର ରୂପ, ମିଳନ, ବିରହ ଓ ଋତୁ ଓ ପୁନର୍ମିଳନ ଚମତ୍କାର ବିସ୍ମୟକର ଭାଷାରେ ଶବ୍ଦାଡ଼ମ୍ୱର ସହିତ ଚିତ୍ରଣ । କେବଳ ଏଥିପାଇଁ ଯେ ଲୋକେ ଏତେ ପରିଶ୍ରମ କରିବା ପାଇଁ ଅସମ୍ମତ ହେବେ ତାହା ଦୂଷଣୀୟ ନୁହେଁ, କିନ୍ତୁ ଯେଉଁମାନେ ଭାଷାର ବିଶୁଦ୍ଧତା ରକ୍ଷାକରିବାକୁ ବାଞ୍ଛାକରନ୍ତି, ଯେଉଁମାନେ ତହିଁ ସମ୍ୱନ୍ଧରେ ଚିତ୍କାର କରନ୍ତି, ଯେଉଁମାନେ ଦେଶରେ ଲେଖକତାର ଚିରସ୍ଥାୟୀ ସୁଖ୍ୟାତିକୁ ଲୋଭକରନ୍ତି ଏବଂ ସାଧାରଣଙ୍କର ଶିକ୍ଷକ ସ୍ଥାନୀୟ ହେବାକୁ ଆକାଙ୍‍କ୍ଷା କରନ୍ତି, ସେମାନେ ଅବଶ୍ୟ ପ୍ରାଚୀନ ଗ୍ରନ୍ଥମାନ ଉତ୍ତମରୂପେ ଆଲୋଚନା କରିବାକୁ ବାଧ୍ୟ, ତତ୍‍ସମ୍ୱନ୍ଧରେ ସକଳ ପରିଶ୍ରମ ତୁଚ୍ଛ ମଣିବାକୁ ବାଧ୍ୟ ଓ ଲେଖକ ବା ଶିକ୍ଷକ ହେବା ପୂର୍ବେ ଛାତ୍ରତ୍ୱ ସ୍ୱୀକାର କରିବାକୁ ବାଧ୍ୟ–ନୋହିଲେ ସେମାନେ ଦୋଷୀ, ଭାଷାର ମୂଳଚ୍ଛେଦନକାରୀ ଓ ଦେଶର ଶତ୍ରୁ ।

 

ଇଦାନୀନ୍ତନ ଉତ୍କଳସାହିତ୍ୟର ପ୍ରାରମ୍ଭ ଏ ଦେଶରେ ଇଂରେଜୀ ଶିକ୍ଷାବିସ୍ତାର ସମୟରୁ ହୋଇଅଛି । ଯେଉଁମାନେ ଉକ୍ତ ଶିକ୍ଷା ଲାଭକରି ସ୍ୱଦେଶର ସାହିତ୍ୟ ପ୍ରତି ଦୃଷ୍ଟି ନିକ୍ଷେପ କରିଥିଲେ ଓ ତହିଁର ଦୁର୍ଦ୍ଦଶା ମୋଚନାର୍ଥ ଉଦ୍ୟମଶୀଳ ହୋଇଥିଲେ, ସେମାନେ ଅବଶ୍ୟ ଧନ୍ୟବାଦାର୍ହ । କେତେକ ସୁଯୋଗ୍ୟ ବ୍ୟକ୍ତି ପ୍ରାଚୀନ କାବ୍ୟମାନ କୀଟଦଷ୍ଟ ତାଳପତ୍ର ପୋଥିରୁ ଉଦ୍ଧାର କରି ମୁଦ୍ରାଯନ୍ତ୍ରରେ ମୁଦ୍ରିତ କରିଅଛନ୍ତି ଓ ତଦ୍ଦ୍ୱାରା ପରମୋପକାର ସାଧିତ ହୋଇଅଛି । ସେମାନେ ଆଶା କରିଥିଲେ ଯେ, ଆଧୁନିକ ଶିକ୍ଷିତ ବ୍ୟକ୍ତିଗଣ ତାହା ପାଠକଲେ ସେମାନଙ୍କ ଶ୍ରମ ସଫଳ ହେବ; କିନ୍ତୁ ସେ ଆଶା ବ୍ୟର୍ଥତାକୁ ପାଇଅଛି । ଅନ୍ୟ କେତେକ ଶିକ୍ଷିତବ୍ୟକ୍ତି ଉତ୍କଳସାହିତ୍ୟର ଏକ ନୂତନ ପନ୍ଥା ଆବିଷ୍କାର କରି ତହିଁରେ ଅଗ୍ରସର ହେଲେ । ସେହିମାନଙ୍କୁ ଏହା ବର୍ତ୍ତମାନ ସାହିତ୍ୟର ନିର୍ମାତା ବୋଲିବାକୁ ହେବ । ଉତ୍କଳରେ ପ୍ରକୃତିର ବିଚିତ୍ର ରୁଦ୍ରସୁନ୍ଦର ଦୃଶ୍ୟମାନ ସେମାନଙ୍କ ହୃଦୟକୁ, କବି ହୃଦୟକୁ ବିହ୍ୱଳ କରିଦେଲା ଓ ହ୍ରଦ, ନଦୀ ଇତ୍ୟାଦିର ମନୋହାରିଣୀ ଶୋଭାକୁ ଆମ୍ଭେମାନେ କବିଙ୍କ କୃପାରୁ ନିଜଗୃହରେ ବସି ଅନୁଭବ କରିବାକୁ କ୍ଷମ ହେଲୁଁ । ବର୍ତ୍ତମାନ ଯେଉଁମାନେ ପ୍ରକୃତ କବିପଦବାଚ୍ୟ ହୋଇଅଛନ୍ତି, ସେ ଦୁଇ ଜଣ ପ୍ରକୃତ ଚିନ୍ତାଶୀଳ ଓ ଭାବୁକ ବ୍ୟକ୍ତି । ପର ଚକ୍ଷୁଦ୍ୱାରା ସେମାନେ ଦେଖନ୍ତି ନାହିଁ, ଯାହା ନିଜଗୁଣରେ ସେମାନଙ୍କ ହୃଦୟକୁ ବିଚଳିତ କରିଅଛି, ଯାହା ଲୋକଶିକ୍ଷାର୍ଥ ସେମାନେ ଉଚିତ ବିବେଚନା କରିଅଛନ୍ତି, କେବଳ ତାହା ସେମାନେ ଉପଯୁକ୍ତ ଭାଷାରେ ଓ ସ୍ଥଳବିଶେଷରେ କଠିନ ଭାଷାରେ ବର୍ଣ୍ଣନା କରିଅଛନ୍ତି । ଏ ଦୁଇ ଜଣଙ୍କର ପ୍ରବନ୍ଧମାନ ଯେ ଆମ୍ଭେମାନେ ଓ ଆମ୍ଭମାନଙ୍କର ଅଧସ୍ତନ ପୁରୁଷମାନେ ବହୁକାଳ ପାଠ କରିବୁ ଓ ପାଠକରି ନିଜ ଭାଷାପ୍ରତି ଆସ୍ଥାବାନ୍‍ ହେବୁ ତହିଁରେ କୌଣସି ସନ୍ଦେହ ନାହିଁ । ଉତ୍କଳ ଭାଷାରେ ଅଶ୍ରୁତପୂର୍ବ ଛନ୍ଦ–ଅମିତ୍ରାକ୍ଷର ଛନ୍ଦରେ ଲିଖିତ, ମହାଭାରତର ଶେଷଭାଗକୁ ଆଶ୍ରୟ କରି ବର୍ତ୍ତମାନ ଯୁଗର ଆଲୋଚନା ନିମିତ୍ତ ଅଭିପ୍ରେତ ଓ ଭାଷାର ଗୁରୁଗାମ୍ଭୀର ସ୍ୱରଲହରୀର ମୋହିନୀ କ୍ଷମତା ପ୍ରଦର୍ଶନାର୍ଥ ରଚିତ ମହାଯାତ୍ରା କାବ୍ୟ ଆମ୍ଭେମାନେ ବର୍ତ୍ତମାନ ଆବୃତ୍ତି ଓ ପୁନରାବୃତ୍ତି କରୁଅଛୁ ଓ ଭବିଷ୍ୟତରେ ମଧ୍ୟ କରୁଥିବୁ । ‘‘ଜୀବନ ଚିନ୍ତା’’ ଓ ‘‘ଋଷିପ୍ରାଣେ ଦେବାବତରଣ’’ କବିତା ଦ୍ୱୟ ଭାଷାର ଲାଳିତ୍ୟ, ଭାବର ଗୌରବ ଓ ମହିମା ତଥ୍ୟ ହୃଦୟଗ୍ରାହିତାରେ ଅତୁଳନୀୟ ବୋଲି ମତେ ଲାଗେ । ଆପଣମାନେ ବହୁସଂଖ୍ୟକ ଇଂରେଜୀ କବିତା ପାଠ କରିଥିବେ, ଏ କବିତାଦ୍ୱୟ ପାଠକଲେ କଦାପି ବୋଧ ହେବନାହିଁ ଯେ ଆପଣମାନେ ନୀଚ ଶ୍ରେଣୀର ସାହିତ୍ୟ ପାଠ କରୁଅଛନ୍ତି ।

 

ଏ ତ ଗଲା କବିତା ସମ୍ୱନ୍ଧରେ । ଭାରତର ଅନ୍ୟାନ୍ୟ ଦେଶପ୍ରାୟ ଆମ୍ଭମାନଙ୍କ ଦେଶର ପ୍ରାଚୀନ ସାହିତ୍ୟରେ ଗଦ୍ୟ ରଚନା ଆଦୌ ନଥିଲା । ବର୍ତ୍ତମାନ ଯୁଗରେ ଇଂରେଜୀନାଟକ ବା ଉପନ୍ୟାସ ଯେମନ୍ତ ଶିକ୍ଷିତ ବ୍ୟକ୍ତିଙ୍କ ହୃଦୟରେ ଅଧିକାର ସ୍ଥାପନ କରିଅଛି, ତେମନ୍ତ ଆଉ କୌଣସି ବିଷୟ କରିନାହିଁ । ସେହି କ୍ଷମତାର ବଶବର୍ତ୍ତୀ ହୋଇ ଜଣେ ଶିକ୍ଷିତ ବ୍ୟକ୍ତି ଉତ୍କଳଭାଷାରେ କେତେଖଣ୍ଡ ନାଟକ ଓ ଉପନ୍ୟାସ ରଚନା କରିଅଛନ୍ତି । ବିଳାସିନୀ ଓ କାଞ୍ଚିକାବେରୀର ରଚୟିତାଙ୍କର ସ୍ଥାନ ଉତ୍କଳସାହିତ୍ୟରେ ସ୍ୱତନ୍ତ୍ର, ଯେହେତୁ ସେ ବିଭାଗରେ ସେ ପ୍ରଥମ ଉଦ୍ୟୋଗୀ ନୋହିଲେହେଁ ପ୍ରଥମ କୃତୀ ଉଦ୍ୟୋଗୀ । ଉପନ୍ୟାସ ସମ୍ୱନ୍ଧରେ ବାକ୍ୟୋଚ୍ଚାରଣ କଲାବେଳେ ଏକା ଛମାଣଆଠଗୁଣ୍ଠ ବିଷୟ କେହି ବିସ୍ମୃତ ହୋଇପାରିବେ ନାହିଁ । ଯଦି ସାହିତ୍ୟ ଗ୍ରନ୍ଥର ପାଠକସଂଖ୍ୟା ଅନୁସାରେ ତହିଁର ଉତ୍କର୍ଷ ବିବେଚିତ ହୁଏ, ତାହାହେଲେ ଛମାଣଆଠଗୁଣ୍ଠ ଅବଶ୍ୟ ଖଣ୍ଡିଏ ଉତ୍କୃଷ୍ଟ ଗ୍ରନ୍ଥ ବୋଲିବାକୁ ହେବ । ଏତଦ୍‍ବ୍ୟତିରେକେ ଉତ୍କଳ ସାହିତ୍ୟରେ କେତେ ଗଦ୍ୟ ଗ୍ରନ୍ଥ ଅଛି । ତହିଁ ମଧ୍ୟରୁ କେତେକ ଅନୁବାଦ ଓ ଅବଶିଷ୍ଟ ମୂଳ । ସେ ସମସ୍ତ ପାଠକଲେ ଆପଣମାନେ ଅନୁଭବ କରିପାରିବେ ଯେ, ତହିଁରେ ସାର ଅତି ଅଳ୍ପ, ବିଶେଷତ୍ୱ କିଛି ନାହିଁ, କେବଳ ବାକ୍ୟାଡ଼ମ୍ୱର । ପୂର୍ବରେ ଉକ୍ତ ଗ୍ରନ୍ଥଗୁଡ଼ିକ ଛାଡ଼ିଦେଲେ ବର୍ତ୍ତମାନ ସାହିତ୍ୟରେ ଏମନ୍ତ ଗଦ୍ୟ ଗ୍ରନ୍ଥ କାହିଁ ଯାହା ଶିକ୍ଷିତ ବ୍ୟକ୍ତିଗଣ ପାଠ କରିବେ ଓ ପାଠକରି ସୁଖାନୁଭବ କରିବେ-? ଏ ପ୍ରକାର ଅଭାବର କାରଣ ପ୍ରଧାନତଃ ଚିନ୍ତାର ଅଭାବ, ଅଧ୍ୟୟନର ଅଳ୍ପତା, ଅଯଥା ସୁଖ୍ୟାତି ଓ ଆଦଶର ନୀଚତା । ଅପର ଲେଖକଙ୍କର ଭାବପୂର୍ଣ୍ଣ ଉକ୍ତିମାନ ଘେନି ସେଗୁଡ଼ିକ ନାନାରୂପ ବାକ୍ୟରେ ପ୍ରକାଶ କରି ଦୀର୍ଘ ପ୍ରବନ୍ଧ ପତ୍ରିକାସ୍ଥ କରିଲେ ଗଦ୍ୟଲେଖକ କୃତିତ୍ୱ ପ୍ରାପ୍ତ ହୁଅନ୍ତି, ତାହା ନୁହେଁ । ସେ ବିଷୟରେ ଚିନ୍ତା କରିବାକୁ ହେବ, ତତ୍‍ସଂସୃଷ୍ଟ ଜ୍ଞାତବ୍ୟ ବିଷୟଗୁଡ଼ିକ ଅନୁସନ୍ଧାନଦ୍ୱାରା ସଂଗ୍ରହ କରିବାକୁ ହେବ; ଦୃଷ୍ଟାନ୍ତାଦି ପ୍ରମାଣଦ୍ୱାରା ପ୍ରତିପାଦିତ କରିବାକୁ ହେବ, ତେବେ ଏକା ଲେଖକଙ୍କୁ କୃତୀ ବୋଲାଯିବ । ଥୋକେ ଲୋକ ବୋଲନ୍ତି ଲେଖିବାର ଅଭ୍ୟାସକଲେ ସୁଲେଖକ ହେବାର ଆଶା ହୁଏ, କିନ୍ତୁ ତାହାନୁହେଁ; ଚିନ୍ତା ଅଭ୍ୟାସ କରିବାର ଆବଶ୍ୟକ । ଲେଖୁଁ ଲେଖୁଁ କରଣ ହୋଇପାର; ଲେଖକ ବା କବି ହେବା ସମ୍ଭବ ନୁହେଁ । ଏ ଦେଶରେ ଆଦର୍ଶର ନୀଚତାହିଁ ପ୍ରଧାନ ଦୋଷ । ପାଠକଶ୍ରେଣୀ ଅତି ଅଳ୍ପ ଶିକ୍ଷିତ ଓ ସେମାନଙ୍କୁ ଲେଖକନାମା ବ୍ୟକ୍ତିମାନେ ସହଜରେ ମୋହିତ କରିପାରନ୍ତି ଓ ଆଦର୍ଶ ଲେଖକବୋଲି ପରିଚିତ ହୁଅନ୍ତି । ପାଠକଶ୍ରେଣୀ ଏକା ଏ ସମ୍ୱନ୍ଧରେ ଦୋଷୀ, ଏ ଦେଶର ଶିକ୍ଷିତ ବ୍ୟକ୍ତିଗଣ ଦୋଷୀ । ସେମାନଙ୍କ ସଂଖ୍ୟା ଅତି ଅଳ୍ପ ହେଲେହେଁ ଯଦି ସେମାନେ ସାହିତ୍ୟ ପାଠ କରୁଥାନ୍ତେ, ସମାଲୋଚନା କରୁଥାନ୍ତେ, ତାହାହେଲେ କଦାପି ନିକୃଷ୍ଟ ଶ୍ରେଣୀର ରଚନା ଦେଶରେ ପ୍ରସିଦ୍ଧି ଲାଭ କରିପାରନ୍ତା ନାହିଁ । କିନ୍ତୁ ଦୁଇ ଜଣ ଉତ୍କଳୀୟ ବ୍ରାହ୍ମଣ ଗ୍ରାଜୁୟେଟ ଯେମନ୍ତ ଅଧ୍ୟବସାୟ ଓ ପରିଶ୍ରମ ସହକାରେ ଭାଷା ଓ ସାହିତ୍ୟର ଇତିହାସ ସମ୍ୱନ୍ଧରେ ଗବେଷଣା କରୁଛନ୍ତି, ତାହା ଅତିଶୟ ସୁଖର ବିଷୟ ଓ ଶୁଭ ଲକ୍ଷଣ । ଉଭୟ ବହୁ ପୃଷ୍ଠା ଲେଖି ନାହାନ୍ତି, କିନ୍ତୁ ଯାହା ଲେଖିଅଛନ୍ତି ତାହା ପାଠକରି କିଏ ସ୍ୱୀକାର ନ କରିବ ଯେ, ପ୍ରତ୍ୟେକ ବାକ୍ୟରେ ନ ହେଉ ପ୍ରତ୍ୟେକ ପରିଚ୍ଛେଦରେ ଚିନ୍ତା ଓ ପରିଶ୍ରମର ନିଦର୍ଶନ ଅଛି ? ଏଥିରେ ମୁଁ ବୋଲୁନାହିଁ ଉଭୟଙ୍କର ଉକ୍ତିଗୁଡ଼ିକ ଅଭ୍ରାନ୍ତ ସତ୍ୟ, କିନ୍ତୁ ମୋହର ଉଦ୍ଦେଶ୍ୟ ଏହି ଯେ ଆପଣମାନେ ଦେଖନ୍ତୁ ଯେ ସେହି ଦୁଇଜଣ ଏକା ସାହିତ୍ୟ ସମ୍ୱନ୍ଧରେ ପରିଶ୍ରମ କରୁଅଛନ୍ତି ଓ ପରିଶ୍ରମର ଫଳସ୍ୱରୂପ ପ୍ରବନ୍ଧ ଲେଖୁଅଛନ୍ତି ।

 

ସମ୍ୱାଦପତ୍ର ଓ ମାସିକ ପତ୍ରିକାମାନ ମଧ୍ୟ ସାହିତ୍ୟର ଅନ୍ତର୍ଭୁକ୍ତ । ଆମ୍ଭମାନଙ୍କ ଦେଶରେ ଉତ୍କଳଦୀପିକା ସପ୍ତାହିକ ପତ୍ରିକା ମଧ୍ୟରେ ପ୍ରାଚୀନତମ ଓ ସର୍ବୋକୃଷ୍ଟ । ତହିଁର ସମ୍ପାଦକ ଆମ୍ଭମାନଙ୍କର ଭକ୍ତି ଓ ସମ୍ମାନର ପାତ୍ର ବୋଲି ଅବଶ୍ୟ ବୋଲିବାକୁ ହେବ । ମାସିକପତ୍ରିକା ଅନେକ ଜନ୍ମଗ୍ରହଣ କରି ଅଳ୍ପକାଳରେ ଲୋପ ପାଇଅଛି । ଲୁପ୍ତ ପତ୍ରିକା ମଧ୍ୟରେ ମୟୂରଭଞ୍ଜର ଶ୍ରୀମାନ୍‍ ମହାରାଜ ମହୋଦୟଙ୍କର ଆନୁକୂଲ୍ୟରେ ପ୍ରକାଶିତ ଉତ୍କଳପ୍ରଭା ସର୍ବୋତ୍କୃଷ୍ଟ ଥିଲା ସ ପ୍ରଭୂତ ଉପକାର ସାଧନ କରିଅଛି । ବର୍ତ୍ତମାନ ଏକମାତ୍ର ଜୀବିତ ପତ୍ରିକା ଉତ୍କଳସାହିତ୍ୟ; ତାହା ଯେ ଜୀବିତାବସ୍ଥାରେ ଅଛି ଏହା କେବଳ ସମ୍ପାଦକଙ୍କର ଉଦ୍ୟମ ଓ ଯତ୍ନର ଫଳ, କିନ୍ତୁ ତହିଁର ପାଠକସଂଖ୍ୟା ଯଥେଷ୍ଟ ନୁହେଁ ଓ ଅର୍ଥବଳ ଅତି ସାମାନ୍ୟ ।

 

ଉତ୍କଳ ସାହିତ୍ୟର ବର୍ତ୍ତମାନ ଅବସ୍ଥା ମୁଁ ଯାହା କହିଲି, ତହିଁରୁ ଭବିଷ୍ୟତ୍‍ ଅନୁମାନ କରିବା ପ୍ରତି ମୁଁ ସମର୍ଥ ନୁହେଁ; କିନ୍ତୁ ଜ୍ଞାନୀ ପଣ୍ଡିତଗଣଙ୍କର ଉକ୍ତି ଅଛି ଯେ, ଜଗତର ଅଧିବାସୀ ପ୍ରାଣୀ ସୃଷ୍ଟିର ପ୍ରାରମ୍ଭରୁ ଉନ୍ନତଶୀଳ ଓ କ୍ରମାଗତ ଅଗ୍ରସର ହେଉଅଛି । ଅତଏବ ସାହିତ୍ୟ ସମ୍ୱନ୍ଧରେ ଅନ୍ୟଥା ବୋଲାଯାଇ ନ ପାରେ । ଆମ୍ଭେମାନେ କ୍ରମଶଃ ଉନ୍ନତ ହେଉଅଛୁଁ, ସମାଜରେ ନାବାବିଧ ନୂତନ ଭାବମାନ ପ୍ରବେଶ କରୁଅଛି, ଏମନ୍ତ ସ୍ଥଳେ ସାହିତ୍ୟର ଉନ୍ନତି ହେବାର ଯେ ନିଶ୍ଚିତ ତାହା କିଏ ଅସ୍ୱୀକାର କରିବ ?

 

ଭାତୃବୃନ୍ଦ, ମୁଁ ଏହିଠାରେ ଶେଷ କରିଥାନ୍ତି, କିନ୍ତୁ ସେଦିନ ଭାରତ ଗଭର୍ଣ୍ଣମେଣ୍ଟଙ୍କର ଯେଉଁ ପତ୍ର ପ୍ରକାଶିତ ହୋଇଅଛି, ତହିଁ ସମ୍ୱନ୍ଧରେ ଉପସଂହାର ସ୍ଥଳରେ କିଛି ନ କହି ରହିପାରୁନାହିଁ । ଓଡ଼ିଶା ସହିତ ଗଞ୍ଜାମ ଓ ସମ୍ୱଲପୁର ସମ୍ମିଳିତ ହେଲେ ଅନ୍ୟ କୌଣସିପ୍ରକାର ଉନ୍ନତି ହେଉ କି ନ ହେଉ ଭାଷା ଓ ସାହିତ୍ୟର ଯେ ପ୍ରଭୂତ ଉପକାର ସାଧିତ ହେବ ତହିଁରେ ଅଣୁମାତ୍ର ସନ୍ଦେହ ନାହିଁ । ପାଠକସଂଖ୍ୟା ବୃଦ୍ଧି ହେବ; ପାଠକଶ୍ରେଣୀର ଆସର ବଢ଼ିବ, ଲେଖକଗଣଙ୍କର ଯଶୋଲିପ୍‍ସା ବଳବତୀ ହେବ ଓ ଅର୍ଥଲାଭ ନୋହିଲେହେଁ ମୁଦ୍ରଣ ବ୍ୟୟଭାର ବହନ କରିବାକୁ ହେବନାହିଁ । ବର୍ତ୍ତମାନ ଆପଣମାନେ ସକଳ ବିଭାଗର ପ୍ରତିନିଧି ଉପସ୍ଥିତ ଅଛନ୍ତି; ଥରେ ଦୃଢ଼ପ୍ରତିଜ୍ଞା କରନ୍ତୁ ଯେ, ଦେଶୀୟ ସାହିତ୍ୟ ସମସ୍ତେ ମନୋଯୋଗପୂର୍ବକ କେବଳ ପାଠ କରିବେ । ତାହାହେଲେ ଅବଶ୍ୟ ବାଞ୍ଛିତ ଫଳ ଲାଭହେବ । ଯେଉଁ ଗଭର୍ଣ୍ଣମେଣ୍ଟ ଆମ୍ଭମାନଙ୍କର ସକଳ ପ୍ରକାର ଉନ୍ନତିର ନିଦାନ, ଯେଉଁ ଗଭର୍ଣ୍ଣମେଣ୍ଟ ଆମ୍ଭମାନଙ୍କୁ ବର୍ତ୍ତମାନ ସାହିତ୍ୟଚର୍ଚ୍ଚା ଶିକ୍ଷା ଦେଇଅଛନ୍ତି ଏବଂ ଯେଉଁ ଗଭର୍ଣ୍ଣମେଣ୍ଟ ଉତ୍କଳ ସାହିତ୍ୟର ଉନ୍ନତି ନିମିତ୍ତ ପ୍ରଶସ୍ତ ଉପାୟ ଓ ସୁଯୋଗ ସୃଷ୍ଟିର ପ୍ରସ୍ତାବ କରିଅଛନ୍ତି; ତାଙ୍କୁ ଲକ୍ଷ ଲକ୍ଷ ଧନ୍ୟବାଦ ଦେବା ଉଚିତ, ତାଙ୍କଠାରେ କୃତଜ୍ଞତା ସ୍ୱୀକାର କରିବା କର୍ତ୍ତବ୍ୟ ।

 

ଭ୍ରାତୃବୃନ୍ଦ, ମୋହର ସାମାନ୍ୟ ବକ୍ତୃତାକୁ ଯେ ଆପଣମାନେ ଅନୁଗ୍ରହପୂର୍ବକ ଅବଧାନ କରିଅଛନ୍ତି, ସେଥି ନିମିତ୍ତ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଅଛି । ବକ୍ତୃତାରେ ମୋ ଜାଣିବାରେ ଅନେକ ତ୍ରୁଟି ହୋଇଅଛି । କାର୍ଯ୍ୟାନ୍ତରରେ ବ୍ୟାପୃତ ଥିବାଯୋଗେ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାର ସୁବିଧା ମୋହର ହୋଇପାରିନାହିଁ । ଆଶାକରେ ଆପଣମାନେ ନିଜ ଗୁଣରେ ମୋହର ଦୋଷ ମାର୍ଜ୍ଜନା କରିବେ ।

 

(ଉତ୍କଳ ସାହିତ୍ୟ ୭ମ ଭାଗ ଫାଲଗୁନ୍‍ ୧୩୧୧)

Image

 

ସଭାପତି ଅଭିଭାଷଣ

(ଶ୍ରୀ ଫକୀରମୋହନ ସେନାପତି)

 

ସଭ୍ୟ ମହାଶୟଗଣ,

 

ଏହି ସଭାରେ ଯୋଗ ଦେବା ସକାଶ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ବାଣୀଭୂଷଣ ମହାଶୟଙ୍କଠାରୁ ପ୍ରଥମ ପତ୍ର ପାଇ ଆଶ୍ଚର୍ଯ୍ୟ ହେଲି–ମନରେ ବିଚାର କଲି କଟକରେ ମୋ ଠାରୁ ଶତ ଶତ ଗୁଣରେ ଅଧିକ ବିଦ୍ୱାନ୍‍ ବୁଦ୍ଧିମାନ୍‍ ଉପଯୁକ୍ତ ଅନେକ ଲୋକ ବିଦ୍ୟମାନ ଅଛନ୍ତି । ସେମାନଙ୍କଯୋଗେ ସଭାର କାର୍ଯ୍ୟ ସୁଚାରୁରୂପେ ନିର୍ବାହ ହୋଇପାରେ, ତେବେ ମୋ ପରି କ୍ଷୀଣବୁଦ୍ଧି ବିକଳେନ୍ଦ୍ରିୟ ଜରାଜୀର୍ଣ୍ଣ ଲୋକଟାକୁ ଆହ୍ୱାନ କି ସକାଶ ? ନିଶ୍ଚୟ ରଥ ମହାଶୟଙ୍କର ଲୋକ ନିର୍ବାଚନରେ ତ୍ରୁଟି ହୋଇଅଛି । ତେଣୁ ତାହାଙ୍କର ଭ୍ରମ ସଂଶୋଧନ ସକାଶ ଅସ୍ୱୀକାରସୂଚକ ପତ୍ର ଲେଖିଲି, ମାତ୍ର ପଣ୍ଡିତ ମହାଶୟ ମୋ ନିବେଦନ ପତ୍ର ପ୍ରତି ଦୃଷ୍ଟିପାତ ନ କରି ପୁନର୍ବାର ଦୃଢ଼ତା ସହିତ ଆହ୍ୱାନସୂଚକ ପତ୍ର ଲେଖିଲେ । ପଣ୍ଡିତ ମହାଶୟଙ୍କ ପତ୍ର ପାଠର ଅବ୍ୟବହିତ ପରେ ମୁଁ ଖଣ୍ଡିଏ ଖବରକାଗଜରେ ଚୁଁଚୁଡ଼ା ମୁକାମରେ ବଙ୍ଗ ସାହିତ୍ୟ ସମ୍ମିଳନୀର ୫ମ ଅଧିବେଶନରେ ବଙ୍ଗର ଶ୍ରେଷ୍ଠପୁରୁଷ ମହାରାଜା ମନୀନ୍ଦ୍ର ଚନ୍ଦ୍ର ନନ୍ଦୀ ଏବଂ ଅବସର ପ୍ରାପ୍ତ ହାଇକୋର୍ଟର ଜଜ୍‍ ଏବଂ ତତୁଲ୍ୟମହାତ୍ମାମାନଙ୍କର ଯୋଗଦାନ, ସଭାର କୃତକାର୍ଯ୍ୟତା ଏବଂ ବଙ୍ଗ ସାହିତ୍ୟ ଉନ୍ନତିକଳ୍ପେ ପଞ୍ଚାଶ ସହସ୍ର ଟଙ୍କା ସଂଗ୍ରହ ଇତ୍ୟାଦି ବିଷୟ ପାଠ କରନ୍ତେ ମନରେ କେମନ୍ତ ଗୋଟାଏ ବ୍ୟାକୁଳତା ଜାତ ହେଲା । ବିଚାର କଲି ଉତ୍କଳର ସମସ୍ତ ଶ୍ରେଣୀର ପ୍ରଧାନ ଲୋକମାନେ ମାତୃଭାଷାର ଉନ୍ନତି କାମନାରେ କେବେ ଏକତ୍ରିତ ହେବେ । ହାୟ ସେ ଶୁଭଦିନ କେବେ ଆସିବ । ସଙ୍ଗେ ସଙ୍ଗେ ମୋ ମନରେ ଗୋଟିଏ ପୁଣି ନିର୍ବ୍ବେଦ ଉପସ୍ଥିତ ହେଲା । ବିଚାର କଲି ଯେଉଁ ଲୋକେ ଉତ୍କଳ ସାହିତ୍ୟ ସମାଜର ସାଦର ଆହ୍ୱାନ ଇଚ୍ଛାପୂର୍ବକ ପ୍ରତ୍ୟାଖ୍ୟାନ କରିପାରେ ତାହାର ସନ୍ତାପ କପଟତାର ରୂପାନ୍ତର ବିନା ଆଉ କ’ଣ ହୋଇପାରେ । ମୁଁ ଯେତେ ଅଯୋଗ୍ୟ ହୁଏ ପଛକେ ମାତୃଭାଷା ଉନ୍ନତି ସମ୍ୱନ୍ଧେ ବ୍ୟକ୍ତିଗତ ଭାବରେ ମୋହର ତ ଗୋଟାଏ କର୍ତ୍ତବ୍ୟ ଅଛି । ସେତୁବନ୍ଧରେ ଯୋଗ ଦେବା ସକାଶ ଗୁଣ୍ଡୁଚିମୂଷା ମଧ୍ୟ ଅବହେଳା କରିନାହିଁ । ନିଜର କିଞ୍ଚିତ୍‍ ଆର୍ଥିକ କ୍ଷତି ବା ପରିଶ୍ରମ ସ୍ୱୀକାର ନ କରି ଅନ୍ୟର ମୁଖାପେକ୍ଷୀ ହୋଇ ରହିବି ଏହା କେମନ୍ତ କଥା । ମୋ ଦୃଷ୍ଟାନ୍ତ ଅବଲମ୍ୱନକାରୀକୁ ଦୋଷୀ କରିବାର ମୋହର କିଛିମାତ୍ର ଅଧିକାର ନାହିଁ । ସାହିତ୍ୟିକ ଚର୍ଚ୍ଚା ତେବେ କିପରି ହେବ ? ଏହି ସମସ୍ତ କଥା ଚିନ୍ତାକରି ରଥ ମହାଶୟଙ୍କୁ ତତ୍‍କ୍ଷଣାତ୍‍ ସମ୍ମତିସୂଚକ ପତ୍ର ଲେଖିଲି ।

 

ସଭାରେ ଯୋଗଦାନ କରିବାର ମୋହର ଆନ୍ତରିକ ଆଗ୍ରହର ଅନ୍ୟତମ କାରଣ ଏହିକି ବାଲେଶ୍ୱରରେ ଶୁଣିଥିଲି ଏହି ସମିତି ଯୁବକମାନଙ୍କ ଯୋଗେ ପ୍ରତିଷ୍ଠିତ ଏବଂ ଚାଳିତ–ଉତ୍କଳର ଭାବୀ ଆଶା ଭରସାର ସ୍ଥଳ ଉଦୀୟମାନ ସେହି ଯୁବକମାନଙ୍କୁ ଏବଂ ମାତୃଭାଷାର ଉନ୍ନତିକାମୀ ମହାତ୍ମାମାନଙ୍କୁ ଏକତ୍ର ସମାବେଶ ଦେଖି ମୋହର ଶେଷପ୍ରାୟ ଜୀବନକୁ ଧନ୍ୟ ଜ୍ଞାନ କରିବି । ଯେଉଁ ସ୍ଥାନରେ ବାକ୍‍ଦେବୀର ଆରାଧନା ହୁଏ ସେ ସ୍ଥାନ ପୁଣ୍ୟକ୍ଷେତ୍ର-ତୀର୍ଥସ୍ଥାନ । ବେଦାଦିରେ ପାଠକରିବାକୁ ପାଉ ମହର୍ଷିମାନେ ଏକତ୍ର ହୋଇ ବାକ୍‍ଦେବୀର ଆରାଧନା ଏବଂ ସ୍ଥଳଭାଗକୁ ତୀର୍ଥସ୍ଥାନ ଜ୍ଞାନ କରୁଥିଲେ । ନୈମିଷାରଣ୍ୟ ସେହି ଭାବର ତୀର୍ଥସ୍ଥାନ ।

 

ନିଶ୍ଚୟ କଥା ମାତୃଭାଷା ପ୍ରତି ଶିକ୍ଷିତ ଲୋକମାନଙ୍କର ଅଯତ୍ନ ଗୋଟିଏ ନୈରାଶ୍ୟର କାରଣ ହୋଇ ପଡ଼ିଥିଲା । ବର୍ତ୍ତମାନ ଶିକ୍ଷିତ ମହାତ୍ମାମାନଙ୍କର ଏ ସମ୍ୱନ୍ଧେ ସମବେତ କର୍ମାନୁଷ୍ଠାନ ଦେଖି ମନ ମଧ୍ୟରେ ଆଶା ପୋଷଣ କରାଯାଇପାରେ । ମାତୃଭାଷାର ଦୁର୍ଦ୍ଦଶା ଆଉ ଦୀର୍ଘକାଳ ସ୍ଥାୟିନୀ ନୁହେଁ । ବର୍ତ୍ତମାନ ସଭାସ୍ଥ ମହାତ୍ମାମାନଙ୍କ ଉତ୍ସାହ ଏବଂ ଯତ୍ନ ଦେଖି ଆଶା ଧ୍ରୁବ ଧାରଣାରେ ପରିଣତ ହୋଇଛି । ମୁଁ ଉତ୍କଳ ସାହିତ୍ୟ ଏବଂ ମୁକୁରରେ ଶିକ୍ଷିତ ଯୁବକମାନଙ୍କର ଲିଖିତ ଉପର୍ଯ୍ୟୁପରି କେତେଗୋଟି ପ୍ରବନ୍ଧ ଏବଂ କବିତା ମନଯୋଗ ସହିତ ପାଠ କରିଛି । ଶବ୍ଦ ବିନ୍ୟାସର ଶୃଙ୍ଗଳା, ଭାଷାର ପରିପାଟୀ–ଭାବର ପ୍ରଗାଢ଼ତା ଦେଖି ମୁଁ ମନରେ ନିଶ୍ଚୟ କରିଛି ଏହି ପ୍ରତିଭାଶାଳୀ ଯୁବକମାନେ ସମୟରେ ଚିହ୍ନିତ ଗ୍ରନ୍ଥାକାରରୂପେ ପରିଚିତ, ଏ ଦେଶର ମୁଖୋଜ୍ୱଳକାରୀରୂପେ ବିଖ୍ୟାତ ହେବେ । ସେମାନଙ୍କଯୋଗେ ମାତୃଭାଷା ବିଶେଷ ଉନ୍ନତି ଲାଭ କରିବ, ଏହା ନିଃସନ୍ଦେହରୂପେ ବୋଲା ଯାଇପାରେ । ସତ୍ୟତା ଅନୁରୋଧରେ ମୋତେ ନିତାନ୍ତ ସଙ୍କୁଚିତ ଭାବରେ ଏହା ମଧ୍ୟ ବୋଲିବାକୁ ହେଉଛି କେତେଗୁଡ଼ିଏ କବିତା ପାଠ କଲେ ଲେଖକ ଯେ ପ୍ରାଚୀନ ଉତ୍କଳ ଭାଷା ଆଲୋଚନା କରିଅଛନ୍ତି ଏମନ୍ତ ବୋଧ ହୁଏ ନାହିଁ । ଅନ୍ୟ ସମ୍ୱନ୍ଧେ ଯାହାହେଉ ପ୍ରାଚୀନ ଗ୍ରନ୍ଥାକାର ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, କବିସୂର୍ଯ୍ୟ ବା ଜଗନ୍ନାଥ ଦାସ ଶବ୍ଦ ବିନ୍ୟାସ ବା ମାର୍ଜିତ ରଚନା ପ୍ରଣାଳୀ ଦେଖାଇ ଯାଇଛନ୍ତି, ନିଃସନ୍ଦେହ ସେ ସମସ୍ତ ବର୍ତ୍ତମାନ ନୂତନ ଗ୍ରନ୍ଥକାରମାନଙ୍କ ପ୍ରତି ଆଦର୍ଶସ୍ଥଳ । ମୁଁ ପ୍ରଖ୍ୟାତନାମା କବି ରାଧାନାଥଙ୍କ ଯୌବନ ଜୀବନ ବିଷୟ ଜାଣେ, ସେ କବିତା ଲେଖିବା ପୂର୍ବେ କେତେ ବର୍ଷ ପର୍ଯ୍ୟନ୍ତ ପ୍ରାଚୀନ ଉତ୍କଳ କାବ୍ୟ ବିଶେଷରେ ଉପେନ୍ଦ୍ର ଭଞ୍ଜ କବିତା ଅତି ମନଯୋଗ ସହିତ ବିଶେଷ ଭାବରେ ଆଲୋଚନା କରିଥିଲେ । ମୁଁ ସମୟ ସମୟରେ କିଛି କିଛି କବିତା ଲେଖିବାକୁ ଚେଷ୍ଟା କରିବା ସମୟେ ଦୀନକୃଷ୍ଣ ଏବଂ ଜଗନ୍ନାଥ ଦାସଙ୍କ ପଦାଙ୍କ ଅନୁସରଣ କରିଥାଏ । ଦୀନକୃଷ୍ଣ ବା ଭଞ୍ଜ କବି ଅତି ଅଳ୍ପ ଅକ୍ଷରରେ ଯେଉଁ ପ୍ରଗାଢ଼ ବିସ୍ତୃତ ଭାବମାନ ସଂକ୍ଷେପରେ ପ୍ରକାଶ କରିଯାଇଅଛନ୍ତି ବର୍ତ୍ତମାନ ଭାରତ ପ୍ରଚଳିତ ଯେ କୌଣସି ପ୍ରଥମ ଶ୍ରେଣୀ ଭାଷା ମଧ୍ୟରେ ବିରଳ ପ୍ରାପ୍ୟ ।

 

କି ଧର୍ମାଲୋଚନା–କି ଜ୍ଞାନାର୍ଜନ–କି ବିଷୟ ଚର୍ଚ୍ଚାକ୍ଷେତ୍ର–ସମସ୍ତ ସମୟରେ ସହାୟ ହୁଏ, ଏଥିସକାଶ ଏହାର ନାମ ସାହିତ୍ୟ । ସାହିତ୍ୟ ଜାତିର ଜୀବନ, ଜାତିର ବଳ, ଜାତିର ପଦମର୍ଯ୍ୟାଦା ରକ୍ଷାର ଏକମାତ୍ର ଅବଲମ୍ୱନ । ଯେଉଁ ଦେଶର ଯେଉଁ ଜାତିର ସାହିତ୍ୟ ଉନ୍ନତ ନୁହେଁ ସେ ଦେଶବାସୀଙ୍କ ଏହି ସମସ୍ତ ମାର୍ଗ ଅତି ସଂକୀର୍ଣ୍ଣ । ନିଶ୍ଚୟ କଥାଭାଷା ବା ଜାତୀୟସାହିତ୍ୟ ଜନସମାଜର ଉନ୍ନତି ପ୍ରତି ସମ୍ପୂର୍ଣ୍ଣ ନିର୍ଭର କରେ । ଏକମାତ୍ର ସାହିତ୍ୟକୁ ସମ୍ମୁଖରେ ଧରି ଜନସାଧାରଣରେ ଆତ୍ମପ୍ରତିଷ୍ଠା ସ୍ଥାପନର ପ୍ରୟାସ ଜାତୀୟଜୀବନ ଜାତୀୟଉନ୍ନତିର ଅବସ୍ଥା ସ୍ଥିର କରାଯାଇପାରେ । ଯେଉଁ ଜାତିର ଭାଷା ଅବନତ ନିଶ୍ଚୟ ସେ ଜାତି ଜାଗ୍ରତ ହୋଇନାହାନ୍ତି ସେମାନଙ୍କର ଉଦ୍ୟମଶୀଳତା ଅଭାବ, ପୁଣି ସେ ଜାତି ଆତ୍ମନିର୍ଭର କରିବାକୁ ସକ୍ଷମ ନୁହନ୍ତି । ନିଶ୍ଚୟ ସେ ଜାତିର ହୃଦୟ ବିଶେଷଜ୍ଞାନ ଭାବରେ ଉତ୍ତେଜନା ପ୍ରାପ୍ତ ହୋଇ ନାହିଁ । ସେ ଜାତି ଆତ୍ମଗୌରବ ରକ୍ଷଣରେ ଅସମର୍ଥ । ସଭ୍ୟ ଜନସମାଜରେ ସେ ଜାତିର ସ୍ଥାନ ସର୍ବନିମ୍ନ । ସେ ଜାତିର ପଦମର୍ଯ୍ୟାଦା ନିତାନ୍ତ ପରିନତ । ସେ ଜାତି ସଭ୍ୟ ଜାତି ମଣ୍ଡଳରେ ଚିରଉପହସିତ ଏବଂ ଅବଜ୍ଞାତ । ମହୋଦୟଗଣ ! ଭାଷାପ୍ରତି ଚକ୍ଷୁ ଅବଲମ୍ୱନରେ ଆମ୍ଭମାନଙ୍କ ଜାତିକୁ ଅନାଉନ୍ତୁ । ସଭ୍ୟ ସମାଜରେ ଆମ୍ଭମାନଙ୍କ ସ୍ଥାନ କେଉଁଠାରେ । ସଭ୍ୟ ମହୋଦୟଗଣ ! ଆମ୍ଭମାନଙ୍କ ଜାତୀୟ ଉନ୍ନତିର କି ଉପାୟ ନାହିଁ–ଅବଶ୍ୟ ଅଛି ତାହା ମଧ୍ୟ ସହଜ ସାଧ୍ୟ । ସେହି ଉପାୟ ଆମ୍ଭମାନଙ୍କ ଶ୍ରଦ୍ଧା-ଯତ୍ନ-କିଞ୍ଚିତ୍‍ ତ୍ୟାଗ ସ୍ୱୀକାର ପ୍ରତି ନିର୍ଭର କରେ । ଆପଣା ଉନ୍ନତି ସାଧନରେ ଆପେ ଯତ୍ନ ନ କରି ଫଳ ପ୍ରତ୍ୟାଶାରେ ଅନ୍ୟ ପ୍ରତି ନିର୍ଭର କରିବା ବିଡ଼ମ୍ୱନା ମାତ୍ର । ଅବଶ୍ୟ ବର୍ତ୍ତମାନ ଆମ୍ଭେମାନେ ପୃଥିବୀ ବ୍ୟାପ୍ତା ବିଷୟ ସମ୍ପତ୍ତି ଗରିଷ୍ଠା ରାଜଭାଷା ଇଂରେଜୀ ଭାଷା ଅଧ୍ୟୟନରେ ବିଶେଷ ଯତ୍ନଶୀଳ । ମାତ୍ର ନିଶ୍ଚୟ ଜାଣିବେ ପ୍ରକୃତ ସାହିତ୍ୟ ମାତୃଭାଷାର ସମ୍ପତ୍ତି । ଯେ ପର୍ଯ୍ୟନ୍ତ ମାତୃଭାଷା ଉନ୍ନତି ଲାଭ କରି ନାହିଁ ସେ ପର୍ଯ୍ୟନ୍ତ ଆମ୍ଭେମାନେ ପ୍ରକୃତ ସାହିତ୍ୟରସାସ୍ୱାଦନରୁ ବଞ୍ଚିତ । ଶତ ସହସ୍ରରୂପେ ଚେଷ୍ଟା କଲେ ମଧ୍ୟ ପରକୀୟ ଭାଷାକୁ ଆତ୍ମସାତ୍‍ କରିବାକୁ ତୁମେ ନିତାନ୍ତ ଅକ୍ଷମ । ପାର୍ଶ୍ୱବର୍ତ୍ତୀ ଘଟନାବଳୀ ପ୍ରତି ଦେଖନ୍ତୁ, ଏହା ଯେମନ୍ତ ପ୍ରକୃତିର ଅମୋଘ ଆଦେଶ-। ଭଗବାନ ଯେମନ୍ତ ଭିନ୍ନଭିନ୍ନ ଜାତି ସକାଶ ଭାଷା ବିଧାନ କରି ଦେଇଅଛନ୍ତି । ଏହା ଆମ୍ଭମାନଙ୍କର କଳ୍ପନା ସମ୍ଭୂତ କଥା ନୁହେଁ । ଇଂରେଜୀ ଧର୍ମ ଶାସ୍ତ୍ର ବାଇବେଲ୍‍ରେ ସୁସ୍ପଷ୍ଟ ଲେଖାଅଛି–ପରମେଶ୍ୱର ଲୋକମାନଙ୍କର ଭାଷା ପୃଥକ୍‍ ପୃଥକ୍‍ ବିଧାନ କରିଦେଲେ । ଆମ୍ଭମାନଙ୍କର ଆର୍ଯ୍ୟ ଧର୍ମଶାସ୍ତ୍ରରେ ମଧ୍ୟ ଉପସ୍ଥିତ ବିଷୟରେ ଅନେକ ପ୍ରମାଣ ବିଦ୍ୟମାନ ରହିଅଛି-। ଭଗବାନ ବୁଦ୍ଧଦେବ ବୁଝିଥିଲେ ଜଗତସ୍ଥ ସମସ୍ତ ଲୋକ ଏକ ପରମେଶ୍ୱରଙ୍କ ସନ୍ତାନ । ସୁତରାଂ ଭାତୃ ସମ୍ୱନ୍ଧରେ ଆବଦ୍ଧ ମାତ୍ର ଦେଶ ଭେଦେ, ଜଳବାୟୁଭେଦରେ ଆକାର, ପ୍ରକୃତି ଏବଂ ଭାଷା ପୃଥକ୍‍ ପୃଥକ୍‍ । ପୂର୍ବକାଳ ଭାରତବର୍ଷରେ ଏକମାତ୍ର ସଂସ୍କୃତ ଭାଷା ଆଲୋଚ୍ୟ ଏବଂ ଧର୍ମଗ୍ରନ୍ଥ ଲିଖିତ ଭାଷା ଥିଲା । ମାତ୍ର ଭଗବାନ ସଂସ୍କୃତ ଭାଷା ପରିତ୍ୟାଗ କରି ତାହାଙ୍କ ମାତୃଭାଷା ପାଲିଭାଷାରେ ଲିଖିତ ଉପଦେଶ ଦେଇଯାଇଅଛନ୍ତି । ବୌଦ୍ଧ ଧର୍ମଶାସ୍ତ୍ର ପାଲିଭାଷାରେ ଲିଖିତ । ତାହାଙ୍କ ସମୟଠାରୁ ଭାରତରେ ପୈଶାଚୀ, ମାଗଧି, ଦ୍ରାବିଡ଼ି ଏବଂ ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନ ଲିଖିତ ଏବଂ ଆଲୋଚ୍ୟ ଭାଷାରୂପେ ପରିଣତ ହୁଏ । ଆମ୍ଭେମାନେ ଅନୁମାନ କରୁ ଉତ୍କଳ ଭାଷା ବୌଦ୍ଧ ଯୁଗ ଠାରୁ ଲିଖିତ ଭାଷାରୂପେ ବ୍ୟବହୃତ ହୋଇଅଛି । ଉତ୍କଳର ନାନା ପ୍ରଦେଶରେ ତୁଳାଭିଣା ଶରୀରଭେଦ ବା ଶରୀରଭେଦ ଆତ୍ମଜ୍ଞାନ ନାମକ ଅନେକଗୁଡ଼ିଏ ପୁସ୍ତକ ଦେଖିବାକୁ ମିଳେ, ଦୀର୍ଘକାଳ ଯାବତ ଲେଖକ ଓ ପାଠକ ପରମ୍ପରା ଯେବେହେଁ ଏହାର ଭାବ ଓ ଭାଷା ଅନେକ ପରିବର୍ତ୍ତିତ ହୋଇଅଛି ମାତ୍ର ମୂଳ ବିଷୟ ବୌଦ୍ଧ ଭାବରେ ପରିପୂର୍ଣ୍ଣ ।

 

ପୃଥିବୀର ଇତିହାସ ଆଲୋଚନା କରି ଦେଖନ୍ତୁ କେହି ଜାତି ପରକୀୟ ଭାଷା ବଳରେ ପ୍ରକୃତ ଉନ୍ନତି ଲାଭ କରିବାକୁ ସକ୍ଷମ ହୋଇନାହିଁ । ଜାତି ମଧ୍ୟରେ ପରକୀୟା ଭାଷାର ପ୍ରଭାବ କିପରି ଜାଣନ୍ତି-ନଦୀରେ ବଢ଼ି ପାଣି ପ୍ରବେଶ ପରି । ବଢ଼ି ପାଣି ନଦୀର ଗର୍ଭ ଓ କୂଳ ଏବଂ ନଦୀର ନିଜ ଜଳକୁ ଆନ୍ଦୋଳିତ କରି ଉନ୍ମତ୍ତ ଭାବରେ ଧାବିତ ହେଉଥାଏ, ମୂଳ ସ୍ରୋତ ରହିତ ହେଲେ ବଢ଼ିର ଚିହ୍ନ ମାତ୍ର ସ୍ଥାନେ ସ୍ଥାନେ ସ୍ଥାପନ କରି ନବାଗତ ପାଣି ବହିଯାଏ । ୫୦।୬୦ ବର୍ଷ ପୂର୍ବରେ ଏହି ଉତ୍କଳ ଦେଶରେ ପାରସ୍ୟ ଭାଷା ରାଜଭାଷା, ସୁତରାଂ ଆଲୋଚ୍ୟ ଭାଷାରୂପେ ବ୍ୟବହୃତ ହେଉଥିଲା । ସମ୍ଭ୍ରାନ୍ତ ଲୋକଙ୍କର ଘର ପିଲାମାନେ ବିଧି ରକ୍ଷା ପରି ଅବଧାନ ଚାଟଶାଳୀରେ ଉଡ଼ାଙ୍କ ଫେଡ଼ାଙ୍କ ନଳ ଭିଆଣ ପର୍ଯ୍ୟନ୍ତ ଉତ୍କଳ ଭାଷାର ପାଠ ସମାପ୍ତ କରି ପାରସି ପଢ଼ିବା ପାଇଁ ଆଖୁନ୍‌ଜୀ ସେବାରେ ନିଯୁକ୍ତ ହେଉଥିଲେ । ସେ ସମୟରେ ପାର୍ଶି ମିଶା ଓଡ଼ିଆ ବା ବଙ୍ଗଳାରେ କଥା କହିବା ଜ୍ଞାନବାନର ପରିଚାୟକସ୍ୱରୂପ ଥିଲା । ବଡ଼ ଲୋକମାନେ ପାରସ୍ୟ ଭାଷାରେ ଘରର ଆୟ ବ୍ୟୟ ହିସାବ ରଖୁଥିଲେ । କେବଳ ଭାଗବତ ରାମାୟଣ ପ୍ରଭୃତି ଧର୍ମଶାସ୍ତ୍ର ଉତ୍କଳ ଭାଷାକୁ ଧରି ରଖିଥିଲା । ହାୟ, ଆମ୍ଭମାନଙ୍କ ପୂର୍ବପୁରୁଷମାନେ ରାଜଭାଷା ସହିତ ମାତୃଭାଷା ଚର୍ଚ୍ଚା କରୁଥିଲେ ଆମ୍ଭମାନଙ୍କ ପାଇଁ କେତେ ସମ୍ପତ୍ତି ସଞ୍ଚିତ ରହିଥାନ୍ତା ।

 

ଆଉ ଗୋଟିଏ କଥା ବର୍ତ୍ତମାନ କାଳରେ ରାଜଭାଷା ଇଂରେଜୀର ବହୁଳ ଚର୍ଚ୍ଚା ହେଉଅଛି ସତ୍ୟ, ମାତ୍ର ଏହି ଦୁରୂହ ବିଦେଶୀୟ ଭାଷା ନିମ୍ନଶ୍ରେଣୀ ପର୍ଯ୍ୟନ୍ତ ପ୍ରବେଶ କରିବା ସହଜ ବ୍ୟାପାର ନୁହେଁ, ପୁଣି ସର୍ବସାଧାରଣ କନ୍ୟା ଭଗ୍ନୀମାନେ ଏହି ଭାଷାକୁ ଆୟତ୍ତ କରିପାରିବେ ଏପରି ଆଶା କରିବା ବିଡ଼ମ୍ବନା ମାତ୍ର । ବାଲ୍ୟ ଜୀବନର ପ୍ରକୃତ ଶିକ୍ଷୟିତ୍ରୀ ଉପଦେଷ୍ଟ୍ରୀ ମାତାମାନେ ଶିକ୍ଷିତା ନ ହେଲେ ଜାତି ମଧ୍ୟରେ ପ୍ରକୃତ ଶିକ୍ଷା ବିସ୍ତାର କଦାଚ ସମ୍ଭବପର ନୁହେଁ, ଅନ୍ତତଃ ଭବିଷ୍ୟତ ମାତାମାନଙ୍କୁ ଶିକ୍ଷିତା କରାଇବା ନିମନ୍ତେ ମାତୃଭାଷାର ଉନ୍ନତି ନିତାନ୍ତ ଆବଶ୍ୟକ ଅଟେ । ଆମ୍ଭମାନଙ୍କ ଭାବୀ ପୁରୁଷ ପୁତ୍ର ପୌତ୍ରମାନଙ୍କ ପ୍ରତି ପୋଷଣ ବା ସୁଖ ସ୍ୱାଚ୍ଛନ୍ଦ୍ୟ ବିଧାନ ନିମନ୍ତେ ଅର୍ଥୋପାର୍ଜନ ବା ସଞ୍ଚୟ ସକାଶ କେତେ ଯେ ଯତ୍ନ କରିଥାଉଁ, ସେମାନଙ୍କୁ ସଭ୍ୟ ସମାଜରେ ଗଣ୍ୟ କରାଇବା ନିମନ୍ତେ ଏବଂ ସେମାନଙ୍କ ଜ୍ଞାନାର୍ଜନର ମାର୍ଗ ପ୍ରଶସ୍ତି ନିମନ୍ତେ ଦେଶୀୟ ସାହିତ୍ୟଉନ୍ନତି କି ପ୍ରୟୋଜନୀୟ ନୁହେଁ ? ଆମ୍ଭମାନଙ୍କ ନିକଟ ପ୍ରତିବାସୀ ବଙ୍ଗୀୟ ଜନସମାଜର ଅବସ୍ଥା ପ୍ରତି ଦୃଷ୍ଟିପାତ କରନ୍ତୁ, ସେମାନେ ବର୍ତ୍ତମାନ ସଭ୍ୟ ସମାଜରେ ଗୌରବ ଲାଭ ନିମନ୍ତେ କେତେଦୂର କ୍ଷମ ହେଲେଣି ବର୍ତ୍ତମାନ ପୃଥିବୀରେ ଚିହ୍ନିତ ଅନ୍ୟାନ୍ୟ ପ୍ରଧାନ ପ୍ରଧାନ ଭାଷା ସହିତ ବାହୁ ମିଳାଇ ଅନେକଗୁଡ଼ିଏ ବଙ୍ଗ ଭାଷା ଲିଖିତ ପୁସ୍ତକ ନାନା ଭାଷାରେ ଅନୁବାଦିତ, ସେଥିସକାଶ ବଙ୍ଗ ସନ୍ତାନମାନଙ୍କରେ ଜଗତରେ ଏତେଦୂର ପ୍ରତିଷ୍ଠା-। ଯଦି ବଙ୍ଗ ଭାଷା ସେମାନଙ୍କ ଠାରୁ ବାହାର କରି ନିଆଯାଏ ସେମାନଙ୍କ ସ୍ଥାନ କେଉଁଠାରେ ହେବ-? ଆପଣମାନେ ଅବଶ୍ୟ ଜାଣନ୍ତି ସେମାନେ ଅଦମ୍ୟ ଉତ୍ସାହ ଅତୁଳନୀୟ ମାତୃଭାଷା ପ୍ରତି ପ୍ରୀତି ବଳରେ ଅଳ୍ପ କାଳ ମଧ୍ୟରେ ଏପରି ସୁଯଶ ଅର୍ଜନରେ ସମର୍ଥ ହୋଇଛନ୍ତି । ଜଗତରେ ଭାରତଭୂମିରେ ଯେ ଏତେ ଗୌରବ ସଂସ୍କୃତ ଭାଷା କି ସେଥିର ମୂଳାଧାର ନୁହେଁ ? ଭାରତରେ ବର୍ତ୍ତମାନ ୩୬୪ ପ୍ରକାର ଭାଷା ପ୍ରଚଳିତ ଅଛି । ସେଥି ମଧ୍ୟରେ ଯେତେ ପ୍ରକାର ଲିଖିତ ପ୍ରସିଦ୍ଧ ଭାଷା ଅଛି, ପ୍ରାଚୀନତ୍ୱରେ ଅଙ୍ଗ ସୌଷ୍ଠବ ଗୁଣରେ ଉତ୍କଳ ଭାଷା କାହାରିଠାରୁ ନିଶ୍ଚୟ ନ୍ୟୂନ ନୁହେଁ-। ପ୍ରତ୍ନତତ୍ତ୍ୱବିଦ୍‌ ମହାପଣ୍ଡିତ ବେଣ୍ଟିଲି ସାହେବଙ୍କ ମତରେ ପ୍ରାୟ ୪୨ଶତ ବର୍ଷ ପୂର୍ବେ ଲିଖିତ ମାନବ ଧର୍ମ ଶାସ୍ତ୍ରରେ ଉତ୍କଳର ନାମ ଉଲ୍ଲେଖ ଅଛି, ଅନ୍ୟ କେତେଜଣ ମହାଜ୍ଞାନୀ ମାନବ ଧର୍ମଶାସ୍ତ୍ର ଛ ସହସ୍ର ବର୍ଷ ପୂର୍ବେ ଲିଖିତ ବୋଲି ପ୍ରମାଣ କରାଇବା ନିମନ୍ତେ ନାନା ପ୍ରକାର ଯୁକ୍ତିର ଅବତାରଣା କରାଇ ଯାଇଛନ୍ତି । ମହାଭାରତ ଓ ଅନ୍ୟାନ୍ୟ ପୁରାଣ ଏବଂ ସ୍ମୃତି ଶାସ୍ତ୍ରରେ ଉତ୍କଳର ନାମ ପୁନଃପୁନଃ ଉଲ୍ଲିଖିତ ଥିବାର ଦେଖାଯାଏ । ୨୫ଶତ ବର୍ଷ ପୂର୍ବେ ଯୁବକ ଶାକ୍ୟସିଂହ ଭାବୀ ଶ୍ୱଶୁରଙ୍କ ନିକଟରେ ଆତ୍ମବିଦ୍ୟାର ପରିଚୟ ଦେବା ନିମନ୍ତେ ଯେଉଁ ୬୪ ପ୍ରକାର ଅକ୍ଷର ଲେଖିଥିଲେ ସେଥି ମଧ୍ୟରେ ଉତ୍କଳାକ୍ଷର ଅନ୍ୟତମ ଅଟେ । ପନ୍ଦର ଶତ ବର୍ଷ ପୂର୍ବରେ ଉତ୍କଳରେ ଲିଖିତ ପୂର୍ଣ୍ଣାଙ୍ଗ ଭାଷା ବିଦ୍ୟାମାନ ଥିବାର ଦେଖାଯାଏ । ହାୟ ! ଆମ୍ଭେମାନେ କି ଦୁର୍ଭାଗ୍ୟ କି ଅଯତ୍ନଶୀଳା ଏମନ୍ତ ପ୍ରାଚୀନ ଏମନ୍ତ ଅଙ୍ଗ ସୌଷ୍ଠବସମ୍ପନ୍ନା ଭାଷା ପ୍ରାପ୍ତ ହୋଇ ମଧ୍ୟ ତାହାର ସଦ୍‌ବ୍ୟବହାରରେ ଉଦାସୀନ ହୋଇଅଛୁ । ଅଙ୍ଗପ୍ରସାଧନ ବିରହିତା ସ୍ୱଭାବ ସୁନ୍ଦରୀ ମଧ୍ୟ ସହଜ ଦୃଷ୍ଟିରେ ନିତାନ୍ତ କୁତ୍ସିତା ପରି ପ୍ରତୀୟମାନ ହୁଏ । ମଧୁମକ୍ଷିକା ନାନା ପୁଷ୍ପରେ ବିଚରଣ କରି ଆପଣା ପାଇଁ ଏବଂ ଭାବୀ ପୁରୁଷମାନଙ୍କ ସକାଶେ ମଧୁଚକ୍ର ଭଣ୍ଡାରରେ ମଧୁ ସଞ୍ଚୟ କରି ରଖେ-। ଆମ୍ଭମାନଙ୍କ ସାକ୍ଷାତରେ ବର୍ତ୍ତମାନ ବିଷୟ ବହୁଳା ଅଙ୍ଗ ସୌଷ୍ଠବ ଗରିଷ୍ଠା ସୁପ୍ରସିଦ୍ଧ ଭାଷାମାନ ଏବଂ ଭାରତୀୟ ସମସ୍ତ ଭାଷାର ଜନନିସ୍ୱରୂପା ସଂସ୍କୃତ ଭାଷା ବିଦ୍ୟମାନ । ଆମ୍ଭେମାନେ ସେଥିରୁ ସାରାଂଶମାନ ଗ୍ରହଣ କରି ମାତୃଭାଷାର ଉନ୍ନତି ବିଧାନ କରିବାକୁ ସହଜରେ କ୍ଷମ ହୋଇପାରୁ ।

 

ଆମ୍ଭମାନଙ୍କ ମାତୃଭାଷାର ଉନ୍ନତି ସକାଶେ କିଏ ଦାୟୀ ? ଦେଶର ପ୍ରତ୍ୟେକ ଲୋକ ଦାୟୀ ଅଟନ୍ତି । ପ୍ରତ୍ୟେକ ଲୋକ ଅର୍ଥ କ’ଣ ଦେଶର ପନ୍ଦର ପଣ ଲୋକ ଅଶିକ୍ଷିତ, ସେମାନେ କିଛି ବୁଝନ୍ତି ନାହିଁ । ଆମ୍ଭମାନଙ୍କର ବୋଲିବାର ଉଦ୍ଦେଶ୍ୟ ପ୍ରତ୍ୟେକ ଶିକ୍ଷିତ ଲୋକ ଏଥିସକାଶେ ଦାୟୀ । ସେମାନେ ଆପଣା ଆପଣା କର୍ମରେ ଅବହେଳା କଲେ ନିଜପ୍ରତି, ଦେଶପ୍ରତି, ଭାବୀ ପୁରୁଷମାନଙ୍କ ପ୍ରତି, ନୟନ ପ୍ରତିମା ରୂପା କନ୍ୟା ଭଗ୍ନୀମାନଙ୍କ ପ୍ରତି ଅବହେଳା କରିବାର ହୁଏ । କର୍ତ୍ତବ୍ୟର ଅବହେଳା ପ୍ରତ୍ୟବାୟର ହେତୁଭୂତ କି ନାହିଁ ଆପଣମାନେ କେବଳ ବିଚାର କରି ଦେଖନ୍ତୁ, ଆମ୍ଭମାନଙ୍କର ଏତିକି ମାତ୍ର ପ୍ରାର୍ଥନା ।

 

ଯେଉଁ ଲୋକ ମାତୃଭାଷା ଚର୍ଚ୍ଚା ଏବଂ ଉନ୍ନତି ସାଧନରେ ବିମୁଖ ତାହାଙ୍କ ମନରେ ସ୍ୱଦେଶପ୍ରୀତି ସ୍ୱଜାତିପ୍ରୀତିର ବିରଳ ସଞ୍ଚାର ବୋଲି ନିଶ୍ଚୟରୂପେ ବୋଲା ଯାଇପାରେ । ସ୍ୱଦେଶ ସ୍ୱଜାତି ଅର୍ଥ ସ୍ୱଦେଶ ଭାଷା ଅର୍ଥାତ୍‌ ଭାଷାର ନାମାନୁସାରେ ଦେଶର ଏବଂ ଜାତିର ନାମକରଣ ହୋଇଥାଏ । କେଉଁଟା ବଙ୍ଗ ଦେଶ ? ଅର୍ଥ–ଯେଉଁ ଦେଶରେ ବଙ୍ଗ ଭାଷା ପ୍ରଚଳିତ । କିଏ ବଙ୍ଗାଳୀ ଜାତି–ଅର୍ଥ ଯେଉଁମାନେ ବଙ୍ଗ ଭାଷାରେ କଥୋପକଥନ କରନ୍ତି । ଭାଷା ବା ଦେଶର ଉନ୍ନତିକାମୀମାନଙ୍କ ପକ୍ଷରେ ଉଭୟ ପ୍ରତି ପ୍ରୀତି ପ୍ରୟୋଜନୀୟ ।

 

ଉପସ୍ଥିତ ପ୍ରସଙ୍ଗରେ କିଞ୍ଚିତ୍‌ ଦୂରବର୍ତ୍ତୀ କଥା ହେଲେ ମଧ୍ୟ ମୁଁ ଗୋଟିଏ ବିଷୟ ଏଠାରେ ଉଲ୍ଲେଖ କରିବାକୁ ଇଚ୍ଛା କରେ । କେତେକ ବର୍ଷ ପୂର୍ବେ ବିଷୟ ବିଶେଷ ସମ୍ବନ୍ଧରେ ଉତ୍କଳୀ ଏବଂ ବଙ୍ଗାଳୀ ଜାତି ମଧ୍ୟରେ କିଞ୍ଚିତ୍‌ ମନୋମାଳିନ୍ୟର କାରଣ ଘଟିଥିଲା । କୌଣସି ଜଣେ ବଙ୍ଗବାସୀ ଉତ୍କଳ ନାମ ଉଲ୍ଲେଖ କରି ବିଦ୍ରୂପ ସୂଚକ କିଛି କଥା କହିବାରୁ ବାବୁ ମଧୁସୂଦନ ଦାସ ସ୍ୱାଭାବିକ ତେଜସ୍ୱିନୀ ଭାଷାରେ ଉତ୍ତର ଦେଲେ ତୁମ୍ଭେ ମୋହର ନିନ୍ଦାବାଦ କରିପାର, ମୋତେ ଗାଳି ଦେଇପାର, ମାତ୍ର ମୋ ଦେଶର ନାମୋଲ୍ଲେଖ କରିବାର ତୁମ୍ଭର କିଛିମାତ୍ର ଅଧିକାର ନାହିଁ । ଯାହାର ଏତେ ଦୂର ଦେଶପ୍ରୀତି ସେ ଦେଶ ପାଇଁ ସମସ୍ତ ଅର୍ଥ, ସମସ୍ତ ସାମର୍ଥ୍ୟ ସହଜରେ ସମର୍ପଣ କରିପାରେ । କେବଳ କଥାରେ ନୁହେଁ ମଧୁବାବୁ ଜୀବନରେ ସେଥିର ନିଦର୍ଶନ ଦେଖାଇ ଅଛନ୍ତି । ମୁଁ ଦିନକ ପାଇଁ ଏକଥା ଭୁଲିନାହିଁ, କେତେ ପୁଣ୍ୟ ବଳରେ କେତେ ଯୁଗାଯୁଗାନ୍ତ ଉତ୍ତାରେ ଉତ୍କଳଭୂମି ଏମନ୍ତ ଗୋଟିଏ ସନ୍ତାନ ଲାଭ କରିଛନ୍ତି । ମଧୁବାବୁ ଗୋଟିଏ ଶାପଭ୍ରଷ୍ଟ ଦେବତା ।

 

ମାନବ ମାତ୍ରର ସ୍ୱଭାବସିଦ୍ଧ ଧର୍ମଜନନି ବା ଜନ୍ମଭୂମିର ନିନ୍ଦାବାଦ ଅସହିଷ୍ଣୁ ହେଲେ ଯେଉଁମାନେ ସେମାନଙ୍କ ଅଭାବ ମୋଚନରେ ତତ୍‌ପର ସେହିମାନେ କେବଳ ସୁସନ୍ତାନ ପଦବାଚ୍ୟ-

 

ଜାତୀୟ ସାହିତ୍ୟ ଉନ୍ନତିକଳ୍ପେ ଶିକ୍ଷିତ ଲୋକମାନଙ୍କର ଚାରିଗୋଟି ଉପାୟ ଅବଲମ୍ବନ କରିବାର ଉଚିତ–

 

୧.

ଜାତୀୟ ସାହିତ୍ୟ ପାଠ କର;

୨.

ପାଠ କରାଅ;

୩.

ଲେଖ;

୪.

ଲେଖାଅ–

 

ମୋତେ ସଙ୍କୁଚିତ ଓ ଦୁଃଖିତ ଭାବରେ ବୋଲିବାକୁ ହେଉଚି, ଆମ୍ଭମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷିତ ଲୋକ ମଧ୍ୟରେ ମାତୃଭାଷାର ଗ୍ରନ୍ଥ କିଣି ପଢ଼ିବାର ରୁଚି ଜାତ ହୋଇନାହିଁ ଅଥବା ବଡ଼ ବଡ଼ ଆକାର ସୁନେଲି ବନ୍ଧାଇ ନାନା ଭାବପୂର୍ଣ୍ଣ ପୁସ୍ତକମାନ ସଚରାଚର ସେମାନଙ୍କ ହସ୍ତରେ ଥିବାର ସାମାନ୍ୟ ବନ୍ଧାଇ ଚଟି ବହି ପ୍ରତି ଅବଜ୍ଞା ଜାତ ହେବା ସ୍ୱାଭାବିକ । ହେଲେ ସେମାନଙ୍କର ବିଚାର କରିବାର ଉଚିତ, ଅନ୍ୟର ସୌଭାଗ୍ୟବତୀ ମାତାକୁ ଭକ୍ତି ଓ ପୂଜା କରିବା ସମୟରେ ହେ ଦରିଦ୍ର ସନ୍ତାନ, ସେହି ସମୟରେ ମାତାର ଅବସ୍ଥା ଉନ୍ନତି ସକାଶେ ଯତ୍ନ କରିବାର ଅଥବା ଅବଜ୍ଞାଭାବରେ ତାହାକୁ ତଡ଼ି ଦେବାର ଉଚିତ ଏହା ଆପଣମାନଙ୍କର ବିଚାର୍ଯ୍ୟ ବିଷୟ ଅଟେ । ଶ୍ରେଷ୍ଠ ଲୋକର କାର୍ଯ୍ୟକୁ ଇତରସାଧାରଣେ ଅନୁକରଣ କରିଥାନ୍ତି । ଶିକ୍ଷିତ ସମାଜରେ ଯଦି ମାତୃଭାଷା ଏପରି ଦୁର୍ଦ୍ଦଶା ହୁଏ, ଇତର ସାଧାରଣଠାରୁ ଅଧିକ କ’ଣ ପ୍ରତ୍ୟାଶା କରାଯାଇପାରେ । ଭାଷା ଚର୍ଚ୍ଚା, ସମିତିରେ ଆପଣମାନେ ଉପେନ୍ଦ୍ର ଭଞ୍ଜ ବା ଜଗନ୍ନାଥ ଦାସ ନାମ ଶୁଣିଲେ ହାତ ତାଳି ଦେଇଥାନ୍ତି, ଅଥବା ବର୍ତ୍ତମାନ ଯୁଗର କବି ରାଧାନାଥଙ୍କ ନାମ ଆପଣମାନଙ୍କଠାରେ କେତେ ଆଦର ସାମଗ୍ରୀ, ମାତ୍ର ଅନ୍ୱେଷଣ କରି ଦେଖନ୍ତୁ ତ ସେମାନଙ୍କ ରଚିତ ପୁସ୍ତକ ଆପଣମାନଙ୍କ ଘରେ କେତେଖଣ୍ଡ ଅଛି, ସାହିତ୍ୟ କଥା ଛାଡ଼ି ଦିଅ, ଧର୍ମ ଚର୍ଚ୍ଚା ଭାବରେ ଦେଖନ୍ତୁ ପ୍ରତ୍ୟେକ ଖ୍ରୀଷ୍ଟାନ ଘରେ ବାଇବେଲ୍‌ ପୂଜିତ, ପ୍ରତ୍ୟେକ ମୁସଲମାନ୍‌ ଘରେ କୋରାନ୍‌ ବର୍ତ୍ତମାନ, ଉତ୍କଳର ଜାତୀୟ ଧର୍ମଗ୍ରନ୍ଥ ଜଗନ୍ନାଥ ଦାସ ଭାଗବତ ଆପଣମାନଙ୍କ ଘରୁ ବାହାରିବ ତ ? କଟକ କଲେଜର ଭୂତପୂର୍ବ ପ୍ରିନ୍‌ସପାଲ ସ୍ୱର୍ଗୀୟ ନୀଳକଣ୍ଠ ମଜୁମଦାରଙ୍କ ସହିତ ମୋହର ବିଶେଷ ସଦ୍ଭାବ ଥିବାରୁ ମୁଁ ସଚରାଚର ତାହାଙ୍କ ବସାକୁ ଯାଉଥିଲି, ଦେଖେ ତାହାଙ୍କ ଘରେ ରାଶିକୃତ ବଙ୍ଗଳା ପୁସ୍ତକ ସଞ୍ଚିତ । ନୂତନ ପୁସ୍ତକ ପ୍ରଚାର ମାତ୍ର ସେ ଖଣ୍ଡେ ଖଣ୍ଡେ କିଣି ଥାନ୍ତି । ମୁଁ ଦିନେ ପଚାରିଲି ଆପଣଙ୍କୁ ତ କେବେ ବଙ୍ଗଳା ପୁସ୍ତକ ପଢ଼ିବାର ଦେଖାଯାଏ ନାହିଁ, ତେବେ କି ସକାଶ କିଣିଥାନ୍ତି–ମୋ ପ୍ରଶ୍ନର ସେ ଠିକ୍‌ ଏହି ଉତ୍ତର ଦେଇଥିଲେ–

 

‘‘ଆମର ମାତୃଭାଷାର ପୁସ୍ତକ ମୁଁ ଯଦି ନ କିଣେ ତେବେ ଅନ୍ୟମାନେ କାହିଁକି କିଣିବେ-। ତାହାହେଲେ ମାତୃଭାଷାର ଉନ୍ନତି ହେବନାହିଁ । ଆପଣଙ୍କ ଦେଶର ଲୋକମାନେ ତାହା ବୁଝନ୍ତି ନାହିଁ । ତେଣୁ ଓଡ଼ିଆ ଭାଷାର ଏତେ ଅବନତି ।’’

 

ବାଲେଶ୍ୱରରେ ବର୍ତ୍ତମାନ ମୋହର ଦୁଇ ଜଣ ବଙ୍ଗାଳୀ ବନ୍ଧୁ ଅଛନ୍ତି । ରାଶିକୃତ ବଙ୍ଗଳା ପୁସ୍ତକ ସେମାନଙ୍କ ଘରେ ସଞ୍ଚିତ, ଅଥଚ ପଢ଼ିବାର ସେମାନଙ୍କର ଅବକାଶ ନାହିଁ ।

 

ଭଦ୍ର ମହାଶୟଗଣ, ଅନୁଗ୍ରହ କରି ଆପଣମାନଙ୍କ ଆଲମାରୀ ପ୍ରତି ଦୃଷ୍ଟିପାତ କରନ୍ତୁ କେତେ ମୂଲ୍ୟବାନ ଇଂରେଜୀ ଓ ସଂସ୍କୃତ ପୁସ୍ତକ ସଜ୍ଜିତ ଅଛି, ଥିବାର ମଧ୍ୟ ନିତାନ୍ତ ଆବଶ୍ୟକ, ମାତ୍ର ସୌକିନ ଭାବରେ କେତେଖଣ୍ଡ ବଙ୍ଗଳା ପୁସ୍ତକ ମଧ୍ୟ କିଣି ରଖିଛନ୍ତି; ମାତ୍ର ଓଡ଼ିଆ ପୁସ୍ତକ କିଛି କିଣି ଅଛନ୍ତି କି ? ଅନାଦୃତ ବସ୍ତୁର ଉନ୍ନତି ସମ୍ଭାବନା ନିତାନ୍ତ ବିରଳ ।

 

ଉତ୍କଳ ପୁସ୍ତକ ପରି ଉତ୍କଳ ସାମୟିକ ପତ୍ରିକାମାନଙ୍କର ଦୁର୍ଦ୍ଦଶା ମଧ୍ୟ ତତୋଧିକ । ବଙ୍ଗ ଦେଶରେ ବର୍ତ୍ତମାନ ୧୦୬ ଖଣ୍ଡ ମାସିକ ପତ୍ରିକା ଉତ୍ସାହପୂର୍ଣ୍ଣ ବେଗରେ ଚଳୁଛି, ଉତ୍କଳର ଦୁର୍ଦ୍ଦଶା ଦେଖ । ମୁଁ ବାବୁ ବିଶ୍ୱନାଥ କର, ବାବୁ ବ୍ରଜସୁନ୍ଦର ଦାସ ମହାଶୟମାନଙ୍କୁ ଶତବାର ଧନ୍ୟବାଦ ପ୍ରଦାନ କରିଥାଏ । ସେମାନେ ଜୀବନ ବ୍ରତକରି ଉପଯୁକ୍ତ ଲାଭର ପ୍ରତ୍ୟାଶା ପରିତ୍ୟାଗପୂର୍ବକ ମନ ପ୍ରାଣ ସମର୍ପଣ କରି ନଥିଲେ ଉତ୍କଳରୁ ମାସିକ ପତ୍ରିକାର ନାମ ପର୍ଯ୍ୟନ୍ତ ବିଲୁପ୍ତ ହୋଇଥାଆନ୍ତା । ମୁଁ ଏଥିପୂର୍ବେ ଦୁଇଜଣ ଶିକ୍ଷିତ ପଦସ୍ଥ ଲୋକଙ୍କୁ ଉତ୍କଳ ସାହିତ୍ୟର ଗ୍ରାହକ ହେବା ସକାଶ ଅନୁରୋଧ କରିଥିଲି, ଜଣେ ଉତ୍ତର ଦେଲେ ‘ଓଡ଼ିଆ କାଗଜରେ କ’ଣ ଅଛି ଯେ ଟଙ୍କା ଦେଇ କିଣିବୁ ।’ ଅନ୍ୟ ଜଣେ ଉତ୍ତର ଦେଇଥିଲେ ‘ନିତାନ୍ତ ସ୍ୱେଦଶହିତୈଷିତା ଦେଖାଇବାକୁ ନ ଗଲେ କି କେହି ଓଡ଼ିଆ କାଗଜ କିଣେ ନାହିଁ ।’ ସେମାନେ କେବେହେଲେ ସାହିତ୍ୟ ଓ ମୁକୁର ସ୍ପର୍ଶ କରିଥିଲେ ନିଶ୍ଚୟ ବୋଲନ୍ତେ ଏହି ଦୁଇଖଣ୍ଡି ବଙ୍ଗଳାର ଅନେକ ଦ୍ୱିତୀୟ ଶ୍ରେଣୀପତ୍ରିକାଠାରୁ ନ୍ୟୂନ ନୁହନ୍ତି । ସାପ୍ତାହିକ ପତ୍ରିକାର ଅବସ୍ଥା ମଧ୍ୟ ତଦ୍ରୂପ । ଦୀପିକା ବଙ୍ଗ ଦେଶର ସୋମ ପ୍ରକାଶ ଓ ଏଜୁକେଶନ ଗେଜେଟର ସମସାମୟିକ । ଆମ୍ଭମାନଙ୍କ ପରି ୪୦ ବର୍ଷ ପୂର୍ବେ ବଙ୍ଗୀୟ ଭ୍ରାତାମାନେ ମାତୃଭାଷା ପ୍ରତି ଉଦାସୀନ ଥିଲେ, ସେତେବେଳେ ସୋମ ପ୍ରକାଶ ଓ ଏଜୁକେଶନର ଗ୍ରାହକ ସଂଖ୍ୟା ଦୁଇ ହଜାରରୁ ବେଶି ନଥିଲେ । ବଙ୍ଗଳାରେ ବର୍ତ୍ତମାନ ସାମୟିକ ପତ୍ରିକା ଅସଂଖ୍ୟ, କେବଳ କଲିକତାରୁ ପ୍ରତି ସପ୍ତାହରେ ପ୍ରାୟ ୪ ଲକ୍ଷ ଖଣ୍ଡ ପତ୍ରିକା ବାହାରିଥାଏ । ବଙ୍ଗଳାରେ ଗୋଟିଏ କଥା ଅଛି ‘ସବେ ଧନ ନୀଳମଣି’ । ଉତ୍କଳ ଦୀପିକା ଅବସ୍ଥାରୁ ଆପଣା ଜାତୀୟ ମର୍ଯ୍ୟାଦା ବୁଝନ୍ତୁ । ଅଥଚ ମୁଁ ଜାଣେ ଉତ୍କଳ ଦୀପିକାର ଦୁଇଗୁଣ ବଙ୍ଗଳା ପତ୍ରିକା ଉତ୍କଳକୁ ଆସିଥାଏ । ଧନ ଯତ୍ନ ପରିଶ୍ରମ ବ୍ୟୟ ବିନା ଜଗତରେ କୌଣସି କାର୍ଯ୍ୟସାଧିତ ହୋଇ ନାହିଁ । ମହୋଦୟଗଣ, ଆପଣମାନେ ଦୁର୍ଦ୍ଦଶାଗ୍ରସ୍ତ ଉତ୍କଳ ଭାଷା ଆଲୋଚନା ନିମନ୍ତେ ଆପଣା ଆପଣାର ଅମୂଲ୍ୟ ସମୟ ବ୍ୟୟ କରନ୍ତୁ, ଏପରି ଅନୁରୋଧ କରିବାକୁ ମୋହର ସାହସ ଅଣ୍ଟୁ ନାହିଁ, ମାତ୍ର ଜାତୀୟମର୍ଯ୍ୟାଦା ବର୍ଦ୍ଧନ ମାତୃଭାଷାର ଲେଖକମାନଙ୍କୁ ଉତ୍ସାହ ଦାନ ସକାଶ ମାସିକ କିଛି କିଛି ଅର୍ଥ ବ୍ୟୟ ସ୍ୱୀକାର କରି ପତ୍ରିକା ଓ ପୁସ୍ତକ ଅନାୟାସରେ କ୍ରୟ କରିପାରନ୍ତି । ଦେଖିବେ ଅତଃପର କେତେ ଲେଖକ ବାହାରି ପଡ଼ିବେ । ଇଂରେଜୀରେ ଗୋଟିଏ ଢଗ ଅଛି, ‘‘Whether there is a want there is a supply.” ଚାଉଳିଆଗଞ୍ଜ ଠାରେ ପୂର୍ବେ ପଇସାକର ମୁଢ଼ି କିଣିବାକୁ ମିଳୁ ନଥିଲା, ବର୍ତ୍ତମାନ ଅନେକ ମିଷ୍ଟାନ୍ନ ଦୋକାନ ବିଦ୍ୟମାନ । ଯେହେତୁ ସେଠାରେ ବର୍ତ୍ତମାନ ଗ୍ରାହକର ଭିଡ଼ ଲାଗିଛି । ମୁଁ ଜାଣେ ବର୍ତ୍ତମାନ ବଙ୍ଗବାସୀମାନେ କନ୍ୟା ଓ ଭଗ୍ନୀମାନଙ୍କ ସକାଶ ଗୋଟିଏ ଖରଚର ଦଫା ନିର୍ଣ୍ଣୟ କରିଛନ୍ତି ।

 

ମହୋଦୟଗଣ, ଆମ୍ଭମାନଙ୍କ ଗୃହଲକ୍ଷ୍ମୀରୂପା କନ୍ୟା ଭଗ୍ନୀମାନେ ଅବସର କାଳରେ ଯେପରି ବୃଥା ଗଳ୍ପ, ଅସାର ଚିନ୍ତା ବା ଆଳସ୍ୟରେ ସମୟ ନଷ୍ଟ ନ କରନ୍ତି ସେଥିପାଇଁ ସେମାନଙ୍କ ସମ୍ମୁଖରେ ପୁସ୍ତକ ଓ ପତ୍ରିକା ସଂଗ୍ରହ କରି ରଖନ୍ତୁ । ଇଂଲଣ୍ଡ ଓ ଆମେରିକାବାସୀ ଅତି ନିମ୍ନଶ୍ରେଣୀ ଲୋକ ମଧ୍ୟ ଘର ଖର୍ଚ୍ଚ ତେଲ ଲୁଣ ପରି ପ୍ରତିଦିନ ପତ୍ରିକା ଓ ପୁସ୍ତକ କିଣିବା ନିମନ୍ତେ କିଛି କିଛି ଅର୍ଥବ୍ୟୟ କରିଥାନ୍ତି । ଏଥିପାଇଁ ସେମାନଙ୍କର ଜଗତ୍‌ବ୍ୟାପୀ ଆଧିପତ୍ୟ ଏବଂ ସମାଦର । ବହୁକାଳରୁ ପ୍ରଚଳିତ ଅଛି । କିନ୍ତୁ ସେସବୁର ପ୍ରଣୟନର ସମୟ ସ୍ଥିରୀକୃତ ହୋଇନାହିଁ । ସେହିସବୁ ଗ୍ରନ୍ଥର ରଚକମାନେ, କେଉଁ ସମୟରେ, କେଉଁ ପ୍ରଦେଶରେ ବର୍ତ୍ତମାନ ଥିଲେ ତାହା ମଧ୍ୟ ଏହି ସଭାଦ୍ୱାରା ନିରୂପିତ ହୋଇପାରେ । ଗ୍ରନ୍ଥ ସମୁଦାୟ ନିତାନ୍ତ ଅଶୁଦ୍ଧାବସ୍ଥାରେ ପଡ଼ିଅଛି । ସେ ସମୁଦାୟ ମୁଦ୍ରିତ କରିବା ଆବଶ୍ୟକ । ତତ୍ସମୁଦାୟ ପଙ୍କୋଦ୍ଧାର ହେଲେ ସମଧିକ ପ୍ରତିଷ୍ଠାର କାର୍ଯ୍ୟ ହେବ । ଏଥିଉତ୍ତାରୁ ରାଜା ପ୍ରତାପରୁଦ୍ରଙ୍କ ସମୟରେ ଦୀନକୃଷ୍ଣ ଦାସ ନାମକ ଏକ କବିକର୍ତ୍ତୃକ ରସକଲ୍ଲୋଳାଦି କାବ୍ୟ ବିରଚିତ ହୋଇଅଛି । ତଦ୍‌ବ୍ୟତିରେକେ ଅନୁସନ୍ଧାନଦ୍ୱାରା ଜଣାଯାଇଅଛି ଯେ ଭାରତ ଚନ୍ଦ୍ରଙ୍କର ସମକାଳରେ ଘୁମୁସରାଧିପତି ଉପେନ୍ଦ୍ରଭଞ୍ଜଙ୍କ କର୍ତ୍ତୃକ ବୈଦେହୀଶବିଳାସ, ସୁଭଦ୍ରାପରିଣୟ ଏବଂ ପ୍ରେମସୁଧାନିଧି ପ୍ରଭୃତି ବହୁତର କାବ୍ୟ ପ୍ରଣୀତ ହୋଇଅଛି । ଯଦିଚ ଏହି ସମୁଦାୟ ଗ୍ରନ୍ଥରେ ଭାବାଳଙ୍କାରଠାରୁ ଶବ୍ଦାଳଙ୍କାର ପ୍ରାଚୁର୍ଯ୍ୟ ବିଦ୍ୟମାନ ତଥାପି ସେହି ସମୁଦାୟ ପଢ଼ିବା ସମୟରେ ରଚକମାନଙ୍କର ଅସାଧାରଣ କ୍ଷମତା ପ୍ରତିପନ୍ନ ହୋଇଥାଏ । ଅତଏବ ଏହି ସମୁଦାୟ ଗ୍ରନ୍ଥ ଅତି ସୁଲଭ ମୂଲ୍ୟରେ ମୁଦ୍ରିତ କରି ଅଧିକ ପରିମାଣରେ ପ୍ରଦେଶ ମଧ୍ୟରେ ପ୍ରଚାର କରିବାର ପ୍ରୟୋଜନ । ଅଧନ, ସଧନ ସର୍ବସାଧାରଣ ସକଳ ପ୍ରକାର ଶ୍ରେଣୀସ୍ଥ ଲୋକ ସେହି ସମୁଦାୟ ପାଠ କରୁ କରୁ କ୍ରମେ କ୍ରମେ ସେମାନଙ୍କ ମନରେ ସୌନ୍ଦର୍ଯ୍ୟ, ଗାମ୍ଭୀର୍ଯ୍ୟ ଏବଂ ମାଧୁର୍ଯ୍ୟାଦିର ଆକାଙ୍‌କ୍ଷା ସଞ୍ଚାରିତ ହେଉଥିବ; ସେତେବେଳେ ସେମାନେ ଉକ୍ତ ଆକାଙ୍‌କ୍ଷା ଚରିତାର୍ଥ କରିବା ନିମନ୍ତେ ଉଦ୍‌ଯୋଗୀ ହେବେ । ସେ ସମୟରେ ବିଶଦ ଭାବପୂର୍ଣ୍ଣ ଲଳିତ ଭାଷାରେ ଗ୍ରନ୍ଥ ରଚନା କରିବାର ପ୍ରୟୋଜନ ହେବ । ପରମେଶ୍ୱର କୌଣସି ଅଭାବ ଚିରକାଳ ନିମିତ୍ତ ପ୍ରାଦୁର୍ଭୂତ ରଖନ୍ତି ନାହିଁ । ସର୍ବପ୍ରକାର ଅଭାବ ଖଣ୍ଡନ ନିମିତ୍ତ ମନୁଷ୍ୟ ମନରେ ବୁଦ୍ଧି ଦେଇଅଛନ୍ତି, ଅବଶ୍ୟ ଅଭାବସ୍ଥଳରେ ପ୍ରଚୁର ହୋଇପାରିବ । ଏଠାରେ ବିଦ୍ୟାଳୟରେ ଯେଉଁ ସମସ୍ତ ବାଳକ ଅଧ୍ୟୟନ କରୁଅଛନ୍ତି ସମୟରେ ସେମାନେ ମହାମହୋପାଧ୍ୟାୟ ପଣ୍ଡିତ ଏବଂ ସୁକବି ହୋଇପାରନ୍ତି । କୌଣସି ଇଂଲଣ୍ଡୀୟ କବି କହନ୍ତି ଯେ, କାନନରେ ଅନେକ ମନୋହର ପୁଷ୍ପ ବିକଶିତ ହୋଇ ଜଙ୍ଗଲୀୟ ସମୀରରେ ଆପଣା ଆପଣା ମଧୁର ସୌରଭ ବିଧ୍ୱଂସ କରୁଅଛି ଏବଂ କେତେ କେତେ ସୁନିର୍ମଳ ଜ୍ୟୋତିର୍ମୟ ରତ୍ନଚୟ ରତ୍ନାକରର ନିବିଡ଼ ତିମିରପୂର୍ଣ୍ଣ ତରଙ୍ଗମାଳା ମଧ୍ୟରେ ନିହିତ ଅଛି । ସେହିପ୍ରକାର ଆମ୍ଭମାନଙ୍କ ବିଦ୍ୟାଳୟରେ ଅପରିମିତ ଛାତ୍ର ଅଛନ୍ତି ଏବଂ ତାହାଙ୍କ ମଧ୍ୟରୁ କେହି କେହି କାଳକ୍ରମେ ବିଦ୍ୟା ବିଷୟରେ ବ୍ୟୁତ୍ପତ୍ତି ପ୍ରଦର୍ଶନପୂର୍ବକ ଯଶସ୍ୱାନ୍‌ ହୋଇପାରନ୍ତି । ତାହାଙ୍କ ଦ୍ୱାରା ଅନାଦୃତ ଉତ୍କଳ ଭାଷା ବିମଳବିଭାରେ ସନ୍ଦୀପିତ ହୋଇପାରେ; କିନ୍ତୁ ଯେରୂପ କୌଣସି ପୁତ୍ତଳିକା ଗଢ଼ିବାକୁ ହେଲେ ପ୍ରଥମରେ ତୃଣ ମୃତ୍ତିକାଦିର ଆବଶ୍ୟକତା ଅଛି ସେହିରୂପ ସ୍ୱଭାଷା ପୁଷ୍ଟି ପକ୍ଷରେ ତାହାର ପ୍ରଧାନ ଉପାଦାନ ପୂର୍ବ ବିରଚିତ ଗ୍ରନ୍ଥାଦି ଅଛି । ଅତଏବ ଆମ୍ଭର ପ୍ରସ୍ତାବ ଏହି ସଭା ଉତ୍କଳ ପ୍ରାଚୀନ ଗ୍ରନ୍ଥ ସମୁଦାୟ ଯଥାକ୍ରମେ ଶ୍ରେଣୀବଦ୍ଧ ନିୟମରେ ମୁଦ୍ରିତ ଓ ପ୍ରଚାରିତ କରନ୍ତୁ ।

 

(‘‘ଉତ୍କଳ ଭାଷୋଦ୍ଦୀପନା’’ ସଭାରେ ପ୍ରଦତ୍ତ ଏବଂ ୧୯।୫।୧୮୬୭ ତାରିଖର ଉତ୍କଳ ଦୀପିକାରେ ପ୍ରକାଶିତ)

Image

 

ଅଭିଭାଷଣ

(ଶ୍ରୀ ଗୌରୀଶଙ୍କର ରାୟ)

 

ଭଦ୍ରବୃନ୍ଦ,

 

ଆଜି ସଭାର କାର୍ଯ୍ୟ ନିର୍ବାହାର୍ଥ ମୋତେ ସଭାପତି ଆସନ ପ୍ରଦାନ କରିବାରୁ ମୁଁ କି ପର୍ଯ୍ୟନ୍ତ କୃତଜ୍ଞ ହୋଇଅଛି, ସମୁଚିତରୂପେ ପ୍ରକାଶ କରିବାକୁ ଅକ୍ଷମ । ଏତେ ଉଚ୍ଚ ସମ୍ମାନର ଭାଜନ ମୁଁ ନୁହେଁ, ଏହା ଏକମାତ୍ର ଆପଣମାନଙ୍କ ସ୍ନେହର ନିଦର୍ଶନ ବୋଲି ମଣୁଅଛି । ପ୍ରଚଳିତ ରୀତି ଅନୁସାରେ ସଭାପତିଙ୍କଠାରୁ କାଳୋଚିତ ମନୋହର ବକ୍ତୃତା ଶୁଣିବାକୁ ଆପଣମାନେ ଅବଶ୍ୟ ଆଶା କରନ୍ତି, ମାତ୍ର ମୁଁ ବକ୍ତା ନୁହେଁ ଅର୍ଥାତ୍‌ ସଭାରେ ବକ୍ତୃତା ଦେବା ଅଭ୍ୟାସ କରିନାହିଁ ଓ ସେ ଶକ୍ତି ମୋର ନାହିଁ । ବିଶେଷତଃ ମୋର ସାହିତ୍ୟ ଆଲୋଚନା ଏତେ ଅଳ୍ପ ଯେ, ସେଥିରେ ପୁଷ୍ଟି ଓ ଅଗ୍ରଗତି ସମ୍ବନ୍ଧରେ ସୁପରାମର୍ଶ ଦେବାକୁ ସାହସ ହେଉନାହିଁ । ଏଣୁ ଆପଣମାନଙ୍କ ଆଶା ପୂର୍ଣ୍ଣ କରିବାକୁ ଅକ୍ଷମ ବୋଲି ଦୁଃଖିତ ଓ କ୍ଷମା ପ୍ରାର୍ଥନା କରୁଅଛି । ମୁଁ ଜଣେ ସୁବକ୍ତା ବା ଲେଖକ ନ ହେଲେହେଁ ଉତ୍କଳ-ସାହିତ୍ୟ ପ୍ରତି ମୋର ଆନ୍ତରିକ ଅନୁରାଗ ଅଛି ଏବଂ ତହିଁର ରକ୍ଷଣ ଏବଂ ସମ୍ପ୍ରସାରଣରେ ସେତୁବନ୍ଧ ନିର୍ମାଣରେ ଗୁଣ୍ଡୁଚିମୂଷା ପରି ଯୋଗ ଦେବାକୁ ତ୍ରୁଟି କରିନାହିଁ । ଏହି ସାମାନ୍ୟ ହେତୁରେ ଆପଣମାନେ ଏତେ ସମ୍ମାନ ମୋତେ ଯାଚିଲାରୁ ମୁଁ ନାସ୍ତି କରି ନପାରି ଆପଣମାନଙ୍କୁ ପ୍ରାର୍ଥନା କରୁଅଛି ଯେ, ନିଜ ଗୁଣରେ ଅଦ୍ୟସଭାର କାର୍ଯ୍ୟ ସୁସମ୍ପନ୍ନ କରିନେବା ବିଷୟରେ ମୋର ସହାୟ ହେବେ ଏବଂ ସଭାର ଉଦ୍ଦେଶ୍ୟ ସଫଳ କରିବେ ।

 

ମୁଁ କହିଅଛି ଯେ, ଉତ୍କଳ-ସାହିତ୍ୟ ମୋତେ ଅତ୍ୟଳ୍ପ ଜଣା । ଶିଶୁ ଅବସ୍ଥାରେ ଚାଟଶାଳୀରେ ରାସ, ଗୋପୀଭାଷାଦି ଯାହା ପଢ଼ିଥିଲି ତାହା କେବଳ ଅକ୍ଷର ଫିଟିବା ନିମନ୍ତେ, ଅର୍ଥ ବୁଝିବା କ୍ଷମତା ଅଥବା ବୁଝାଇବା ରୀତି ତେତେବେଳେ ନଥିଲା, ପରେ ଇଂରାଜୀ ସ୍କୁଲରେ ମୋର ଓଡ଼ିଆ ଶିକ୍ଷା ମିସନ ଛାପାଖାନାରେ ମୁଦ୍ରିତ ନୀତିକଥା, ହିତୋପଦେଶ ପ୍ରଭୃତି ସୀମାକୁ ଡେଇଁ ନଥିଲା । ସୁତରାଂ ଉତ୍କଳ ସାହିତ୍ୟର ପରିଚୟ ଆଦୌ ପାଇ ନଥିଲି ବୋଲିବା ଅତ୍ୟୁକ୍ତି ନୁହେଁ । ସ୍କୁଲ ଛାଡ଼ି ସରକାରୀ କାର୍ଯ୍ୟ ପାଇ କେତେଜଣ କଚେରି ବନ୍ଧୁଙ୍କଠାରୁ ବୈଦେହୀଶବିଳାସ ପ୍ରଭୃତି ଦୁଇ ଏକ ପଦ ଅର୍ଥ ସହିତ ଶୁଣି ସେ ଦିଗକୁ ମୋର ମନ ଧାଇଁଲା ଏବଂ କେତେଜଣ ଅତି ପ୍ରିୟବନ୍ଧୁ ଯଥା–ସ୍ୱର୍ଗୀୟ ବନମାଳୀ ସିଂହ, ରାଧାମୋହନ ପଟ୍ଟନାୟକ, ଜଗମୋହନ ଲାଲ, ପ୍ୟାରୀମୋହନ ସେନ ଆଦି ମିଶି ନିତ୍ୟ ସନ୍ଧ୍ୟାବେଳେ ଅନ୍ତତଃ ଏକ ଘଣ୍ଟା ପ୍ରେମସୁଧାନିଧି, ଲାବଣ୍ୟବତୀ ପ୍ରଭୃତି ପାଠ କରି ଉତ୍କଳ-ସାହିତ୍ୟର ସ୍ୱାଦ ପାଇଲି ଏବଂ ସେ ସବୁ ପ୍ରଚାରର ସୁବିଧା ନିମନ୍ତେ ଛାପାଖାନାର ଅଭାବ ବିଶେଷରୂପେ ଅନୁଭୂତ ହେଲା । ଅଳ୍ପ ଦିନ ପରେ ଈଶ୍ୱରଙ୍କ ଅପାର ମଙ୍ଗଳ ବିଧାନରେ କଟକ ପ୍ରିଣ୍ଟିଂ କୋମ୍ପାନୀ ମୁଦ୍ରା ଯନ୍ତ୍ରାଳୟ ଏ ନଗରରେ ପ୍ରତିଷ୍ଠିତ ହେଲା ଏବଂ ତହିଁର କାର୍ଯ୍ୟଭାର ମୋ ପ୍ରତି ନ୍ୟସ୍ତ ହେଲା । ସେହିଦିନୁ ସେକାଳର ଉତ୍କଳ-ସାହିତ୍ୟଜ୍ଞ ବ୍ୟକ୍ତିଗଣଙ୍କ ପରିଶ୍ରମ ଓ ଯନ୍ତ୍ରଦ୍ୱାରା ପ୍ରାଚୀନ ଉତ୍କଳ ପୁସ୍ତକମାନ କ୍ରମେ ଯେପରି ପ୍ରକାଶିତ ହେଉଅଛି ତାହା ଅନେକଙ୍କୁ ଜଣା ଅଛି । ସେ ସମ୍ବନ୍ଧରେ ଅଧିକ କିଛି କହିବା ଅନାବଶ୍ୟକ । ଭାରତ ଏକ ବିଶାଳ ରାଜ୍ୟ । ସେଥିର ଖଣ୍ଡ ବା ପ୍ରଦେଶର ବିଦ୍ୟା ଓ ସଭ୍ୟତାର ପ୍ରମାଣ ସେ ପ୍ରଦେଶ-ପ୍ରଚଳିତ ଭାଷା-ସାହିତ୍ୟ ଅଟେ । ଉତ୍କଳର ପୂର୍ବଗୌରବ ଯେମନ୍ତ ଏକ ସମ୍ପ୍ରତି ଉତ୍କଳରେ ଅନେକ ପ୍ରତିଭାଶାଳୀ ଶିକ୍ଷିତ ଲୋକ ବର୍ତ୍ତମାନ ଇଚ୍ଛା କଲେ ସେମାନେ ସୁନ୍ଦର ସୁନ୍ଦର ଗ୍ରନ୍ଥ ଲେଖି ପାରିବେ । ଶିକ୍ଷିତ ଲୋକେ ଅଭ୍ୟାସ କଲେ ସହଜରେ ସୁଲେଖକ ହୋଇପାରିବେ । ଅସଂଖ୍ୟ କ୍ଷୁଦ୍ର ଉଇ କଣିକା କଣିକା ମାଟି ପକାଇ ଉଚ୍ଚ ଟିକରା (ହୁଙ୍କା) ନିର୍ମାଣ କରନ୍ତି । ସମବେତ ଜନରେ କି କାର୍ଯ୍ୟ ସାଧିତ ହୋଇ ନ ପାରେ । ସତ୍ୟ କଥା ବର୍ତ୍ତମାନ ଉତ୍କଳର ଲେଖକମାନେ ନିତାନ୍ତ ଦରିଦ୍ର, ସେମାନଙ୍କ ଅନେକ ଲେଖା ଅର୍ଥାଭାବରୁ ପଡ଼ି ରହିଅଛି, ଦୁଃଖର କଥା ଉତ୍କଳରେ ନିତାନ୍ତ ଅଭାବ, ଅତି ସୁନ୍ଦର ଲିଖିତ ଅତି ଉପଯୁକ୍ତ ଖଣ୍ଡିଏ ଅଭିଧାନ ଅର୍ଥାଭାବରୁ ପଣ୍ଡିତ ଗୋପୀନାଥ ନନ୍ଦ ପ୍ରକାଶ କରିବାକୁ ଏ ପର୍ଯ୍ୟନ୍ତ ସମର୍ଥ ହେଲେ ନାହିଁ । ଏହି ସମସ୍ତ ଦୃଷ୍ଟାନ୍ତ ଦୃଷ୍ଟିରେ ଅନେକ ସୁଲେଖକ ହାତ ଗୋଟାଇ ବସିଲେଣି । ନୂଆ ବା କିଏ ଲେଖିବ ? ମାତ୍ର ତୁମ୍ଭେ ଦୋକାନୀ ଗହକି ଦୁଇ ହୁଅ, ହାଟରେ ଭିଡ଼ ଭାଙ୍ଗି ହେବ ନାହିଁ ।

 

ବୌଦ୍ଧ ଧର୍ମ ବିଷୟ ଆଲୋଚନା ଏହି ସଭାର ଅନ୍ୟତମ ଉଦ୍ଦେଶ୍ୟ ଅଟେ । ଚିରନ୍ତନ ପ୍ରଥାନୁସାରେ ସଭାପତିକୁ କିଛି ବୋଲିବାକୁ ହୁଏ । ଏଥିପାଇଁ ସେ ସମ୍ବନ୍ଧେ ବୌଦ୍ଧନୀତି ଆଲୋଚନା ଅଦ୍ୟକାର ସଭାର ଉଦ୍ଦେଶ୍ୟ । ଏଥି ସମ୍ବନ୍ଧେ ଗୋଟିଏ ଛାତ୍ର ପ୍ରବନ୍ଧପାଠ କରିଛନ୍ତି । ଆଉ ଅଧିକ କିଛି ବୋଲିବାର ପ୍ରୟୋଜନ ନାହିଁ । ଚିରନ୍ତନ ପ୍ରଥା ଅନୁସାରେ ସଂକ୍ଷେପରେ କେତୋଟି କଥା ବୋଲି କାର୍ଯ୍ୟ ଶେଷ କରିବାକୁ ଇଚ୍ଛା କରେ ।

 

ଆଜକୁ ୪୦ ବର୍ଷ ପୂର୍ବେ ଜଣେ ବହୁଦର୍ଶୀ ୧୧ଟା ଭାଷାରେ ସୁପଣ୍ଡିତ ଇଂରେଜ ଯେ କି ନିଜେ ଖ୍ରୀଷ୍ଟାନ ଅଟନ୍ତି, ମୋତେ କେତେଥର କହିଥିଲେ ବୌଦ୍ଧ ଧର୍ମ ପୃଥିବୀରେ ଶ୍ରେଷ୍ଠତମ ଧର୍ମ । ପ୍ରକୃତ ଧର୍ମ ନୀତି ଶିକ୍ଷା କରିବାକୁ ହେଲେ ବୌଦ୍ଧ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିବା ଉଚିତ ।

 

ଉକ୍ତ ମହାତ୍ମାଙ୍କ ମୁଖରୁ ଏହି କଥା ଶୁଣି ମୁଁ ବୌଦ୍ଧ ଧର୍ମ ନୀତି ଜାଣିବାକୁ ଇଚ୍ଛା କରେ । ଉଦ୍ଦେଶ୍ୟ ସାଧନ ନିମନ୍ତେ ପାଲିଭାଷାରେ ଲିଖିତ ଲଳିତବିସ୍ତରଯାକେ ଏବଂ ଅନ୍ୟାନ୍ୟ ଗ୍ରନ୍ଥ ଅଧ୍ୟୟନ ଆରମ୍ଭ କରିଥିଲି । ଉପଯୁକ୍ତ ଶିକ୍ଷକ ଅଭାବରୁ ଯଦିଚ ଉକ୍ତ ଗ୍ରନ୍ଥମାନ ଭଲରୂପେ ଆୟତ୍ତ କରିବାକୁ ସକ୍ଷମ ହୋଇନାହିଁ; ମାତ୍ର ଯେତେ ଦୂର ପଢ଼ିଲି ସେଥିରୁ ଏତିକି ମାତ୍ର ଉପଦେଶ ପ୍ରାପ୍ତ ହୋଇଅଛି, ବୌଦ୍ଧ ଧର୍ମ ବିଜ୍ଞାନମୟ ଦର୍ଶନ ଶାସ୍ତ୍ର ଉପରେ ପ୍ରତିଷ୍ଠିତ । ଧର୍ମର ପ୍ରଧାନ ଅଙ୍ଗ ଉଦାରତା, ଦୟା, ପରୋପକାରିତା, ମୈତ୍ରୀ; ପ୍ରାଣୀହିତୈଷଣା ପ୍ରଭୃତି ଗୁଣମାନଙ୍କର ଉଚ୍ଚ ଶିକ୍ଷା ବୌଦ୍ଧ ଦର୍ଶନ ଶାସ୍ତ୍ର ପ୍ରଦାନ କରେ । ସେହି ଧର୍ମର ଏପରି ଗୋଟାଏ ମହିୟସୀ ଶକ୍ତି ନଥିଲେ ସାମାନ୍ୟ ଭିକ୍ଷୁମାନଙ୍କ ଦ୍ୱାରା ଏହି ଧର୍ମ ଜଗତ୍‌ବ୍ୟାପ୍ତ ହେବାକୁ ସକ୍ଷମ ହୋଇ ନଥାନ୍ତା । ସମସ୍ତ ଆସିୟା, ୟୁରୋପ, ଆଫ୍ରିକାରେ ଏହି ଧର୍ମ ବ୍ୟାପ୍ତ ହୋଇଥିଲା ଏବଂ କଲମ୍ବସ୍‌ ଆବିର୍ଭାବର ସହସ୍ରାଧିକ ବର୍ଷ ପୂର୍ବେ ବୌଦ୍ଧ ଭିକ୍ଷୁମାନେ କାମସ୍କଟ୍‌କା ବାଟରେ ଆମେରିକା ଯାଇଥିବାର ପ୍ରମାଣ ବିଦ୍ୟମାନ ରହିଅଛି । ବର୍ତ୍ତମାନ ଅବସାଦ ସମୟରେ ମଧ୍ୟ ପୃଥିବୀର ଲୋକ ସମଷ୍ଟିର ଏକ ତୃତୀୟାଂଶ ବୌଦ୍ଧ ଧର୍ମାବଲମ୍ବୀ । ଏ କଥା ଉଲ୍ଲେଖ କରିବା ନିଷ୍ପ୍ରୟୋଜନ, ବର୍ତ୍ତମାନ ପ୍ରଚଳିତ ପୃଥିବୀର ସମସ୍ତ ପ୍ରଧାନ ଧର୍ମ ମଧ୍ୟରେ ବୌଦ୍ଧ ଧର୍ମ ଅଗ୍ରଜ । ଭଗବାନ ବାସୁଦେବ ଅର୍ଜ୍ଜୁନଙ୍କୁ ବୋଲିଥିଲେ–

 

‘‘ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ,

ଅଭ୍ୟୁତ୍‌ଥାନ ମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ।’’

 

ପୃଥିବୀର ଧର୍ମ ଇତିହାସ ପାଠ କଲେ ସୁସ୍ପଷ୍ଟ ଜଣାଯାଏ ଭଗବାନ ବାସୁଦେବଙ୍କ ଶ୍ରୀମୁଖ ବାଣୀ ଅକ୍ଷରେ ଅକ୍ଷରେ ସତ୍ୟ । ପୃଥିବୀର ଆଦିଧର୍ମ ସନାତନଧର୍ମ । ବୈଦିକ ଧର୍ମରେ ଗ୍ଳାନି ଉପସ୍ଥିତ ହେବା ସମୟରେ ଭଗବାନ ଶାକ୍ୟ ସିଂହଙ୍କର ଆବିର୍ଭାବ । ଉତ୍କଳ ବିରାଜିତ ଜଗନ୍ନାଥଦେବ ବୌଦ୍ଧବତାର ନାମରେ କଥିତ । ବୌଦ୍ଧଧର୍ମର ପ୍ରବଳ ଶତ୍ରୁ ବ୍ରାହ୍ମଣମାନେ ମଧ୍ୟ ବୁଦ୍ଧଦେବଙ୍କୁ ଈଶ୍ୱରାବତାର ବୋଲି ଅସ୍ୱୀକାର କରିବାକୁ ଅକ୍ଷମ ଅଧିକନ୍ତୁ ବୋଲନ୍ତି ଜଗତର ରାକ୍ଷସମାନଙ୍କ ଅର୍ଥାତ୍‌ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ବିନାଶ ନିମନ୍ତେ କପଟରେ ସେମାନଙ୍କ ମଧ୍ୟରେ ଭଗବାନ୍‌ ବୁଦ୍ଧରୂପେ ଅବତୀର୍ଣ୍ଣ ହୋଇଥିଲେ । ହେ ବ୍ରାହ୍ମଣଗଣ ତୁମ୍ଭମାନଙ୍କର ବିଶ୍ୱ ସଂସାରର ଉପାସ୍ୟ ଦେବତା ଈଶ୍ୱରଙ୍କ ପ୍ରତି କପଟତା ଦୋଷଆରୋପ କରି ଯେ କି ମହାପାପ ଅର୍ଜନ କରିଛ ସେ କଥାବେଳେ ଚିନ୍ତାକରି ଦେଖ । ଯେଉଁ ମହାପ୍ରାଣ ସାମାନ୍ୟ ପଶୁପକ୍ଷୀର ମଧ୍ୟ କଷ୍ଟ ଅସହିଷ୍ଣୁ ସେ କୋଟି କୋଟି ଲୋକ ବିନାଶ ନିମନ୍ତେ କପଟତା ଅବଲମ୍ବନ କରିବେ, ଆପଣମାନଙ୍କ ବିନା ନିତାନ୍ତ ବିଦ୍ୱେଷ ଚାଳିତ ହୋଇ ଆଉ କିଏ ଏ କଥା କହି ଘୋର ମହାପାପ ଅର୍ଜନ କରିବାକୁ ସାହସୀ ହେବ ।

 

ଭାରତର ପରମ ସୌଭାଗ୍ୟ ଭଗବାନ୍‌ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ, ମହାଦୁର୍ଭାଗ୍ୟ ଭାରତରୁ ବୌଦ୍ଧଧର୍ମର ଉଚ୍ଛେଦନ । କି ରାଜନୀତି, କି ଧର୍ମନୀତି କି ଭାଷା ବିସ୍ତାର ସମସ୍ତ ବିଷୟର ଉନ୍ନତିର ପରାକାଷ୍ଠା କେବଳ ବୌଦ୍ଧଧର୍ମ ପ୍ରଭାବରୁ ଭାରତ ଲାଭ କରିଥିଲା । ଭାରତର ଏକଛତ୍ରତ୍ୱ ଅଶୋକ, ବିନ୍ଦୁସାର; ଚନ୍ଦ୍ରଗୁପ୍ତ, ଶିଳାଦିତ୍ୟ ବା ହର୍ଷବର୍ଦ୍ଧନ ପ୍ରଭୃତି ଅସଂଖ୍ୟ ସାର୍ବଭୌମ ସମ୍ରାଟମାନଙ୍କର ଆବିର୍ଭାବ ବୌଦ୍ଧ ଯୁଗରେ ହୋଇଥିଲା । ବୌଦ୍ଧ ଧର୍ମର ବିନାଶ ସଙ୍ଗେ ଭାରତର ଏକତା ଏବଂ ସ୍ୱାଧୀନତା ଛିନ୍ନଭିନ୍ନ ଓ ଅନ୍ୟର କରାୟତ୍ତ । ଭାରତର ପ୍ରାଦେଶିକ ଭାଷାମାନ ବୌଦ୍ଧ ପ୍ରଭାବରେ ଉନ୍ନତି ଲାଭ କରେ; ପ୍ରକୃତ ମାନବହିତୈଷିଣା ବୌଦ୍ଧ ଧର୍ମ ଭାରତକୁ ଅଥବା ପୃଥିବୀକୁ ଶିକ୍ଷା ଦେଇଅଛି । ପୀଡ଼ିତମାନଙ୍କ ନିମନ୍ତେ ଜଗତ୍‌ବ୍ୟାପୀ ଔଷଧାଳୟ ବିସ୍ତାର; ସର୍ବସାଧାରଣରେ ଶିକ୍ଷାଦାନ, ଧର୍ମପ୍ରଚାର, ପାନ୍ଥନିବାସ ସ୍ଥାପନ ପ୍ରଭୃତି ସୁମହତ୍‌ କାର୍ଯ୍ୟର ବୌଦ୍ଧ ଯୁଗରେ ଜଗତରେ ପ୍ରଥମ ସୂତ୍ରପାତ । ବୌଦ୍ଧ ଯୁଗରେ ପ୍ରଥମେ ଭାରତରେ ବିଶ୍ୱବିଦ୍ୟାଳୟ ସ୍ଥାପିତ । ବିହାର ନାଳନ୍ଦାରେ ତା’ର ସହସ୍ର ଶିଷ୍ୟ ଛାତ୍ରାବାସରେ ରହି ଅଧ୍ୟୟନ କରୁଥିଲେ । ବୌଦ୍ଧ ଭିକ୍ଷୁମାନେ ତାତ୍‌କାଳୀନ ନିବିଡ଼ ଅରଣ୍ୟ ଓ ହିଂସ୍ରଜନ୍ତୁପୂର୍ଣ୍ଣ ସମସ୍ତ ଏସିଆ, ୟୁରୋପ, ଆଫ୍ରିକା ମଧ୍ୟରେ ଭ୍ରମଣ କରି ପଶୁବତ୍‌ ଅସଭ୍ୟ ଲୋକମାନଙ୍କୁ ଯେ ଭାବରେ ଧର୍ମ ଓ ବିଦ୍ୟା ଶିକ୍ଷାଦାନ ଓ ପୀଡ଼ିତ ଲୋକର ସେବା ଶୁଶ୍ରୂଷା କରୁଥିଲେ, ତାହା ଚିନ୍ତା କଲେ ମନ ସ୍ତମ୍ଭୀତ ହୋଇପଡ଼େ । ଉତ୍ତାଳ ସମୁଦ୍ର ଲହରୀ ଲଂଘନପୂର୍ବକ କେବଳ ଜଣେ ଭିକ୍ଷୁ ଡଙ୍ଗା ଖଣ୍ଡିକରେ ଚଢ଼ି ଜାପାନ ଯାଇଥିଲେ, ସେହି ଏକମାତ୍ର ଭିକ୍ଷୁକ ଜାପାନ ରାଜ୍ୟର ଧର୍ମ ପ୍ରତିଷ୍ଠାତା ଅଟନ୍ତି । ବର୍ତ୍ତମାନ ବୌଦ୍ଧ ଧର୍ମର ଅବସାଦ ସମୟରେ ମଧ୍ୟ ପୃଥିବୀର ଲୋକ ସମଷ୍ଟିର ଏକ ତୃତୀୟାଂଶ ଲୋକ ଉକ୍ତ ଧର୍ମାବଲମ୍ବୀ ଅଟନ୍ତି । ହିନ୍ଦୁମାନଙ୍କ ଯୋଗେ କେତେ ଲକ୍ଷ ନିରୀହ ବୌଦ୍ଧ ଭିକ୍ଷୁକର ମସ୍ତକ ଚୂର୍ଣ୍ଣ ହୋଇଅଛି । ତହିଁରୁ ବଳି ଭାରତର ଗୁରୁତର କ୍ଷତି ବୌଦ୍ଧଧର୍ମ ଗ୍ରନ୍ଥମାନ ବିନାଶ ପ୍ରାପ୍ତ । ଗ୍ରନ୍ଥ ବିନାଶ ସମୟରେ କୌଣସି ସଦାଶୟ ବ୍ରାହ୍ମଣଙ୍କ ଯୋଗେ ଆମର ସିଂହକୃତ ଅଭିଧାନ ରକ୍ଷା ପାଇଥିବାର କଥିତ ହୁଏ । ସଂସ୍କୃତରେ ଶବ୍ଦାବଳୀର ନାମ ଲିଙ୍ଗାନୁଶାସନ ନିର୍ଣ୍ଣୟ କରିବା ଦୁରୂହ ବିଷୟ । କେବଳ ଅମରକୋଷରେ ସୁଗମ ଶିକ୍ଷା ପ୍ରଣାଳୀ ବିଦ୍ୟମାନ । ଅମରକୋଷ ସଂସ୍କୃତ ଭାଷାର ଅମୂଲ୍ୟ ନିଧି । ତାହା ଜଣେ ବୌଦ୍ଧ ଧର୍ମାବଲମ୍ବୀଙ୍କ ରଚିତ । ବଙ୍ଗ ବିଜେତା ନିରକ୍ଷର ବକ୍‌ତିୟାର ଖିଲିଜୀ ବିହାରସ୍ଥ ନାଲନ୍ଦା ଅଧିକାରପୂର୍ବକ ପୁସ୍ତକାଳୟ ପ୍ରତି ଦୃଷ୍ଟିପାତ କରି ପଚାରିଲେ, ଏ ସମସ୍ତ କୋରାଣ କି ନାହିଁ ? କୋରାଣ ନଥିବାର ଶୁଣି ସମସ୍ତ ପୁସ୍ତକ ବିନାଶ କରିବା ନିମନ୍ତେ ଆଦେଶ କରିବାରୁ ତାହାଙ୍କ ସମଭିବ୍ୟାହାରୀ ବହୁ ସଂଖ୍ୟକ ସେନା ସେହି ସମସ୍ତ ପୁସ୍ତକ ଦଗ୍‍ଧ କରି ଏକ ମାସ ପର୍ଯ୍ୟନ୍ତ ରୁଟି ସେକିଥିଲେ । ବର୍ତ୍ତମାନ ସୁସଭ୍ୟ ଇଂରେଜମାନେ ବହୁ ଯତ୍ନ ଆୟାସ ସ୍ୱୀକାର ପୂର୍ବକ ଦୁଷ୍ପ୍ରାପ୍ୟ ବୌଦ୍ଧ ଦର୍ଶନମାନ ସଂଗ୍ରହରେ ଯତ୍ନଶୀଳ ହୋଇଛନ୍ତି । ସଭ୍ୟ ମହୋଦୟଗଣ, ଗୁଣଗ୍ରାହୀତା ସମ୍ବନ୍ଧେ ହିନ୍ଦୁ ମୁସଲମାନ ଇଂରାଜୀ ମଧ୍ୟରେ ପାର୍ଥକ୍ୟ ବୁଝନ୍ତୁ । ଭାରତରୁ ବୌଦ୍ଧ ଧର୍ମ ବିତାଡ଼ନ ମହାଦୁର୍ଭାଗ୍ୟର ବିଷୟ । ଗୋଟାଏ ଅନ୍ୟତମ କାରଣ ଏହି କି ମୁସଲମାନମାନେ ଯେମନ୍ତ ତୁରସ୍କ ଆରବ ପାରସ୍ୟ ନାମ ଉଚ୍ଚାରଣ କରି ଆତ୍ମଗୌରବ ପ୍ରକାଶ କରିଥାନ୍ତି, ତଦୂପ ଆମ୍ଭେମାନେ ଚୀନ ଜାପାନ ବର୍ମା ପ୍ରଭୃତିଙ୍କୁ ଧର୍ମ ବନ୍ଧୁ ଜ୍ଞାନ କରି କେତେ ଆତ୍ମପ୍ରସାଦ ଅନୁଭବ କରୁଥାନ୍ତୁ ।

 

କଥିତ ହୁଏ ଭଗବାନ୍‌ ଶାକ୍ୟ ସିଂହଙ୍କ ଜୀବନକାଳରେ ଉତ୍କଳରେ ବୌଦ୍ଧ ଧର୍ମ ପ୍ରଚାରିତ ହୁଏ, ତାହା ସାତ ଶତ ବର୍ଷ ପର୍ଯ୍ୟନ୍ତ ଅସପତ୍ନ ଭାବରେ ଆଧିପତ୍ୟ ବିସ୍ତାର କରିଥିଲା । ତଦନନ୍ତର ଭାରତର ଅନ୍ୟାନ୍ୟ ଦେଶ ପରି କ୍ରମଶଃ ବିତାଡ଼ିତ ହୁଏ । ଖ୍ରୀଷ୍ଟୀୟ ଆଠ ଶତ ବର୍ଷରେ ଉତ୍କଳରେ ଅର୍ଦ୍ଧେକ ହିନ୍ଦୁ ଅର୍ଦ୍ଧେକ ବୌଦ୍ଧ ଧର୍ମାବଲମ୍ବୀ ବିଦ୍ୟମାନଥିବାର ଚୀନ ପରିବ୍ରାଜକ ୟୁୟନଚୟାଂ (ହୁଏନସାଂ) ଦେଖିଛନ୍ତି ।

 

ଉତ୍କଳରେ ବୌଦ୍ଧମାନଙ୍କର ପ୍ରଧାନ ପୀଠସ୍ଥାନ ଖଣ୍ଡଗିରି, ଜୈନମାନଙ୍କର ଉଦୟଗିରି, ସୌରମାନଙ୍କର କୋଣାର୍କ, ଶୈବମାନଙ୍କର ଭୁବନେଶ୍ୱର, ଶାକ୍ତମାନଙ୍କର ବିରଜା ଓ ବୈଷ୍ଣବମାନଙ୍କର ପୁରୀ କ୍ଷେତ୍ର ଅଟେ । ସଭ୍ୟ ମହୋଦୟଗଣ, ବିଚାର କରି ଦେଖନ୍ତୁ, ଭାରତପ୍ରଚଳିତ ସମସ୍ତ ପ୍ରଧାନ ଧର୍ମର ସମବେତ ଏତେ ସର୍ବ ପ୍ରଧାନ ପୀଠ ସ୍ଥାନ ଭାରତରେ ଅଥବା ସମସ୍ତ ପୃଥିବୀ ମଧ୍ୟରେ ଅନ୍ୟ କୌଣସି ଦେଶ ଅଛି କି ନାହିଁ । ସମସ୍ତ ଶ୍ରେଣୀର ଧର୍ମ ପ୍ରଚାରକମାନେ ଧର୍ମାଚାର୍ଯ୍ୟମାନେ ଉତ୍କଳରେ ଏମନ୍ତ କିଛି ମହାତ୍ମ୍ୟ ମହିମା ଅନୁଭବ କରିଥିଲେ, ଯହିଁରେ କି ସେମାନେ ଏକ ସଙ୍ଗରେ ବସି ପରାମର୍ଶ କଲାପରି ଏସ୍ଥାନରେ ଶ୍ରେଷ୍ଠ ପୀଠସ୍ଥାନ ସ୍ଥାପନ କରିଯାଇଛନ୍ତି । ଚୈତନ୍ୟଦେବଙ୍କ ଜୀବନର ସାର ଶ୍ରେଷ୍ଠ ଅଂଶ ଉତ୍କଳରେ ଅତିବାହିତ । ଉତ୍କଳ ଭୂମି ପୁଣ୍ୟମୟ, ଏହାର ପ୍ରତ୍ୟେକ ରେଣୁ ପୁଣ୍ୟ ପ୍ଳାବିତ ଭାରତର ସମସ୍ତ ଦିଗ ସୀମାନ୍ତଠାରୁ ଲକ୍ଷଲକ୍ଷ ଲୋକ ଆସି ଉତ୍କଳର ରେଣୁ ସ୍ପର୍ଶକରି ଆପଣା ଆପଣା ଜୀବନକୁ ଧନ୍ୟ ଜ୍ଞାନ କରୁଛନ୍ତି । ମହାରାଷ୍ଟ୍ରପତି ଶିବାଜୀ ଦିନେ ଭୁବନେଶ୍ୱର ଠାରେ ଠିଆହୋଇ କହିଥିଲେ, ‘‘ଉତ୍କଳ ଦେବନିବାସ ସ୍ଥାନ; ମାନବ ଏଥିରେ ବାସ କରିବାର ଯୋଗ୍ୟ ନୁହେଁ ।’’

 

ମହୋଦୟଗଣ !

 

ଆପଣମାନଙ୍କୁ ଅନେକ କଷ୍ଟ ଦେଲିଣି–ଆଉ ବେଳ ନାହିଁ କେବଳ ମୋ ମନର କେତୋଟି କଥା ପୁନରାବୃତ୍ତି କରି ନିବୃତ୍ତ ହେବି ।

 

ମହୋଦୟଗଣ, ଏହି ପ୍ରାଚୀନ ପୁଣ୍ୟମୟ–ନୈସର୍ଗିକ-ଶୋଭା-ସମ୍ପଦ-ଭଣ୍ଡାରପୂର୍ଣ୍ଣ ଦେଶରେ ବାସ କରି ମଧ୍ୟ ଆମ୍ଭେମାନେ ସଭ୍ୟ ସମାଜରେ କିପରି ଭାବରେ ପରିଚିତ ହେଉଅଛୁ–ଆପଣମାନଙ୍କୁ ପୂର୍ବପୁରୁଷମାନଙ୍କ ବୀରତ୍ୱ, ଶିଳ୍ପକୌଶଳ, ବୁଦ୍ଧି ମତ୍ତା, ଧୀରତା ଧର୍ମାନୁଷ୍ଠାନ ବିଷୟବେଳେ ମନ ମଧ୍ୟରେ ଚିନ୍ତା କରନ୍ତୁ; ଏହି ବିଂଶ ଶତାବ୍ଦୀ ଜ୍ଞାନବିଜ୍ଞାନ ବାହୁଲ୍ୟ ପ୍ରଚାର ସମୟରେ ଆମ୍ଭେମାନେ କେତେ ଦୂର ପଛରେ ପଡ଼ିଛୁ ଏହା ମଧ୍ୟ ଚିନ୍ତାର ବିଷୟ ଅଟେ ।

 

ଆଉ କଥାରେ ହେବ ନାହିଁ, ଆସନ୍ତୁ କାର୍ଯ୍ୟରେ ନିଯୁକ୍ତ ହେଉଁ । ମିଷ୍ଟର ଦାସେ ଆମ୍ଭମାନଙ୍କୁ କାତର ଭାବରେ କେତେଥର କହିଛନ୍ତି, ‘‘ଦିନମାନ ୨୪ ଘଣ୍ଟା ମଧ୍ୟରେ ଅନ୍ତତଃ ୫ ମିନିଟ ସକାଶ ହେଲେ ସ୍ୱଦେଶ ବିଷୟ ଚିନ୍ତା କର ।’’ କେବଳ ଚିନ୍ତା ନୁହେଁ ସ୍ୱଦେଶ, ସ୍ୱଜାତି ଓ ମାତୃଭାଷା ସକାଶେ କାର୍ଯ୍ୟ କରିବାକୁ ହେବ; ତ୍ୟାଗ ସ୍ୱୀକାର କରିବାକୁ ହେବ । ଅର୍ଥ ବିନା କିଛି କାର୍ଯ୍ୟ ସିଦ୍ଧି ହୁଏନାହିଁ ।

 

ମାତୃଭାଷା ଉନ୍ନତି ସକାଶ ଅନ୍ତତଃ ଦିନକର ଆୟ ଦାନ କରିବା ପ୍ରସ୍ତାବ ହୋଇଥିଲା, ଆସନ୍ତୁ ଆଜିଠାରୁ ସେ ପ୍ରସ୍ତାବ କାର୍ଯ୍ୟରେ ପରିଣତ କରାଇବାକୁ ଚେଷ୍ଟା କରିବା । ଶିକ୍ଷିତ ଯୁବକ ଦଳ ସ୍ୱଦେଶରେ ଆଶା ଭରସା ସ୍ଥଳ । ମୋହର ବିଶେଷ ପ୍ରାର୍ଥନାପୂର୍ଣ୍ଣ ଆଶା, ଆଜଦିନ ଏହି ଶୁଭ ମୁହୂର୍ତ୍ତଠାରୁ ସେମାନେ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହେବେ ।

 

(କଟକ ଆଲୋଚନା ସଭାର ଚତୁର୍ଥ ବାର୍ଷିକ ଅଧିବେଶନରେ ପ୍ରଦତ୍ତ)

Image

 

ଅଭିଭାଷଣ

(ପଣ୍ଡିତ ଗୋପବନ୍ଧୁ ଦାସ)

 

X X X X

 

ମୁଁ ଜାତୀୟଶିକ୍ଷାର କଥା କହୁଛି, ଏହା କେବଳ ସ୍କୁଲ କଲେଜର ଶିକ୍ଷା ନୁହେଁ । ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଉପାୟରେ ଏହି ଶିକ୍ଷାର ବିସ୍ତାର କରାଯାଇପାରେ । ଜାତିର ଯେଉଁସବୁ ପ୍ରାଚୀନ ଅନୁଷ୍ଠାନ ଅଛି, ଧର୍ମକର୍ମରେ ଯେ ନାନାକେନ୍ଦ୍ର ଅଛି ସେ ସବୁ ସୂତ୍ରରେ ଜାତୀୟ ଶିକ୍ଷା ପ୍ରଚାର କରାଯାଇପାରେ । ଆଜିକାଲି ଶିକ୍ଷାର ଉନ୍ନତି ନିମନ୍ତେ ଭାରତରେ ନାନାବିଧ ଉଦ୍ୟମ ଲାଗିଅଛି । କେଉଁଠାରେ ଶ୍ରମଜୀବୀମାନଙ୍କ ନିମନ୍ତେ ନୈଶ ବିଦ୍ୟାଳୟ ବସୁଅଛି, କେଉଁଠାରେ ଜାତୀୟବିଦ୍ୟାଳୟ ପ୍ରତିଷ୍ଠିତ ହେଉଅଛି, କେଉଁଠାରେ ବା ପୂର୍ବ ବ୍ରହ୍ମଚର୍ଯ୍ୟ ବିଧାନର ପୁନରୁଦ୍ଧାର କରାଯାଉଅଛି, ବୈଷୟିକ ଶିକ୍ଷା ନିମନ୍ତେ ଶିଳ୍ପାଗାର ପ୍ରଦର୍ଶନୀମାନ ସ୍ଥାନେ ସ୍ଥାନେ ଫିଟୁଅଛି; କିନ୍ତୁ ଏ ସବୁରେ ଜାତୀୟଆକାଙ୍‌କ୍ଷା ପୂର୍ଣ୍ଣ ହେଉନାହିଁ, ଜାତୀୟଅଭାବ ଦୂର ହେଉନାହିଁ, ଏ ଦେଶରେ ଗଭୀର ଅଜ୍ଞାନ ଅନ୍ଧକାର ଏବଂ ଜଡ଼ତା ଯେପରି ଲୋକସାଧାରଣଙ୍କୁ ଗ୍ରାସି ରହିଅଛି । ସେଥିରେ ଶିକ୍ଷା ପ୍ରଚାର ଲାଗି ଆମ୍ଭମାନଙ୍କର ପ୍ରାଣାନ୍ତକ ଯତ୍ନ ଏବଂ ଅଧ୍ୟବସାୟ ସୁଦ୍ଧା ଯଥେଷ୍ଟ ନୁହେଁ । ଭାରତର ଉନ୍ନତତର ପ୍ରଦେଶରେ ଯେତେବେଳେ ଏହି ଅବସ୍ଥା ସେଠାରେ ଓଡ଼ିଶାର କଥା ବା କ’ଣ-। କେହି କେହି କହିଥାନ୍ତି ଓଡ଼ିଶାରେ ଅକ୍ଷର ଚିହ୍ନିବା ଲୋକଙ୍କ ସଂଖ୍ୟା ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ବେଶୀ । ଅନ୍ୟାନ୍ୟମାନଙ୍କ ନିକଟରେ ଆମ୍ଭମାନଙ୍କର ଜାତୀୟଗୌରବର ପରିଚୟ ଦେଲାବେଳେ କିମ୍ବା ସେହି ଗୌରବରେ ସରକାରଙ୍କ ଠାରୁ କିଛି ଅଧିକାର ଦାବି କଲାବେଳେ ଏଭଳି କଥାର କିଛି ପ୍ରୟୋଜନ ଥାଇପାରେ, କିନ୍ତୁ ବାସ୍ତବରେ ଆମ୍ଭେମାନେ ଯାହା ଦେଖୁ ଦେଶର କୌଣସି କୌଣସି ପଲ୍ଲୀପ୍ରାନ୍ତରେ କ୍ରମାଗତ ଗ୍ରାମ ପରେ ଗ୍ରାମ ଅତିକ୍ରମ କରି ଚାଲି ଯାଉଥିଲେ ଲୋକସାଧାରଣଙ୍କର ଦୁର୍ଗତି ଯେ ସବୁ ଆଖିରେ ପଡ଼େ ସେଥିରେ ଏଭଳି କଥା ସାନ୍ତ୍ୱନା ଦିଏ କି ? ପଲ୍ଲୀଗ୍ରାମରେ ଚୌକିଦାରୀ ପଞ୍ଚାୟତର ସୃଷ୍ଟି ହେଲା, ଅଧିକାଂଶ ସ୍ଥାନରେ ଲୋକସାଧାରଣଙ୍କ ଶିକ୍ଷା ଅଭାବରୁ ତହିଁର କି ଫଳ ହେଉଅଛି ତାହା ସମସ୍ତେ ଜାଣନ୍ତି । ସ୍ୱାସ୍ଥ୍ୟରକ୍ଷାର ସାମାନ୍ୟ ନିୟମ ପାଳନ କଲେ ଲୋକେ କେତେ ରୋଗ, ବ୍ୟାଧି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତେ, ନିଜର ଅଧିକାର ଜାଣିପାରିଲେ କେତେ ଅତ୍ୟାଚାରରୁ ନିଷ୍କୃତି ଲଭନ୍ତେ, ଶିକ୍ଷା ଅଭାବରୁ ଏହିପରି ପଦେ ପଦେ ଲୋକସାଧାରଣକୁ ଯେ କେତେ ବିପଦ ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଅଛି ତାହାର ଇୟତ୍ତା ନାହିଁ । ସରକାର ମଧ୍ୟ ଲୋକଶିକ୍ଷାର ପ୍ରୟୋଜନୀୟତା ଦିନୁଦିନ ଅଧିକ ହୃଦୟଙ୍ଗମ କରୁଅଛନ୍ତି । ଶାସନର ଉଦାରତା ନିମନ୍ତେ ଶିକ୍ଷିତ ପ୍ରଜାମାନେ ତାଡ଼ନା କରିପାରନ୍ତି, ମାତ୍ର ଅଶିକ୍ଷିତ ପ୍ରଜାମାନେ ତହିଁର ଉନ୍ନତିରେ ଅନ୍ତରାୟ, ସେମାନଙ୍କଠାରୁହିଁ ଅଧିକ ବିପଦର ଆଶଂକା । ଶିକ୍ଷାଲାଗି ଆର୍ଥିକ ସାହାଯ୍ୟ ସରକାର କ୍ରମେ ଚଢ଼ାଉଥିବା ସୁଖର କଥା, ତଥାପି ଯେଉଁ ଗତିରେ କାର୍ଯ୍ୟ ଚାଲିଛି ସେଥିରେ ପ୍ରୟୋଜନ ପୂରଣ ହେବାକୁ କେତେ ସମୟ ଚାଲିଯିବ । ସରକାରଙ୍କ କାର୍ଯ୍ୟରେ ଲୋକସାଧାରଣଙ୍କ ସହଯୋଗିତା ଦେଖାଯିବା ଆବଶ୍ୟକ । ସେ ଦିନ ବିଲାତରେ କୌଣସି ବକ୍ତୃତାରେ ଭାରତ ସେକ୍ରେଟେରୀ ମେଣ୍ଟାଗୁ ସାହେବ କହିଥିଲେ, ‘‘ଶିକ୍ଷା, ଶିଳ୍ପବାଣିଜ୍ୟ ପ୍ରଭୃତି ଦିଗରେ ଭାରତୀୟମାନଙ୍କ ଶକ୍ତି ନିୟୋଜିତ ହେବାଲାଗି ପ୍ରଶସ୍ତ କ୍ଷେତ୍ର ପଡ଼ି ରହିଅଛି ଏବଂ ଏଥିରେ ଉନ୍ନତି ଲାଭ କଲେ ଭାରତବାସୀ ଯେ ପୂର୍ଣ୍ଣାଙ୍ଗ ସ୍ୱାୟତ୍ତଶାସନର ଉପଯୋଗୀ ହେବେ ତହିଁରେ ସନ୍ଦେହ କ’ଣ ?’’

 

ସୁଖର କଥା ଓଡ଼ିଶାରେ ଶିକ୍ଷା ପ୍ରତି କ୍ରମେ ଲୋକଙ୍କର ଅନୁରାଗ ଦେଖା ଯାଉଅଛି । ନାନାସ୍ଥାନରେ ବିଦ୍ୟାଳୟରେ ବିଦ୍ୟାଳୟ ସ୍ଥାପନର ଉଦ୍ୟମ ହେଉଅଛି । ମାତ୍ର ଉପଯୁକ୍ତ ସହଯୋଗିତା, ସୁପରାମର୍ଶ ଏବଂ ସାହାଯ୍ୟ ବିନା ଅନେକ ଉଦ୍ୟମ ବିଫଳ ହେଉଅଛି । ଲୋକସାଧାରଣଙ୍କ ପକ୍ଷରୁ ଏହିପରି ସ୍ଥାନେ ସ୍ଥାନେ ଯେ ଶିକ୍ଷାର ଉଦ୍ୟମ ହେଉଅଛି ସେ ସବୁ ଏକ ସ୍ଥାୟୀ ସୁଗଠିତ ଓ ସୁପରିଚାଳିତ ସଂଘ ବା ସମିତିର ଅନ୍ତର୍ଭୁକ୍ତ ହେଲେ ଅଧିକ ଫଳଲାଭର ଆଶା କରାଯାଇପାରେ । ଏଥିଲାଗି ଆମ୍ଭେମାନେ ଏକ ବିଶ୍ୱଜନୀନ ଶିକ୍ଷା ସଂଘ (Universal Education League)ର କଳ୍ପନା କରିଅଛୁ । ସତ୍ୟବାଦୀ ସ୍କୁଲର ଛାପା ରିପୋର୍ଟରେ ଏ ସମ୍ବନ୍ଧେ କେତେକ ଆଭାସ ଦିଆଯାଇଅଛି । ‘‘ସଂହତିଃ କାର୍ଯ୍ୟସାଧିକା’’ ଜଣେ ବହୁ ଯତ୍ନକରି ଏକ ସ୍ଥାନରେ ଯାହା କରିବାକୁ ସମର୍ଥ ହେଉ ନାହାନ୍ତି, ସଂଘର ଉଦ୍ୟମରେ ତାହା ଅପେକ୍ଷାକୃତ ସହଜ ହେବ । ଏହି ସଂଘରେ ଏକ ଶ୍ରେଣୀର ସଭ୍ୟ ରହିବେ ଯେଉଁମାନେ ଅର୍ଥ ସାହାଯ୍ୟ କରିବେ ଏବଂ କାର୍ଯ୍ୟ ପରିଚାଳନାର ତତ୍ତ୍ୱନେବେ, ଆଉ ଏକ ଶ୍ରେଣୀର ସଭ୍ୟ ରହିବେ ଯେଉଁମାନେ ସଂଘ ଅଧୀନସ୍ଥ ବିଦ୍ୟାଳୟରେ ଅନ୍ତତଃ କୋଡ଼ିଏବର୍ଷ ଶିକ୍ଷା କାର୍ଯ୍ୟ କରିବେ । ସକଳ ପ୍ରକାର ଶିକ୍ଷାର ବ୍ୟବସ୍ଥା ରହିବ ଏବଂ ସକଳ ଶ୍ରେଣୀର ଲୋକଙ୍କୁ ସମାନ ସୁଯୋଗ ଓ ଅଧିକାର ଦିଆଯିବ । ପ୍ରତିଭାଶାଳୀ ଛାତ୍ରମାନଙ୍କୁ ବିଦେଶରେ ଶିକ୍ଷା ଦେବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିବ । ଏହି ସଂଘ ଅଧୀନରେ କାର୍ଯ୍ୟ ପରିଚାଳନା ନିମନ୍ତେ କାର୍ଯ୍ୟନିର୍ବାହିକା ସମିତି ଆଦି ରହିବ । ସଂଘ ଗଠନ ସ୍ଥିରହେଲେ ବିସ୍ତାରିତ ନିୟମ ଓ କ୍ରିୟା ପ୍ରଣାଳୀ ପରେ ସ୍ଥିର ହୋଇପାରିବ । ଏହି କଳ୍ପିତ ଶିକ୍ଷାସଂଘ କାର୍ଯ୍ୟରେ ପରିଣତ ହେଲେ ସତ୍ୟବାଦୀ ବିଦ୍ୟାଳୟକୁ ସର୍ବପ୍ରଥମେ ଏହା ଅଧୀନରେ ଦେବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ ।

 

ସ୍ତ୍ରୀ ଶିକ୍ଷା ହେଉ, ନୈଶବିଦ୍ୟାଳୟ ବସୁ, କପାଚାଷ ହେଉ, ଏହିପରି ଦେହକୁ ନ ଲାଗିବା ଭଳି କେବଳ କେତେଗୁଡ଼ିଏ ପ୍ରସ୍ତାବରେ ଆମ୍ଭମାନଙ୍କର ଉଦ୍ୟମ ଶେଷହେଲେ କାର୍ଯ୍ୟ ହେବ କାହୁ ? ଏଣିକି ଶୃଙ୍ଖଳାବଦ୍ଧ ଭାବରେ କୌଣସି ସୁନିଶ୍ଚିତ କାର୍ଯ୍ୟର ପନ୍ଥା ଫିଟିବା ଉଚିତ । ଶିକ୍ଷାର ଅତୀବ ପ୍ରୟୋଜନୀୟତା ଦୃଷ୍ଟିରେ ସମ୍ମିଳନୀ ଏ ବିଶ୍ୱଜନୀନ ଶିକ୍ଷାସଂଘ ଗଠନକରି ତାହା ଉପରେ ଶିକ୍ଷା ଭାର ଦେବା ଅସଂଗତ ହେବନାହିଁ । ନିଷ୍ଠା ଏବଂ ଦୃଢ଼ତାର ସହିତ କାର୍ଯ୍ୟ ହେଲେ ମୋର ବିଶ୍ୱାସ କାର୍ଯ୍ୟ କରିବା ଲାଗି ତ୍ୟାଗୀ କର୍ମୀ ଓ ଶିକ୍ଷିତ ଲୋକଙ୍କର ଅଭାବ ହେବ ନାହିଁ କିମ୍ବା ଅର୍ଥାଭାବ ଏ କାର୍ଯ୍ୟ ପଥରେ ବାଧା ଦେବନାହିଁ ।

 

ପଲ୍ଲୀର ଭାଗବତ ଘର ଆମ୍ଭମାନଙ୍କ ଜାତୀୟଶିକ୍ଷାର ଅନ୍ୟ ଏକ କ୍ଷେତ୍ର । ସରକାର ପ୍ରାଥମିକ ଶିକ୍ଷା ବଢ଼ାଉଥିଲେ ସୁଦ୍ଧା ଓଡ଼ିଶାରେ ଅକ୍ଷର ଚିହ୍ନା ଲୋକଙ୍କ ସଂଖ୍ୟା ଗଲା ସେନ୍‌ସସ୍‌ର ପୂର୍ବେ ଯାହାଥିଲା ଗଲା ସେନ୍‌ସସ୍‌ରେ ତହିଁରୁ ଲୋକସଂଖ୍ୟା ଅନୁପାତରେ ଊଣା ହୋଇଅଛି । ଏହାର କାରଣ କ’ଣ ? ଇତିପୂର୍ବେ ଚାଟଶାଳୀମାନଙ୍କରେ ଯେ ଶିକ୍ଷା ଦିଆଯାଉଥିଲା, ଲୋକେ ସେଥିରେ ଚିର ଅଭ୍ୟସ୍ତ ହେଉଥିଲେ । ଓଡ଼ିଆ ଜନସାଧାରଣଙ୍କର ଧର୍ମରେ ବିଶେଷ ଆସ୍ଥା ଥିଲା । ଓଡ଼ିଆ ଭାଗବତ ଓ ଅନ୍ୟାନ୍ୟ ପୁରାଣର ବହୁଳ ପ୍ରଚାର ଥିଲା । ପୁଅର ବର୍ଣ୍ଣ ପରିଚୟ କରାଇ ଭାଗବତ ପଢ଼ିବା ଲାଗି ତାକୁ ସମର୍ଥ କରାଇବା ପ୍ରତ୍ୟେକ ପିତା ଆପଣାର କର୍ତ୍ତବ୍ୟ ମଣୁଥିଲେ । ଏମନ୍ତ କି, ଉପେକ୍ଷିତ ଅସ୍ପର୍ଶ ବର୍ଣ୍ଣମାନେ କେବଳ ଏହି ଉଦ୍ଦେଶ୍ୟରେ ପିଲାଙ୍କୁ ପଢ଼ାଉଥିଲେ । ବାଉରୀ, କଣ୍ଡରା ସାହିରେ ଲୋକେ ତୁଳସୀଗଛ ମୂଳରେ ଭାଗବତ ବୋଲୁଥିଲେ । ବର୍ତ୍ତମାନ ସୁଦ୍ଧା ଏହା କ୍ୱଚିତ୍‌ ସ୍ଥାନେ ସ୍ଥାନେ ଦେଖାଯାଏ । ଜୀବନର ଶେଷ ମୁହୂର୍ତ୍ତରେ ମୃତ୍ୟୁଶଯ୍ୟାରେ ପୁଅ ମୁହଁରୁ ଭାଗବତ ଶୁଣି ପାରିଲେ ଓଡ଼ିଆ କୃଷକ ପରମ ଶାନ୍ତି ଲାଭ କରୁଥିଲା । ଗ୍ରାମେ ଗ୍ରାମେ ଘରେ ଘରେ ଭାଗବତ ପୁସ୍ତକ ପାଠ ଓ ପୂଜା ହେଉଥିଲା । ପାଠ ପଢ଼ି ଚାକିରୀ କରିବା ଉଦ୍ଦେଶ୍ୟରେ ସାଧାରଣ ଓଡ଼ିଆ ପୁଅ ପୁତୁରାଙ୍କୁ ପଢ଼ାଉ ନଥିଲେ–ପଢ଼ାଉ ଥିଲେ କେବଳ ଭାଗବତ ଶୁଣିବାଲାଗି-। ଆଧୁନିକ ସଭ୍ୟତା ଓ ଶିକ୍ଷା ପ୍ରଣାଳୀରେ ଏ ଧର୍ମଭାବର କୌଣସି ସ୍ଥାନ ନାହିଁ । ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଭାଗବତ ଆଉ ପଢ଼ା ହୁଏନାହିଁ । ଏଥିଲାଗି ଅନେକେ ପିଲାଙ୍କୁ ସ୍କୁଲରେ ପାଠ ପଢ଼ାଇବାକୁ ନାରାଜ । ଆଗେ ଗ୍ରାମରେ ସ୍କୁଲ ଥିଲେ ସୁଦ୍ଧା ସେଠାରେ ପୁଅକୁ ନ ପଢ଼ାଇ ଅନେକ ସ୍ୱତନ୍ତ୍ର ଅବଧାନ ରଖି ପଢ଼ାଉ ଥିଲେ, ମାତ୍ର ଆଜିକାଲି କ୍ରମେ ଧର୍ମଭାବ କମିଯାଉଛି । ଭାଗବତ ପ୍ରତି ପୂର୍ବପରି ତେତେ ଆଦର ନାହିଁ । ଗ୍ରାମରେ ଯେଉଁ ସ୍ଥାନ ପୂର୍ବ ଭାଗବତ ଧ୍ୱନିରେ ମୁଖରିତ ହେଉଥିଲା, ଆଜି କଳହ ବିବାଦ ମାମଲା ମୋକଦ୍ଦମାରେ ସେ ସ୍ଥାନ ଗରମ । ସୁତରାଂ ଭାଗବତ ପାଠ ଲାଗି ଶିଶୁସନ୍ତାନମାନଙ୍କୁ ଚାଟଶାଳୀରେ ଲୋକେ ଆଗେ ଯେପରି ପ୍ରାଥମିକ ଶିକ୍ଷା ଦେଉଥିଲେ, ଏବେ ଆଉ ସେପରି ବେଶି ଦେଖାଯାଏ ନାହିଁ । ପୁଣି ବର୍ତ୍ତମାନ ସମୟର ନୂତନ ଶିକ୍ଷାରେ ପ୍ରବର୍ତ୍ତିବା ଲାଗି ସେମାନେ ଶ୍ରେୟ ବା ସ୍ୱାର୍ଥ ତେତେ ଅନୁଭବ କରୁନାହାନ୍ତି । ଏ ଅବସ୍ଥାରେ ସାକ୍ଷର ଲୋକଙ୍କ ସଂଖ୍ୟା କମିବା ବିଚିତ୍ର ନୁହେଁ ।

 

X X X

 

ଭାଗବତଘର ଓଡ଼ିଶା ଗ୍ରାମୀୟ ଜୀବନର ଏକ ବିଶେଷତ୍ୱ । ପୂର୍ବେ ଭାଗବତ ଘର ନଥିବା ଗ୍ରାମ ପ୍ରାୟ ନଥିଲା । ଆଜିକାଲି ଅନେକ ଗ୍ରାମରେ ଭାଗବତ ଘର ମଧ୍ୟ ଅଛି । ଭାଗବତ ଗାଦି ପୂଜା ପାଉଛନ୍ତି । କେହି ଶୁଣନ୍ତୁ ବା ନ ଶୁଣନ୍ତୁ ସେଠାରେ ପ୍ରତି ସନ୍ଧ୍ୟାରେ ଅଧ୍ୟାଏ ଗୀତ ହେଉଚି । ଜନସାଧାରଣଙ୍କର ଏଥିରୁ ଏକାବେଳକେ ଆସ୍ଥା ଏବଂ ବିଶ୍ୱାସ ତୁଟିନାହିଁ । ଭାଗବତ ଓଡ଼ିଆ ହୃଦୟରେ କି ଅପ୍ରତିହତ ପ୍ରଭାବ ବିସ୍ତାର କରିଆସିଅଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଓଡ଼ିଶା ଆଜି ଖଣ୍ଡ ବିଖଣ୍ଡ ହୋଇ ପଡ଼ିଅଛି; କିନ୍ତୁ ଜଗନ୍ନାଥ ଦାସଙ୍କର ମଧୁମୟ ପ୍ରାଣସ୍ପର୍ଶୀ ଭାଗବତ ପଦାବଳୀ ଓଡ଼ିଆପିଣ୍ଡର ଏକତା, ଓଡ଼ିଆ ଭାବର ପୂର୍ଣ୍ଣତା ଅକ୍ଷୁଣ୍ଣ ରଖିଅଛି । ‘‘କହଇ ଜଗନ୍ନାଥ ଦାସ’’ ଏହି ଦୁହା ମହେନ୍ଦ୍ର ଶିଖରରୁ ରୂପନାରାୟଣ କୂଳ ପର୍ଯ୍ୟନ୍ତ ବିଶାଳ ଭୂଭାଗରେ ସର୍ବତ୍ର ଧ୍ୱନିତ ହେଉଅଛି । ମେଦିନିପୁରର ଓଡ଼ିଆମାନେ ଶାସନ ପ୍ରଭାବରୁ ମାତୃଭାଷା ଭୁଲି ଯାଇଛନ୍ତି; କିନ୍ତୁ ଓଡ଼ିଆ ଭାଗବତ ବଙ୍ଗଳା ଅକ୍ଷରରେ ଛାପାହୋଇ ସେଠାରେ ପଠିତ ହେଉଅଛି । ମଧ୍ୟପ୍ରଦେଶରେ ଓଡ଼ିଆ ବାଧ୍ୟହୋଇ ହିନ୍ଦୀ ପଢ଼ୁଅଛି, ମାତ୍ର ଭାଗବତ ଛାଡ଼ିନାହିଁ । ଏହିପରି ଯେଉଁଠାରେ ଓଡ଼ିଆ ସେଠାରେ ଭାଗବତର ଧ୍ୱନି । ଭାଗବତ ଓଡ଼ିଆ ଜନସାଧାରଣଙ୍କର ଦେବତା-। ଏହାହିଁ କେବଳ ଓଡ଼ିଆର ଜାତୀୟତା ରଖିଅଛି ବୋଇଲେ ଅତ୍ୟୁକ୍ତି ହେବନାହିଁ । ଏହି ଭାଗବତ ଆମ୍ଭମାନଙ୍କର ଜାତୀୟଏକତା ବିଧାନରେ ପ୍ରଧାନ ଅବଲମ୍ବନ ହେବା ଉଚିତ । ଗ୍ରାମମାନଙ୍କରେ ଯେ ସବୁ ଭାଗବତ ମନ୍ଦିର ବର୍ତ୍ତମାନ ଅଛି, ତହିଁର ସଂସ୍କାର ହେଉ, ଯେଉଁଠାରେ ନାହିଁ ସେଠାରେ ନୂତନ ସ୍ଥାପିତ ହେଉ । ଭାଗବତ ପ୍ରତି ଲୋକସାଧାରଣଙ୍କର ଯେପରି ଭକ୍ତି, ସେଥିରେ ଏ ଉଦ୍ୟମ ଅନାୟାସରେ କୃତକାର୍ଯ୍ୟ ହେବା ସମ୍ଭାବନା । ଭାଗବତ ଘରକୁ ଗ୍ରାମ୍ୟଜୀବନର କେନ୍ଦ୍ରଭୂମି କରିବାକୁ ହେବ । ଧର୍ମଚର୍ଚ୍ଚା ସଙ୍ଗେ ସଙ୍ଗେ ଏହା ଗ୍ରାମର ପରାମର୍ଶ ସ୍ଥାନ ହେବ । ଗ୍ରାମର ବିବାଦ ଏହିଠାରେ ମେଣ୍ଟିବ । ଗ୍ରାମର ହିତାହିତ ଚର୍ଚ୍ଚା, କୃଷି ଶିଳ୍ପର ଉନ୍ନତି ଅନ୍ୟାନ୍ୟ ସାମାଜିକ ଭଲମନ୍ଦ କଥା ଏହିଠାରେ ପଡ଼ିବ । ଫଳରେ ଗ୍ରାମର ଲୋକସାଧାରଣଙ୍କର ସକଳ ବିଷୟରେ ଏହା ଶିକ୍ଷାର ସ୍ଥାନ ହେବ । ମୁଁ ଭାଗବତଘରର କଥା କହିଲାବେଳେ ଓଡ଼ିଶାର କେବଳ ହିନ୍ଦୁଗ୍ରାମର କଥା କହୁନାହିଁ । ମୁସଲମାନ ଗ୍ରାମର ମସଜିଦ, ଖ୍ରୀଷ୍ଟାନ ଗ୍ରାମର ଗୀର୍ଜା ମଧ୍ୟ ଭାଗବତଘର । ଯେଉଁଠାରେ ଭଗବାନଙ୍କର ପ୍ରାର୍ଥନା ହୁଏ, ତାହାହିଁ ଭାଗବତ ମନ୍ଦିର । ମୋର ବିଶ୍ୱାସ ଯେ, ଭାଗବତ ବିସ୍ତାର ନିମନ୍ତେ ଉପଯୁକ୍ତ ଉଦ୍ୟମ ହେଲେ, ଅନେକ ବୟସ୍କ ଲୋକ ମଧ୍ୟ ଭାଗବତ ପଢ଼ିବାଲାଗି ବର୍ଣ୍ଣପରିଚୟ କରିବାକୁ ପ୍ରୟାସୀ ହେବେ । ଭାଗବତଘର ସଂଲଗ୍ନରେ ସେଥିଲାଗି ନୈଶ ବିଦ୍ୟାଳୟ ଖୋଲିବାକୁ ହେବ । ନାନା ଧର୍ମ ଓ ବର୍ଣ୍ଣର ଲୋକଙ୍କର ସମ୍ମିଳନୀ ବୋଲି ଏଥିରେ କୌଣସି ଧର୍ମର ଆଲୋଚନା ହୁଏ ନାହିଁ । ଏ ନୀତି ସୁସଙ୍ଗତ, ମାତ୍ର ମୋ ମତରେ ତାହା କେବଳ ଏହି ସମ୍ମିଳନୀ ମଣ୍ଡପରେ ପରିପାଳନୀୟ । ଦେଶର ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କର ନିଜ ନିଜ ଧର୍ମର ଆଦର ସର୍ବଥା ବାଞ୍ଛନୀୟ । ବୈଦିକ ବୌଦ୍ଧଧର୍ମରୁ ଆରମ୍ଭକରି ଭୀମା ଭୋଇଙ୍କ ମହିମା ଧର୍ମ ପର୍ଯ୍ୟନ୍ତ ଅସଂଖ୍ୟ ଶାଖା ସମ୍ପ୍ରଦାୟଙ୍କର ଓଡ଼ିଶାରେ ସ୍ଥାନ ରହିଅଛି । ଅଥଚ ଓଡ଼ିଶାର ଇତିହାସରେ କେବେହେଲେ ଧର୍ମବିପ୍ଳବ ଘଟିନାହିଁ । ସାମ୍ୟବାଦ ଓଡ଼ିଆର ଜାତୀୟନୀତି । ପରସ୍ପର ପ୍ରତି ସମ୍ମାନ, ସହାନୁଭୂତି, ଆସ୍ଥା ଏବଂ ଅନୁରାଗ ରଖି ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ଓଡ଼ିଆମାନେ ନିଜ ନିଜର ଧର୍ମ ଆଲୋଚନା କରନ୍ତୁ ଏବଂ ଅନ୍ୟ କୌଣସି କାରଣରୁ ନ ହେଲେ କେବଳ ସେହି ଉଦ୍ଦେଶ୍ୟରେ ଶିକ୍ଷିତ ହୁଅନ୍ତୁ । ଏହା ମୋହର ଏକାନ୍ତ କାମନା । ମୋର ବିଶ୍ୱାସ ଧର୍ମ ବଳରେ ବଳୀୟାନ ନ ହେଲେ ଆମ୍ଭମାନଙ୍କର ଦେଶାନୁରାଗ ବା ଜାତୀୟତାର କୌଣସି ଶକ୍ତି ନାହିଁ । ବସ୍ତୁତଃ ଜାତୀୟତାହିଁ ଆମ୍ଭମାନଙ୍କର ଧର୍ମ । ଈଶ୍ୱର ଆମ୍ଭର ଜାତି-ରୂପରେ ଆମ୍ଭ ନିକଟରେ ଉପସ୍ଥିତ । ନରନାରାୟଣଙ୍କ ରୂପ ଛଡ଼ା ଅନ୍ୟ କୌଣସି ପ୍ରକାରେ ତାଙ୍କର ଧାରଣା ଆମ୍ଭମାନଙ୍କ ପକ୍ଷେ ଅସମ୍ଭବ ।

 

X X X

 

(ଉତ୍କଳ ସମ୍ମିଳନୀ ୧୪ଶ ଅଧିବେଶନ)

Image

 

Unknown

ଅଭିଭାଷଣ

(ଶ୍ରୀ ରାଜକିଶୋର ଦାସ)

 

ସଭାସଦ୍‌ବୃନ୍ଦ !

 

ଆଜି ଏହି ସଭାର କାର୍ଯ୍ୟ ନିର୍ବାହ କରିବାପାଇଁ ମୋତେ ସଭାପତି ନିର୍ବାଚନ କରିବାଦ୍ୱାରା ଯେଉଁ ସମ୍ମାନ ପ୍ରଦର୍ଶନ କରା ହୋଇଅଛି, ସେଥିପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ; କିନ୍ତୁ କେଉଁ ଗୁଣରୁ ମୋହ ମଥାରେ ଯେ ଆଜି ସୁନାକଳସ ଢଳାହେଲା, ତାହା ମୁଁ ବୁଝିବାକୁ ଅକ୍ଷମ । ଯଦି ‘ଏରଣ୍ଡୋଽପି ଦ୍ରୂମାୟତେ’’ ଏହି ଉକ୍ତିର ଅନୁସରଣ କରାହୋଇଥାଏ, ତେବେ ମଧ୍ୟ କାର୍ଯ୍ୟଟା ଠିକ ହେଲା ପରି ବୋଧ ହେଉନାହିଁ । କାରଣ, ଉତ୍କଳର ବର୍ତ୍ତମାନ ଅବନତ ଅବସ୍ଥାରେ ମଧ୍ୟ ସାହିତ୍ୟକ୍ଷେତ୍ରରେ ବଡ଼ ବଡ଼ ଦ୍ରୁମ ବିଦ୍ୟମାନ; ଅଥଚ ସେ କ୍ଷେତ୍ରରେ ମୁଁ ଏରଣ୍ଡ ହେବା ତେଣିକି ଥାଉ, ସାମାନ୍ୟତମ ଆଖ୍ୟାର ମଧ୍ୟ ଅଧିକାରୀ ନୁହେଁ । ଆଜୀବନ ମମତାପୂର୍ଣ୍ଣ ସ୍ୱାର୍ଥ ସେବାରେ ବ୍ୟାପୃତ ରହି ସାହିତ୍ୟ ସେବାରେ ଅବସର ଥିଲେ ମଧ୍ୟ ମନ ବଳାଇନାହିଁ ଏବଂ କୌଣସି ସାଧାରଣ ସଭାରେ ସଭାପତି କାର୍ଯ୍ୟ ନିର୍ବାହ କରିବା ଆଜି ମୋ ପକ୍ଷରେ ଏକପ୍ରକାର ନୂତନ । ଏପରି ସ୍ଥଳରେ ଆପଣମାନେ ଆଜି ମୋତେ ଏହି ଉଚ୍ଚାସନରେ ବସାଇ ଯଦି ସାହିତ୍ୟ ସମ୍ବନ୍ଧୀୟ କୌଣସି ସାରଗର୍ଭ ଓ ମନୋରମ ବକ୍ତୃତା ଶୁଣିବାର ଆଶା ପୋଷଣ କରିଥାନ୍ତି, ତେବେ ସେ ଆଶା ଦୁରାଶା ମାତ୍ର । ଆପଣମାନଙ୍କ ଆଶା ପୂରଣ କରିବା ମୋ ଶକ୍ତିର ଅତିରିକ୍ତ । କେବଳ ଚିରନ୍ତନ ପ୍ରଥା ଅନୁସାରେ ମୋତେ କିଛି କହିବାକୁ ହେବ, ଏଥିପାଇଁ କେତେଗୁଡ଼ିଏ ଅସଙ୍ଗତ ଅସଂଯତ ଭଦ୍‌ଭ୍ରାନ୍ତ ଚିନ୍ତା ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରି ଆପଣମାନଙ୍କୁ ଦଶପନ୍ଦର ମିନିଟ ସକାଶେ ଉତ୍ତ୍ୟକ୍ତ କରିବାକୁ ବାଧ୍ୟହେଲି । ଆଶାକରେ, ଆପଣମାନେ ନିଜ ଗୁଣରେ ମୋହର ଦୋଷ ମାର୍ଜନା କରିବା ହେବେ ।

 

‘‘ଉତ୍କଳ ସାହିତ୍ୟସମାଜ’’ ଏହି ନାମରୁ ସହଜରେ ଅନୁମିତ ହୁଏ ଯେ, ଉତ୍କଳସାହିତ୍ୟର ରକ୍ଷଣ, ପୋଷଣ ଏବଂ ଉନ୍ନୟନ ସକାଶେ ଏହି ସମାଜର ଆବିର୍ଭାବ ଓ ସ୍ଥିତି । ଏହା କିପରି ସାଧିତ ହେବ, ଏହା ଆଲୋଚନା କରିବାକୁ ଗଲେ ଉତ୍କଳସାହିତ୍ୟର କ୍ରମବିକାଶ ଓ ବର୍ତ୍ତମାନ ଅବସ୍ଥା ସମ୍ବନ୍ଧରେ ଅତି ସଂକ୍ଷେପରେ ଦିଓଟି ଗୋଟିଏ କଥା କହିଲେ ବୋଧହୁଏ ଏ ସ୍ଥଳରେ ନିତାନ୍ତ ଅସଙ୍ଗତ ହେବନାହିଁ । ଅନତିପୂର୍ବକାଳରେ ଏ ଦେଶରେ ସାହିତ୍ୟ ଶବ୍ଦ କେବଳ ଦେବଭାଷା ସଂସ୍କୃତ ପ୍ରତି ପ୍ରଯୋଜ୍ୟ ଥିଲା । ଏ ଦେଶସ୍ଥ ବିଦ୍ୱନ୍ମଣ୍ଡଳୀ ପ୍ରାକୃତ ଉତ୍କଳ ଭାଷାକୁ ଗ୍ରାମ୍ୟଭାଷା ବୋଲି ତାଚ୍ଛଲ୍ୟ କରୁଥିଲେ । ଯେଉଁ ସମୟରେ ଉତ୍କଳୀୟ ପଣ୍ଡିତମାନେ ‘‘ସାହିତ୍ୟ ଦର୍ପଣ’’ ଓ ‘ଗଦାଧରପଦ୍ଧତି’’ ପ୍ରଭୃତି ରଚନା କରି ଅସୀମ ବିଦ୍‌ବତ୍ତାର ପରିଚୟ ଦେଉଥିଲେ, ସେ ସମୟର ଓଡ଼ିଆ ଭାଷାର ଅବସ୍ଥା ପୋଇଲି ସ୍ତ୍ରୀର ଅବସ୍ଥା ପରି ଥିଲା । କେବଳ ସାଂସାରିକ କାର୍ଯ୍ୟନିର୍ବାହ ସକାଶେ ତାହା ବ୍ୟବହୃତ ହେଉଥିଲା । ସେ ସମୟରେ ଯଦି କେହି ଉତ୍କଳ ଭାଷାରେ କିଛି ରଚନା କରୁଥିଲେ, ତାହା କେବଳ ନିରକ୍ଷର ଗ୍ରାମ୍ୟ ଲୋକଙ୍କ ନିକଟରେ କିଛି କିଛି ଆଦର ପାଉଥିଲା । ଏ ହେତୁରୁ ଏ ସମୟର ଲେଖା ସାଧାରଣତଃ ଅତି ସରଳ ଗ୍ରାମ୍ୟ ଭାଷାରେ ରଚିତ । ‘‘ଗୋବିନ୍ଦଚନ୍ଦ୍ର ଗାଥା’’, ‘‘କମଳଲୋଚନ ଚଉତିଶା’’ ପ୍ରଭୃତି ସେହି ଯୁଗର ଆଦିମ ରଚନା । ଶୂଦ୍ରମୁନି ସାରଳା ଦାସଙ୍କ ‘‘ମହାଭାରତ’’ ଏହି ଶ୍ରେଣୀୟ ଲେଖାର ପରିଣତିସ୍ୱରୂପ ବୋଧହୁଏ ।

 

କ୍ରମେ କାଳବଳରେ ସାଧାରଣ ରୁଚିର ପରିବର୍ତ୍ତନ ଘଟିବାରୁ ସଂସ୍କୃତ-ପାଣ୍ଡିତ୍ୟ-ଅଭିମାନଗିରିର ପବିସ୍ୱରୂପ ଭଞ୍ଜକବି ଉତ୍କଳମାତାଙ୍କ ଅଙ୍କ ଅଳଂକୃତ କଲେ । ଏହି କ୍ଷଣଜନ୍ମା କବିଙ୍କର ଅଜସ୍ରପ୍ରସବିନୀ ଲେଖନୀପ୍ରସୂତ କାବ୍ୟମାନ ଆଲୋଚନା କଲେ ସେ ସଂସ୍କୃତରେ ଓଡ଼ିଆ ଲେଖିଥିଲେ, କି ଓଡ଼ିଆରେ ସଂସ୍କୃତ ଲେଖିଥିଲେ, ଏହା ଠିକ କରିବା କଠିନ, କିନ୍ତୁ ଏହାଙ୍କ ଅସୀମ ପ୍ରତିଭାବଳରୁ ଯେ ଓଡ଼ିଆ ଭାଷା ବିଦ୍ୱନ୍ମଣ୍ଡଳୀର ପୋଇଲୀ ପଦରୁ ସାଆନ୍ତାଣୀ ପଦକୁ ଉନ୍ନୀତ ହୋଇଥିଲା, ଏଥିରେ ସନ୍ଦେହ ନାହିଁ । ଏହା ପ୍ରାୟ ଆଜକୁ ୩।୪ଶତ ବର୍ଷର କଥା । ଏହି ସମୟର ଶତାଧିକ ବର୍ଷ ପୂର୍ବେ ଶ୍ରୀମନ୍ମହାପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟଦେବ ଏହି ଉତ୍କଳକୁ ଚରଣ ରେଣୁଦ୍ୱାରା ପବିତ୍ର କରି ଏ ଦେଶରେ କୃଷ୍ଣଭକ୍ତିର ଉତ୍ସ ପ୍ରବାହିତ କରିଥିଲେ । ତହିଁର ଫଳସ୍ୱରୂପ ଯେ ସମସ୍ତ ଭାବଗମ୍ଭୀର ଏବଂ ଅତି ମଧୁର କୃଷ୍ଣବିଷୟକ ରଚନାମାନ ଉତ୍କଳ ସାହିତ୍ୟଭଣ୍ଡାରକୁ ରଞ୍ଜିତ କରିଥିଲା, ତାହା ଉତ୍କଳର ଅମୂଲ୍ୟ ସମ୍ପତ୍ତି । ପ୍ରାଚୀନ ବଙ୍ଗୀୟ ସାହିତ୍ୟର ପ୍ରଧାନ ବିଭବସ୍ୱରୂପ ଯେଉଁସବୁ ମହାଜନ ପଦାବଳୀ ରସିକ ଭକ୍ତ ହୃଦୟର ହାର ହୋଇଅଛି, ତହିଁରୁ ଏ ସମସ୍ତ ଯେ କୌଣସି ଗୁଣରେ ଊଣା, ଏହା କୁହାଯାଇ ନ ପାରେ । ଉତ୍କଳଗୌରବ ପ୍ରାତଃସ୍ମରଣୀୟ ଭକ୍ତକବି ସାମନ୍ତସିଂହାରଙ୍କ ‘ବିଦଗ୍‌ଧଚିନ୍ତାମଣି’ ଏହି ଶ୍ରେଣୀୟ ଲେଖାର ପରିଣତି । ଶ୍ରୀମନ୍ମହାପ୍ରଭୁଙ୍କ ସମସାମୟିକ ମହାପୁରୁଷ ଜଗନ୍ନାଥ ଦାଶ ପ୍ରମୁଖ ପଞ୍ଚସଖାଙ୍କର ଆବିର୍ଭାବ ନାନାପ୍ରକାର ଧର୍ମଗ୍ରନ୍ଥରେ ଉତ୍କଳ ସାହିତ୍ୟ ଭଣ୍ଡାରକୁ ପରିପୁଷ୍ଟ କରିଥିଲା । ଏ ମହାତ୍ମାମାନଙ୍କର ‘‘ଗୀତା’’, ‘‘ସଂହିତା’’ ପ୍ରଭୃତି ଅଧିକାଂଶ ଗ୍ରନ୍ଥମାନ ଅତ୍ୟନ୍ତ ସରଳ ଓ ଗ୍ରାମ୍ୟ ଭାଷାରେ ଲିଖିତ ହେଲେହେଁ କେତେକ ସାଙ୍କେତିକ ଓ ପାରିଭାଷିକ ଶବ୍ଦସଂକୁଳଥିବାରୁ ବର୍ତ୍ତମାନ ଆଲୋଚନା ଓ ସଦ୍‌ଗୁରୁ ଅଭାବରୁ ପ୍ରାୟ ଅବୋଧ୍ୟ ହୋଇ ପଡ଼ିଅଛି ।

 

ମହାରାଷ୍ଟ୍ରୀୟ ସାମ୍ରାଜ୍ୟର ଦ୍ରୁତ ଉତ୍‌ଥାନ ଓ ପତନ ଭାରତରେ ଯେଉଁ ରାଷ୍ଟ୍ରବିପ୍ଳବ ଘଟାଇଥିଲା, ତହିଁର ଫଳ ଉତ୍କଳରେ ମଧ୍ୟ ପ୍ରତିଫଳିତ ହୋଇଥିବା ଆଶ୍ଚର୍ଯ୍ୟ ନୁହେଁ । ଏହି ସମୟରେ ସାହିତ୍ୟଚର୍ଚ୍ଚା ଏତେଦୂର ଊଣା ପଡ଼ିଥିଲା ଯେ, ପୁନର୍ବାର ଯେତେବେଳେ ସଦାଶୟ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ପ୍ରଭାବରୁ ଶାନ୍ତି ସ୍ଥାପିତ ହେଲା, ତେତେବେଳେ ଉତ୍କଳ ଭାଷାକୁ ଅର୍ଦ୍ଧଚନ୍ଦ୍ର ଦେଇ ବହିଷ୍କୃତ କରିବାକୁ କେତେକ ଲୋକ ପ୍ରୟାସୀ ହୋଇଥିଲେ । ଶ୍ରୀ ଶ୍ରୀଜଗନ୍ନାଥଙ୍କ କୃପାରୁ ଉତ୍କଳଜନନି ଏହି ଲାଞ୍ଛନାରୁ ଉଦ୍ଧାର ପାଇ ସରକାରଙ୍କ ଆନୁକୂଲ୍ୟରେ ପୁନର୍ବାର ମୁଣ୍ଡ ଟେକିବାକୁ ଚେଷ୍ଟିତ ହେଲେ; କିନ୍ତୁ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ପ୍ରବର୍ତ୍ତିତ ଇଂରାଜୀ ଶିକ୍ଷା ଓ ମୁଦ୍ରାଯନ୍ତ୍ର ପ୍ରଭୃତି ଆଧୁନିକ ବୈଷୟିକ ସଭ୍ୟତାର ଯେଉଁ ଉପକରଣମାନ ଲୋକସମାଜରେ ପ୍ରବେଶ କରିଥିଲା, ତାହା ସାହିତ୍ୟରାଜ୍ୟରେ ଏକପ୍ରକାର ଯୁଗାନ୍ତର ଘଟାଇଲା । ପୂର୍ବତନ ସାହିତ୍ୟସେବୀମାନେ ସାହିତ୍ୟାନୁରାଗ, କଥଞ୍ଚିତ ବା ଯଶୋଲିପ୍‌ସାରେ ପ୍ରଣୋଦିତ ହୋଇ ରଚନାରେ ପ୍ରବୃତ୍ତ ହେଉଥିଲେ; କିନ୍ତୁ ସାହିତ୍ୟ ରଚନା କସ୍ମିନ୍‌କାଳେ ଅର୍ଥକରୀ ନଥିଲା । ମୁଦ୍ରାଯନ୍ତ୍ରର ଆବିର୍ଭାବ ଅର୍ଥଲିପ୍‌ସାକୁ ସାହିତ୍ୟଚର୍ଚ୍ଚାର ଅନ୍ୟତମ ଉଦ୍ଦେଶ୍ୟରେ ପରିଣତ କରାଇଲା । ଅବଶ୍ୟ ଏହା ଅତ୍ୟନ୍ତ ସତ୍ୟ ଯେ ମୁଦ୍ରାଯନ୍ତ୍ର ସାହିତ୍ୟଚର୍ଚ୍ଚାର ଅନୁପମ ସହକାରୀ; ଏପରି କି, ତାହାର ଜୀବନ କହିଲେ ଚଳେ । ମୋର କହିବାର ଅଭିପ୍ରାୟ ଏହି ଯେ, ସାହିତ୍ୟଚର୍ଚ୍ଚାର ଏହି ଅନ୍ୟତମ ଓ ସମୟ ସମୟରେ ପ୍ରଧାନତମ ଉଦ୍ଦେଶ୍ୟ ଉତ୍କଳ ସାହିତ୍ୟ ରାଜ୍ୟରେ ଯୁଗାନ୍ତର ଘଟାଇଲା । ମୋର ଜୀବନରେ ଦେଖୁଅଛି, ଏହି ନଗରରେ ଗୋଟିଏ ଦିଓଟି ଛାପାଖାନା ଥିଲା ଏବଂ ପ୍ରିଣ୍ଟିଂ କମ୍ପାନୀଙ୍କ ବହି ଦୋକାନ ଛଡ଼ା ଅନ୍ୟ ଦୋକାନ ନଥିଲା, ମାତ୍ର ସମ୍ପ୍ରତି ମୁଦ୍ରାଯନ୍ତ୍ର ଅନେକ ଓ ବହି ଦୋକାନ ପଣ ପଣ । ହାଟରେ ବାଟରେ ଯାତ୍ରାରେ ଯେଉଁଠାରେ ଦେଖ ବହି ଦୋକାନ ଏବଂ ଯାହା ତାହା ହାତରେ ଦେଖ ଖଣ୍ଡେ ବହି । ତେବେ ଉତ୍କଳ ସାହିତ୍ୟର ଯେ କ୍ରମବିକାଶ ବା ଉନ୍ନତି ହେଉ ନାହିଁ, ଏହା କିଏ କହିବ ? କିନ୍ତୁ ଏହି ଦୋକାନମାନଙ୍କରେ ବା ଲୋକଙ୍କ ହାତରେ ଅଧିକାଂଶ କି କି ବହି ଅଛି, ଦେଖିଲେ ସାହିତ୍ୟଚର୍ଚ୍ଚା ଉନ୍ନତି ବା ଅବନତି ଆଡ଼କୁ ଯାଉଅଛି, ଏ ସମ୍ୱନ୍ଧରେ ଘୋର ସନ୍ଦେହ ଉପସ୍ଥିତ ହୁଏ । ‘ଶାଶୁବୋହୂ କଳି’, ‘ଚାନ୍ଦଦେଈ କାନ୍ଦ’, ‘ଧୋବାଧୋବଣୀ ସୁଆଙ୍ଗ’, ‘ମାଈଁ ସୁଆଙ୍ଗ’ ପ୍ରଭୃତି ରଚନାଦ୍ୱାରା ସାହିତ୍ୟ ଭଣ୍ଡାର ଭର୍ତ୍ତି ହେବାଠାରୁ ବୋଧହୁଏ ଖାଲି ହେବା ଭଲ । ଆଧୁନିକ ଯୁଗରେ ଯେ ପ୍ରତିଭାଶାଳୀ ଲେଖକ ଜାତ ହୋଇନାହାନ୍ତି, ଏହା ଏହି ମନ୍ଦିରସ୍ଥ ପୁଣ୍ୟଶ୍ଳୋକ ମହାତ୍ମାଙ୍କ ପ୍ରତିକୃତିକୁ ଚାହିଁ କିଏ କହିପାରେ ? କିନ୍ତୁ ସାହିତ୍ୟକ୍ଷେତ୍ରକୁ ଚାହିଁଲେ ବାଳୁଙ୍ଗାବଣ ପରି ଦିଶେ; ଯାହା ବା ଧାନଗଛ ଅଛି, ତାହା କେଉଁଠାରେ ଦିଶୁଅଛି ବା କେଉଁଠାରେ ଦିଶୁନାହିଁ । ପୁରୁଣାବହି ଯାହା ଅଛି ଉଇମୁଖରୁ ବର୍ତ୍ତି ଛାପାଖାନାରେ ପ୍ରବେଶ ଲାଭ କରିଅଛି, ତାହା ଛାପାଖାନାରୁ କିମ୍ଭୂତକିମାକାର ରୂପରେ ବାହାରୁଅଛି । ନୂତନ ରଚନା ଯାହା ବାହାରୁ ଅଛି ଶତକଡ଼ା ଅନେଶ୍ୱତ ପ୍ରାୟ ‘‘କିପରି ବେଶି ବିକ୍ରୀ ହେବ’’ ଏହି ଉଦ୍ଦେଶ୍ୟରେ ରଚିତ ଓ ପ୍ରକାଶିତ ହେଲାପରି ଜଣାଯାଏ । ଉତ୍କଳସାହିତ୍ୟର ଉନ୍ନତି ଯଦି ଏହି ସମାଜର ଉଦ୍ଦେଶ୍ୟ ହୁଏ, ତେବେ ସାହିତ୍ୟରାଜ୍ୟରେ ଏହି ଦୁର୍ନୀତି ବା ବ୍ୟଭିଚାର ସଂଯମ ଏହାର କର୍ତ୍ତବ୍ୟ । ଧାନକ୍ଷେତ୍ରରେ ବାଳୁଙ୍ଗା ହେଲେ ଉପାଡ଼ିବାହିଁ ପ୍ରକୃଷ୍ଟ ଉପାୟ, କିନ୍ତୁ ଏ କ୍ଷେତ୍ରରେ ତାହା ସମ୍ଭବପର ନୁହେଁ ଏବଂ କେହି କେହି ଚିନ୍ତାଶୀଳ ବ୍ୟକ୍ତିଙ୍କ ମତରେ ତାହା ବାଞ୍ଛନୀୟ ମଧ୍ୟ ନୁହେଁ । ସେମାନେ କହନ୍ତି ଯେ, ମୁଦ୍ରାଯନ୍ତ୍ର ସାହାଯ୍ୟରେ ସାହିତ୍ୟଚର୍ଚ୍ଚାର ଯେ ପ୍ରସାର ହେଉଛି, ତାହାର ଉପକରଣ ଭଲ ହେଉ ବା ମନ୍ଦ ହେଉ, ସାଧାରଣ ଲୋକ ମଧ୍ୟରେ ପଢ଼ିବାର ରୁଚି ଜନ୍ମାଉଅଛି । ମୁଦ୍ରାଯନ୍ତ୍ର ଆବିର୍ଭାବର ପ୍ରଥମାବସ୍ଥାରେ ଏହିପରି କେତେକ ବାଳୁଙ୍ଗା ଅବଶ୍ୟମ୍ଭାବୀ, ତହିଁର ଦୃଷ୍ଟାନ୍ତ–କଲିକତାର ‘‘ବଟତଲା’’ର ବହି ସବୁ । ତେବେ କ’ଣ ସାହିତ୍ୟସମାଜର ଏ ସମ୍ୱନ୍ଧରେ କୌଣସି କର୍ତ୍ତବ୍ୟ ନାହିଁ ? ମୁଁ ସ୍ୱୀକାର କରେ ଯେ ଅସତ୍‌ ସାହିତ୍ୟର ପ୍ରକାଶ ବନ୍ଦ କରିବା ଉତ୍କଳ-ସାହିତ୍ୟସମାଜର ଶକ୍ତିର ଅତିରିକ୍ତ ଏବଂ ବୋଧହୁଏ ବାଞ୍ଛନୀୟ ମଧ୍ୟ ନୁହେଁ; କିନ୍ତୁ ମୋର ସାମାନ୍ୟ ବିବେଚନାରେ ଯେପରି ଏହାର ଆଦର ସାଧାରଣ ଲୋକର ଊଣା ହୁଏ, ତହିଁର ଚେଷ୍ଟା ସମାଜର କରିବା ଉଚିତ ଏବଂ ଏହା ସମାଜର ଆୟତ୍ତାଧୀନ । ଏଥିର ଉପା ସତ୍‌-ସାହିତ୍ୟର ବହୁ ପରିମାଣରେ ରଚନା ଓ ପ୍ରକାଶ ଓ ତତ୍‌ପ୍ରତି ଲୋକସାଧାରଣଙ୍କର ରୁଚିର ଆକର୍ଷଣ । ବୋଲିବା ବାହୁଲ୍ୟ ଯେ, ଏ ଦୁଇ ପରସ୍ପର ସାପେକ୍ଷ । ବୈଶ୍ୟଭାବପ୍ରବଣ ଏହି ଉପସ୍ଥିତ ଯୁଗରେ ସମସ୍ତହିଁ ‘‘ପ୍ରୟୋଜନ ଆୟୋଜନ’’ ବିଧିର ଅଧୀନ । ପ୍ରୟୋଜନ ବଢ଼ିଲେ ଆୟୋଜନ ବଢ଼ିବା ଅବଶ୍ୟାମ୍ଭାବୀ । ବିକ୍ରୀ ବଢ଼ିଲେ ତହିଁର ବହୁ ପରିମାଣରେ ରଚନା ଓ ପ୍ରକାଶ ସମ୍ଭବପର ହୋଇପାରେ । ଅତଏବ ସତ୍‌ସାହିତ୍ୟ ପ୍ରତି ଲୋକଙ୍କର ରୁଚିପ୍ରବର୍ତ୍ତନହିଁ ଏକମାତ୍ର ଉପାୟ । ଏଥିସକାଶେ କି ଉପାୟ ଅବଲମ୍ୱନ କରାଯାଇପାରେ, ତାହା ବର୍ତ୍ତମାନ ବିବେଚ୍ୟ ।

 

ପ୍ରଥମତଃ ପ୍ରାଚୀନ ଉତ୍କଳ ସାହିତ୍ୟକ୍ଷେତ୍ରକୁ ଚାହିଁଲେ ଏ ସମ୍ୱନ୍ଧରେ ସମାଜର କର୍ତ୍ତବ୍ୟ ଯଥେଷ୍ଟ ଅଛି । ଏହି ସମାଜର ଦ୍ୱାଦଶବାର୍ଷିକ ଅଧିବେଶନରେ ଉତ୍କଳର ଅକପଟ ବନ୍ଧୁ ପୂଜ୍ୟପାଦ ସ୍ୱର୍ଗୀୟ ଗୌରୀଶଙ୍କର ରାୟ ମହାଶୟ ତାହାଙ୍କ ଅଭିଭାଷଣରେ ଉପଦେଶ ଦେଇଥିଲେ–‘‘ମୋର କ୍ଷୁଦ୍ର ବିବେଚନାରେ ତାହା (ପ୍ରାଚୀନ କାବ୍ୟ) ପାଠ କରିବା ସମସ୍ତଙ୍କର କର୍ତ୍ତବ୍ୟ ଏବଂ ତହିଁର ଉତ୍ସାହ ଦେବା ସାହିତ୍ୟସମାଜର ଗୋଟିଏ ପ୍ରଧାନ କାର୍ଯ୍ୟ । ତହିଁ ସଙ୍ଗେ ସଙ୍ଗୀତଶିକ୍ଷା ଏବଂ ଚର୍ଚ୍ଚା ବଢ଼ାଇବା ପ୍ରତି ମନୋଯୋଗୀ ହେବା ସମାଜର କର୍ତ୍ତବ୍ୟ ଅଟେ । ସଙ୍ଗୀତ ପ୍ରେମ, ଭକ୍ତି, ସୁନୀତି ଓ ସୁରୁଚିର ଉଦ୍ରେକ ଓ ପ୍ରସାରର ଉତ୍କୃଷ୍ଟ ପନ୍ଥା ଏବଂ ନାଟକ, ଯାତ୍ରା ଓ କୀର୍ତ୍ତନାଦିର ତାହାହିଁ ମୂଳ ଉଦ୍ଦେଶ୍ୟ । ସାହିତ୍ୟପ୍ରେମୀଙ୍କର ଏହା ଉପେକ୍ଷଣୀୟ ନୁହେଁ । ପୈତୃକ ସମ୍ପତ୍ତିର ସଂରକ୍ଷଣ ଏବଂ ପରିବର୍ତ୍ତନ ଏବଂ ତଦ୍ଦ୍ୱାରା ସାଧାରଣ ହିତସାଧନ ସତ୍‌ପୁତ୍ରର ଲକ୍ଷଣ । ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ଅମୂଲ୍ୟ ସାହିତ୍ୟ-ଧନର ଉଚିତ ବ୍ୟବହାର ନ କଲେ ଆମ୍ଭେମାନେ ସତ୍‌ପୁତ୍ର ଆଖ୍ୟାର ଯୋଗ୍ୟ ହେବୁ ନାହିଁ ।’’ ଏହି ସରଗର୍ଭ ଉପଦେଶ ସମାଜ ଯେ ହୃଦୟଙ୍ଗମ କରି ବିଶେଷ କିଛି କାର୍ଯ୍ୟ କରିଅଛନ୍ତି, ଏପରି ବୋଧ ହେଉନାହିଁ । ଶୁଣିଲି, ସଂପ୍ରତି ଖଣ୍ଡେ ଦୁଇ ଖଣ୍ଡ ପୁରାତନ ଗ୍ରନ୍ଥ ସଂଗ୍ରହ କରି ପ୍ରକାଶ କରିବାକୁ ସମାଜ ଯତ୍ନବାନ୍‌ ହୋଇଅଛନ୍ତି । ଏହା ଅବଶ୍ୟ ସୁସମ୍ୱାଦ ମାତ୍ର ଏହା ଯଥେଷ୍ଟ ନୁହେଁ । ଯେଉଁସବୁ ଅମୂଲ୍ୟ ଗ୍ରନ୍ଥ ବହୁକାଳରୁ ପ୍ରକାଶିତ ହୋଇ ମୁଦ୍ରାରାକ୍ଷସଙ୍କ ଅନୁଗ୍ରହରୁ ବର୍ତ୍ତମାନ ପ୍ରାୟ ଅବୋଧ୍ୟ ଓ ଅପାଠ୍ୟ ଅବସ୍ଥାରେ ଉପନୀତ ହୋଇଅଛି, ତହିଁର ବିଶୁଦ୍ଧ ସଂସ୍କରଣ ପ୍ରକାଶ କରିବା ସମାଜର ପ୍ରାଥମିକ କର୍ତ୍ତବ୍ୟ ବୋଲି ମୁଁ ମନେକରେ । ମୁଁ କିଛିଦିନ ହେବ ମହାତ୍ମା ଜଗନ୍ନାଥ ଦାଶଙ୍କ କୃତ ଶ୍ରୀମଦ୍ଭାଗବତର ଆଲୋଚନାରେ ପ୍ରବୃତ୍ତ ହୋଇ ଏପରି ପଙ୍କୋଦ୍ଧାର ବା ଜୀର୍ଣ୍ଣସଂସ୍କାର କାର୍ଯ୍ୟର ଆବଶ୍ୟକତା ବିଶେଷରୂପେ ଉପଲବ୍‌ଧି କରିଅଛି । ‘‘କର୍ମ’’ ସ୍ଥାନରେ ‘‘କୃମି’’, ‘‘ଚାରଣ’’ ସ୍ଥାନରେ ‘‘ଅରୁଣ’’, ‘‘ସ୍ମରଣ’’ ସ୍ଥାନରେ ‘‘ଶରଣ’’ ‘‘କାକବାଣୀ’’ ସ୍ଥାନରେ ‘‘ବାକ୍ୟବାଣୀ’’, ‘‘ଊର୍ମି’’ ସ୍ଥାନରେ ‘‘ଭୂମି’’ ଏବଂ ‘‘ମଜ୍ଜିଣ’’ ସ୍ଥାନରେ ‘‘ମଳିନ’’ ଇତ୍ୟାଦିଦ୍ୱାରା ଯେ କିପରି ଅର୍ଥବିପ୍ଳବ ଘଟିପାରେ, ତାହା ସହଜରେ ଅନୁମେୟ । ଏପରି ଦୋଷ ଯେ କେବଳ ମୁଦ୍ରାଙ୍କନ ଦୋଷରୁ ଘଟିଅଛି, ତାହା ନୁହେଁ; କେତେକ ଅବଶ୍ୟ ହସ୍ତଲିଖିତ ପୋଥି ଅନୁଲେଖନରେ ଘଟିଅଛି, କିନ୍ତୁ ପରିତାପର ବିଷୟ ଯେ ଅଧିକାଂଶ ଅନୁଲେଖକଙ୍କ ଦୋଷ ସଂଶୋଧକ ଛାପାଖାନାରେ ନିଯୁକ୍ତ ପଣ୍ଡିତ ମହାଶୟଙ୍କର ଦାୟିତ୍ୱଜ୍ଞାନ ଅଭାବରୁ ଘଟିଅଛି । ସମସ୍ତ ଉତ୍କଳଭାଷୀଙ୍କ ଘରେ ଘରେ ବ୍ୟବହୃତ ଏବଂ ଅତ୍ୟନ୍ତ ସରଳ ଭାଷାରେ ରଚିତ ଏହି ଅନୁପମ ଗ୍ରନ୍ଥର ତ ଏହି ଦଶା, ଆଉ ଅନ୍ୟ ଗ୍ରନ୍ଥ କଥା ପଚାରେ କିଏ ? ଭୁବନେଶ୍ୱର ଏବଂ କୋଣାର୍କ ପ୍ରଭୃତି ପ୍ରାଚୀନ ଉତ୍କଳୀୟ କୀର୍ତ୍ତିମାନଙ୍କ ଜୀର୍ଣ୍ଣସଂସ୍କାର ସକାଶେ ଆମ୍ଭେମାନେ ଗଭର୍ଣ୍ଣମେଣ୍ଟ ଏବଂ ଭାରତୀୟ ଲୋକସାଧାରଣଙ୍କର ସକାଶେ ଆମ୍ଭେମାନେ ଗଭର୍ଣ୍ଣମେଣ୍ଟ ଏବଂ ଭାରତୀୟ ଲୋକସାଧାରଣଙ୍କର ସାହାଯ୍ୟ ଲୋଡ଼ିଥାଉଁ; କିନ୍ତୁ ତହିଁରୁ କୌଣସି ଅଂଶରେ ଅନ୍ୟୂନ ଏହି ଉତ୍କଳୀୟ ସାହିତ୍ୟ କୀର୍ତ୍ତିଗୁଡ଼ିକର ଜୀର୍ଣ୍ଣସଂସ୍କାର ପାଇଁ କାହାର ସାହାଯ୍ୟ ଲୋଡ଼ିବା ? ଏ ସମ୍ୱନ୍ଧରେ ଗଭର୍ଣ୍ଣମେଣ୍ଟ କିଛି କରିପାରିବେ ନାହିଁ, କି ଉତ୍କଳଭାଷାନଭିଜ୍ଞ ବ୍ୟକ୍ତିମାନେ ମଧ୍ୟ କିଛି କରିପାରିବେ ନାହିଁ । ଅତଏବ ଏହି ପ୍ରାଚୀନ କୀର୍ତ୍ତିର ରକ୍ଷା ଓ ଜୀର୍ଣ୍ଣସଂସ୍କାର ସମାଜର ଗୋଟିଏ ବିଶେଷ କର୍ତ୍ତବ୍ୟ ବୋଲି ମୁଁ ମନେକରେ । ଏହି ସମସ୍ତ ପ୍ରାଚୀନ ଗ୍ରନ୍ଥ ଅଧିକାଂଶ ଗୀତିକାବ୍ୟ, ନାନାପ୍ରକାର ଅଳଙ୍କାର ବିମଣ୍ଡିତ ଓ ନାନାପ୍ରକାର ଛନ୍ଦରେ ରଚିତ ହୋଇଥିବାରୁ ଏଥିରେ କଠିନ କଠିନ ଶବ୍ଦର ସମାବେଶ ଦେଖାଯାଏ ଏବଂ ଏହାର ଅର୍ଥ ଗ୍ରହଣ କରିବା ସହଜ ନୁହେଁ; କେବଳ ଶବ୍ଦାର୍ଥ ଜାଣିଲେ ମଧ୍ୟ ଅନେକ ସମୟରେ ଭାବାର୍ଥ ଧରା ପଡ଼େନାହିଁ । ପୂର୍ବେ ଏହି ଶ୍ରେଣୀୟ କବିତାର ଅତିଶୟ ଆଦରଥିବାରୁ କେତେକ ଲୋକ ଥିଲେ, ଯେଉଁମାନେ କି ଛାନ୍ଦ ଅର୍ଥ କରିବା ଓ ଗାଇବାରେ ବିଶେଷ କୃତିତ୍ୱ ଲାଭ କରିଥିଲେ, ଏପରି କି ଏ ସମ୍ୱନ୍ଧରେ ସେମାନେ ବିଶେଷଜ୍ଞ ଥିଲେ କହିଲେ ଚଳେ । ବର୍ତ୍ତମାନ ଏ ଶ୍ରେଣୀୟ ଲୋକ, ଅତି ବିରଳ, ଏପରି କି ଲୁପ୍ତପ୍ରାୟ । ପ୍ରତ୍ୟେକ ଛାନ୍ଦ ପ୍ରାରମ୍ଭରେ ଗୋଟିଏ ଗୋଟିଏ ରାଗରାଗିଣୀର ଉଲ୍ଲେଖ ଥିଲେହେଁ ସେ ସମସ୍ତ ଜାଣୁଥିବା ଲୋକ ବର୍ତ୍ତମାନ ପାଇବା ପ୍ରାୟ ଅସମ୍ଭବ ହୋଇ ପଡ଼ିଅଛି । ଏହିସବୁ ଗ୍ରନ୍ଥର ବିଶୁଦ୍ଧ ସଂସ୍କରଣ ପ୍ରସ୍ତୁତ କରିବାକୁ ଗଲେ ତହିଁରେ ବିଶଦ ଟୀକାର ସନ୍ନିବେଶ ଆବଶ୍ୟକ ଏବଂ ସମ୍ଭବ ହେଲେ ରାଗରାଗିଣୀର ସ୍ୱରଲିପି ମଧ୍ୟ ଦେବା ଆବଶ୍ୟକ । ଆପଣମାନେ କହିପାରନ୍ତି ଯେ, ଏହି କାର୍ଯ୍ୟ ବହୁ ଶ୍ରମସାଧ୍ୟ ଓ ବ୍ୟୟସାପେକ୍ଷ; କିନ୍ତୁ ଶ୍ରଦ୍ଧା ସହିତ ଯେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେବେ, ତାହାଙ୍କ ପକ୍ଷରେ ଏହି ଶ୍ରମ ଅକିଞ୍ଚିତ୍କର । ଏପରି ବିଶୁଦ୍ଧ ସଂସ୍କରଣ ପ୍ରକାଶ କରିବାକୁ ଯଦି ଅର୍ଥର ଅଭାବ ହୁଏ, ତେବେ ମୋର ବିଶ୍ୱାସ ଯେ, ଯେଉଁ ଉତ୍କଳୀୟ ରାଜନ୍ୟ ଓ ଧନାଢ଼୍ୟବର୍ଗ ମାତୃଭାଷାର ଉନ୍ମତିକଳ୍ପେ ପଦକାଦି ପୁରସ୍କାର ବା ଅନ୍ୟ ପ୍ରକାର ସାହାଯ୍ୟ ଦେଇ ଆସୁଛନ୍ତି, ସେମାନେ ଏ କାର୍ଯ୍ୟରେ ସାହାଯ୍ୟ ଦେବାକୁ କଦାପି କୁଣ୍ଠିତ ହେବେନାହିଁ । ସାହିତ୍ୟସମାଜର ଯେଉଁ ବିଶେଷ ପାଣ୍ଠି ଅଛି, ତହିଁରୁ ମଧ୍ୟ କେତେକ ପରିମାଣ ଏହି କାର୍ଯ୍ୟରେ ନିଯୋଗ କଲେ ତହିଁର ଉପସ୍ୱତ୍ୱରୁ ସମୟରେ ପାଣ୍ଠି ପରିପୁଷ୍ଟ ହେବା ଅସମ୍ଭବ ନୁହେଁ । ମୋର କ୍ଷୁଦ୍ର ବିବେଚନାରେ ସମାଜ ଏହି କାର୍ଯ୍ୟରେ ଅକପଟ ଭାବରେ ଲାଗି ପଡ଼ିଲେ, ଅତି ଅଳ୍ପକାଳ ମଧ୍ୟରେ ପ୍ରାଚୀନ ସାହିତ୍ୟର ଆଦର ଲୋକସାଧାରଣରେ ବୃଦ୍ଧି କରିବାଦ୍ୱାରା ସେମାନଙ୍କ ରୁଚିର ପରିବର୍ତ୍ତନ ଘଟାଇ ପାରନ୍ତି ।

 

ନୂତନ ସାହିତ୍ୟକ୍ଷେତ୍ରକୁ ଚାହିଁଲେ ତହିଁର ପ୍ରସାରଣ କିଛି କିଛି ହେଉଥିଲେ ମଧ୍ୟ ଆଶାନୁରୂପ ନୁହେଁ । ପ୍ରତିଭାଶାଳୀ ଲେଖକ ଦେଶରେ ଜାତ ହେବା ଭଗବତ୍କୃପା ସାପେକ୍ଷ । ସେପରି ଲେଖାର ପ୍ରଚାର କାହାରି ଅପେକ୍ଷା କରେନାହିଁ । ସମାଜ ଶତଚେଷ୍ଟା କଲେ ମଧ୍ୟ ଗୋଟିଏ ରାଧାନାଥ, ମଧୁସୂଦନ ବା ଫକୀରମୋହନ ଗଢ଼ି ପାରିବେ ନାହିଁ, କିନ୍ତୁ ଏହି ଶ୍ରେଣୀୟ ଲେଖାର ଆଦର ବଢ଼ାଇ ପାରିଲେ ସମୟରେ ଯେ ସେପରି ଲେଖକ ସ୍ୱତଃ ଉଦୀୟମାନ ହେବେ, ଏହା ନିତାନ୍ତ ଦୁରାଶା ନୁହେଁ । ଅବଶ୍ୟ ସତ୍ସାହିତ୍ୟର ପ୍ରଣୟନ ସମ୍ୱନ୍ଧରେ ଏ ସମାଜର ଅଧିକାଂଶ ସଭ୍ୟ ବ୍ୟକ୍ତିଗତଭାବରେ ଉଦ୍‌ଯୋଗ କରିପାରନ୍ତି, ମଧ୍ୟ କରୁଅଛନ୍ତି; ମାତ୍ର ଏହା ସମାଜର ସମବେତ ଚେଷ୍ଟାର କାର୍ଯ୍ୟ ନୁହେଁ; କିନ୍ତୁ ଏହି ଶ୍ରେଣୀୟ ଲେଖାର ଆଦର ସର୍ବସାଧାରଣରେ ବୃଦ୍ଧି କରାଇବା ପ୍ରତି ସମାଜ ମନୋଯୋଗୀ ହେଲେ ଅନେକ ସୁଫଳ ଫଳିବା ସମ୍ଭବପର । ପୂର୍ବେ ଏ ଦେଶରେ ପ୍ରାୟ ପ୍ରତ୍ୟେକ ବର୍ଦ୍ଧିଷ୍ଣୁ ଗ୍ରାମରେ ଗୋଟିଏ ଗୋଟିଏ ଭାଗବତ ଟୁଙ୍ଗିଥିଲା, ଯେଉଁଠାରେ ଗ୍ରାମ୍ୟ ଲୋକମାନେ ପ୍ରତିଦିନ ଭାଗବତ ପ୍ରଭୃତି ଧର୍ମଶାସ୍ତ୍ରର ଆଲୋଚନା ଓ ଅନ୍ୟାନ୍ୟ ସତ୍‌ପ୍ରସଙ୍ଗରେ ସନ୍ଧ୍ୟା ଅତିବାହିତ କରୁଥିଲେ । ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ, କାଳବଳରୁ ଏହି ଟୁଙ୍ଗିଗୁଡ଼ିକ କ୍ରମେ ଅବନତିକୁ ଭଜି ବର୍ତ୍ତମାନ ଲୁପ୍ତପ୍ରାପ୍ତ । ପୂର୍ବାକାରରେ ହେଉ ବା ନ ହେଉ, ଏହି ପ୍ରଥାର ପୁନରୁଦ୍ଧାର ଯେ ନିତାନ୍ତ ବାଞ୍ଛନୀୟ, ଏଥିରେ ବୋଧହୁଏ ଦ୍ୱିମତ ହେବନାହିଁ । ଆଜିକାଲି ପ୍ରାୟ ପ୍ରଧାନ ପ୍ରଧାନ ଗ୍ରାମରେ ଆଧୁନିକ ଧରଣରେ ପାଠୁଆ ବା ଅଧାପାଠୁଆ ଲୋକ କିଛି କିଛି ଅଛନ୍ତି ଏବଂ ସାଧାରଣ ଗ୍ରାମ୍ୟଲୋକଙ୍କ ସହିତ ମିଳାମିଶା ପ୍ରତି ଏମାନଙ୍କର ଯେଉଁ ଘୃଣା ଥିଲା, ତାହା ସମ୍ପ୍ରତି ଲୋପ ପାଇଅଛି । ବର୍ତ୍ତମାନ ସମାଜ ଯଦି ସମବେତ ଓ ବ୍ୟକ୍ତିଗତ ଚେଷ୍ଟାଦ୍ୱାରା ସ୍ଥାନେ ସ୍ଥାନେ ସମାଜର ଶାଖାସ୍ୱରୂପ ଗୋଟିଏ ଗୋଟିଏ ସମିତି ସ୍ଥାପନରେ ଉଦ୍‌ଯୋଗୀ ହୁଅନ୍ତି, ତେବେ ଅନେକ ପରିମାଣରେ କୃତକାର୍ଯ୍ୟ ହୋଇପାରିବେ, ଏଥିରେ ସନ୍ଦେହ ନାହିଁ । ସତ୍‌ସାହିତ୍ୟ ପ୍ରତି ସାଧାରଣ ରୁଚି ଆକୃଷ୍ଟ ହେବାର ଯେ ଏହା ଗୋଟିଏ ପ୍ରକୃଷ୍ଟ ପନ୍ଥା ଏହା ମୋର ବିଶ୍ୱାସ ଏବଂ ମୋଫସଲରେ କୌଣସି କୌଣସି ସ୍ଥାନରେ ଏପରି ସମିତି ସ୍ଥାପନ ଚେଷ୍ଟାରେ କେହି କେହି ସ୍ୱତଃପ୍ରବୃତ୍ତ ହୋଇଥିବାର ଦେଖି ମୁଁ ଆଶାନ୍ୱିତ ହୋଇଅଛି । ଏ କାର୍ଯ୍ୟ ତେତେ ବ୍ୟୟସାଧ୍ୟ ନୁହେଁ, ମାତ୍ର ଧାରାବାହିକ ନିଃସ୍ୱାର୍ଥ ଉଦ୍ୟମ ଆବଶ୍ୟକ । ଏହି ସମାଜ ସନ ୧୯୦୩ ମସିହାରେ ଜନ୍ମଗ୍ରହଣ କରି ବର୍ତ୍ତମାନ ନାବାଳକ ଅବସ୍ଥା ଅତିକ୍ରମ କରି କର୍ମକ୍ଷେତ୍ରରେ ଉପନୀତ, ଅତଏବ ଶୈଶବସୁଲଭ ଅବ୍ୟବସ୍ଥିତ ଚେଷ୍ଟା ପରିହାର କରି ଏପରି ଧାରାବାହିକ ଉଦ୍ୟମରେ ଲାଗିପଡ଼ିବା ସମାଜ ପକ୍ଷରେ ବୋଧହୁଏ ଅଧିକ ଶୋଭନୀୟ ହେବ ।

 

ମୋର ଆଉ କିଛି କହିବାର ନାହିଁ, କେତେଗୁଡ଼ିଏ ଅସାର ଓ ଅସଂଲଗ୍ନ କଥାରେ ଆପଣମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ କଲି, ଏଥିସକାଶେ ଆପଣମାନଙ୍କଠାରେ କ୍ଷମାଭିକ୍ଷା କରୁଅଛି ଏବଂ ମୋତେ ଆଜି ଯେଉଁ ସମ୍ମାନ ଦିଆହେଲା, ସେଥିପାଇଁ ପୁନର୍ବାର କୃତଜ୍ଞତା ପ୍ରକାଶ କରି ଆପଣମାନଙ୍କଠାରୁ ବିଦାୟ ନେଉଅଛି ।

 

(୨ । ୫ । ୧୯୨୨ ତାରିଖରେ ଅନୁଷ୍ଠିତ ଉତ୍କଳସାହିତ୍ୟ ସମାଜର ସପ୍ତଦଶ ସାମ୍ୱତ୍ସରିକ ସଭାରେ ପଠିତ)

Image

 

ଉତ୍କଳ ସାହିତ୍ୟର ଉନ୍ନତି

(ଶ୍ରୀ ବିଶ୍ୱନାଥ କର)

 

ଉତ୍କଳର ପ୍ରାଚୀନ ସାହିତ୍ୟ-ସଂସାରରେ ପ୍ରବେଶ କଲେ ସାଧାରଣତଃ ଦୁଇ ଶ୍ରେଣୀର ଲେଖକ ଦୃଷ୍ଟ ହୁଅନ୍ତି । ଏକ ଶ୍ରେଣୀକୁ ସୌଖୀନ ଆଖ୍ୟା ପ୍ରଦାନ କରାଯାଇପାରେ । ସେମାନେ ସମ୍ମୁଖରେ ବିଶେଷ କୌଣସି ଲକ୍ଷ୍ୟ ରଖି ସାହିତ୍ୟ ସେବାରେ ପ୍ରବୃତ୍ତ ହୋଇ ନଥିଲେ–ସାହିତ୍ୟ ପାଠଦ୍ୱାରା ଜନସାଧାରଣଙ୍କର କି ଉପକାର ସାଧିତ ହେବ ବା ସମାଜର କି ପରିମାଣରେ ମଙ୍ଗଳ ବା ଅମଙ୍ଗଳ ଘଟିବ ଏ ଚିନ୍ତା ସେମାନଙ୍କ ପ୍ରାଣରେ ଆଦୌ ପ୍ରବେଶ କରିଥିବାର ବୋଧହୁଏ ନାହିଁ–କେବଳ ନିଜର ଓ ପାଠକ ସାଧାରଣଙ୍କର ଆମୋଦ ପ୍ରମୋଦ ସ୍ପୃହା ଚରିତାର୍ଥ କରିବାହିଁ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସୁତରାଂ ଜନସାଧାରଣଙ୍କର ରୁଚିକୁ ଅନୁକରଣ କରି କାବ୍ୟାଦି ପ୍ରଣୟନ କରିବା ସେମାନଙ୍କ ପକ୍ଷରେ ସ୍ୱାଭାବିକ । କବି ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ ପ୍ରଭୃତି ଏହି ଶ୍ରେଣୀର ଅନ୍ତର୍ଗତ । ଅପର ଶ୍ରେଣୀର ଲେଖକଗଣ ଭକ୍ତ । ସ୍ୱୀୟ ସ୍ୱୀୟ ଇଷ୍ଟଦେବତାଙ୍କ ମହିମା ଜନସାଧାରଣଙ୍କ ନିକଟରେ ପ୍ରଚାର କରିବା ଏବଂ ଇଷ୍ଟଦେବତାଙ୍କର ଗୁଣକୀର୍ତ୍ତନ କରିବା ଏମାନଙ୍କର ସାହିତ୍ୟ ସେବାର ମୂଳ । କବି ବଳରାମ ଦାସ, ଦୀନକୃଷ୍ଣ ଦାସ ପ୍ରଭୃତି ଏହି ଶ୍ରେଣୀରେ ଗଣ୍ୟ । ଏହି ଉଭୟ ଶ୍ରେଣୀର ଲେଖକଗଣହିଁ ପ୍ରାଚୀନ ଉତ୍କଳ ସାହିତ୍ୟର ଜନ୍ମଦାତା ଓ ଗଠନକର୍ତ୍ତା । ଉଭୟ ଶ୍ରେଣୀ ମଧ୍ୟରେ କେତେଗୁଡ଼ିଏ ଶକ୍ତିଶାଳୀ ଲେଖକ ଜନ୍ମଗ୍ରହଣ କରି ଉତ୍କଳ ସାହିତ୍ୟର ବିଶେଷ ଉନ୍ନତି ସାଧନ କରିଯାଇଅଛନ୍ତି । ଯେ ଯେଉଁ ଭାବଦ୍ୱାରା ଚାଳିତହୋଇ ସାହିତ୍ୟ ସେବାରେ ପ୍ରବୃତ୍ତ ହୋଇଥାନ୍ତୁ ସେମାନେ ବହୁ ଆୟସ ସ୍ୱୀକାର କରି ଆମ୍ଭମାନଙ୍କ ପାଇଁ ଯାହା ରଖିଯାଇଅଛନ୍ତି, ସେଥିନିମନ୍ତେ ସେମାନଙ୍କ ନିକଟରେ ଆମ୍ଭମାନଙ୍କର ଚିରକୃତଜ୍ଞ ରହିବା ଉଚିତ–ସେମାନଙ୍କର ଏହିପ୍ରକାର ଚେଷ୍ଟା ଓ ଯତ୍ନ ନଥିଲେ ଉତ୍କଳ ଭାଷା ଯେ ପ୍ରାଚୀନ ସାହିତ୍ୟଶାଳିନୀ ଏ କଥା ଆଜି ଆମ୍ଭେମାନେ କହିବାକୁ ସକ୍ଷମ ହୁଅନ୍ତୁନାହିଁ ।

 

କିନ୍ତୁ ପ୍ରାଚୀନ ଉତ୍କଳ-ସାହିତ୍ୟ ଆମ୍ଭମାନଙ୍କ ପକ୍ଷରେ ଯଥେଷ୍ଟ ନୁହେଁ ଏବଂ ତାହା ବର୍ତ୍ତମାନ କାଳରେ ଆମ୍ଭମାନଙ୍କର ଆଦର୍ଶସ୍ଥାନୀୟ ମଧ୍ୟ ହୋଇ ନ ପାରେ; ଯେହେତୁ ସର୍ବାଙ୍ଗୀନ ସାହିତ୍ୟ-ସଂଗଠନ-ସ୍ପୃହା ପ୍ରାଚୀନ ଲେଖକମାନଙ୍କ ପ୍ରାଣରେ ଉଦିତ ହୋଇ ନଥିଲା । ପାଶ୍ଚାତ୍ୟ ଶିକ୍ଷା ଆମ୍ଭମାନଙ୍କ ଦୃଷ୍ଟି ତେଣିକି ଫେରାଇ ଅଛି । କେବଳ କାବ୍ୟକୁ ଆମ୍ଭେମାନେ ସାହିତ୍ୟ ବୋଲି ମନେକରି ନ ପାରୁ । ବିଜ୍ଞାନ, ଦର୍ଶନ, ଇତିହାସ, ଜୀବନଚରିତ, ଶିକ୍ଷା, ଶିଳ୍ପ ଜୀବନର ସର୍ବବିଧ ବିଷୟ ସାହିତ୍ୟର ଅନ୍ତର୍ଗତ । ପାଶ୍ଚାତ୍ୟ ଶିକ୍ଷା ଗୁଣରେ ଏହି ପ୍ରକାର ସାହିତ୍ୟ-ସଂଗଠନ-ସ୍ପୃହା ଆମ୍ଭମାନଙ୍କ ଦେଶରେ କିଞ୍ଚିତ୍‌ ଜାଗ୍ରତ ହୋଇଅଛି । ସାହିତ୍ୟର ଉନ୍ନତି ଜାତୀୟ ଉନ୍ନତିର ପ୍ରଧାନ ସହାୟ, ଏହା ଆମ୍ଭମାନେ କିଞ୍ଚିତ୍‌ ଉପଲବ୍‌ଧି କରିବାକୁ ସକ୍ଷମ ହୋଇଅଛୁ । ଏହି ଭାବପ୍ରବଣ ନ ହେଲେ ଏବଂ ଏହି ପ୍ରକାରେ ଉତ୍କଳ ସାହିତ୍ୟର ଶ୍ରୀବୃଦ୍ଧି କରିବାକୁ ଯତ୍ନଶୀଳ ନ ହେଲେ ଆମ୍ଭମାନଙ୍କର ଜାତୀୟଉନ୍ନତି ଅସମ୍ଭବ ।

 

ଦୁଃଖର ସହିତ କହିବାକୁ ହେଉଅଛି ଯେ, ଉତ୍କଳଭୂମିରେ ଏପର୍ଯ୍ୟନ୍ତ ଯଥାର୍ଥ ନିଷ୍ଠାବାନ୍‌ ସାହିତ୍ୟସେବକ ପ୍ରାୟ କେହି ଦେଖାଯାଇନାହାନ୍ତି । ପ୍ରତ୍ୟେକ ଉନ୍ନତ ଜାତିର ସାହିତ୍ୟର, ଇତିହାସ ପାଠ କଲେ ଜଣାଯାଏ ଯେ, ସମୟବିଶେଷରେ କେତେଗୁଡ଼ିଏ ଶକ୍ତିଶାଳୀ ନିଷ୍ଠାବାନ୍‌ ସାହିତ୍ୟସେବକ ଏକାଗ୍ର ପ୍ରାଣରେ ସାହିତ୍ୟ ଚର୍ଚ୍ଚାରେ ପ୍ରବୃତ୍ତ ହୋଇ ସାହିତ୍ୟରେ ଜୀବନ ସଞ୍ଚାର କରିଦିଅନ୍ତି; ସେହି ଜୀବନ-ପ୍ରବାହ କ୍ରମେ ଦେଶ ମଧ୍ୟରେ ସଞ୍ଚାରିତ ହୋଇ ବହୁଶତ ପ୍ରାଣରେ ସାହିତ୍ୟ ସେବାର ଭାବ ଉଦ୍ଦୀପିତ କରିଦିଏ । ପରବର୍ତ୍ତୀ କାଳରେ ସେମାନଙ୍କ ଅପେକ୍ଷା ବହୁଗୁଣରେ ଅଧିକ ଶକ୍ତିସମ୍ପନ୍ନ ଲେଖକ ଦେଶ ମଧ୍ୟରେ ଜନ୍ମଗ୍ରହଣ କରନ୍ତି; କିନ୍ତୁ ସେମାନେ ପ୍ରଥମୋକ୍ତ ଦଳର କଠୋର ସାଧନାର ଫଳ । ଏହାର ଦୃଷ୍ଟାନ୍ତ ଅନ୍ୱେଷଣ କରିବାକୁ ବହୁଦୂର ନ ଯାଇ ଆମ୍ଭମାନଙ୍କର ପ୍ରତିବେଶିନୀ ସୌଭାଗ୍ୟବତୀ ବଙ୍ଗଭାଷାର ବିଷୟ ଆଲୋଚନା କଲେ, ବୋଧହୁଏ ଅସଙ୍ଗତ ବା ଅନୁଚିତ ହେବନାହିଁ ବରଂ ପ୍ରାଚୀନ ଉତ୍କଳସାହିତ୍ୟ ସଙ୍ଗେ ପ୍ରାଚୀନ ବଙ୍ଗସାହିତ୍ୟର ବିଶେଷ ସୌସାଦୃଶ୍ୟଥିବାରୁ ଏ ପ୍ରକାର ତୁଳନା ବା ଆଲୋଚନା ବିଶେଷ ଉପଯୋଗୀ ବୋଧ ହେଉଅଛି ।

 

ବଙ୍ଗଦେଶରେ ମଧ୍ୟପ୍ରାଚୀନ ସାହିତ୍ୟ କାବ୍ୟ ଓ କବିତାର ଆବଦ୍ଧ ଥିଲା ଏବଂ ସାଧାରଣତଃ ଦୁଇ ଶ୍ରେଣୀର ଲେଖକ ଉକ୍ତ ସାହିତ୍ୟର ସୃଷ୍ଟିକର୍ତ୍ତା ଓ ପରିପୋଷକ ଥିଲେ । ମହାତ୍ମା ରାଜା ରାମମୋହନ ରାୟ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଗଦ୍ୟ ରଚନାର ପ୍ରଣାଳୀ ନିର୍ଦ୍ଦେଶ କରି ଗଦ୍ୟ ସାହିତ୍ୟର ଅବତାରଣା କଲେ । ତତ୍ପରେ ସ୍ୱର୍ଗୀୟ ଅକ୍ଷୟ କୁମାର ଦତ୍ତ ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରଭୃତି କେତେକ ଜଣ ପ୍ରତିଭାଶାଳୀ କଠୋର ସାଧନାରେ ପ୍ରବୃତ୍ତି ହୋଇ ବଙ୍ଗସାହିତ୍ୟରେ ନବଜୀବନ ସଞ୍ଚାର କଲେ । ଏହି ସମୟରେ ମହର୍ଷି ଦେବେନ୍ଦ୍ର ନାଥ ଠାକୁରଙ୍କ ଯତ୍ନ ଓ ଉତ୍ସାହରେ ‘‘ତତ୍ତ୍ୱବୋଧିନୀ’’ ପତ୍ରିକା ପ୍ରକାଶିତ ହୋଇ ଦେଶ ମଧ୍ୟରେ ବିବିଧ ତତ୍ତ୍ୱ ପ୍ରଚାର କରିବାକୁ ଲାଗିଲା । ପରବର୍ତ୍ତୀ ସମୟରେ ବଙ୍କିମ ଚନ୍ଦ୍ର ପ୍ରଭୃତି ସାହିତ୍ୟରଥୀମାନେ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ବଙ୍ଗସାହିତ୍ୟକୁ ବହୁଗୁଣରେ ସମୁନ୍ନତ ଓ ସୁଶୋଭିତ କରିଅଛନ୍ତି ସତ୍ୟ, ମାତ୍ର ଅକ୍ଷୟ କୁମାର ପ୍ରଭୃତିଙ୍କର କଠୋର ସାଧନା ଯେ ଏଥିରେ ପ୍ରାଣ ସଞ୍ଚାର କରିଅଛି, ଏଥିରେ ମତଦ୍ୱୈଧ ଥାଇ ନ ପାରେ । ସେହିମାନଙ୍କ ସାଧନାର ଫଳରେ ଆଜି ବଙ୍ଗସାହିତ୍ୟର ଏତେ ସମୃଦ୍ଧି ଓ ଏତେ ଗୌରବ–ଆଜିସୁଦ୍ଧା ଜୀବନ ସ୍ରୋତ ପ୍ରବଳ ବେଗରେ ସଞ୍ଚାରିତ ହେଉଅଛି–ଉଚ୍ଚଶ୍ରେଣୀର ସାହିତ୍ୟ ସେବକମାନେ ସମ୍ମିଳିତ ହୋଇ ନାନାସ୍ଥାନରେ ସଭା ସଂଗଠନ କରି ସାହିତ୍ୟର ଉନ୍ନତିସାଧନ କରୁଅଛନ୍ତି–ବହୁ ସଂଖ୍ୟକ ଉଚ୍ଚଶ୍ରେଣୀର ପତ୍ରିକାମାନ ପ୍ରକାଶିତ ହୋଇ ଏ ପଥରେ ପ୍ରଭୂତ ସହାୟତା କରୁଅଛି–ଭିନ୍ନ ଭିନ୍ନ ବ୍ୟକ୍ତି ସାହିତ୍ୟର ଭିନ୍ନ ଭିନ୍ନ ବିଭାଗରେ ପ୍ରବେଶ କରି ବିଶେଷ କୃତିତ୍ୱ ଲାଭ କରୁଅଛନ୍ତି । ସ୍ଥୂଳରେ ବଙ୍ଗ ସାହିତ୍ୟର କାର୍ଯ୍ୟ ଜୀବନ୍ତଭାବରେ ପରିଚାଳିତ ହେଉଅଛି । ମାତ୍ର ସେହି ପ୍ରାଥମିକ ସାଧନାର ପ୍ରବର୍ତ୍ତକ କିଏ ? କେବଳ ଉଚ୍ଚ ଆକାଙ୍‍କ୍ଷା ଓ ଉନ୍ନତରୁଚି ଏହାର ପ୍ରବର୍ତ୍ତକ । ଦେଶର କତିପୟ ବ୍ୟକ୍ତିଙ୍କ ପ୍ରାଣରେ ଏହିପରି ରୁଚି ଓ ଆକାଙ୍‍କ୍ଷା ଜାଗ୍ରତ ହେଲେ ସେମାନେ ସ୍ୱତଃ ପ୍ରୟୋଜନନୁରୂପ ସାଧନାମାର୍ଗ ଅବଲମ୍ୱନ କରନ୍ତି । ମହାତ୍ମା ରାମମୋହନଙ୍କ ପ୍ରାଣର ମହୋଚ୍ଚଆକାଙ୍‌କ୍ଷା ତାଙ୍କୁ ବଙ୍ଗସାହିତ୍ୟ ସଂଘଠନ କାର୍ଯ୍ୟରେ ପ୍ରବର୍ତ୍ତାଇ ଥିଲା । ସମଭାବନାପନ୍ନ କେତେଗୁଡ଼ିଏ ଉନ୍ନତମନା ବ୍ୟକ୍ତିଙ୍କର ସମ୍ମିଳନ ଓ ବିବିଧ ବିଷୟକ ଆଲୋଚନାରୁ ତତ୍ତ୍ୱବୋଧିନୀ ପତ୍ରିକାର ଜନ୍ମ । ପୁଣି ଧର୍ମପ୍ରାଣ ଦେବେନ୍ଦ୍ରନାଥ ବଙ୍ଗଭାଷାକୁ ଯେଉଁ ଅପୂର୍ବ ପରିଚ୍ଛଦ ଦେଇଯାଇଅଛନ୍ତି, ତାହାର ତୁଳନା ନାହିଁ ।

 

ଅତଏବ ଦେଖାଯାଉଅଛି ଯେ, ଉଚ୍ଚ ଆକାଙ୍‍କ୍ଷା ଓ ଉନ୍ନତ ରୁଚି ଏବଂ ତଦାନୁଷଙ୍ଗିକ ବିବିଧତତ୍ତ୍ୱାଲୋଚନା ସାହିତ୍ୟ ସଂଗଠନ ଓ ସାହିତ୍ୟୋନ୍ନତିର ସର୍ବପ୍ରଧାନ ଉପାଦାନ । ଦୁଃଖର ସହିତ କହିବାକୁ ହେଉଅଛି ଯେ, ଉତ୍କଳଭୂମିରେ ସେ ପ୍ରକାର ଆକାଙ୍‌କ୍ଷା ବା ଭାବ ସମଧିକ ପରିମାଣରେ ଜାଗ୍ରତ ହୋଇନାହିଁ; ସୁତରାଂ, ନିଷ୍ଠାବାନ୍‌ ସାହିତ୍ୟସେବକ ଜନ୍ମିବେ କିପରି ? ବର୍ତ୍ତମାନ ଆମ୍ଭମାନଙ୍କୁ ଟିକିଏ ଦୃଷ୍ଟି ପ୍ରସାରିତ କରିବାକୁ ହେବ, ଟିକିଏ ସ୍ୱାର୍ଥ ବିସର୍ଜନ କରି ସାହିତ୍ୟ ସଂଗଠନ କାର୍ଯ୍ୟରେ ବ୍ରତୀ ହେବାକୁ ହେବ । ଆମ୍ଭମାନଙ୍କ ମଧ୍ୟରେ ଯେ କିଞ୍ଚିତ ପରିମାଣ ଜାଗରଣ ଉପସ୍ଥିତ ହୋଇଅଛି, ତଦ୍ଦ୍ୱାରା ଯଥେଷ୍ଟ ଫଳଲାଭ ହେଉନାହିଁ, ହେବା ମଧ୍ୟ ସମ୍ଭବ ନୁହେଁ ।

 

ଏହା ସମସ୍ତେ ସ୍ୱୀକାର କରିବେ ଯେ, ମାସିକ ପତ୍ରିକା ସାହିତ୍ୟୋନ୍ନତିର ଗୋଟିଏ ଉତ୍କୃଷ୍ଟମାର୍ଗ, କିନ୍ତୁ ଉତ୍କଳଭୂମିରେ ସେହି ମାସିକ ପତ୍ରିକାର ଏଡ଼େ ଅନାଦର କାହିଁକି ? ତାହାର କାରଣ ଏହି ଯେ, ଦେଶର କେତେକ ବ୍ୟକ୍ତିଙ୍କ ପ୍ରାଣରେ ସାହିତ୍ୟଚର୍ଚ୍ଚାର ଯେଉଁ ଆକାଙ୍‌କ୍ଷା କିଞ୍ଚିତ୍‌ ପରିମାଣରେ ଜାଗ୍ରତ ହୋଇଅଛି ତାହା ସର୍ବସାଧାରଣରେ ପରିବ୍ୟାପ୍ତ ହୋଇନାହିଁ । ପୁଣି ଆଉ ଗୋଟିଏ ପ୍ରଶସ୍ତ ଦ୍ୱାର ସଭାସମିତି । ତାହାପ୍ରତି ମଧ୍ୟ ଉତ୍କଳବାସୀ ସମୁଚିତ ଆସ୍ଥାପ୍ରଦର୍ଶନ କରିପାରିନାହାନ୍ତି । ଏହି ଭାବ, ଏହି ଜଡ଼ତା ବା ଔଦାସୀନ୍ୟ ଦୂର ହେବା ଏକାନ୍ତ ପ୍ରୟୋଜନ । ଅବସର କ୍ରମେ କିଞ୍ଚିତ୍‌ ସାହିତ୍ୟଚର୍ଚ୍ଚା କରି ନିଶ୍ଚିନ୍ତ ରହିଲେ ଚଳିବ ନାହିଁ । ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ବିଭାଗରେ ପ୍ରବେଶ କରି ବିଶେଷ ସାଧନ ଅବଲମ୍ୱନ କରିବାକୁ ହେବ–ସମସ୍ତ ଶକ୍ତି ପ୍ରୟୋଗକରି ସାହିତ୍ୟର ସେବା କରିବାକୁ ହେବ । କେବଳ ଏତିକି ନୁହେଁ । ନାନା ଉପାୟରେ ସର୍ବସାଧାରଣଙ୍କ ଦୃଷ୍ଟି ସାହିତ୍ୟଚର୍ଚ୍ଚା ଆଡ଼କୁ ଫେରାଇବାକୁ ହେବ–ଆମ୍ଭମାନଙ୍କର ପ୍ରାଣର ଆକାଙ୍‍କ୍ଷା ଅପର ସାଧାରଣଙ୍କ ପ୍ରାଣରେ ପ୍ରବେଶ କରାଇବାକୁ ହେବ । ଜନସାଧାରଣଙ୍କ ମଧ୍ୟରେ କ୍ଷୁଦ୍ର ଭାବ, ଦୂଷିତ ରୁଚି ଓ ଘୋର ଔଦାସୀନ୍ୟ ଅପ୍ରତିହତ ଆଧିପତ୍ୟ କରୁଥିବ, ଅଥଚ ଆମ୍ଭେମାନେ ଅବସର କ୍ରମେ ଟିକିଏ ଅଧେ ସାହିତ୍ୟ ଆଲୋଚନା କରି କର୍ତ୍ତବ୍ୟ ଶେଷ କରିବୁ ଏହା ନିତାନ୍ତ ଲଜ୍ଜା ଓ ପରିତାପର ବିଷୟ ।

 

ଏହି ଆଲୋଚନାସଭା ଉପଯୁକ୍ତ କ୍ଷେତ୍ରରେ ସଂସ୍ଥାପିତ ହୋଇଅଛି–ନର୍ମାଲ ସ୍କୁଲ ଓଡ଼ିଆ ଭାଷାର ସର୍ବୋଚ୍ଚ ବିଦ୍ୟାଳୟ; ଏହାର ଛାତ୍ରମାନେ ଉତ୍କଳଭୂମିର ନାନାସ୍ଥାନରେ କାର୍ଯ୍ୟ କରିବାକୁ ଯିବେ । ସେମାନେ ଯେବେ ସାହିତ୍ୟସେବାର ଉନ୍ନତ ଭାବ ଓ ଆକାଙ୍‍କ୍ଷା ପ୍ରାଣରେ ପୋଷଣକରି ସ୍ୱୀୟ ସ୍ୱୀୟ କର୍ତ୍ତବ୍ୟ ସାଧନରେ ତତ୍ପର ହୁଅନ୍ତି ତାହାହେଲେ ସେମାନଙ୍କ ଦ୍ୱାରା ଦେଶର ଅଶେଷ କଲ୍ୟାଣ ସାଧିତ ହୋଇପାରିବ–ସେମାନେ ନିଜେ ସାହିତ୍ୟସେବା କରି ଜୀବନ କୃତାର୍ଥ କରିପାରିବେ ଏବଂ ଅନ୍ୟ ଶତ ଶତ ପ୍ରାଣରେ ସାହିତ୍ୟସେବାର ଭାବ ଜାଗ୍ରତ କରିବାକୁ ସକ୍ଷମ ହେବେ ।

 

X X X

 

ଆମ୍ଭମାନଙ୍କ ଦେଶରେ ଏପରି ମୃତଭାବ କାହିଁକି ? ଏକ୍ଷଣେ ଆମ୍ଭେମାନେ ଯେବେ ନିଜ ନିଜ ହୀନତା ସ୍ମରଣ କରି ଜାଗ୍ରତ ହେଉ ଉନ୍ନତ ଓ ମାର୍ଜିତ ରୁଚିର ଅନୁସରଣ କରୁ, ଉତ୍ସାହ ସହକାରେ ଆଲୋଚନାର କ୍ଷେତ୍ର ବିସ୍ତାରିତ କରୁ, ତାହାହେଲେ ଦେଖିବେ ଅଳ୍ପକାଳ ମଧ୍ୟରେ ଉତ୍କଳ ସାହିତ୍ୟର ମୁଖଛବି ପରିବର୍ତ୍ତିତ ହୋଇଯିବ–ଜୀବନସ୍ରୋତ ଖରତର ବେଗରେ ସମଗ୍ର ଉତ୍କଳଭୂମିରେ ପ୍ରବାହିତ ହେବ–ଆମ୍ଭମାନଙ୍କର ଜାତୀୟଗୌରବ ବହୁ ପରିମାଣରେ ବର୍ଦ୍ଧିତ ହୋଇଯିବ । ନତୁବା ବର୍ତ୍ତମାନର ମୃଦୁମନ୍ଦ ଗତିଦ୍ୱାରା ଯଥାର୍ଥ ସାହିତ୍ୟ ସଂଗଠନ ଏକପ୍ରକାର ଅସମ୍ଭବ ।

 

ପାଶ୍ଚାତ୍ୟ ଶିକ୍ଷା ଲାଭ କରି, ଉନ୍ନତ ଜାତିମାନଙ୍କର ସାହିତ୍ୟିକଭାବ ସନ୍ଦର୍ଶନ କରି ଆଜି ଯେବେ କେହି କେହି ମନେ କରନ୍ତି ଯେ, ଆମ୍ଭମାନଙ୍କର ପ୍ରାଚୀନ ସାହିତ୍ୟ ଅଥବା ଏ ତାବତ୍‌ ଆମ୍ଭେମାନେ ଯାହା କରିଅଛୁ ତାହାହିଁ ଆମ୍ଭମାନଙ୍କ ପକ୍ଷରେ ଯଥେଷ୍ଟ, ତାହାହେଲେ ସେ ନିତାନ୍ତ ଭ୍ରାନ୍ତ–ତାଙ୍କର ସେ ଭାବ ଅଳୀକ କଳ୍ପନା ମାତ୍ର । ଈଶ୍ୱର ଦେଖନ୍ତୁ ଆମ୍ଭମାନଙ୍କର ସୁଖର ନିଦ୍ରା ଓ ମୋହର ଅବସନ୍ନତା ଦୂର ହେଉ, ଆମ୍ଭେମାନେ ଜୀବନର ଉଚ୍ଚ ଲକ୍ଷ୍ୟ ହୃଦୟଙ୍ଗମ କରି ଜାଗ୍ରତ ଓ ସଞ୍ଜୀବିତ ହେଉ ।

 

(କଟକ ଆଲୋଚନା ସଭାର ତୃତୀୟ ସାମ୍ୱତ୍ସରିକ ଅଧିବେଶନରେ ପ୍ରଦତ୍ତ ବକ୍ତୃତାର ସାରାଂଶ–୧୩୦୪ସାଲ)

Image

 

ଅଭିଭାଷଣ

(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)

 

ଉତ୍କଳ ସାହିତ୍ୟସମାଜର ନମସ୍ୟ ସଭାପତି, ସଭ୍ୟବୃନ୍ଦ ଓ ଭ୍ରାତୃମଣ୍ଡଳୀ,

 

ଆଜି ଆପଣମାନେ ଏହି ଅଧିବେଶନରେ ମତେ ସଭାପତି ଆସନ ମାଡ଼ିବାକୁ ଆଦେଶ ଦେବାରୁ ମୁଁ ତାହା ନତମସ୍ତକରେ ଗ୍ରହଣ କରିଅଛି । ମୋର ଏ ଭାର ଗ୍ରହଣ କରିବାର ଯୋଗ୍ୟତା ବା ଅଯୋଗ୍ୟତା ସମ୍ୱନ୍ଧରେ ଗୁଡ଼ିଏ କଅଁଳ କଥା ଆପଣମାନଙ୍କ ଛାମୁରେ ପେଶ୍‌ କରି ମୋ ମୂଲ୍ୟ ପ୍ରଘଟ କରିବାକୁ ମୋ ମନ ଯାଉ ନାହିଁ । ଉତ୍କଳ ସାହିତ୍ୟ ସମ୍ୱନ୍ଧରେ ଗଭୀର ଚିନ୍ତା ଓ ଗବେଷଣା ଏବଂ ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧ ଆପଣମାନଙ୍କୁ ଶୁଣାଇବାକୁ ମୋର ଯୋଗ୍ୟତା ନାହିଁ ।

 

‘‘ଉତ୍କଳ-କମଳା-ବିଳାସ-ଦୀର୍ଘିକା,

ମରାଳ-ମାଳିନୀ-ନୀଳାମ୍ୱୁ-ଚିଲିକା ।’’

ମଧ୍ୟସ୍ଥ

‘କାଳିଜାଇଗଣ୍ଡେ ପଡ଼ିଲେ ନଉକା

ହଲାପଟା ପାଇଁ ଥାଏ ଯହିଁ ଦକା ।’’

 

ଏପରି ଗଭୀର ଓ ବିପତ୍‌ସଙ୍କୁଳ ଗଣ୍ଡରେ ଭୀମ ପାଲଟାସିଂହ, ଦିବ୍ୟସିଂହ ବାହାବଳୀନ୍ଦ୍ର, ଦୁର୍ଯ୍ୟୋଧନ ପଶ୍ଚିମକବାଟଙ୍କ ପରି ଯୋଧୀ ନାଉରିମାନଙ୍କ ଅକଲ ଗୁମ୍‌ ହୋଇଯାଏ, ସେହି କାଳିଜାଇ ଗଣ୍ଡରେ ସନ୍ତିଆକୁ ବାହାଣକାରିଆ ପଦରେ ବରଣ କରି ଯେବେ ମଝି ଗଣ୍ଡରେ ହଲାପଟା ହେବ, ସେଥିପାଇଁ ସାନ୍ତିଆକୁ ଦୋଷ ଦେଲେ ଚଳିବ ନାହିଁ । ମୋ ଭଳି ଲୋକକୁ ଉତ୍କଳ ସାହିତ୍ୟ-ସମାଜର ବାର୍ଷିକ ଅଧିବେଶନରେ ଆପଣମାନେ ମଙ୍ଗଧରା କରି ବସାଇଲେ ଓ ମୋହରି ଉପରେ ସୁନା କଳସ ଢାଳି ଦେଲେ–ଏପରି କରି ଆପଣମାନେ ସମାଜର ଓ ସାହିତ୍ୟର କି ଉପକାରଟାଏ କଲେ, ତାହା ଆପଣମାନେ ଜାଣନ୍ତି ଓ ମୋ କସରତ୍‌ ଯେ ଦେଖିବେ, ଶୁଣିବେ ଓ ପଢ଼ିବେ, ସେମାନେ ମଧ୍ୟ ଠଉରାଇବେ; କିନ୍ତୁ ଏଡ଼େ ଶସ୍ତାରେ ଓ ଘଡ଼କର ଗଦି ତକିଆ ଲୁଗା ମିହନ୍ତରେ ମୋ ନାଆଁଟା ଉତ୍କଳର ସମ୍ୱାଦପତ୍ର ମହଲରେ ବାଜି ଯିବ, ଏହି ପ୍ରଲୋଭନକୁ ମୁଁ ଏଡ଼ି ନ ପାରି ଆପଣମାନଙ୍କ ଆଦେଶ ପାଳନ କରିଅଛି । ଆଶାକରେ ଆପଣମାନେ ମୋର ଏ ଦୁର୍ବଳତାକୁ ମାର୍ଜନା କରିବେ । ମୁଁ ଆପଣମାନଙ୍କ ମଧ୍ୟରୁ ଜଣେ ସାନ ଭାଇ, ମତେ ଆଦେଶ ଦେବାରୁ ମୁଁ ଏଠାରେ ବସିଅଛି । ମୁଁ ଯାହା କହୁଅଛି, ତାହା ଆପଣମାନଙ୍କ ପକ୍ଷରୁ ଦେଶକୁ ନିବେଦନ କରୁଅଛି, ଧୃଷ୍ଟତା କ୍ଷମା କରିବେ ।

 

ବର୍ତ୍ତମାନ ସଭାସମିତିରେ, ସମ୍ୱାଦପତ୍ରରେ, ହାଟବାଟରେ ଗୋଟାଏ ଢୁଆ ଆମ ମୁହଁରେ ଶୁଣାଯାଏ । ‘‘ଆମରି ପୂର୍ବପୁରୁଷେ ଭୁବନେଶ୍ୱର, କୋଣାର୍କ ଆଦିର ପ୍ରକାଣ୍ଡ ଓ କଳାପୂର୍ଣ୍ଣ ମନ୍ଦିରମାନ ଗଢ଼ିଥିଲେ । ଆମରି ପୂର୍ବପୁରୁଷେ ବୈଦେହୀଶବିଳାସ, କିଶୋରୀ ଚମ୍ପୂ, ଭାଷା ରାମାୟଣ, ଭାଷା ମହାଭାରତ, ଭାଷା ଭାଗବତ ଆଦି ରଚନା କରିଥିଲେ । ଆମରି ପୂର୍ବପୁରୁଷେ ଦେଶ ଦେଶାନ୍ତରରେ ବଣିଜ ବେପାର କରି ସାତସମୁଦ୍ର ଲଙ୍କା ପାରି ହୋଇ ଆମରି ହାତୀଶାଳରେ, ଆମରି ଅସ୍ତାବଲରେ ହାତୀ, ଘୋଡ଼ା ଝୁଲାଉଥିଲେ । ଆମରି ପୂର୍ବପୁରୁଷେ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି ଭାରତର ଚାରି ଖୁଣ୍ଟରେ ବାନା ପୋତିଥିଲେ । ଆମରି ବଡ଼ ବଡ଼କେ ଶାରୀରିକ, ମାନସିକ, ସାମାଜିକ, ରାଜନୀତିକ, ସାହିତ୍ୟିକ ଐତିହ, ପାରତ୍ରିକ ଇତ୍ୟାଦି ସବୁପ୍ରକାର ଉନ୍ନତିକରି ନାଆଁ କରିଥିଲେ । ଆମେ ତାଙ୍କର ଉଆଲି ଉଆରସ ଉତ୍ତରାଧିକାରୀ କାଏମ୍‌ ମୁକାଏମ ସ୍ଥଳାଭିଷିକ୍ତ ଅଟୁ । ଅତଏବ ଆମେ ଓଡ଼ିଆ ଭାରୀ ବଡ଼ ଓ ଖାନ୍ଦାନ ଜାତି ।’’ ଏସବୁ ଢୁଆ ଶୁଣି ମୁଁ ମନରେ ପାଞ୍ଚେ ଯେ, କର୍ପୂର ତ ଗଲାଣି, ତୁଚ୍ଛା କନାଟାକୁ ନିଜେ ଶୁଙ୍ଘି ଓ ପର ନାକରେ ଗୁଞ୍ଜି ଆଉ କେତେକାଳ ଆମେ ଏ ଟେକକୁ ବଜାୟ ରଖିବା ଓ ଆମ ଖାନ୍ଦାନୀ ଜାହିର କରିବା ? ଯେଉଁ ବ୍ୟକ୍ତି ତା’ ପିତୃପିତାମହଙ୍କ ଗଚ୍ଛିତ ଧନକୁ ଏ ସଂସାରରେ ଯେତେ ଖେଳାଇ ଯେତେ ଧୋଇ ଶୁଖାଇ କାମରେ ଲଗାଇ ପାରେ, ସେ ସିନା ସେତିକି ପାରିଲାର ପୁଅ, ଦେଖିଲା ବେଳକୁ ମୋ ପଟକୁ ଦାନା ନାହିଁ କି ପିଠିକି କନା ନାହିଁ; ଆମେ ବୀର ଶ୍ରୀ ଗଜପତି ଗଉଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀରାଧିବୀରବର ମହାରାଜାଧିରାଜଙ୍କ ଦ୍ୱାରା ପ୍ରତିଷ୍ଠାପ୍ରାପ୍ତ ରାଜଗୁରୁ ସାମନ୍ତ ଅଣନାତିଙ୍କ ପଣନାତିଙ୍କ ସାବତ ଭାଇ ! ଏହି ଅଲଣା ବାଲିଙ୍ଗିରେ କେତେଦିନ ଗୁଜ୍‌ରାନ ଚଳିବ ? ନିଜ ଜାତିର ପ୍ରାଚୀନ ବିଭବ, ପ୍ରାଚୀନ ଗୌରବ; ପ୍ରାଚୀନକୀର୍ତ୍ତି, ପ୍ରାଚୀନ କରାମତି ସମ୍ୱନ୍ଧରେ ଗର୍ବ ଅନୁଭବ କରିବାର ମନୁଷ୍ୟ ପକ୍ଷରେ ସ୍ୱାଭାବିକ, କିନ୍ତୁ ସେହି ଗର୍ବ ଅନୁଭୂତି ଯେବେ ମନୁଷ୍ୟକୁ ଉନ୍ନତି ମାର୍ଗରେ ଅଗ୍ରସର କରାଇ ନ ପାରିଲା, ତେବେ ସେ ମୁହଁ ସୁଆଦିଆ ବିଭବ ଥାଇ କେତେ, ନ ଥାଇଁ କେତେ ? ଆମର ଆଉ ସବୁ ବିଭବ ଓ ପ୍ରାଚୀନ ସମ୍ପଦ ସମ୍ୱନ୍ଧରେ ଏଠାରେ ଆଲୋଚନା କରିବାର ଅବସର ନୁହେଁ । ଢିଙ୍କିଶାଳରେ ଢେଙ୍କାନାଳ ଚିନ୍ତା ନ କରି ଉତ୍କଳସାହିତ୍ୟ ସମ୍ୱନ୍ଧରେ ପଦେଅଧେ ଆପଣମାନଙ୍କ ଛାମୁରେ ନିବେଦନ କରିବି, ଶୁଣିବାକୁ ସାବଧାନ ମଣିମା !

 

ଭାରତର ଅନ୍ୟାନ୍ୟ ଆଧୁନିକ ସାହିତ୍ୟ ଓ ଭାଷାକ୍ଷେତ୍ରରେ ଯେଉଁ ଉନ୍ନତି ଚେଷ୍ଟା ଓ ଜାତୀୟଜୀବନର ସ୍ପନ୍ଦନର ଯେଉଁ ଚାକ୍ଷୁଷ ପ୍ରମାଣମାନ ଦେଖୁଥାଇଁ, ଉତ୍କଳ ସାହିତ୍ୟ ଓ ଭାଷା କ୍ଷେତ୍ରରେ ତାହା କି ପରିମାଣରେ ଆମ ଆଖିରେ ପଡ଼ୁଅଛି, ଏହା ଦେଖିବାର କଥା ।

 

ବଙ୍ଗଳା, ହିନ୍ଦୀ, ଗୁଜରାଟୀ, ମରହଟୀ ଆଦି ଭାଷା ଓଡ଼ିଆ ଭାଷା ପରି ସଂସ୍କୃତରୁ ମାଗଧୀ ପ୍ରକୃତ ବାଟେ ଆସିଅଛି । ତୈଲଙ୍ଗୀ ତାମିଳୀ, ମାଳୟୀ, କାନାଡ଼ୀ ଆଦି ଭାଷାମାନ ବହୁ ପରିମାଣରେ ସଂସ୍କୃତଦ୍ୱାରା ପ୍ରଭାବିତ । ଉର୍ଦ୍ଦୁଭାଷା ଆରବୀ ଓ ପାରସୀ ଭାଷାରୁ ଆସିଥିଲେ ମଧ୍ୟ ତାହା ବହୁ ପରିମାଣରେ ସଂସ୍କୃତଦ୍ୱାରା ପ୍ରଭାବିତ । ଅତଏବ ଭାରତରେ ପ୍ରଚଳିତ ପ୍ରାୟ ସମସ୍ତ ଭାଷା ଓ ସାହିତ୍ୟମାନ ଏକାଘରେ ବଢ଼ିବା ପିଲାଙ୍କ ପରି । ଆମ ପ୍ରତିବେଶୀ ଭାଷାମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ଭାଷା ତୁଳନାରେ ନବ୍ୟପଣ୍ଡିତମାନେ କଳ୍ପନା କରନ୍ତି ଯେ, ଖ୍ରୀଷ୍ଟ ତୃତୀୟ ଶତାବ୍ଦୀବେଳକୁ ଓଡ଼ିଆ ଭାଷା ମାଗଧୀ ପ୍ରାକୃତଠାରୁ ସ୍ୱତନ୍ତ୍ର ଭାଷାରୂପେ ଚଳିଥିଲା ଓ ସେହି ଯୁଗରେ ଆଧୁନିକ ଅନେକ ଭାଷା ଚଳୁଥିବାର ଗନ୍ଧ ସୁଦ୍ଧା ବାରି ହୋଇପାରୁ ନାହିଁ; କିନ୍ତୁ ସେ ସବୁ ଭାଷା ଓ ସାହିତ୍ୟମାନ ବର୍ତ୍ତମାନ ଯେଉଁପରି ଉନ୍ନତିମାର୍ଗରେ ଅଗ୍ରସର ହେଉଅଛନ୍ତି, ତହିଁର ତୁଳନାରେ ଓଡ଼ିଆ ଭାଷା ଓ ସାହିତ୍ୟ ସାତପଛରେ ପଡ଼ିଅଛି ବୋଲି ବାଧ୍ୟ ହୋଇ ସ୍ୱୀକାର କରିବାକୁ ହେବ । ଭାଷାର ଓ ସାହିତ୍ୟର ଉନ୍ନତି ପାଇଁ ଆମେ ବ୍ୟକ୍ତିଗତ ଭାବରେ ଓ ସମଷ୍ଟି ଭାବରେ କ’ଣ କରୁଥାଇଁ, ଏହାହିଁ ସମସ୍ତେ ପ୍ରଣିଧାନ କରିବା ଉଚିତ । ଖ୍ରୀଷ୍ଟ ତୃତୀୟ ଓ ଚତୁର୍ଥ ଶତାବ୍ଦୀରେ ଓଡ଼୍ରମାନଙ୍କ ବ୍ୟବହୃତ ଯେଉଁ ଭାଷା ମାଗଧୀ ପ୍ରାକୃତଠାରୁ ପୃଥକ୍‌ ଆକାର ଧାରଣ କରି ‘ବିଭାଷା’ ଆଖ୍ୟା ପାଇଥିଲା ଓ ଚୀନ ପରିବ୍ରାଜକ ହୁଏନ୍‌ସାଂ ଖ୍ରୀଷ୍ଟ ସପ୍ତମ ଶତାବ୍ଦୀରେ ଓଡ଼ିଶାରେ ଯେଉଁ ସ୍ୱତନ୍ତ୍ର ଭାଷା ଚଳୁଥିବାର ଦେଖିଥିଲେ, ସେ ଭାଷା ଅନ୍ୟ ପ୍ରଚଳିତ ଭାରତୀୟ ଭାଷାମାନଙ୍କ ତୁଳନାରେ ୧୫୦୦ ବର୍ଷ ପରେ ବର୍ତ୍ତମାନ ଅନୁନ୍ନତ ଅବସ୍ଥାରେ ପଡ଼ିଅଛି–ଏହା ଭାବିଲେ ମନରେ କ୍ଷୋଭ ଜାତ ହୁଏ ।

 

ଉତ୍କଳଭାଷୀ ଅଞ୍ଚଳ ରାଜନୈତିକ ଘଟଣାକ୍ରମେ ବର୍ତ୍ତମାନ ବଙ୍ଗ, ବିହାର, ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ଏପରି ଚାରିଗୋଟି ସ୍ୱତନ୍ତ୍ର ପ୍ରଦେଶର ଶାସନାଧୀନ । ଏପରି ଅଙ୍ଗଚ୍ଛେଦଦ୍ୱାରା ଓଡ଼ିଆଙ୍କ ଜାତୀୟଉନ୍ନତି ଓ ରାଜନୈତିକ ମଙ୍ଗଳ କେତେଦୂର ହୋଇଅଛି ଓ ଏହି ଅବସ୍ଥା ରହିଲେ କେତେଦୂର ମଙ୍ଗଳ ହେବ ତା ଆଲୋଚନା କରିବାର ଏଠାରେ ଅବସର ନାହିଁ; କିନ୍ତୁ ମେଘ ଘୋଡ଼ିଆ ଅନ୍ଧାର କିଟ୍‌କିଟ୍‌ ନିଶାରାତିରେ ଝଟକ ବିଜୁଳି ପରି ଏଥିରେ ଗୋଟିଏ ଆଲୋକରେଖା ଆମ ଆଖିରେ ପଡ଼ିଅଛି । ଭିନ୍ନ ଭିନ୍ନ ପ୍ରଦେଶବାସୀ ପ୍ରଭାବଶାଳୀ (dominant) ଜାତିଙ୍କ ଭାଷାର ଛାୟା ଓ ପ୍ରଭାବରୁ ଓଡ଼ିଆ ଭାଷାର ଶବ୍ଦସମ୍ପଦ କିପରି ବଢ଼ିଅଛି, ଏହା ଭାବିଲେ ଚମତ୍କୃତ ହେବାକୁ ହୁଏ । ସଂସ୍କୃତ ଓ ଇଂରାଜୀ ଭାଷାର ପ୍ରତିଶବ୍ଦ ବହୁଳତା ସେହି ସେହି ଭାଷା ଓ ସାହିତ୍ୟର ବିକାଶ ପକ୍ଷରେ ବିଶେଷ ସାହାଯ୍ୟ କରିଅଛି । ଯେଉଁ ଭାଷା ଗୋଟିଏ ଶବ୍ଦକୁ ଯେତେ ବେଶି ଭିନ୍ନ ଭିନ୍ନ ପ୍ରତିଶବ୍ଦଦ୍ୱାରା ପ୍ରକାଶ କରିବାକୁ ସମର୍ଥ, ସେ ଭାଷାର ସାହିତ୍ୟ ସେତେ ବେଶି ବିକଶିତ ହେବାର ସୁବିଧା ପାଏ । ଏହି ପ୍ରତିଶବ୍ଦସମ୍ପଦ ଯୋଗୁଁ ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ, ଅଭିମନ୍ୟୁ ଆଦି ବିଚିତ୍ର ଗ୍ରନ୍ଥମାନ ରଚନା କରିପାରିଥିଲେ । ମୋଗଲବନ୍ଦୀରେ ପ୍ରଚଳିତ ଗୋଟିଏ ଶବ୍ଦ ଗଡ଼ଜାତ, ସମ୍ୱଲପୁର, ମେଦିନୀପୁର, ଗଞ୍ଜାମ, ସିଂହଭୂମ, ବସ୍ତରରେ ପ୍ରତିବେଶୀ ଭାଷାମାନଙ୍କ ସଂସ୍ରବ ଓ ପ୍ରଭାବରେ ଓ ଜଳବାୟୁର ଫଳରେ ଭିନ୍ନ ଭିନ୍ନ ନାମ ଓ ଉଚ୍ଚାରଣ ଧାରଣ କରିଅଛି । ଏପରି ଶବ୍ଦଗୁଡ଼ିକ ଅନୁଧ୍ୟାନ କଲେ ଓ ସଂଗ୍ରହ କରିପାରିଲେ ଓଡ଼ିଆ ଭାଷାର ଶବ୍ଦସମ୍ପଦ ଭାରତର ଅନ୍ୟାନ୍ୟ ଚଳନ୍ତି ଭାଷାମାନଙ୍କରେ (Vernacular) ମିଳିବ ନାହିଁ ବୋଲି ମୋର ଧାରଣା । ଏହି ପ୍ରତିଶବ୍ଦମାନଙ୍କୁ Dialect ବା Provincialism (ଦେଶ୍‌କେ ଫାଙ୍କ୍‌ ଗାଉଁଲି ଭାଷା) କହି ଉଡ଼ାଇ ଦେଲେ ଚଳିବ ନାହିଁ । ଏକ ଅଞ୍ଚଳର ବିଭିନ୍ନ ଅଂଶରେ କଥିତ ଏକ ଶବ୍ଦର ବିଭିନ୍ନ ରୂପକୁ Dialect ଆଖ୍ୟା ଦିଆଯାଇପାରେ; କିନ୍ତୁ ସେହି ଶବ୍ଦଟି ଅନ୍ୟ ପ୍ରତିବେଶୀ ଭାଷାଦ୍ୱାରା ପ୍ରଭାବିତ ହୋଇ ଯେଉଁ ଆକାର ଧାରଣ କରେ, ତାକୁ Provincialism ବା Dialect ନକହି ଏକ ଶବ୍ଦର ବିଭିନ୍ନ ପ୍ରତିଶବ୍ଦ ବୋଲିବାହିଁ ସଙ୍ଗତ ।

 

କଟକ ପ୍ରଚଳିତ ଭାଷାକୁ ଆଦର୍ଶ ଓଡ଼ିଆ ଭାଷା (Standard language) ବୋଲି ଧରି ନେଇ ଅନ୍ୟ ଓଡ଼ିଆଭାଷୀ ଅଞ୍ଚଳର ଭାଷାକୁ (provincial) ଦେଶାଂଶ ପ୍ରଚଳିତ ଓ ସାହିତ୍ୟରେ ଅବ୍ୟବହାର୍ଯ୍ୟ ଭାଷା ବୋଲି ଭୁରୁଡ଼ାଇ ଦେବାଦ୍ୱାରା ଆମେ ଭାଷାର ଉପକାର କରୁଥାଇଁ କି ଅନିଷ୍ଟ କରୁଥାଇଁ, ତାହା ଆପଣମାନେ ଥରେ ସ୍ଥିର ଭାବରେ ଭାବନ୍ତୁ । ଏଠାରେ ଉଦାହରଣ ଦେଇ ଏ କଥା ବୁଝାଇବାକୁ ମୋର ବେଳ ନାହିଁ, କି ଆପଣମାନଙ୍କ ଧୈର୍ଯ୍ୟ ରହିବ ନାହିଁ । କିନ୍ତୁ ମୁଁ ଗତ ୧୫ ବର୍ଷ ମଧ୍ୟରେ ଏ ବିଷୟ ଯେତିକି ସନ୍ଧାନ କରିଅଛି, ସେତିକି ମୋର ମନରେ ଏ ଦୃଢ଼ ଧାରଣା ଦୃଢ଼ତର ହୋଇଅଛି ଯେ ମଧ୍ୟପ୍ରଦେଶ, ବଙ୍ଗ, ଛୋଟନାଗପୁର, ମାନ୍ଦ୍ରାଜ ଆଦି ଅଞ୍ଚଳରେ ବାସ କରୁଥିବା ଓଡ଼ିଆଙ୍କ ବ୍ୟବହୃତ ଶବ୍ଦମାନ ସଂଗ୍ରହ କରି ତାହା ସାହିତ୍ୟରେ ପ୍ରକାଶ କରାଇପାରିଲେ ଅଚିରେ ଓଡ଼ିଆ ଭାଷାକୁ ଭାରତର ଅନ୍ୟ ଉନ୍ନତ ଭାଷାମାନଙ୍କ ସଙ୍ଗେ ଉଚ୍ଚତର ଆସନରେ ନ ହେଉ ଅନ୍ତତଃ ଏକାସନରେ ବସାଇ ପାରନ୍ତେଇଁ । ଆଜି ପର୍ଯ୍ୟନ୍ତ ଉତ୍କଳଭାଷୀ ବିଭିନ୍ନ ଅଞ୍ଚଳରେ ଓଡ଼ିଆଙ୍କଦ୍ୱାରା କଥିତ ଶବ୍ଦମାନଙ୍କର ଗୋଟିଏ ବିସ୍ତାରିତ ଶବ୍ଦକୋଷ ସଂଗୃହୀତ ହୋଇପାରି ନାହିଁ ।

 

ଓଡ଼ିଆ ଭାଷାର ଗୋଟିଏ ପୂର୍ଣ୍ଣାଙ୍ଗ ଅଭିଧାନ ନାହିଁ । (ଶ୍ରୋତୃବୃନ୍ଦ ! ମୋର ଏ ବାକ୍ୟକୁ ମୋ ସଙ୍କଳିତ ଅଭିଧାନର ନୋଟିସ ବୋଲି ଧରିବେ ନାହିଁ । ମୁଁ ଯେଉଁ ଅଭିଧାନ ଓ ଶବ୍ଦକୋଷର ଅଭାବ ପ୍ରତି ଆପଣମାନଙ୍କ ଦୃଷ୍ଟିଆକର୍ଷଣ କରୁଅଛି, ତାହା ମୋ ଭଳି ଜଣେ ପେଟବିକଳିଆ ମୂର୍ଖର କାମ ନୁହେଁ । ଏଥିପାଇଁ ସମଗ୍ର ଜାତିର ସମୂହ ଚେଷ୍ଟା କେନ୍ଦ୍ରୀଭୂତ ହେବା ଆବଶ୍ୟକ । ଶଂସିତ ଆଦର୍ଶ ଶବ୍ଦକୋଷର ସଂଗ୍ରାହକଙ୍କୁ ମୋ ସଂଗୃହୀତ ଶବ୍ଦମାନ କେତେ ପରିମାଣରେ ସାହାଯ୍ୟ କରିବ ମାତ୍ର । ଛାଡ଼ନ୍ତୁ ସେ କଥା ।)

 

ଓଡ଼ିଶାର ଜଗନ୍ନାଥ ମନ୍ଦିରର ମାଦଳାପାଞ୍ଜିରେ ଐତିହାସିକ ବିଷୟମାନ ଲିପିବଦ୍ଧ କରିବା ଖ୍ରୀଷ୍ଟ ଦ୍ୱାଦଶ ଶତାବ୍ଦୀରୁ ସୂତ୍ରପାତ ହୋଇଥିବାର ପ୍ରମାଣ ମିଳେ, ଅଥଚ ଆଜି ପର୍ଯ୍ୟନ୍ତ ଉତ୍କଳର ଗୋଟିଏ ଧାରାବାହିକ ଇତିହାସ ସଂଗୃହୀତ ହୋଇପାରି ନାହିଁ ।

 

ହଣ୍ଟର, ଗ୍ରୀଅରସନ୍‌, ମନମୋହନ, ଷ୍ଟାର୍ଲିଙ୍ଗ, ବିଜୟଚନ୍ଦ୍ର ଆଦି ଆମର ପ୍ରତ୍ନତତ୍ତ୍ୱ ସଂଗ୍ରହରେ ବ୍ୟସ୍ତ; କିନ୍ତୁ ଆମର ସେ ଦିଗକୁ ଯଥୋଚିତ ଦୃଷ୍ଟି ନାହିଁ । ଓଡ଼ିଶାର ପ୍ରାଚୀନ ଗ୍ରନ୍ଥମାନଙ୍କର ଯେଉଁ ତାଲିକା ହଣ୍ଟର ସାହେବ ଓ କଲିକତାର ଆସିଆଟିକ୍‌ ସୋସାଇଟି ସଂଗ୍ରହ କରିଯାଇଅଛନ୍ତି, ସେଥିରୁ ଅଧିକାଂଶ ପୁସ୍ତକ ଆମେ ସଂଗ୍ରହ କରିପାରି ନ ଥାଇଁ । ଓଡ଼ିଶାର ଶତ ଶତ ପ୍ରାଚୀନ ଗ୍ରନ୍ଥମାନ ସଂଗୃହୀତ ହୋଇ ସୁଦୂର ଇଉରୋପ, ଇଂଲଣ୍ଡ, ଜର୍ମାନ ଆଦି ଦେଶରେ ସାଧାରଣ ପୁସ୍ତକାଗାରରେ ସାଇତା ହେଲା; କିନ୍ତୁ ସେ ଖବର ରଖିବାକୁ ଆମକୁ ସମୟ ନାହିଁ । ବଙ୍ଗଳା, ହିନ୍ଦୀ, ତେଲଗୁ, ତାମିଲ, ମରହଟ୍ଟୀ, ଗୁଜରାଟୀ ଆଦି ଭାଷାର ପଣ୍ଡିତମାନେ ଭାଷାବିଜ୍ଞାନ, ପାଶ୍ଚାତ୍ୟ ଓ ପ୍ରାଚ୍ୟ ବିଜ୍ଞାନର ଭିନ୍ନ ଭିନ୍ନ ଶାଖାମାନ ଆଲୋଚନା କରି ସହସ୍ର ସହସ୍ର ପାରିଭାଷିକ ଶବ୍ଦମାନଙ୍କ ଦ୍ୱାରା ନିଜ ନିଜ ଭାଷାକୁ ପୁଷ୍ଟ ଓ ମାର୍ଜିତ କରିବାରେ ଲାଗିଅଛନ୍ତି; କିନ୍ତୁ ଆମର ଚିଆଁ ପହଡ଼ ଭାଙ୍ଗୁ ନାହିଁ । ଆଉ ସବୁ ଅଭାବ ତେଣିକି ଥାଉ, ଓଡ଼ିଆ ଭାଷାର ଖଣ୍ଡିଏ ବ୍ୟାକରଣ ଅବଧି ହୋଇପାରି ନାହିଁ । ସଂସ୍କୃତ ବ୍ୟାକରଣ ପଢ଼ି ଆମେ ଓଡ଼ିଆ ବ୍ୟାକରଣରେ ପାଣ୍ଡିତ୍ୟ ଲାଭ କରୁଥାଇଁ । ଯୋଗଶାସ୍ତ୍ର ଓ ଯୋଗସାଧନକୁ ଆପାମର ସାଧାରଣଙ୍କ ବୋଧଗମ୍ୟ କରାଇ ହିନ୍ଦୁ ଧର୍ମ ଓ ହିନ୍ଦୁ ଦର୍ଶନ ସଙ୍ଗେ ବୌଦ୍ଧ ଧର୍ମ ଓ ଦର୍ଶନର ସମନ୍ୱୟରେ ଯୋଗସାଧନାମାର୍ଗକୁ ସାଧାରଣଙ୍କର ସୁଗମ କରିବା ବିଷୟରେ ଓଡ଼ିଆ ସାଧକମାନେ (ଯଥା:–ଅଚ୍ୟୁତାନନ୍ଦ, ବଳରାମ, ଯଶୋବନ୍ତ, ଦ୍ୱାରକା ଦାସ) ଯେତେଦୂର କୃତକାର୍ଯ୍ୟ ହୋଇଅଛନ୍ତି, ମୋର ବିଶ୍ୱାସ ଯେ, ଭାରତର ଅନ୍ୟ କୌଣସି ଆଧୁନିକ ଜାତି ତାହା ପାରି ନାହିଁ । ହିନ୍ଦୁ ଓ ବୌଦ୍ଧ ଧର୍ମର ସମନ୍ୱୟ ସାଧନ କରି ବଡ଼ ଦେଉଳରେ ବଡ଼ ଠାକୁରଙ୍କୁ ସମଗ୍ର ଭାରତୀୟ ହିନ୍ଦୁଙ୍କର କୋଠ ଦିଅଁ କରିବା ବୁଦ୍ଧି ଓଡ଼ିଆଙ୍କ ମସ୍ତିଷ୍କରୁ ବାହାରିଥିଲା ଓ ଆଜିକୁ ହଜାରେ ବର୍ଷ ହେବ ‘‘ବଡ଼ ଦେଉଳରେ ବସିଛି କାଳିଆ ଟେକି ଦେଇ ଦୁଇ ବାହୁକୁ, ପାପୀ କାପୀ ଜନମାନଙ୍କୁ ଠାରୁଛି ପରେଇ ନ କର କାହାକୁ ।’’ ଭାଗବତ ପରି ଆଧ୍ୟାତ୍ମିକ ରହସ୍ୟପୂର୍ଣ୍ଣ ଗ୍ରନ୍ଥକୁ ସର୍ବଜନବୋଧ୍ୟ କରିବାରେ ଜଗନ୍ନାଥ ଯେଉଁ ଭାଷାର ସାହାଯ୍ୟ ନେଇଅଛନ୍ତି, ତାହା ଭାବିଲେ ଓ ଥରେ ସଂସ୍କୃତ ଭାଗବତକୁ ଦାସଙ୍କ ଭାଗବତ ସଙ୍ଗେ ମୁକାବିଲା କରି ଦେଖିଲେ ସ୍ତମ୍ଭୀଭୂତ ହେବାକୁ ହୁଏ । ଧରାକୋଟର ରାଜା କୃଷ୍ଣ ସିଂହ ପ୍ରକାଣ୍ଡ ମହାଭାରତ ଗ୍ରନ୍ଥକୁ ଓ ବିଶେଷତଃ ଭଗବଦ୍‌ ଗୀତାକୁ ଓଡ଼ିଆ ପଦ୍ୟରେ ଯେଉଁପରି ସରସ ଓ ସୁଲଳିତ କରିଅଛନ୍ତି, ତାହା ମୁଆଜା କଲେ ମନ ଉତ୍‌ଫୁଲ୍ଲ ହୋଇ ଉଠେ । କବିତାରେ ଉପେନ୍ଦ୍ର, ଅଭିମନ୍ୟୁ, ପୁରାଣ ଅନୁବାଦରେ କୃଷ୍ଣ ସିଂହ, ଜଗନ୍ନାଥ, ବଳରାମ, ବିଶ୍ୱନାଥ ଖୁଣ୍ଟିଆ, ହଳଧର ଆଦି, ସଙ୍ଗୀତରେ ଭଞ୍ଜ ଓ କବିସୂର୍ଯ୍ୟଦ୍ୱୟ, ଗୋପାଳକୃଷ୍ଣ, ବନମାଳୀ ଆଦି, ଭକ୍ତି ଓ ପ୍ରେମ ବର୍ଣ୍ଣନାରେ ଭୂପତି, ଦୀନକୃଷ୍ଣ, ଭକ୍ତଚରଣ, ରାମ ଦାସ, ଭୀମ ଭୋଇ, ଦ୍ୱାରକା ଆଦି ଯେଉଁ କୃତିତ୍ୱ ଓ କସରତ୍‌ ଦେଖାଇଅଛନ୍ତି, ତାହା ଯେ କୌଣସି ଉନ୍ନତ ସାହିତ୍ୟ ପକ୍ଷରେ ସ୍ପର୍ଦ୍ଧା ଓ ଗୌରବର ବିଷୟ ହୋଇଥାନ୍ତା । ଏଗୁଡ଼ିକ ଆମ ବାପା ବଡ଼ବାପାଙ୍କ ଅମଳରେ ପେଡ଼ିଲୁଗା ଓ ସିନ୍ଧୁକ ସାଇତା ପାଟକନାଗୁଡ଼ିଆ ରତ୍ନ ବୋଲି ମୁହଁରେ ଆସ୍ଫାଳନ କରି କିଛି ଫଳ ନାହିଁ । ଏକଦିଗରେ ଯେଉଁପରି ଏ ସବୁର ଅଯଥା ପ୍ରଶଂସା, ଅନ୍ୟ ଦିଗରେ ପ୍ରାଚୀନ ଗ୍ରନ୍ଥମାନଙ୍କର ଅଯଥା ନିନ୍ଦା କରିବା ରୋଗ ମଧ୍ୟ ନବ୍ୟଓଡ଼ିଆଙ୍କୁ ଘୋଟିଅଛି । ପ୍ରାଚୀନ ସାହିତ୍ୟ କୁରୁଚି ଓ ଅଶ୍ଳୀଳତାପୂର୍ଣ୍ଣ ବୋଲି ଏହାକୁ ଖଡ଼େଦମ୍‌ ଦ୍ୱୀପାନ୍ତରିତ କରିବାକୁ ରାୟ ଦେବା ଲୋକେ ଆମ ପାଠୁଆଙ୍କ ମଧ୍ୟରେ ବିରଳ ନୁହନ୍ତି । ସେ କାଳର ରୁଚି, ସେକାଳର ରଚନାଚାତୁରୀ; ସେକାଳର ଲୋକଚରିତ୍ର ଓ ଶିକ୍ଷାଦୀକ୍ଷା ପ୍ରତି ଦୃଷ୍ଟି ନ କରି ଏପରି ମନ୍ତବ୍ୟ ପ୍ରକାଶ କରିବା ସମୀଚୀନ ନୁହେଁ । ଉଦାହରଣସ୍ୱରୂପ ଦେଖାଯାଉ ଯେ ଯେଉଁ ପ୍ରାଚୀନ ସାହିତ୍ୟକୁ ଖତଗଦାରେ ମାଡ଼ିବାକୁ ପରାମର୍ଶ ଦେବାପାଇଁ ଆମେ ଦ୍ୱିଧା ବୋଧ କରୁ ନାହୁଁ, ତହିଁ ମଧ୍ୟରୁ କେତେଖଣ୍ଡି ଗ୍ରନ୍ଥ ପୋଥି ସଙ୍ଗେ ଆମର ମୁଲାକାତି ବା ଚିହ୍ନା ପରିଚୟ ଅଛି-? ଯେଉଁମାନେ ଯାହା ପ୍ରାଚୀନ ତାହା ଦେୟ ଓ ବର୍ଜନୀୟ ବୋଲି ରାଏ ଦିଅନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣ ପୂତମନା ସମାଲୋଚକ ଓ ଭାଷାବିଜ୍ଞାନ ପଣ୍ଡିତଙ୍କ ଦୃଷ୍ଟିରେ ପ୍ରାଚୀନ ସାହିତ୍ୟ ଗ୍ରନ୍ଥମାନ ଅଧ୍ୟୟନ କରିଅଛନ୍ତି ? କେବଳ ‘ହୋ’ରେ ମାତି ଗୋଟିଏ ଢୁଆ ଧରିବା ଭାରି ସହଜ କଥା–ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ସଜ କଥା–ରାଜା ମହାରାଜାଙ୍କଠାରୁ ଆରମ୍ଭ କରି କୁଟୀରବାସୀ ଚଷା ଭୁଷା, ଧୀବର, ବାଉରୀ, ବାର ଜାତି ତେର ଗୋଲା ପର୍ଯ୍ୟନ୍ତ, ବ୍ରାହ୍ମଣ ପଣ୍ଡିତଙ୍କଠାରୁ ଆରମ୍ଭ କରି ଅନ୍ତଃପୁର ବାସିନୀ ପର୍ଯ୍ୟନ୍ତ ଯେଉଁ ଭାଷାରେ ଅମୂଲ୍ୟ ଗ୍ରନ୍ଥମାନ ରଚନା କରିଯାଇଅଛନ୍ତି, ସେହି ଭାଷା ବର୍ତ୍ତମାନ ଅବନତ, ଲାଞ୍ଛିତ ଓ ଅବହେଳିତ ହେବାର ଦେଖିଲେ ମନ ଶୋକୋଦ୍‌ବେଳିତ ହୁଏ ।

 

ପାଶ୍ଚାତ୍ୟ ସଭ୍ୟତା, ଶିକ୍ଷା ଓ ସାହିତ୍ୟମାନଙ୍କ ସଂସ୍ରବରେ ଆସି ଯେବେ ତହିଁର ଅମୃତଯାକ ଆମେ ଛାଙ୍କି ଆଣି ଆମ ଭଣ୍ଡାରରେ ସାଇତି ନପାରିବା, ତେବେ ସେ ସବୁ ସଭ୍ୟତାର ସଂସ୍ରବଦ୍ୱାରା ଆମେ ରୁଗ୍‌ଣ ହେଉଥାଇଁ ବୋଲି କହିବାକୁ ହେବ । ଏ ‘ପରଲୁଗା ପିନ୍ଧି ଯାତକୁ ଯିବା’ କାମଟା ତୁଲାଇବା ସହଜସାଧ୍ୟ ନୁହେଁ । ଏବେ ଉତ୍କଳ ସାହିତ୍ୟାକାଶରେ ଗୋଟିଏ ନୂଆ ବଉଦ ଉଠାଇଅଛି । ସେ ବଉଦଖଣ୍ଡମାନ ଉଇଁ ସାହିତ୍ୟିକ ଭାଷା ଓ ଭାବକୁ କେଉଁଆଡ଼କୁ ଉଡ଼ାଇ ନେଉଅଛି, ତାହା ସାଧାରଣ ପାଠକ ଓ ଶିକ୍ଷିତ ସାଧାରଣ ଠଉରାଇବା ଦୁଷ୍କର ହୋଇ ପଡ଼ିଅଛି । ବଙ୍ଗୀୟ କବିବର ରବୀନ୍ଦ୍ରନାଥଙ୍କ ଭାଷାର ପରିପାଟୀ ସୌନ୍ଦର୍ଯ୍ୟକୁ ଅନୁଶୀଳନ ଓ ସାଧନ ନ କରି ଓ ବୁଝିନପାରି କେବଳ ତାହାର ସ୍ୱର-ଲିପି ଓ ଶବ୍ଦଯୋଜନାକୁ ଉତାରି ପକାଇ ତାଙ୍କ ଲେଖାର ଆପାତ ଅସମ୍ୱଦ୍ଧତାକୁ ଅନୁକରଣ କରି ଓଡ଼ିଆ ସାହିତ୍ୟରେ ନୂତନତ୍ୱ ଆଣିବାର ପ୍ରୟାସ ଆଧୁନିକ ଲେଖକମାନେ କରୁଥିବାର ବୋଧ ହେଉଅଛି । ଏଥିପୂର୍ବରୁ ଓଡ଼ିଶାରେ ମହାତ୍ମା ଗାନ୍ଧି, ମଦନମୋହନ, ଚିତ୍ତରଞ୍ଜନ, ଲଜପତ୍‌, ରାଣାଡ଼େ, ଗୋଖଲେ, ଦାଦାଭାଇ, ତିଳକ ଆଦିଙ୍କର ଓଡ଼ିଶୀ ପକେଟ ସଂସ୍କରଣ ଓ ଓଡ଼ିଶୀ ଅବତାରମାନେ ବାହାରିଥିଲେ; ଏବକୁ ସାହିତ୍ୟ ତୋଟାରେ ବିଶ୍ୱବନ୍ଦ୍ୟ କବି ରବୀନ୍ଦ୍ରନାଥଙ୍କ ଦାଳୁଅ ତଳି ବହୁତ ପଡ଼ିଲାଣି, ସମ୍ଭବତଃ ଦିନ କେତେଟାରେ ସେ ତଳିସବୁ ଓଡ଼ିଶାର ଗହୀର, ଜୋର, ଜଳି ଆଦିରେ ରୁଆ ହୋଇଯିବ ଓ ସମ୍ଭବତଃ ଆମ ପୁଅ ନାତି ଅମଳକୁ ଓଡ଼ିଶା ତମାମ ରବୀନ୍ଦ୍ରନାଥଙ୍କ ପରି କବି ସାଲୁ ସାଲୁ ହେବେ । ପାଶ୍ଚାତ୍ୟ ଶିକ୍ଷା, ସଭ୍ୟତା ଓ ରୁଚି ବିସ୍ତାର ସଙ୍ଗେ ସଙ୍ଗେ ଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ, କବିସୂର୍ଯ୍ୟଙ୍କ ରଚିତ ଗ୍ରନ୍ଥମାନଙ୍କର ସୌନ୍ଦର୍ଯ୍ୟ ଉପଲବ୍‌ଧି କରିବା ଶକ୍ତି ଆମର ଲୋପ ପାଇଅଛି । ଛାନ୍ଦ ଓ ସଙ୍ଗୀତ ଓଡ଼ିଶାର ବିଶେଷତ୍ୱ ହେଲେ ମଧ୍ୟ ଆମ ଭିତରୁ ପନ୍ଦରପଣ ଏବେ ଓଡ଼ିଆ ଛାନ୍ଦ ଓ ସଙ୍ଗୀତ ବୋଲି ଜାଣୁ ନ ଥାଇଁ । ରାଗରାଗିଣୀ ଓ ସ୍ୱରଲିପିରେ ମଧ୍ୟ ବିଜାତୀୟ ଅନୁକରଣ ପଶିଲାଣି । ପ୍ରାଚୀନ ରୀତି, ରୁଚି ଓ ଢଙ୍ଗର ସଂସ୍କାର ଏବଂ ସେମାନେ ପରିପାଟୀ କରିବା ପ୍ରୟୋଜନ ଏହା କେହି ଅସ୍ୱୀକାର କରି ନ ପାରେ । ଉତ୍କଳର ପ୍ରାଚୀନ କାବ୍ୟଗୁଡ଼ିକ ଅଧିକାଂଶ ଅନୁଭବପ୍ରଧାନ ବା Classic ଛାଞ୍ଚରେ ଢଳା । ଆଧୁନିକ କାବ୍ୟାଦି ଇଙ୍ଗିତପ୍ରଧାନ ବା Romantic ଧରଣର । ଏହି ଶେଷୋକ୍ତ ସାହିତ୍ୟ ବୁଝିପାରିବା କଷ୍ଟକର ଏବଂ ତାହା ଆୟତ୍ତ କରି ସେହି ଛାଞ୍ଚରେ କାବ୍ୟାଦି ଲେଖିବା ଆହୁରି କାଠିକର ପାଠ । ଏପରି ଅବସ୍ଥାରେ ଅନ୍ୟ ସାହିତ୍ୟର ଲେଖାମାନଙ୍କର ଫମ୍ପା ଅନୁକରଣ କରିବାକୁ ଯାଇ ତହିଁର ଦୋଷଗୁଡ଼ିକ ଅନୁକୃତ ହେଉଅଛି ମାତ୍ର । ଭାବର ଗାମ୍ଭୀର୍ଯ୍ୟରେ ବୁଡ଼ି ନବ୍ୟସାହିତ୍ୟ ଲେଖକମାନେ ଭାଷାର ଆଡ଼ମ୍ୱର ଓ ବେଢ଼ଣ ପ୍ରତି ଖାତିର କରୁନାହାନ୍ତି, କିନ୍ତୁ ଆଜିକାଲିର ଅଧିକାଂଶ ଲେଖକ କେବଳ ଭାଷାର ଅସମ୍ୱଦ୍ଧତାକୁ ଅନୁକରଣ କରି ବ୍ୟାକରଣ, ସ୍ୱରଲିପି, ଭାଷାର ବିଶିଷ୍ଟ ରୀତି Idiom ପ୍ରତି ଅବହେଳା ଦେଖାଉଅଛନ୍ତି–ପାଠକ ତହିଁରେ ଅଭାବ ଛଡ଼ା ‘ଭାବ’ ଦେଖୁ ନାହିଁ ଓ ଭାବର ସ୍ରୋତରେ ଭାସିଯିବାର ଅବକାଶ ମଧ୍ୟ ପାଉନାହିଁ । ପ୍ରାଚୀନ ଲେଖାରେ ଭାଷାର କ୍ଳିଷ୍ଟତା ଥିଲା, ଭାବର କ୍ଳିଷ୍ଟତା ନଥିଲା । କବିମାନେ ଇଚ୍ଛାକରି ଭାବର ସର୍ବଜନବୋଧ୍ୟତାକୁ ଭାଷାର କ୍ଳିଷ୍ଟତାଦ୍ୱାରା ପୋତି ରଖୁଥିଲେ । ଯେ ପରିଶ୍ରମ କରି ଅଭିଧାନ, ବ୍ୟାକରଣ ଓ ଅଳଙ୍କାର ସାହାଯ୍ୟରେ ସେ ଲେଖାରୁ ଭାଷା-କ୍ଳିଷ୍ଟତାରୂପ ଚେକାଛାଉଣୀକୁ କାଢ଼ିପାରି ଥରେ ଅର୍ଥ ବୁଝିବାକୁ ସମର୍ଥ ହେଉଥିଲେ, ଭାଷାଜ୍ଞାନ ହେବା ସଙ୍ଗେ ସଙ୍ଗେ ପଠିତ ଗ୍ରନ୍ଥଗୁଡ଼ିକ ତାଙ୍କ ନିଜର ଅଳଙ୍କାର ହେଉଥିଲା । ସେଥିପାଇଁ ହଳୁଆ ହଳ କଲାବେଳେ; ଶଗଡ଼ିଆ ଶଗଡ଼ ବୋହିଲାବେଳେ ବିଳାସୀ ମଉଜମଜଲିସରେ, ରସିକ ଗାଁ ପୋଖରୀକୂଳରେ, କୁଳବଧୂ ଅନ୍ତଃପୁରରେ ଓ ଝିଏ ରଜପାଳନା ଓ ପୁଚିଖେଳରେ ସେ ଛାନ୍ଦମାନ ବୋଲୁଥିଲେ ଏବଂ ସମୟୋଚିତ ରୁଚି ଅନୁଯାୟୀ ରସ ମଧ୍ୟ ଆଲୋଚିତ ହେଉଥିଲା; କିନ୍ତୁ ବର୍ତ୍ତମାନ ଲେଖା ଅବୋଧ୍ୟ ଅସଂବଦ୍ଧ ଭାଷା ଓ ଭାବାବରଣ ମଧ୍ୟରେ ରହି ସାହିତ୍ୟକୁ ବିକଳାଙ୍ଗ କରୁଅଛି ମାତ୍ର । ଫଳତଃ ଏହା ଭଞ୍ଜଯୁଗର କ୍ଳିଷ୍ଟତାର ରୂପାନ୍ତର ବୋଲି ସାଧାରଣ ପାଠକ ଭାବୁଅଛି ।

 

ଜାତୀୟସାହିତ୍ୟ ଜାତୀୟଉନ୍ନତିର ମାନଯନ୍ତ୍ର । ମୁଁ ଏଥିପୂର୍ବେ ଓଡ଼ିଶାର ପ୍ରାଚୀନ ସାହିତ୍ୟ-ବିଭବ କଥା ସୂଚନା କରିଅଛି; କିନ୍ତୁ ସେଗୁଡ଼ିକ ଧରି ବସିଲେ ଚଳିବନାହିଁ । ଯୁଗ ଓ ରୁଚିର ପରିବର୍ତ୍ତନ ଅନୁସାରେ ବର୍ତ୍ତମାନ ବିଶ୍ୱସାହିତ୍ୟର ଗତି ପରିବର୍ତ୍ତିତ ହୋଇଅଛି । ଆମ୍ଭମାନଙ୍କର ପ୍ରାଚୀନ ସାହିତ୍ୟ ଭଳି ଭାରତୀୟ ଅନ୍ୟ ଅନେକ ପ୍ରାଦେଶିକ ଭାଷାରେ ଅବଶ୍ୟ ପ୍ରାଚୀନ ସାହିତ୍ୟ ନାହିଁ; ଏହା ସତ୍ୟ; କିନ୍ତୁ ସେହି ସବୁ ପ୍ରାଚୀନ ସାହିତ୍ୟ ବର୍ତ୍ତମାନ ବିଶ୍ୱସାହିତ୍ୟରେ କେଉଁ ସ୍ଥାନ ପାଇବ, ମୁଁ କହିପାରୁନାହିଁ । ଅବସ୍ଥା ବିରୁଦ୍ଧରେ ସଂଗ୍ରାମ କଲେ, ମନୁଷ୍ୟ ସ୍ଥଳବିଶେଷରେ ଜୟୀ ହୋଇପାରେ, ମାତ୍ର ଯୁଗର ଗତି ଓ ସ୍ରୋତ ବିରୁଦ୍ଧରେ ସଂଗ୍ରାମ କଲେ ପଦେ ପଦେ ଲାଞ୍ଛିତ ଓ ଅପମାନିତ ହେବାକୁ ହୁଏ । ତେଣୁ ସାହିତ୍ୟ ଯୁଗୋଚିତ ରୁଚିର ଅନୁବର୍ତ୍ତୀ ହେବା ସର୍ବଥା ବାଞ୍ଛନୀୟ-। ସାହିତ୍ୟହିଁ ମହାନୁଭବ ଓ ଯୁଗପ୍ରବର୍ତ୍ତକ ମନୀଷୀମାନଙ୍କର ସାରଭୂତ ମନର ଉଚ୍ଚଚିନ୍ତାମାନ ଧାରଣ କରି ରଖେ । ସେହି ପ୍ରତିବିମ୍ୱ ଦେଖିଲେ, ଜାତିର ସଭ୍ୟତା ଓ ଉନ୍ନତି ସ୍ପଷ୍ଟରୂପେ ଜଣାଯାଏ-। ବର୍ତ୍ତମାନ ଓଡ଼ିଆ ଭାଷାରେ ଏପରି କେତେ ଖଣ୍ଡ ପୁସ୍ତକ ଅଛି, ଯହିଁରେ ମହାନୁଭବ ବ୍ୟକ୍ତିମାନଙ୍କ ଉଚ୍ଚଚିନ୍ତାମାନ ପ୍ରତିବିମ୍ୱିତ ହୋଇଅଛି ? ଜାତିରେ କେତେଜଣ ମାତ୍ର ମହାନୁଭବ ଉଦାର ମହାପୁରୁଷ ଜନ୍ମ ଗ୍ରହଣ କରି ସେମାନଙ୍କର ଅନୁଭୂତ ସତ୍ୟକୁ ସାହିତ୍ୟାକାରରେ ପ୍ରକାଶ କରିଯାନ୍ତି-। ଏହି ଗ୍ରନ୍ଥମାନଙ୍କରେ ଧର୍ମ, ନୀତି, ଚରିତ୍ରବତ୍ତା, ପରୋପକାର, ତ୍ୟାଗ, ସତ୍ୟ, ସ୍ୱଦେଶ-ପ୍ରେମ ପ୍ରଭୃତିର ଉଚ୍ଚଚିତ୍ରମାନ ଏପରି ସୁକୌଶଳରେ ଚିତ୍ରିତ ହୋଇଥାଏ ଯେ, ତଦ୍ଦ୍ୱାରା ସାଧାରଣ ଲୋକ-ସମାଜ ମଧ୍ୟରେ ସେହି ଭାବମାନ ପ୍ରବେଶ କରେ ଓ ସମାଜ ସେହି ଭାବରେ ଅନୁପ୍ରାଣିତ ହୋଇ ଉଠେ । ଫଳତଃ ଏହି କେତେଜଣ ମାତ୍ର କ୍ଷଣଜନ୍ମା ପୁରୁଷଙ୍କର ଉଚ୍ଚଚିନ୍ତାମାନ ସମଗ୍ର ଜାତୀୟଜୀବନରେ ପ୍ରତିବିମ୍ୱିତ ହୋଇ ଜାତୀୟଜୀବନର ଗତିକୁ ପରିବର୍ତ୍ତିତ ଓ ଗଠିତ କରିଦିଏ । ଆମ୍ଭମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷିତ ଅଳ୍ପ ନାହାନ୍ତି ଓ ସେମାନଙ୍କ ସମ୍ମୁଖରେ ଉନ୍ନତ ଜାତିମାନଙ୍କର ସାହିତ୍ୟ ଦ୍ୱାର ଉନ୍ମୁକ୍ତ ରହିଅଛି; ଅଥଚ ସେହି ବିଶ୍ୱସାହିତ୍ୟର ଅନୁକରଣରେ ଓଡ଼ିଆ ସାହିତ୍ୟକୁ ଗଢ଼ିବାକୁ କାହାରି ପ୍ରବୃତ୍ତି ଜନ୍ମୁ ନାହିଁ, ଏହାହିଁ କ୍ଷୋଭର ବିଷୟ । ଶତାଧିକ ବର୍ଷବ୍ୟାପୀ ଇଂରାଜ ରାଜତ୍ୱର ସୁଫଳ ଲାଭକରି ଭାରତର ଅନ୍ୟ ପ୍ରାଦେଶିକ ଭାଷାମାନ ଯେଉଁ ଅଭାବନୀୟ ଉନ୍ନତି ସାଧନ କରିଅଛି, ଓଡ଼ିଆ ଭାଷା ଓ ସାହିତ୍ୟ ସେଥିରୁ ଏକ ପ୍ରକାର ବଞ୍ଚିତ । ଏଥିର ଏକମାତ୍ର କାରଣ ଆମ ଉଚ୍ଚଶିକ୍ଷିତମାନଙ୍କର ଔଦାସୀନ୍ୟ ଓ ଜଡ଼ତା । ଉଚ୍ଚଶିକ୍ଷା ସାଙ୍ଗକରି ଆପଣା ଦେହରେ ଗୋଟିଏ ଲେଖାଏଁ ଦ୍ୱାରିକା ଛାପା ଧରା ହେଲାପରେ ଆମେମାନେ ଜୀବନର ବ୍ରତ ଉଦ୍ୟାପନ କଲୁ ବୋଲି ନିଶ୍ଚିନ୍ତ ହୋଇ ଯେଝାର କର୍ମକ୍ଷେତ୍ରରେ ଓ ଘରବାଡ଼ି ଧନ୍ଦାରେ ଲାଗୁ; କିନ୍ତୁ କାଳେ ସକାଳେ ‘ମା’ ସରସ୍ୱତୀ’ ଆମର ମନେପଡ଼ନ୍ତି ନାହିଁ । ଏକ କଥାରେ କହିବାକୁ ଗଲେ, ମା’ ସରସ୍ୱତୀଙ୍କର ସେବା ‘ଇତି ଶ୍ରୀ’ ହୁଏ । ମା’ ସରସ୍ୱତୀଙ୍କ ସେବା ଅର୍ଥରେ ନିଜେ ଲେଖିବା କିମ୍ୱା ଅନ୍ୟ ଲେଖାକୁ ପଢ଼ିବା କିମ୍ୱା ସାହିତ୍ୟ କ୍ଷେତ୍ରରେ ସାଧନା କରିବା ମୁଁ ବୁଝିଅଛି ।

 

ସାହିତ୍ୟର ଅଙ୍ଗ ଦିଓଟି–ଗଦ୍ୟ ଓ ପଦ୍ୟ ।

 

(୧) ଗଦ୍ୟ ସାହିତ୍ୟ–ଗଦ୍ୟ କହିବାକୁ ଗଲେ, ପ୍ରାଚୀନ କାଳର ମାଦଳାପାଞ୍ଜି, ଗଦ୍ୟ କେତେଗୁଡ଼ିଏ ରାଜବଂଶଚରିତ ଓ ତାମ୍ରଶାସନ ଓ ସନନ୍ଦ ଛଡ଼ା ଅନ୍ୟ କିଛି ପ୍ରାଚୀନ ଗଦ୍ୟ ସାହିତ୍ୟ ଆମମାନଙ୍କ ହାବୁଡ଼ରେ ଏପର୍ଯ୍ୟନ୍ତ ପଡ଼ିନାହିଁ । ପ୍ରଥମେ ଓଡ଼ିଶାର ସ୍କୁଲମାନଙ୍କରେ ସାହିତ୍ୟ ପାଠ ପାଇଁ ‘ଆଖ୍ୟାନମଞ୍ଜରୀ’ ‘ବସ୍ତୁବିଚାର’ ଆଦି କେତେକ ଗଦ୍ୟ ପୁସ୍ତକ ବଙ୍ଗଳାରୁ ଭାଷାନ୍ତରିତ ହୋଇଥିଲା । ଓଡ଼ିଆ ଭାଷାରେ ଭକ୍ତକବି ମଧୁସୂଦନ ମୌଳିକ ଗଦ୍ୟ ରଚନାର ସୂତ୍ରପାତ କଲେ । ସଂସ୍କୃତର ଛାଞ୍ଚରେ ତାହାଙ୍କର ସ୍ୱଭାବ-ସୁନ୍ଦର ଓ ଲଳିତ ମନୋହର ଗଦ୍ୟ ରଚନା ଓଡ଼ିଆ ଭାଷାର ପ୍ରଚ୍ଛନ୍ନ କ୍ଷମତାକୁ ସୂଚନା କଲା ମାତ୍ର । ଗୌରୀଶଙ୍କର, ସ୍ୱର୍ଗୀୟ ମହାରାଜା ସାର୍‌ ସୁଢ଼ଳ ଦେବ, ସମ୍ୱାଦପତ୍ର ମୁଖରେ ଗଦ୍ୟ ରଚନା ଚଳାଉଥିଲେ । ତତ୍ପରେ ରାମଶଙ୍କର, ଉମେଶ ସରକାର ଆଦି କେତେ ଖଣ୍ଡି ଉପନ୍ୟାସ ରଚନାକରୀ ଗଦ୍ୟ ଆଡ଼କୁ ଲୋକଙ୍କର ଦୃଷ୍ଟିଆକର୍ଷଣ କଲେ, କିନ୍ତୁ ଭୀମ-କାନ୍ତ-ଗୁଣ-ସମନ୍ୱିତ ଗଦ୍ୟ ରଚନାର ସୂତ୍ରପାତ ବିଶ୍ୱନାଥ କର ତାଙ୍କର ବିବିଧ ପ୍ରବନ୍ଧରେ ଏବଂ ଶଶିଭୂଷଣ ତାଙ୍କର ଦାକ୍ଷିଣାତ୍ୟ ଭ୍ରମଣରେ ଆରମ୍ଭ କରିଥିଲେ; ସ୍ୱର୍ଗୀୟ ମୃତ୍ୟୁଞ୍ଜୟ ରଥ ଏମାନଙ୍କ ପଦାଙ୍କ ଅନୁସରଣ କରି ଗଦ୍ୟ ରଚନାରେ ହସ୍ତକ୍ଷେପ କରିଥିଲେ । ଚନ୍ଦ୍ରମୋହନ ଗଦ୍ୟ ରଚନାଦ୍ୱାରା ଓଡ଼ିଆ ଭାଷାର ଯେଉଁ ଭବିଷ୍ୟତ ସୂଚନା କରିଥିଲେ, ତାହା ବନର ମାଳତୀ ପରି ବନରେ ଫୁଟି ଝଡ଼ିଲା । ଏହି କ୍ଷେତ୍ରରେ ‘‘ଉତ୍କଳ ସାହିତ୍ୟ’’ ପତ୍ରିକାର କାର୍ଯ୍ୟ ଓ ଦାବି ଅଗ୍ରାହ୍ୟ କରିବାର ଅଧିକାର ଅନ୍ତତଃ ମୋର ନାହିଁ । ‘‘ଉତ୍କଳ ସାହିତ୍ୟ’’ର ସମ୍ପାଦକ ବିଶ୍ୱନାଥଙ୍କ ଯତ୍ନରେ ଓ ଉତ୍ସାହରେ ଯେ ଅନେକ ଗଦ୍ୟ ଲେଖକ ଓ କବି ଆଜି ସାହିତ୍ୟିକ ବୋଲି ପରିଚିତ ହୋଇଅଛନ୍ତି, ଏଥିରେ ଗୋଟିଏ ଉଦାହରଣ ଆଜି ଆପଣମାନଙ୍କ ସମ୍ମୁଖରେ ସଶରୀରରେ ଉପସ୍ଥିତ । ଫକୀରମୋହନ ତାଙ୍କର ଗଳ୍ପସ୍ୱଳ୍ପରେ ଗଦ୍ୟ ଲେଖାରେ ‘ବାପା ହେ ବାପା ହେ, ଶିକାଙ୍କ ଉପରେ ଘଡ଼ିଙ୍କ ମଧ୍ୟରେ ଘତ ଅଛନ୍ତି’ ଏ ଭାଷାର ଯୁଗକୁ ପରିବର୍ତ୍ତନ କରି ଗଦ୍ୟକୁ ଓଡ଼ିଆର ଦୈନନ୍ଦିନ ବ୍ୟବହୃତ ଭାଷା ଆଡ଼କୁ ଟାଣି ଆଣିଥିଲେହେଁ ଏ କ୍ଷେତ୍ରରେ ତାଙ୍କର ପ୍ରତିଭା ‘‘ଉତ୍କଳ ସାହିତ୍ୟ’’ରେ ‘ଛମାଣ ଆଠଗୁଣ୍ଠ’ରେ ଫୁଟିଉଠିଥିଲା । ଫକୀରମୋହନଙ୍କର ଅନୁକରଣରେ ତାଙ୍କର ଚେଲାମାନେ ଗଦ୍ୟ ସାହିତ୍ୟ ଆଜି ପର୍ଯ୍ୟନ୍ତ ଚଳାଇ ଆସୁଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ଶ୍ରୀମାନ୍‌ ନୀଳକଣ୍ଠ, ସ୍ୱର୍ଗତ କୃପାସିନ୍ଧୁ ଆଦି ଲେଖକମାନେ ଓଡ଼ିଆ ଗଦ୍ୟର ଭିନ୍ନ ଭିନ୍ନ ଆକାର ପ୍ରକାର ଓ ନମୁନାମାନ ଆମ୍ଭମାନଙ୍କୁ ଦେଖାଇଅଛନ୍ତି । ‘ମୁକୁର’ ପତ୍ରିକା ମଧ୍ୟ କେତେଗୁଡ଼ିଏ ଲେଖକଙ୍କୁ ଉତ୍ସାହିତ କରି ଉତ୍କଳର ଆଧୁନିକ ଗଦ୍ୟ ବିକାଶର ବାଟ ଦେଖାଇଅଛି । ଇତିମଧ୍ୟରେ ଆଉ କେତେକ ଉଦୀୟମାନ ଉଚ୍ଚଶିକ୍ଷିତ ଲେଖକ ଓ ଲେଖିକା (ଯଥା–ସ୍ୱର୍ଗତ ଗୋପୀନାଥ ନନ୍ଦ, ଜଗବନ୍ଧୁ, କୃଷ୍ଣପ୍ରସାଦ, ରତ୍ନାକର, କୁଳମଣି, କୁନ୍ତଳାକୁମାରୀ, ଶ୍ରୀମାନ୍‌ ଆଚାର୍ଯ୍ୟ ଚିନ୍ତାମଣି, ଶଶିଭୂଷଣ ରଥ, ଦୟାନିଧି ମିଶ୍ର, ବାସୁଦେବ ମହାପାତ୍ର, ପ୍ରତିଭା, ସରଳା) ମାସିକପତ୍ରର ସ୍ତମ୍ଭରେ ଓ ନିଜ ନିଜ ରଚିତ ଗ୍ରନ୍ଥମାନଙ୍କରେ ଗଦ୍ୟ ରଚନାରେ ନୂତନତ୍ୱ ଓ ବିଶିଷ୍ଟତା ଦେଖାଇଅଛନ୍ତି । ଓଡ଼ିଆ ସାହିତ୍ୟପ୍ରଚାର ସଂଘ ଗୁଡ଼ିଏ ଗ୍ରନ୍ଥ ପ୍ରକାଶ କରି ଲେଖକମାନଙ୍କୁ ଉତ୍ସାହିତ କରୁଅଛନ୍ତି; କିନ୍ତୁ ସାହିତ୍ୟର ସମସ୍ତ ଶାଖାରେ (ଯଥା–ଉପନ୍ୟାସ, ବିଜ୍ଞାନ, ଜ୍ୟୋତିଷ, ସମାଲୋଚନା, ଇତିହାସ, ପ୍ରତ୍ନତତ୍ତ୍ୱ, ଜୀବନଚରିତ, ଚିକିତ୍ସାଗ୍ରନ୍ଥ, ସ୍ୱରବିଜ୍ଞାନ ଆଦି) ଗଦ୍ୟରଚନାରେ ଓଡ଼ିଆ ଲେଖକମାନଙ୍କର ନିଷ୍ଠା ଓ ସାଧନା ଆଶାନୁରୂପ ବିକାଶ ଲଭିନାହିଁ ବୋଲି ଦମ୍ଭ ସହିତ କୁହାଯାଇପାରେ । ବିଶ୍ୱସାହିତ୍ୟ ସଙ୍ଗରେ ପଟ ପକାଇବା ପାଇଁ ଆବହମାନକାଳରୁ ଆଜିପର୍ଯ୍ୟନ୍ତ ହୋଇଥିବା ଓଡ଼ିଆ ଗଦ୍ୟ ଲେଖାମାନଙ୍କୁ ଦରାଣ୍ଡିଲେ ଖଣ୍ଡିଏ ପୁସ୍ତକ ମିଳିବ କି ? ଭାଷାର ବିଶୁଦ୍ଧତା ରକ୍ଷା କରି ନିଷ୍ଠା ସହିତ ସାହିତ୍ୟ ସେବା କରିବା ଓ ଓଡ଼ିଆଭାଷୀକୁ ବିଜାତୀୟ ପ୍ରଭାବରୁ ବଞ୍ଚାଇ ଭାଷାର ବିଶେଷତ୍ୱ ଓ ସମ୍ମାନ ରକ୍ଷା କରିବାପାଇଁ ଆମ ମଧ୍ୟରୁ କେତେ ଜଣ ଚେଷ୍ଟା କରୁଥାଇଁ ? ସମ୍ୱାଦପତ୍ରମାନ ସାହିତ୍ୟର ପୁଷ୍ଟି ଓ ଉନ୍ନତି ବିଷୟରେ ପ୍ରଧାନ ସହାୟ, ଏ କଥା କେତେକ ପରିମାଣରେ ସମାଜ ଓ ଆଶାଙ୍କୁ ଛାଡ଼ି କେତେଜଣ ସମ୍ପାଦକ ଦୃଢ଼ ଭାବରେ ଭାବୁଅଛନ୍ତି-? ପାଠକମାନଙ୍କ ମନରେ ସମ୍ୱାଦପତ୍ର ପଢ଼ି ଏହି ଧାରଣା ହେଉଅଛି ଯେ, ସମ୍ୱାଦପତ୍ରର ଇଲାକା ଓ ସାହିତ୍ୟର ଇଲାକା ଅଲଗା ଅଲଗା । ଦୈନିକ ଆଶା ସାହିତ୍ୟ ଭାବରେ ଓ ସମ୍ୱାଦପତ୍ର ଭାବରେ ନବଯୁଗର ଯେଉଁ ଶଙ୍ଖ ବଜାଇଅଛି, ତାହା ଉତ୍କଳ ସାହିତ୍ୟର ଇତିହାସରେ ଚିରକାଳ ନିନାଦିତ ହେବ ବୋଲି ଆଶା କରାଯାଏ । ଦୈନିକ ପତ୍ରିକା ଓଡ଼ିଶାରେ ଚଳି ପାରିବ, ଏପରି ଆଶା ଦୁଇବର୍ଷ ପୂର୍ବେ ଦୁରାଶା ପରି ବୋଧ ହେଉଥିଲା ।

 

ମାସିକ ଓ ସାମୟିକ ପତ୍ରିକାମାନଙ୍କ ମଧ୍ୟରେ ‘ଉତ୍କଳସାହିତ୍ୟ’ ଅଗ୍ରଣୀ, କିନ୍ତୁ ତାହାର ଅବସ୍ଥା ଓ ଭବିଷ୍ୟତ୍‌ ଭାବିଲେ ଦୁଃଖରେ ମ୍ରିୟମାଣ ହେବାକୁ ହୁଏ । ସାମୟିକ ପତ୍ରିକା ସାହିତ୍ୟର କିପରି ପୃଷ୍ଠପୋଷକ ତାହା ପ୍ରାତଃସ୍ମରଣୀୟ ସାହିତ୍ୟପ୍ରିୟ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ପ୍ରତିଷ୍ଠିତ ‘ଉତ୍କଳପ୍ରଭା’ ପତ୍ରିକା ଓଡ଼ିଶାକୁ ଦେଖାଇ ଯାଇଅଛି । ଉତ୍କଳ ସାହିତ୍ୟର ଅମୂଲ୍ୟ ରତ୍ନ ଚିଲିକା ‘ଉତ୍କଳପ୍ରଭା’ର ଉତ୍ସାହରେ ପ୍ରଥମେ ରଚିତ ହୋଇଥିଲା । ଉତ୍କଳପ୍ରଭା, ଉତ୍କଳସାହିତ୍ୟ ଓ ମୁକୁରରେ କ୍ରମଶଃ ପ୍ରକାଶିତ କେତେ ଲେଖା ମଧ୍ୟ ସାରସ୍ୱତ ଭଣ୍ଡାରରେ ଅମୂଲ୍ୟ ରତ୍ନରୂପେ ପରିଗଣିତ ହେଉଥିବ । ଓଡ଼ିଶାରେ କେତେ ଯେ ମାସିକ ପତ୍ରିକାର ଆବିର୍ଭାବ ଓ ତିରୋଭାବ ହୋଇଗଲାଣି, ତାହା ଏଠାରେ ଆଲୋଚନା କରିବାର ଅବସର ନାହିଁ । ଏବେ ମଧ୍ୟ ଊଣା ଅଧିକରେ ଉତ୍କଳଖଣ୍ଡରେ ୫।୭ ଖଣ୍ଡ ମାସିକ ପତ୍ରିକା ଚଳୁଅଛି; କିନ୍ତୁ ଏଗୁଡ଼ିକ ମାସିକ, କି ଦ୍ୱୈମାସିକ, କି ତ୍ରୈମାସିକ, କି ଚାତୁର୍ମାସିକ, ତାହା ଏମାନଙ୍କ ଜୀବନ କାଳରେ ଜଣାପଡ଼ୁନାହିଁ; କି ମୃତ୍ୟୁରେବି ଜଣାପଡ଼ୁନାହିଁ । ‘ଉତ୍କଳସାହିତ୍ୟ’ ପତ୍ରିକାଖଣ୍ଡି ନାନା ଅଭାବ ଅସୁବିଧା ମଧ୍ୟରେ ‘ଯେନ ତେନ’ ବଞ୍ଚି ରହିଅଛି । ‘ମୁକୁର’ ଜଣେ ଜମିଦାରଙ୍କଦ୍ୱାରା ପୋଷା, ଏଥିପାଇଁ ସେ ମଧ୍ୟ ଅର୍ଥଚିନ୍ତାରୁ ମୁକ୍ତ, ସେ ଗ୍ରାହକମାନଙ୍କ ଅନୁଗ୍ରହ ଉପରେ ନିର୍ଭର କରେନାହିଁ ଏବଂ ଗ୍ରାହକମାନେ ମଧ୍ୟ ନିୟମିତରୂପେ ପ୍ରକାଶର ଅଭାବ ବିରୁଦ୍ଧରେ ଆଇନ ଅନୁସାରେ ଦାବିଦାର ନୁହନ୍ତି । ‘ବାରୁଣୀ ପତ୍ରିକା’ ଝଟକ ବିଜୁଳି ପରି ଦୁଇ ତିନି ଥର ଉଇଁ ପୁଣି ହେଲିଙ୍କ ଧୂମକେତୁ (Hailey’s Comet) ଭଳି କୁଆଡ଼େ ଉଭେଇ ଯାଇଅଛି । ପୁଣି କେବେ ଉତ୍କଳ ଆକାଶରେ ତାହାର ଉଦୟ ହେବ, ତାହା ପତ୍ରିକା ସମ୍ପାଦକ ଓ ବିଶ୍ୱ ସମ୍ପାଦକଙ୍କୁ ଜଣା । ଉତ୍କଳଭାଷୀ ଅଞ୍ଚଳରେ ନବ୍ୟଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧ, ପ୍ରୌଢ଼, ତରୁଣ, ସାବାଳକ, ନାବାଳକ ହୋଇ କୋଡ଼ିଏ ହଜାର ହେବ ବୋଲି ମୋଟରେ ଧରାଯାଇପାରେ, ଏଥିରୁ କେତେ ଜଣ ସାହିତ୍ୟ ପତ୍ରିକାମାନଙ୍କରେ ଗ୍ରାହକ ? ଏଥିରୁ ପୁଣି କେତେ ଜଣ ଦିଆ, କେତେ ଜଣ ଅଦିଆ ଓ କେତେ ଜଣ ଦୁଆରଦିଆ, ଏଥିରେ ଗୋଟିଏ ସେନ୍‌ସସ୍‌ କରାଗଲେ ବଡ଼ କୌତୁକର ବିଷୟ ହୁଅନ୍ତା । ବିଜାତୀୟ ପତ୍ରିକା ଓଡ଼ିଶାକୁ କେତେ ଖଣ୍ଡ ଆସେ, ତାହା ମଧ୍ୟ ଦେଖି ଶିଖିବାର କଥା ।

 

(୨) ପଦ୍ୟ ସାହିତ୍ୟ–କବିବର ରାଧାନାଥ, ମଧୁସୂଦନ ଏ ଯୁଗରେ ଜନ୍ମି ନଥିଲେ, ଏ ଯୁଗର ପଦ୍ୟ ସାହିତ୍ୟରେ ଆମେବି ଗ୍ରନ୍ଥକୁ ‘ପେଡ଼ିଲୁଗା’ ପରି ଦାଣ୍ଡରେ ଦେଖାଉଥାନ୍ତେଇଁ, ତାହା ଭାବି ହେଉନାହିଁ । ୰ଉତ୍କଳମଣି ଗୋପବନ୍ଧୁ, ସାଧୁଚରଣ, ଗଙ୍ଗାଧର, ନନ୍ଦକିଶୋର, ଫକୀରମୋହନ ଓ ଚିନ୍ତାମଣି, ପଦ୍ମଚରଣ, ମଦନମୋହନ, ନୀଳକଣ୍ଠ, ଗୋଦାବରୀଶ, କାଳିନ୍ଦୀଚରଣ, ବୈକୁଣ୍ଠନାଥ, ଅଜୟଚନ୍ଦ୍ର, କୁନ୍ତଳାକୁମାରୀ, ମାୟାଧର, ଚନ୍ଦ୍ରଶେଖର, ଏହିପରି କତିପୟ ଲେଖକ ଓ ଲେଖିକା ନୂତନ ରୁଚିର ଓ ଛାଞ୍ଚରେ ପଦ୍ୟ ସାହିତ୍ୟରେ କସରତ କରିଅଛନ୍ତି; କିନ୍ତୁ ଏମାନଙ୍କୁ କବି ଆସନରେ ବସାଇବାର ଭାର ଭବିଷ୍ୟତ୍‌ ଉତ୍କଳ ସାହିତ୍ୟର ଇତିହାସ ଲେଖକଙ୍କଠାରେ ।

 

ଉତ୍କଳ ସଙ୍ଗୀତ ଛାନ୍ଦ ନିମନ୍ତେ ଚିରପ୍ରସିଦ୍ଧ । ଅଶିକ୍ଷିତ ବ୍ୟକ୍ତିଙ୍କ ମୁହଁରୁ ମଧ୍ୟ ଅନେକ ସମୟରେ ସଙ୍ଗୀତ ଓ ଛାନ୍ଦ ଯାହା ଶୁଣା ଯାଇଥାଏ ଦୁଃଖର ବିଷୟ ଯେ, ଆଜିକାଲି ଶିକ୍ଷିତମାନଙ୍କ ମଧ୍ୟରେ ତହିଁର ଏକାଂଶ ମଧ୍ୟ ମିଳିବା ଦୁର୍ଘଟ । ଦାମୋଦର ପଟ୍ଟନାୟକ ଗୁଡ଼ିଏ ପ୍ରାଚୀନ ସଙ୍ଗୀତ ସଂଗ୍ରହକରି ଯେଉଁ ପଥ ଦେଖାଇ ଯାଇଥିଲେ, ତାହାକୁ କଟକର ଛାପାଖାନାବାଲାମାନେ ସଙ୍ଗୀତ ପାଚିଲା କଦଳୀ, ସଙ୍ଗୀତ ରସଗୋଲା, ସଙ୍ଗୀତ ବିଛୁଆତି, ସଙ୍ଗୀତ ଛେନାଗୁଡ଼ ଇତ୍ୟାଦି ନାନା ଅଚିନ୍ତନୀୟ ଆକାର ଓ କଦାକାରରେ ଏପରି ଅପବ୍ୟବହାର କରିବେ ବୋଲି ଦାମୋଦର ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ପାରଳାଖେମୁଣ୍ଡି ରାଜାନୁକୂଲ୍ୟରେ ପ୍ରକାଶିତ ଗୋପାଳକୃଷ୍ଣଙ୍କ ସଙ୍ଗୀତସଂଗ୍ରହ ଓ ଖଲିକୋଟ ରାଜାନୁକୂଲ୍ୟରେ ପ୍ରକାଶିତ କୁଳମଣିଙ୍କ କବିସୂର୍ଯ୍ୟ ଗ୍ରନ୍ଥାବଳୀ ଯେଉଁ ମାର୍ଗ ଦେଖାଇଅଛନ୍ତି, ତାହା ଏହି କ୍ଷେତ୍ରରେ ସର୍ବଥା ଆଦରଣୀୟ ଓ ଅନୁକରଣୀୟ । ରଣପୁର ରାଜାନୁକୂଲ୍ୟରେ ପ୍ରକାଶିତ ସଙ୍ଗୀତ ଜ୍ଞାନଭଣ୍ଡାର ଓ ଗୀତବାଦ୍ୟ ତରଙ୍ଗରେ ଗୀତବାଦ୍ୟର ଚର୍ଚ୍ଚାପ୍ରତି ଲୋକଙ୍କ ଦୃଷ୍ଟିଆକର୍ଷିତ ହୋଇଅଛି । ସଙ୍ଗୀତ ସାଧନାରେ ଗୋବିନ୍ଦଚନ୍ଦ୍ର ସୁରଦେଓ, ଗୋକୁଳଚନ୍ଦ୍ର, ମୋହନ ଗୋସ୍ୱାମୀ କୃତିତ୍ୱ ଦେଖାଇଅଛନ୍ତି, କିନ୍ତୁ ତାହା ଉତ୍କଳୀୟ ଜାତିର ହୃଦୟତନ୍ତ୍ରୀରେ ସ୍ଥାୟୀରୂପେ ଝଙ୍କୃତ ହେବାକୁ ଅନେକ ଦିନ ବାକି ଅଛି ।

 

ଗୋଟିପୁଅ ନାଟ ଓ ଦକ୍ଷିଣୀ ସଙ୍ଗୀତ ସାଧନାପାଇଁ ଉତ୍କଳ ଦିନେ ଭାରତରେ ଖ୍ୟାତି ଲାଭ କରିଥିଲା । ଭିଙ୍ଗାରପୁର ଜମିଦାରବଂଶଙ୍କ ପ୍ରାଚୀନ ବିଭବ ଲୁପ୍ତହେଲା ପରେ ଓ ବଳଙ୍ଗା ରାଧାକୃଷ୍ଣ ଥିଏଟରର ପ୍ରତିଷ୍ଠାତା ଓ ଜୀବନ ବନମାଳୀ ଯିବା ଦିନଠାରୁ ଏ ଦିଗରେ ପୋଥିରେ ଡୋର ବନ୍ଧାହେଲା ପରି ଆଶଙ୍କା ହେଉଅଛି ।

 

ଗଦ୍ୟ ଓ ପଦ୍ୟ ସାହିତ୍ୟର ସମନ୍ୱୟରେ ନାଟକ ଜନ୍ମ ପାଏ । ଏ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଅତି ଦୀନ । ପ୍ରଥମେ ସ୍ୱର୍ଗତ ଜଗମୋହନ ଲାଲ ‘ବାବାଜୀ’ ନାଟକ ଲେଖିଥିଲେ । ତତ୍ପରେ ରାମଶଙ୍କର, ପଣ୍ଡିତ ହରିହର ରଥ ଓ ଏବେ ଭିକାରୀଚରଣ, ଅଶ୍ୱିନୀକୁମାର, ଚିକିଟିରାଜା ରାଧାମୋହନ ଏ କ୍ଷେତ୍ରରେ ପରିଶ୍ରମ ଓ ସାଧନା ଦେଖାଇଅଛନ୍ତି । ଯୁବକ ଶ୍ରୀମାନ୍‌ ରାମଚନ୍ଦ୍ର ଦୁଇଖଣ୍ଡି ଓ ସମ୍ୱଲପୁରର ଚୂଡ଼ାମଣି ଖଣ୍ଡିଏ ନାଟକ ଲେଖି ନାଟକରେ ନବଯୁଗର ସୂଚନା ଦେଖାଇଅଛନ୍ତି । ଏ କ୍ଷେତ୍ରରେ ମଧ୍ୟ ରାୟ ଦେବାର ଅବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ନାହିଁ ।

 

ଉତ୍କଳର କେନ୍ଦ୍ରରେ ଗୋଟାଏ ସ୍ଥାୟୀ ରଙ୍ଗମଞ୍ଚ ଅବଧି ହୋଇପାରିଲା ନାହିଁ । ବାସନ୍ତୀ ନାଟ୍ୟଶାଳାଟି ପ୍ରତି ଅବଧି ଉତ୍କଳର ସାହିତ୍ୟପ୍ରିୟ କୌଣସି ବରପୁତ୍ରଙ୍କର ଦୃଷ୍ଟି ପଡ଼ିନାହିଁ । ମୋହନ ଗୋସ୍ୱାମୀ ସଙ୍ଗୀତ ଓ ନାଟ୍ୟ ବିଦ୍ୟାରେ ଧର୍ମକ୍ଷେତ୍ରରେ ଯେଉଁ କୃତିତ୍ୱ ଦେଖାଇଅଛନ୍ତି, ତାହା ସଙ୍ଗୀତପ୍ରିୟମାନଙ୍କ ଅନୁକରଣୀୟ ।

 

ଓଡ଼ିଶାରେ ଗୀତିନାଟ୍ୟର (Opera) ଅଭାବ ନାହିଁ । ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ବୋହୂ ସୁଆଙ୍ଗ, ଚନ୍ଦ୍ରାବତୀହରଣଠାରୁ ଆରମ୍ଭ କରି ନାନାବିଧ ପୌରାଣିକ ଓ ଅପୌରାଣିକ ହରଣ ପର୍ଯ୍ୟନ୍ତ ଉତ୍କଳର ଭିନ୍ନ ଭିନ୍ନ ସ୍ଥାନରେ, ଉତ୍କଳର ଭିନ୍ନ ଭିନ୍ନ ଆଖଡ଼ାରେ, ଉତ୍କଳର ଭିନ୍ନ ଭିନ୍ନ ରାଜଦ୍ୱାରରେ, ପ୍ରବାସୀ ଉତ୍କଳୀୟଙ୍କ ଭିନ୍ନ ଭିନ୍ନ ଖଟିରେ ପ୍ରତିନିୟତ ଅଭିନୀତ ହେଉଅଛି । ଏଥିର ଭାଷା, ଏଥିର ଭାବ, ଏଥିର ରୁଚି ଦେଖିଲେ, ଆମ ଜାତିର ଭବିଷ୍ୟତ୍‌ସମ୍ୱନ୍ଧରେ ମନୁଷ୍ୟର ଆଶା କୁଆଡ଼େ ଉଭେଇଯାଏ । ସମାଜରେ କୁରୁଚି, କଦାଚାର ଓ ଭାଷାରେ କଦର୍ଯ୍ୟତା ଏ ଶ୍ରେଣୀର କବିମାନେ ଖୁନ୍ଦୁ ଅଛନ୍ତି ଏବଂ ଆମେ ଶିକ୍ଷିତମାନେ ଜଳଜଳ କରି ଏହାକୁ ଚାହିଁଅଛୁ । ଏ ଶ୍ରେଣୀର କବିମାନଙ୍କୁ ବାହାଦୁରୀ ଦେବାପାଇଁ ସମ୍ୱାପତ୍ରର ସମ୍ପାଦକୀୟ ଓ ବିଜ୍ଞାପନ ସ୍ତମ୍ଭମାନ କଳୁଷିତ ହେଉଅଛି ଏବଂ ଜାତିର ରୁଚି ଓ ନୈତିକ ଚରିତ୍ର ଯାହାକି କଲିକତା, ରେଙ୍ଗୁନ ଓ ଟାଟାନଗରରେ ଚହଟୁଅଛି, ସେଗୁଡ଼ିକର ପଥ ମଧ୍ୟ ପରିଷ୍କାର ହେଉଅଛି । ମାତ୍ର ଇତର ଲୋକଙ୍କର ଜୀବନ ଦୁଃଖମୟ; ସେଥିରେ ଆମୋଦ ପ୍ରମୋଦହିଁ କ୍ଷଣିକ ଆଲୋକରେଖା । ସେ ଆମୋଦ ପ୍ରମୋଦର ସ୍ଥାନ ଆମେ ପଢ଼ୁଆମାନେ ପୂରଣ କରିବା ନାହିଁ । ଏପରି ସ୍ଥଳରେ ସେମାନେ ଏହି କୁରୁଚିପୂର୍ଣ୍ଣ ଯାତ୍ରା ସୁଆଙ୍ଗର ଆଶ୍ରା ନ ନେଇ ଆଉ କରିବେ କ’ଣ ? ଲୌକିକ ସାହିତ୍ୟ ସବୁ ଆଧୁନିକ ସାହିତ୍ୟରେ ସ୍ଥାନ ପାଉଅଛି ଏବଂ ତାହା ମାର୍ଜିତ ଓ ସୁରୁଚିସମ୍ପନ୍ନ କରିବା ବିଷୟରେ ସାହିତ୍ୟସେବକମାନେ ଲାଗିଅଛନ୍ତି । ଓଡ଼ିଶାରେ ସବୁ କ୍ଷେତ୍ରରେ ମଧ୍ୟ ସେଇଆ । କାହାଣୀ, କ୍ଷୁଦ୍ରଗଳ୍ପ, ପ୍ରବଚନ, ଭଜନ, ଜଣାଣ, ଚଉତିଶା ପ୍ରତି ପଢ଼ୁଆଙ୍କର ସମୁଚିତ ଦୃଷ୍ଟି ପଡ଼ୁନାହିଁ-

 

ଶିଶୁ ସାହିତ୍ୟ ମଧ୍ୟ ସାହିତ୍ୟର ଏକ ବିଶିଷ୍ଟ ଅଙ୍ଗ । ଶ୍ରୀମାନ୍‌ ନୀଳକଣ୍ଠ ପିଲାଙ୍କର ଉପଯୋଗୀ ଖଣ୍ଡିକେତେ ପୁସ୍ତକ ରଚନା କରିଅଛନ୍ତି । ଏହାଛଡ଼ା କେତେ ଖଣ୍ଡି ପାଠ୍ୟ ପୁସ୍ତକ ହେବା ଉଦ୍ଦେଶ୍ୟରେ ରଚିତ ପୁସ୍ତିକା ଓ (କଟକ, ବ୍ରହ୍ମପୁର) ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର ପ୍ରକାଶିତ ପୁସ୍ତିକା ଓ ପଞ୍ଚାମୃତ ପତ୍ରିକା ଛାଡ଼ି ଦେଲେ, ଏ କ୍ଷେତ୍ରରେ ଉପଯୁକ୍ତ ଶିକ୍ଷାପ୍ରଦ ପୁସ୍ତକର ଅଭାବ ଏ ପର୍ଯ୍ୟନ୍ତ ତୁଟିନାହିଁ । ପ୍ରତିବର୍ଷ ଓଡ଼ିଆରେ ଶତ ଶତ ନୂତନ ପୁସ୍ତକ ପ୍ରକାଶିତ ହେଉଅଛି । ସରକାରୀ ଗେଜେଟରେ ନୂଆ ବହିର ଯେଉଁ ସାମୟିକ ତାଲିକା ବାହାରେ, ସେଥିରୁ ଜଣାଯାଏ ଯେ, ଅଧିକାଂଶ ଓଡ଼ିଆ ବହିର ମୂଲ୍ୟ ଚାରି ଅଣା ତଳକୁ । ମୁଦ୍ରାଯନ୍ତ୍ରର ସୁଲଭତାରୁ କେତେକ ବ୍ୟବସାୟୀ ଏହି ସବୁ ଅଳ୍ପ ମୂଲ୍ୟର ପୁସ୍ତକ ପ୍ରକାଶ କରି ଓ ଅନ୍ୟର ପରିଶ୍ରମସମ୍ଭୂତ ବସ୍ତୁମାନ ଚୋରିକରି ବା ବିକଳାଙ୍ଗ ପରି ବେଶ୍‌ ଦୁଇ ପଇସା ରୋଜଗାର କରୁଅଛନ୍ତି, ମାତ୍ର ଏ ସବୁରେ ଉଚ୍ଚ ଚିନ୍ତା ବା ଗଭୀର ଗବେଷଣାର ଗନ୍ଧ ସମ୍ୱନ୍ଧ ନାହିଁ । ସାଧାରଣଙ୍କୁ ପ୍ରତାରଣା କରିବାହିଁ ଏସବୁ ବ୍ୟବସାୟୀଙ୍କର ଲକ୍ଷ୍ୟ ।

 

ଓଡ଼ିଆରେ ବ୍ୟାକରଣର ଅଭାବ ବିଷୟ ମୁଁ ପୂର୍ବେ ସୂଚନା କରିଅଛି । ବ୍ୟାକରଣ ଓ ଅଳଙ୍କାର ଗ୍ରନ୍ଥ ଭାଷାର ଜୀବନୀଶକ୍ତିର ପରିଚାୟକ । ଏହାହିଁ ଉଚ୍ଛୃଙ୍ଖଳ ଲେଖକମାନଙ୍କର ଯଥେଚ୍ଛାଚାର–କଳୁଷିତ ଲେଖନୀକୁ ସଂଯତ କରେ । ଓଡ଼ିଆ ଭାଷାର ଯେଉଁ ସବୁ ବ୍ୟାକରଣ ହୋଇଅଛି, ତାହା ସଂସ୍କୃତ ବ୍ୟାକରଣର ବିକୃତ ଉତ୍କଳ ଅନୁବାଦ ମାତ୍ର । ଅଳଙ୍କାର ଗ୍ରନ୍ଥ ସମ୍ୱନ୍ଧରେ ବାମଣ୍ଡାରୁ ପ୍ରକାଶିତ ‘ଅଳଙ୍କାର ବୋଧୋଦୟ’ ଓ ‘ଅଳଙ୍କାରସାର’ ସଂସ୍କୃତ ଅଳଙ୍କାର ଶାସ୍ତ୍ରରୂପ ଅର୍ଣ୍ଣବଯାନର ତୁଳନାରେ ପାଠପଟାଳି ମାତ୍ର । ବର୍ତ୍ତମାନ ପଣ୍ଡିତ କୁଳମଣିଙ୍କ ‘ଅଳଙ୍କାର ତରଙ୍ଗିଣୀ’’ ଏ ଦିଗରେ ଗୋଟିଏ ପ୍ରକୃତ ଅଭାବ ଦୂର କରିପାରିଅଛି ।

 

‘‘ଖଜୁରିଗଛର କି ଗୁଣ ବାହୁନିବି, ମୂଳରୁ ପାହାଚ ପାହାଚ ।’’ ଓଡ଼ିଶାର ଇତିହାସ କଥା ଗାଧୋଇ ଯାଉ, ଆଜିଯାକେ ଓଡ଼ିଆ ଭାଷା ବା ଓଡ଼ିଆ ସାହିତ୍ୟର ଖଣ୍ଡିଏ ଇତିହାସ ଲେଖା ଯାଇ ପାରିନାହିଁ । ତାରିଣୀଚରଣ ରଥଙ୍କ ପୁସ୍ତିକା ଖଣ୍ଡିଏ ତାଲିକା ମାତ୍ର । ବିନାୟକଙ୍କ ‘ଓଡ଼ିଆ ଭାଷାର ଇତିହାସ’ ଓ ‘ଓଡ଼ିଆ ସାହିତ୍ୟର ଇତିହାସ’ରେ ଏ ସମ୍ୱନ୍ଧୀୟ ଆଲୋଚନାର ଖଡ଼ି ପଡ଼ିଅଛି ମାତ୍ର । ଜଗବନ୍ଧୁ ସିଂହ ତାଙ୍କ ରଚିତ ‘ପ୍ରାଚୀନ ଉତ୍କଳ’ରେ ଅନେକଗୁଡ଼ିଏ ସାହିତ୍ୟିକ ଓ ଏତିହାସିକ ତଥ୍ୟ ସଂଗ୍ରହ କରି ଓଡ଼ିଆ ସାହିତ୍ୟର ଇତିହାସଲେଖକଙ୍କ ପଥ ସୁଗମ କରିଅଛନ୍ତି । ଆଚାର୍ଯ୍ୟ ଚିନ୍ତାମଣି ଓ ବିରୂପାକ୍ଷ, ଡାକ୍ତର ରାଧାଚରଣ ପ୍ରତ୍ନତତ୍ତ୍ୱ ଆଲୋଚନାର ସୂତ୍ରପାତ କରିଅଛନ୍ତି ମାତ୍ର । ଆଚାର୍ଯ୍ୟ ବିଜୟଚନ୍ଦ୍ର ମଜୁମଦାରଙ୍କ ପ୍ରତ୍ନତତ୍ତ୍ୱ ଗବେଷଣାରେ ନିଷ୍ଠା ଆମ୍ଭମାନଙ୍କର ଅନୁକରଣୀୟ ।

 

ଭାଷା ବିଜ୍ଞାନ ଚର୍ଚ୍ଚା ଓଡ଼ିଶାରେ ନାହିଁ କହିଲେ ଚଳେ । ଉତ୍କଳ ଅଭିଧାନକାର ୰ଗୋପୀନାଥ ନନ୍ଦ ତାଙ୍କର ନାନା ଅଭାବ ସତ୍ତ୍ୱେ ଓଡ଼ିଆ ଭାଷା ତତ୍ତ୍ୱରେ ଯେଉଁ ଅଧ୍ୟବସାୟ ଓ ଗବେଷଣାର ଉଦାହରଣ ଦେଖାଇଅଛନ୍ତି, ତାଙ୍କ ଅପେକ୍ଷା ବହୁତର ଭାଷାଭିଜ୍ଞ କୌଣସି ନବ୍ୟଶିକ୍ଷିତ ବ୍ୟକ୍ତି ସେଥିରେ ହସ୍ତକ୍ଷେପ କଲେ ଓଡ଼ିଆ ଭାଷାର ଗୋଟିଏ ପ୍ରଧାନ ଅଭାବ ଓ କଳଙ୍କ ଦୂର ହୁଅନ୍ତା ।

 

ପାରଳାର ସ୍ୱର୍ଗୀୟ ଶ୍ୟାମସୁନ୍ଦର ରାଜଗୁରୁ ପ୍ରାଚୀନ କବିଙ୍କ ଜୀବନୀ ସଂଗ୍ରହ, ଓଡ଼ିଆ ଛାନ୍ଦ, ଅଳଙ୍କାର ସମ୍ବନ୍ଧରେ ଯେଉଁ ଗବେଷଣାର ପରିଚୟ ଦେଇଥିଲେ, ସତ୍ୟନାରାୟଣ ତାଙ୍କ ପଦାଙ୍କ ଅନୁସରଣ କରିବା ଆନନ୍ଦର ବିଷୟ ।

 

ପ୍ରାଚୀନ ସାହିତ୍ୟ ଓ କବିଙ୍କ ଜୀବନୀ ସଂଗ୍ରହ ବିଷୟରେ ପ୍ରୋଫେସର ଆର୍ତ୍ତବଲ୍ଲଭ ଯେଉଁ ପ୍ରାଣାନ୍ତକ ପରିଶ୍ରମର ଉଦାହରଣ ଦେଖାଉଅଛନ୍ତି, ତାହା ଯଦି ସଂଘବଦ୍ଧ ପ୍ରାଚୀ ସମିତି ଅନୁଷ୍ଠାନର ଫଳରୂପେ ଓଡ଼ିଶାରେ ଚିରସ୍ଥାୟୀ ଭାବରେ ସାହିତ୍ୟସାଧନାର କ୍ଷେତ୍ର ହୋଇପାରନ୍ତା, ତେବେ ଓଡ଼ିଶାର ତାହାଦ୍ୱାରା ଢେର ଉପକାର ହୁଅନ୍ତା; କିନ୍ତୁ ଓଡ଼ିଶାର ହାଉଆର ଦୁର୍ଗୁଣ ଦେଖି ମନକୁ ଭାରି ପାପ ଛୁଉଁଅଛି । ଆର୍ତ୍ତବଲ୍ଲଭ ରୋଗାକ୍ରାନ୍ତ ଅବସ୍ଥାରେ ଯେ ଏଥିରେ ଲାଗିଅଛନ୍ତି ଏହାହିଁ ଓଡ଼ିଶା ପକ୍ଷରେ ଆଶା ଓ ଆନନ୍ଦର କଥା । ପ୍ରାଚୀ ସମିତିର ମୂଳୁଦୁଆ ବାନ୍ଧିବାପାଇଁ ଭଦ୍ରଖର ଭୂୟାଁ ଭାସ୍କରଚନ୍ଦ୍ର ଯେଉଁ ବାଦାନ୍ୟତାର ପରିଚୟ ଦେଇଅଛନ୍ତି, ତହିଁପ୍ରତି ଉତ୍କଳୀୟ ଧନପତିମାନଙ୍କ ଦୃଷ୍ଟି ପଡ଼ିଲେ ଉତ୍କଳରେ ଅନେକଗୁଡ଼ିଏ ପ୍ରାଚୀନ କୀର୍ତ୍ତିର ଉଦ୍ଧାର ହୋଇପାରନ୍ତା-। ଏସବୁ କଥା ବର୍ତ୍ତମାନ ଥାଉ, ବର୍ତ୍ତମାନ ଆର୍ତ୍ତବଲ୍ଲଭ ନିଜର ବହୁବର୍ଷର ଗବେଷଣା ଓ ପରିଶ୍ରମର ଫଳ–ପ୍ରାଚୀ ସମିତି ନାମରେ ଫଳତଃ ଏକାକୀ ତାଙ୍କ ଉଦ୍ୟମରେ ପ୍ରକାଶିତ ଗ୍ରନ୍ଥଗୁଡ଼ିକର–କପିରାଇଟ୍‌ ସ୍ୱତ୍ୱ ପ୍ରାଚୀ ସମିତିକୁ ଦାନପତ୍ରଦ୍ୱାରା ଦାନ କରି ସାରସ୍ୱତ ଭଣ୍ଡାରରେ ଅକ୍ଷୟ କୀର୍ତ୍ତି ସମ୍ପାଦି ଗଲେ । ଏ କପିରାଇଟ୍‌ ସ୍ୱତ୍ୱର ମୂଲ୍ୟ ଆର୍ତ୍ତବଲ୍ଲଭ ପନ୍ଦର ହଜାର ଟଙ୍କା ଧରିଅଛନ୍ତି; କିନ୍ତୁ ଏ ସ୍ୱାର୍ଥତ୍ୟାଗ ଉଦାହରଣର ମୂଲ୍ୟ ସୁପ୍ତ ଓଡ଼ିଆ ଜାତି ପ୍ରତି ଅମୂଲ୍ୟ ।

 

X X X

 

(କଟକ ଉତ୍କଳ ସାହିତ୍ୟ ସମାଜର ଚତୁର୍ବିଂଶ ବାର୍ଷିକ ଅଧିବେଶନ, ସେପ୍‌ଟେମ୍ୱର ୧୯୨୯)

Image